ଭାରତ ପୁଣି ହାରିଲା, ଦକ୍ଷିଣ ଆଫ୍ରିକା ସିରିଜ୍ ଜିତିଲା

ପାର୍ଲ: ଟେଷ୍ଟ ପରେ ