ବିଶ୍ୱକପରେ ରାଶିଦ ଖାନ ଅଧିନାୟକ, ଦଳରେ ୬ ଅଲରାଉଣ୍ଡର

୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୮ ଜଣ ଏବେ ଭାରତରେ ଖେଳାଯାଉଥିବା ଆଇପିଏଲରେ ବ୍ୟସ୍ତ ରହିଛନ୍ତି।

ରାଶିଦ ଖାନ (ଫାଇଲ ଫଟୋ)

  • Published: Thursday, 02 May 2024
  • , Updated: 02 May 2024, 03:25 PM IST

ଭେଟରାନ ସ୍ପିନର ରାଶିଦ ଖାନଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଖେଳିବ ଆଫଗାନିସ୍ତାନ। ଆସନ୍ତା ଜୁନ ୨ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଖେଳାଯିବ। ଏଥିପାଇଁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ଭେଟରାନ ସ୍ପିନର ରାଶିଦ ଖାନ୍‌ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ସେହପରି ଆଫଗାନିସ୍ତାନ ସ୍କ୍ୱାଡରେ ୬ ଜଣ ଅଲରାଉଣ୍ଡର ରହିଛନ୍ତି। ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୮ ଜଣ ଏବେ ଭାରତରେ ଆଇପିଏଲରେ ବ୍ୟସ୍ତ ରହିଛନ୍ତି।

ସ୍କ୍ୱାଡରେ କେବଳ ୪ ଜଣ ବ୍ୟାଟରଙ୍କୁ ରଖାଯାଇଛି। ସେମାନେ ହେଲେ ୱିକେଟ କିପର ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ନଜିବୁଲ୍ଲା ଜଦ୍ରାନ ଓ ବ୍ୟାକଅପ କିପର ମହମ୍ମଦ ଈଶାକ୍‌। ବ୍ୟାଟରଙ୍କ ଅଭାବକୁ ପୂରଣ କରିବା ପାଇଁ ଦଳରେ ୬ ଜଣ ଅଲରାଉଣ୍ଡର ରହିଛନ୍ତି। ଅଜମତୁଲ୍ଲା ଓମରଜାଇ, ମହମ୍ମଦ ନବି, ଗୁଲବଦିନ ନବି, କରିମ ଜନତ ଓ ଏନ ଖାରୋଟେ ବ୍ୟାଟିଂ ଓ ବୋଲିଂ କରିବାକୁ ସକ୍ଷମ ।

ସ୍ପିନ ବୋଲର ଭାବେ ମୁଜୀବ ଉର ରହମାନ ଓ ନୂର ଅହମଦଙ୍କୁ ଦଳରେ ରଖାଯାଇଛି। ଏମାନଙ୍କ ସହ ରାଶିଦ, ନବି ଓ ଖାରୋଟେଙ୍କ ଭଳି ବିଶ୍ୱସ୍ତରୀୟ ସ୍ପିନର ଆଫଗାନିସ୍ତାନ ପାଇଁ ବିଶ୍ୱକପରେ ଲଢ଼େଇ କରିବେ।

ଦଳରେ ଏକମାତ୍ର ଡାହାଣହାତୀ ଦ୍ରୁତ ବୋଲର ହେଉଛନ୍ତି ନବୀନ ଉଲ ହକ। ତାଙ୍କ ସହ ବାମହାତୀ ଫଜଲହକ ଫାରୁକି ଓ ଫରୀଦ ୧୫ ଜଣିଆ ସ୍କ୍ୱାଡରେ ଦ୍ରୁତ ବୋଲର ଭାବେ ରହିଛନ୍ତି।

ପ୍ରଥମଥର ପାଇଁ ନୂର, ଖାରୋଟେ ଓ ଈଶାକ ମିଳିତ ଭାବେ ଟି-୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି। ଏମାନେ ଅଣ୍ଡର ୧୯ ବିଶ୍ୱକପରେ ଆଫଗାନିସ୍ତାନ ପାଇଁ ଖେଳିଥିଲେ।

୨୦୨୩ ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନର ନେତୃତ୍ୱ ନେଇଥିବା ହଶମତୁଲ୍ଲା ଶାହିଦିଙ୍କୁ ଟି-୨୦ ବିଶ୍ୱକପ ପାଇଁ ଚୟନ କରାଯାଇ ନାହିଁ। ମୁଖ୍ୟ ସ୍କ୍ୱାଡରେ ବାମହାତୀ ଓପନର ହଜର୍ତୁଲ୍ଲା ଜଜାଇଙ୍କୁ ସୁଯୋଗ ମିଳିନି। ସେ ସେଦିକୁଲା ଅତଲ ଓ ମହମ୍ମଦ ସଲୀମଙ୍କ ସହ ସଂରକ୍ଷିତ ଖେଳାଳି ଭାବେ ବିଶ୍ୱକପ ପାଇଁ ଆଫଗାନିସ୍ତାନ ସହ ଯାତ୍ରା କରିବେ।

ଆଫଗାନିସ୍ତାନ ବିଶ୍ୱକପର ଗ୍ରୁପ ସି’ରେ ରହିଛି। ଏହି ଗ୍ରୁପରେ ନ୍ୟୁଜିଲ୍ୟାଣ୍ଡ, ସହ ଆୟୋଜକ ୱେଷ୍ଟ ଇଣ୍ଡିଜ, ଉଗାଣ୍ଡା ଓ ପପୁଆ ନ୍ୟୁ ଗିନି ରହିଛନ୍ତି। ଜୁନ ୩ରେ ଉଗାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଆଫଗାନିସ୍ତାନ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ।

Related story