ଦକ୍ଷିଣ ଆଫ୍ରିକା ଟିମ ଓ ନିରାଶ ଗୁରବାଜ
ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଅନ୍ୟତମ ରୋମାଞ୍ଚକର ମ୍ୟାଚ୍ ଦେଖିଛନ୍ତି କ୍ରିକେଟ ପ୍ରେମୀ। ପ୍ରଥମେ ମ୍ୟାଚ୍ ଟାଇ। ତା’ ପରେ ସୁପର ଓଭରରେ ପୁଣି ଟାଇ। ଏହାପରେ ଆଉ ଗୋଟିଏ ସୁପର ଓଭର। ଆଉ ଏହି ସୁପର ଓଭରରେ ବାଜି ମାରି ନେଇଛି ଦକ୍ଷିଣ ଆଫ୍ରିକା।
ଡବଲ ସୁପର ଓଭରରେ ଆଫଗାନିସ୍ତାନ ଲଢ଼େଇ କରିଥିଲେ ହେଁ ଶେଷରେ ନିରାଶ ହୋଇଛି। ଦ୍ୱିତୀୟ ସୁପର ଓଭର ଜିତିବାକୁ ଆଫଗାନିସ୍ତାନକୁ ୨୪ ରନର ଟାର୍ଗେଟ ମିଳିଥିଲା। ପ୍ରଥମ ଦୁଇ ବଲରେ କୌଣସି ନ ମିଳିବା ସହ ମହମ୍ମଦ ନବିଙ୍କୁ କେଶବ ମହାରାଜ ଆଉଟ କରିଥିଲେ। ଏହାପରେ ରହମନୁଲ୍ଲା ଗୁରବାଜ ୩ ବଲରେ ୩ ଛକା ମାରିଥିଲେ। ଶେଷ ବଲରେ ୬ ରନ ଦରକାର ଥିବା ବେଳେ ସେ ଆଉଟ ହେବା ସହ ଆଫଗାନିସ୍ତାନ ଦୁଃଖଦ ପରାଜୟର ସମ୍ମୁଖୀନ ହୋଇଥିଲା। ମୂଳ ମ୍ୟାଚ୍ରେ ମଧ୍ୟ ଗୁରବାଜ ୪୨ ବଲରେ ବିସ୍ଫୋରକ ୮୪ ରନର ଇନିଂସ ଖେଳି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। କିନ୍ତୁ ଆଫଗାନିସ୍ତାନ ପରାସ୍ତ ହୋଇଛି।
ଏହି ପରାଜୟ ସହ ବିଶ୍ୱକପର ସୁପର ୮ରେ ପ୍ରବେଶ କରିବାର ଆଶା ମଧ୍ୟ ଦଳର ଏକପ୍ରକାରର ମଉଳି ଯାଉଛଛି। ଆଜି ସୁପର ଓଭରରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିବା ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍ରେ କାନାଡା ଓ ଆଜି ଆଫଗାନିସ୍ତାନକୁ ପରାସ୍ତ କରି ପୂରା ୪ ପଏଣ୍ଟ ହାସଲ କରିଛି।
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ଏହି ହାଇଭୋଲଟେଜ ଲଢ଼େଇ ସଂପୂର୍ଣ୍ଣ ରୋମାଞ୍ଚରରେ ଭରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୭ ରନ କରିଥିଲା। ୧୮୮ ରନର ବିଜୟ ପିଛା କରୁଥିବା ଆଫଗାନିସ୍ତାନ ରହମନୁଲ୍ଲା ଗୁରବାଜଙ୍କ ୪୨ ବଲରେ ୮୪ ଓ ଶେଷ ଭାଗରେ ନୁର ଅହମଦଙ୍କ ୯ ବଲରେ ୧୫ ରନ ଯୋଗୁ ସମସ୍ତ ୱିକେଟ ହରାଇ ସମାନ ୧୮୭ ରନ କରିଥିଲା।
ମ୍ୟାଚ୍ ଏକଦା ଦକ୍ଷିଣ ଆଫ୍ରିକା ହାତରେ ଥିବା ବେଳେ ଶେଷ ଓଭର ବୋଲିଂ କରୁଥିବା କାଗିସୋ ରବାଡାଙ୍କ ଭୁଲ ଯୋଗୁ ମ୍ୟାଚ ଟାଇ ହୋଇ ଯାଇଥିଲା। ଶେଷ ଓଭରରେ ଆଫଗାନିସ୍ତାନକୁ ୧୩ ରନ ଦରକାର ଥିବା ବେଳେ ହାତରେ କେବଳ ଗୋଟିଏ ୱିକେଟ ରହିଥିଲା।
