/odisha-reporter/media/post_attachments/uploadimage/library/16_9/16_9_0/IMAGE_1750845193.jpg)
Test Cricket
ଶୁବମନ ଗିଲଙ୍କ ପାଇଁ ଟେଷ୍ଟ କ୍ୟାପ୍ଟେନ୍ସରେ ଡେବ୍ୟୁ କରିବା କୌଣସି ଅଗ୍ନିପରୀକ୍ଷା ଠାରୁ କମ ନଥିଲା। ଭାରତ ଲିଡ୍ସରେ ଏମିତି ଏକ ବିଜୟକୁ ହାତ ଛଡ଼ା କଲା, ଯାହାକୁ ଜିତିବା ବେଶ ସହଜ ଥିଲା। କହିବାକୁ ଗଲେ ଭାରତକୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଜିତିବାର ହିଁ ଥିଲା। ଦୁଇ ଇନିଂସରେ ଭାରତ ୮୦୦ରୁ ଅଧିକ ରନ କରିଥିଲା। ୪ ଖେଳାଳିଙ୍କ ବ୍ୟାଟରୁ ୫ ଶତକ ଦେଖିବାକୁ ମିଳିଥିଲା। ନିଜର ପ୍ରମୁଖ ଦ୍ରୁତ ବୋଲର ୫ ୱିକେଟ ବି ହାସଲ କରିଥିଲେ। ତଥାପି ଭାରତକୁ ହାରିବାକୁ ପଡ଼ିଛି।
ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଟେଷ୍ଟ କ୍ରିକେଟର ନୂଆ ଯୁଗ ଆରମ୍ଭ ହୋଇଥିଲା। କିନ୍ତୁ ଭାରତୀୟ ଟିମ ନିଜର ପୁରୁଣା ଦୁର୍ବଳତା ପାଇଁ ଇଂଲଣ୍ଡ ଠାରୁ ହାରି ଯାଇଛି। ନୂଆ ଯୁଗରେ ମଧ୍ୟ ଭାରତୀୟ ଟିମ ନିଜ ପୁରୁଣା ସମସ୍ୟା ପାଇଁ ପରାସ୍ତ ହୋଇଛି। ଇଂଲଣ୍ଡ ବେଶ ଚମତ୍କାର ଢଙ୍ଗରେ ୩୭୧ ରନର ଟାର୍ଗେଟକୁ ଶେଷ ଦିନରେ ହାସଲ କରି ନେଇଛି। ଏଥିସହ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ୧-୦ରେ ଆଗୁଆ ହୋଇଯାଇଛି।
ନିଜର ଦୁର୍ଦ୍ଧଷ ଶୈଳୀର କ୍ରିକେଟ ପାଇଁ ପରିଚିତ ଇଂଲଣ୍ଡ ନିଜ ଟେଷ୍ଟ ଇତିହାସର ଦ୍ୱିତୀୟ ସର୍ବାଧିକ ରନ ଚେଜକୁ ହାସଲ କରି ନେଇଛି। ବାଜବଲ କ୍ରିକେଟ ପାଇଁ ପ୍ରସିଦ୍ଧ ଲାଭ କରିଥିବା ଇଂଲଣ୍ଡ ଶେଷ ଦିନରେ ୩୫୦ ରନ ହାସଲ କରି ଭାରତକୁ ୫ ୱିକେଟରେ ହରାଇ ଦେଇଛି। ମ୍ୟାଚ୍ର ଗୁରୁତ୍ୱପୂର୍ଣ୍ଣ ମୋଡରେ ଭାରତ ତ୍ରୁଟି କରିଥିବା ବେଳେ ଇଂଲଣ୍ଡ ନିଜର ଯାଦୁ ଦେଖାଇଛି। ବେନ ଡକେଟ ଆବଶ୍ୟକ ବେଳେ ଅର୍ଥାତ ୪ର୍ଥ ଇନିଂସରେ ୧୪୯ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବାରୁ ଇଂଲଣ୍ଡ ଶେଷ ଦିନରେ ୪.୩୮ ହାରରେ ରନ ସଂଗ୍ରହ କରି ଭାରତକୁ ଧୂଳି ଚଟାଇ ଦେଇଛି।
ବାଜବଲ ଯୁଗ ଅର୍ଥାତ ବ୍ରେଣ୍ଡନ ମ୍ୟାକମିଲନ ଓ ବେନ ଷ୍ଟୋକ୍ସ ଯୋଡ଼ି ସମୟରେ ଇଂଲଣ୍ଡ ୨୫୦ କିମ୍ବା ତା’ଠାରୁ ଅଧିକ ରନକୁ ବେଶ ସଫଳତାର ସହ ଚେଜ କରିଛି। ଟେଷ୍ଟ କ୍ରିକେଟରେ ଚେଜ କରିବା ପାଇଁ କାହିଁକି ଇଂଲଣ୍ଡ ସବୁବେଳେ ଚାହେଁ, ତା’ହା ପ୍ରମାଣିତ ହୋଇଛି। ଭାରତ ମ୍ୟାଚ୍ରେ ୫ ସ୍ପେଶାଲିଷ୍ଟ ବୋଲରଙ୍କୁ ନ ଖେଳାଇବାର ପରିଣାମ ଭୋଗିଛି। ଏପରି ହୋଇଥିଲେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ଉପରେ ଚାପ ସାମାନ୍ୟ କମ ରହିଥାଆନ୍ତା।
ନିଜର ପ୍ରଥମ ଟେଷ୍ଟ କ୍ୟାପ୍ଟେନ୍ସିରେ ଶୁବମନ ଗିଲଙ୍କ ପାଇଁ ପୂରା ୫ ଦିନ ବେଶ ରୋମାଞ୍ଚକର ରହିଥିଲା। ହେଡିଂଲୀରେ ୫ ଦିନ କାଳ ମ୍ୟାଚ୍ର ମୋଡ ପ୍ରତଟି ସେସନ୍ସରେ ବଦଳୁ ଥିଲା। ଟେଷ୍ଟ କ୍ରିକେଟର ମହତ୍ତ୍ୱ କ’ଣ ସେକଥା ସମସ୍ତେ ବୁଝୁଥିଲେ।
ଭାରତର ଟପ ଅର୍ଡର ଦମଦାର ବ୍ୟାଟିଂ କରିଥିଲେ। ଶୁବମନ ଗିଲ ଇଂଲଣ୍ଡ ମାଟିରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ତାଙ୍କ ଡେପୁଟି ଋଷଭ ପନ୍ତ ଉଭୟ ଇନିଂସରେ ଶତକ ହାସଲ କରି ବିଶ୍ୱ ରେକର୍ଡ ବି କରିଥିଲେ। କିନ୍ତୁ ବୋଲିଂ ବାହିନୀ ସାମୂହିକ ଭାବେ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଫିଲ୍ଡରମାନେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ନିମ୍ନ ମଧ୍ୟକ୍ରମ ବ୍ୟାଟରମାନେ ଏମିତି ଆଉଟ ହୋଇଥିଲେ ଯେମିତି କୌଣସି ଖେଳାଳି ପଡ଼ିଆକୁ ପାଣି ନେଇ ଆସି ଚାଲି ଯାଉଛନ୍ତି ଭଳି ଲାଗିଥିଲା।
ମ୍ୟାଚ୍ ପରେ ଗିଲ ସ୍ୱୀକାର କରିଛନ୍ତି ଯେ ନିମ୍ନକ୍ରମରେ ବିପର୍ଯ୍ୟୟ ଟିମକୁ ମହଙ୍ଗା ପଡ଼ିଛି। ଭାରତୀୟ ଟିମ ପ୍ରଥମ ଇନିଂସରେ ଏକଦା ୩ ୱିକେଟ ହରାଇ ୪୩୦ ରନ କରିଥିଲା। କିନ୍ତୁ ଶେଷ ୭ ୱିକେଟ ୪୧ ରନରେ ଖସିବାରୁ ଦଳ ୪୭୧ରେ ଅଟକି ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତୀୟ ଟିମର ସ୍କୋର ୪ ୱିକେଟରେ ୩୩୩ ରନ ରହିଥିଲା। ହେଲେ ଭାରତୀୟ ଟିମ ୩୬୪ ରନରେ ଅଲଆଉଟ ହୋଇଥିଲା।
ଗିଲ କହିଛନ୍ତି, “ଦ୍ୱିତୀୟ ଇନିଂସରେ ଆମେ ୪୩୦ ଓ ୪୩୫ ରନ କଥା ଚିନ୍ତା କରିଥିଲୁ। ଏହାପରେ ଆମେ ପାଳି ଘୋଷଣା କରିଥାଆନ୍ତୁ। କିନ୍ତୁ ୨୦ରୁ ୨୫ ରନ ଭିତରେ ଶେଷ ୬ ୱିକେଟ ହରାଇଥିଲୁ। ଏହା ଆଦୌ ଠିକ ହେଲାନି। ଶେଷ ଦିନରେ ଇଂଲଣ୍ଡର ଓପନିଂ ଯୋଡ଼ି ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ମୁଁ ଭାବିଥିଲି ଯେ ଆମ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ମ୍ୟାଚ ଆମ ସପକ୍ଷରେ ଯାଇ ନାହିଁ।”
ଯଶପ୍ରୀତ ବୁମ୍ରାଙ୍କ ଉପରେ ଅଧିକ ଚାପ
ଭାରତୀୟ ଟିମର ପୁରୁଣା ସମସ୍ୟା ପୁଣି ସାମ୍ନାକୁ ଆସିଛି। ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରାଙ୍କୁ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ସମାଲୋଚନାର ଶିକାର ହୋଇଥିଲେ। ଏବେ ନୂଆ କ୍ୟାପ୍ଟେନ ଗିଲ ମଧ୍ୟ ବୁମ୍ରାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି। ସେ ବୁମ୍ରାଙ୍କ ଉପରେ ଅଧିକ ନିର୍ଭର କରୁଥିବା ବେଳେ ଅନ୍ୟମାନେ ପ୍ରଭାବଶୂନ୍ୟ ରହିଛନ୍ତି। ଆଇପିଏଲରେ ଦମଦାର ପ୍ରଦର୍ଶନ କରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଇଂଲଣ୍ଡକୁ ଟେଷ୍ଟ ଖେଳିବାକୁ ଆସିଛନ୍ତି। କିନ୍ତୁ ଉଭୟ ପ୍ରଥମ ଟେଷ୍ଟରେ ବୁମ୍ରାଙ୍କୁ ଆବଶ୍ୟକ ସହଯୋଗ କରି ପାରି ନାହାନ୍ତି।
