Advertisment

ବିଶ୍ୱକପରେ ଅଷ୍ଟ୍ରେଲିଆର କ୍ରମାଗତ ଦ୍ୱିତୀୟ ପରାଜୟ, ଜିତିଲା ଦକ୍ଷିଣ ଆଫ୍ରିକା

ଚଳିତ ବିଶ୍ୱକପରେ ଏହା ଦକ୍ଷିଣ ଆଫ୍ରିକାର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ଶ୍ରୀଲଙ୍କାକୁ ୧୦୨ ରନରେ ହରାଇଥିଲା।

author-image
Hemant Lenka
South Africa

South Africa

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆର ପରାଜୟଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମଦଶା ଭୋଗିଛି। ୫ଥରର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଏକତରଫା ଭାବେ ୧୩୪ ରନରେ ହରାଇ ଦେଇଛି।

Advertisment

ଚଳିତ ବିଶ୍ୱକପରେ ଏହା ଦକ୍ଷିଣ ଆଫ୍ରିକାର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ଶ୍ରୀଲଙ୍କାକୁ ୧୦୨ ରନରେ ହରାଇଥିଲା। କ୍ରମାଗତ ଦୁଇଟି ବିଜୟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ, ଭାରତ ତୃତୀୟ ଓ ପାକିସ୍ତାନ ୪ର୍ଥରେ ରହିଛି। 

 ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୱିଣ୍ଟନ ଡି’କକ ଦମଦାର ଶତକ ହାସଲ କରିଥିଲେ। ସେହିପରି ବୋଲିଂରେ କାଗିସୋ ରବାଡା ଜବରଦସ୍ତ ବୋଲିଂ କରିଛନ୍ତି।

Advertisment

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୧୧ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୪୦.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୭୭ ରନ କରିବାକୁ ସକ୍ଷମ ହୋଇଛି।

୩୧୨ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ବିପକ୍ଷରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ମିଚେଲ ମାର୍ଶ ଆଜି କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ପରେ ଡାଭିଡ ୱାର୍ଣ୍ଣର ୧୩ କରି ଲୁଙ୍ଗି ଏନଗିଡିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ଉପରେ ଭରସା କରିଥିଲା। କିନ୍ତୁ ସେ ମଧ୍ୟ କେବଳ ୧୯ କରି କାଗିସୋ ରବାଡାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଲେକ୍ସ କେରୀଙ୍କ ବଦଳରେ ଆଜି ସୁଯୋଗ ପାଇଥିବା ଜୋଶ ଇଙ୍ଗଲିସ ୫, ଗ୍ଲେନ ମ୍ୟାକ୍ସୱେଲ ୩ ଓ ମାର୍କସ ଷ୍ଟୋଇନିସ ୫ ରନ କରି ଆଉଟ ହୋଇଥିଲେ। ରବାଡାଙ୍କ ଘାତକ ବୋଲିଂରେ ଅଷ୍ଟ୍ରେଲିଆର ଟପ୍‌ ଅର୍ଡର ଛିନଛତ୍ର ହୋଇଯାଇଥିଲା।

ଅଷ୍ଟ୍ରେଲିଆ ପାଇଁ ମାର୍ନସ ଲାବୁଶେନ ଓ ମିଚେଲ ଷ୍ଟାର୍କ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ଉଭୟ ୭ମ ୱିକେଟ ପାଇଁ ୬୯ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୩୯ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏତିକି ବେଳେ ୨୭ ରନ କରିଥିବା ଷ୍ଟାର୍କଙ୍କୁ ମାର୍କୋ ଜାନେସନ ଆଉଟ କରିଥିଲେ। ଆଉ ୫ ରନ ପରେ ଲାବୁଶେନ (୪୬) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ କେଶବ ମହାରାଜ ଆଉଟ କରି ଅଷ୍ଟ୍ରେଲିଆର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

ଶେଷ ଭାଗରେ ଅଧିନାୟକ କମିନ୍ସ ୨୧ ବଲରେ ୨୨ ରନର ଇନିଂସ ଖେଳିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିଲା। ତାଙ୍କ ୱିକେଟ ତାବ୍ରାଇଜ ଶାମସିଙ୍କ ଖାତାକୁ ଯାଇଥିଲା। ୧୭୫ ରନରେ ଅଷ୍ଟ୍ରେଲିଆ ୯ମ ୱିକେଟ ହରାଇଥିଲା।

ଦଳୀୟ ସ୍କୋର ୧୭୭ ଥିବା ବେଳେ ସାମସି ୨ ରନ କରି ଥିବା ଜୋଶ ହେଜେଲଉଡଙ୍କୁ ରବାଡାଙ୍କ ହାତରେ ଆଉଟ କରି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଷ୍ଟ୍ରେଲୀୟ ଟିମ ୪୦.୫ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୭୭ ରନ କରିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଆଫ୍ରିକା ୧୩୪ ରନରେ ମ୍ୟାଚ୍‌ ଜିତି ନିଜର ଦବଦବା ଦେଖାଇଛି।

ଦଳ ପକ୍ଷରୁ ରବାଡା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଜାନେସନ, କେଶବ ମହାରାଜ ଓ ଶାମସି ୨ଟି ଲେଖାଏ ସଫଳତା ପାଇଛନ୍ତି। ଲୁଙ୍ଗି ଏନଗିଡି ଗୋଟିଏ ୱିକେଟ ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023