ପ୍ରଥମ ବଲରେ ସେ ୱିକେଟ ନେଇଥିଲେ ହେଁ ଏହା ନୋ ବଲ ହୋଇଯାଇଥିଲା। ପରବର୍ତ୍ତୀ ବଲରେ ୱାଇଡ ପକାଇଥିଲେ ରବାଡା। ଏହାର ଅର୍ଥ ଶେଷ ୬ ବଲରେ ବିଜୟ ପାଇଁ ଆବଶ୍ୟକ ରନ ୧୨କୁ ଖସି ଯାଇଥିଲା। ପ୍ରଥମ ଲିଗାଲ ବଲ ଡଟ ହୋଇଥିବା ବେଳେ ପରବର୍ତ୍ତୀ ବଲରେ ନୁର ଛକା ମାରିଥିଲେ। ୪ ବଲକୁ ୫ ରନ ଦରକାର ଥିବା ବେଳେ ତୃତୀୟ ବଲ ଡଟ ହୋଇଥିଲା।
ପରବର୍ତ୍ତୀ ବଲ ରବାଡା ପୁଣି ନୋ ପକାଇବା ସହ ନୁର ୨ ରନ ହାସଲ କରିଥିଲେ। ୩ ବଲରେ ୨ ରନ ଓ ନୁରଙ୍କ ଆଗରେ ଫ୍ରି ହିଟ ରହିଥିଲେ। ସେ ବଲକୁ ମାରି ଦୁଇ ରନ ନେଉଥିବା ବେଳେ ଅନ୍ୟପଟେ ଥିବା ଫଜଲହକ ଫାରୁକି ରନ ଆଉଟ ହୋଇ ଯାଇଥିଲେ। ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।
ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନ ପାଇଁ ଗୁରବାଜ ଓ ଅଜମତୁଲ୍ଲା ଓମରଜାଇ ଦମଦାର ବ୍ୟାଟିଂ କରି ୧୭ ରନ ଯୋଡ଼ିଥିଲେ। ଦକ୍ଷିଣ ଆଫ୍ରିକା ୧୮ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ବେଳେ ସାମ୍ନାରେ ଥିବା ଫଜଲହକ ଫାରୁକି। ତାଙ୍କ ପ୍ରଥମ ବଲରେ ଡାଭିଡ ମିଲର ୧ ରନ ନେବାରୁ ଷ୍ଟ୍ରାଇକ ପାଇଥିଲେ ଡେୱାଲଡ ବ୍ରେଭିସ।
ସେ ପ୍ରଥମ ବଲରେ ଛକା ଓ ଦ୍ୱିତୀୟ ବଲରେ ଆଉଟ ହୋଇଥିଲେ। ୪ର୍ଥ ବଲରେ ଟ୍ରିଷ୍ଟାନ ଷ୍ଟବ୍ସ ଚୌକା ମାରିଥିଲେ। ୫ମ ବଲରେ କୌଣସି ରନ ହୋଇ ନଥିଲା। ଶେଷ ବଲକୁ ଜିତିବା ପାଇଁ ୭ ରନ ଦରକାର ଥିବା ବେଳେ ଷ୍ଟବ୍ସ ଦମଦାର ଛକା ମାରି ପୁଣି ମ୍ୟାଚ୍କୁ ଟାଇ କରିଦେଇଥିଲେ।
ଦ୍ୱିତୀୟ ସୁପର ଓଭରରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା। ମିଲର ଓ ଷ୍ଟବ୍ସ ଦମଦାବର ବ୍ୟାଟିଂ କରି ବୋଲିଂ କରୁଥିବା ଓମରଜାଇଙ୍କ ଓଭରରୁ ୨୩ ରନ ଆଦାୟ କରିଥିଲେ। ମିଲର ୨ଟି ଓ ଷ୍ଟବ୍ସ ଗୋଟିଏ ଛକା ମାରିବାରୁ ଦ୍ୱିତୀୟ ସୁପର ଓଭର ପରେ ଆଫଗାନିସ୍ତାନକୁ ୨୪ ରନର ଟାର୍ଗେଟ ମିଳିଥିଲା। କିନ୍ତୁ ଗୁରବାଜଙ୍କ ହ୍ୟାଟ୍ରିକ ଛକା ସତ୍ତ୍ୱେ ଆଫଗାନିସ୍ତାନ ୫ ରନରେ ସୁପର ଓଭରରେ ହାରି ଯାଇଛି।
ମୂଳ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ସହ ୪ ଓଭରରେ ୨୬ ରନ ଦେଇ ୩ ୱିକେଟ ନେଇଥିବା ଲୁଙ୍ଗି ଏନଗିଡିଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/11/sa-2026-02-11-15-37-16.jpg)