ଚୂଡ଼ାନ୍ତ ଏକାଦଶରେ ଶାର୍ଦ୍ଦୁଲ ଠାକୁରଙ୍କ ଚୟନ ଭାରତୀୟ ଟିମକୁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ବ୍ୟାଟ କିମ୍ବା ଆଶା ଅନୁଯାୟୀ ବୋଲିଂ କରିପାରି ନାହାନ୍ତି। ଗିଲ ମଧ୍ୟ ଶାର୍ଦ୍ଦୁଲ ଠାକୁରଙ୍କୁ ଜଣେ ବୋଲର ଭାବେ ବିଶ୍ୱାସକୁ ନେଇ ପାରି ନଥିଲେ। ଏଥିପାଇଁ ପ୍ରଥମ ଇନିଂସରେ ତାଙ୍କୁ କେବଳ ୬ ଓଭର ପକାଇବାକୁ ସୁଯୋଗ ସେ ଦେଇଥିଲେ। ଦ୍ୱିତୀୟ ଇନିଂସରେ ୱିକେଟ ନ ଯିବାରୁ ଶାର୍ଦ୍ଦୁଲଙ୍କୁ ଅଧିକ ଓଭର ବୋଲିଂ କରିବାକୁ ସୁଯୋଗ ମିଳିଥିଲେ। ସେ ଏହାର ଫାଇଦା ଉଠାଇ ବେନ ଡକେଟ ଓ ହ୍ୟାରୀ ବ୍ରୁକଙ୍କୁ କ୍ରମାଗତ ଦୁଇଟି ବଲରେ ଆଉଟ କରିଥିଲେ।
ପ୍ରଥମ ଟେଷ୍ଟର ଶେଷ ଦିନରେ ଭାରତୀୟ ବୋଲର ଆଦୌ ଲୟରେ ଥିବା ଭଳି ମନେ ହେଉ ନଥିଲା। ସେମାନେ ପୂରା ଦିନରେ ଇଂଲଣ୍ଡର ୫ ବ୍ୟାଟରଙ୍କୁ ଆଉଟ କରିପାରିଥିଲେ। ପ୍ରଥମ ଇନଂସରେ ୫ ୱିକେଟ ନେଇଥିବା ବୁମ୍ରା ଗୋଟିଏ ହେଲେ ବି ସଫଳତା ପାଇ ନାହାନ୍ତି। ସେ ୧୯ ଓଭର ବୋଲିଂ କରିଥିଲେ ହେଁ ୱିକେଟ ନ ପାଇବା ଭାରତର ସମସ୍ୟାକୁ ବଢ଼ାଇଥିଲା। ପ୍ରଥମ ଇନିଂସରେ ସେ ୫ ୱିକେଟ ନେବାରୁ ଭାରତ ୬ ରନର ଲିଡ ପାଇଥିଲା। ସେ ୱିକେଟ ନ ପାଇବାରୁ ଇଂଲଣ୍ଡ ୫ ୱିକେଟରେ ମ୍ୟାଚ୍କୁ ଜିତି ନେଇଛି।
ଶେଷ ଦିନରେ ୩୫୦ ରନ ଆବଶ୍ୟକ କରୁଥିବା ଇଂଲଣ୍ଡ ପାଇଁ ବେନ ଡକେଟ ଓ ଜ୍ୟାକ କ୍ରଉଲୀ ୧୮୮ ରନ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଏକ ପ୍ରକାରର ଛଡ଼ାଇ ନେଇଥିଲେ। ଉଭୟ ଡକେଟ ଓ କ୍ରଉଲୀ ଆଦୌ ବୁମ୍ରାଙ୍କୁ ଶଟ ମାରି ନଥିଲେ। ତାଙ୍କୁ ଉଭୟ ସତର୍କତାର ସହ ମୁକାବିଲା କରିଥିଲେ। କିନ୍ତୁ ବାକି ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଡକେଟ ସେଟ ହେବା ପରେ ବୁମ୍ରାଙ୍କୁ ମଧ୍ୟ କାଉଣ୍ଟର ଆଟାକ କରିବାକୁ ପଛାଇ ନଥିଲେ।
୧୮୮ ରନର ଭାଗିଦାରୀ ପରେ ଇଂଲଣ୍ଡ ଲଗାତର କିଛି ୱିକେଟ ହରାଇଥିଲା। କିନ୍ତୁ ଜୋ ରୁଟ ସ୍ଥିତି ସମ୍ଭାଳି ଅପରାଜିତ ୫୩ ରନର ଇନିଂସ ଖେଳି ଇଂଲଣ୍ଡକୁ ବିଜୟ ଭେଟି ଦେଇଥିଲେ।
ବୁମ୍ରା ବନାମ ଅନ୍ୟ ଭାରତୀୟ ବୋଲର୍
ପ୍ରଥମ ଇନିଂସ
ବୁମ୍ରା: ୨୪.୪ ଓଭର- ୫ ୱିକେଟ ଓ ୮୩ ରନ
ଅନ୍ୟ ଭାରତୀୟ ବୋଲର: ୭୭ ଓଭର- ୫ ୱିକେଟ-୩୮୨ ରନ
ଦ୍ୱିତୀୟ ଇନିଂସ
ବୁମ୍ରା: ୧୯ ଓଭର-୫୭ ରନ- ୱିକେଟ ନାହିଁ
ଅନ୍ୟ ଭାରତୀୟ ବୋଲର: ୬୩ ଓଭର- ୩୧୬ ରନ – ୫ ୱିକେଟ
ଅନ୍ୟପକ୍ଷରେ ଇଂଲଣ୍ଡ ଆଦୌ କୌଣସି ସୁଯୋଗ ହାତ ଛଡ଼ା କରି ନଥିଲା। ବେନ ଷ୍ଟୋକ୍ସଙ୍କ ଅଧୀନରେ ଇଂଲଣ୍ଡର ଖେଳାଳିମାନେ ଭାରତର ସ୍କୋର ୩ ୱିକେଟରେ ୪୩୦ ଥିଲା ବେଳେ ମଧ୍ୟ ହାର ମାନିବା ମୁଡରେ ନଥିଲେ। ଆହତ ଯୋଗୁ ଜୋଫ୍ରା ଆର୍ଚର, ମାର୍କ ଉଡ ଓ ଗସ ଅଟକିନସନଙ୍କ ଭଳି ପ୍ରମୁଖ ବୋଲରଙ୍କୁ ଇଂଲଣ୍ଡ ମିସ କରୁଛି। କିନ୍ତୁ ଅଭିଜ୍ଞ କ୍ରିସ ୱିକସଙ୍କ ଉପସ୍ଥିତ ଓ ଷ୍ଟୋକ୍ସଙ୍କ ନେତୃତ୍ୱରେ ଯୁବ ବୋଲିଂ ବାହିନୀ ଭାରତର ସମସ୍ତ ୨୦ ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଷ୍ଟୋକ୍ସ ପ୍ରଥମ ଇନିଂସରେ ୪ ଓ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ନେଇଛନ୍ତି। ଜୋଶ ଟଙ୍ଗ ଓ ବ୍ରାୟଣ୍ଡନ କାର୍ସ ଦ୍ୱିତୀୟ ଇନିଂସରେ କେବଳ ଗୁରୁତ୍ୱପୂର୍ଣ୍ଣ ୱିକେଟ ଦଖଲ କରି ନଥିଲେ, ବରଂ ଭାରତର ରନ ହାସଲ ଗତିରେ ଅଙ୍କୁଶ ମଧ୍ୟ ଲଗାଇ ପାରିଥିଲେ। ମ୍ୟାଚ୍ରେ ଟଙ୍ଗ ୭ଟି ୱିକେଟ ନେଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
ପ୍ରଥମ ଟେଷ୍ଟ ହାରିବା ପରେ ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ଚାପ ସୃଷ୍ଟି ହୋଇଛି। କାରଣ ସେ ଦାୟିତ୍ୱ ନେବା ପରେ ଭାରତ ଖେଳିଥିବା ୧୧ଟି ଟେଷ୍ଟରୁ ୬ଟି ଟେଷ୍ଟ ହାରି ସାରିଲାଣି। ଏବେ ଜୁଲାଇ ୨ରୁ ଆରମ୍ଭ ହେଉଥିବା ବର୍ମିଂହାମ ଟେଷ୍ଟରେ ଗିଲ ଓ ଗମ୍ଭୀର ଯୋଡ଼ି କ’ଣ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
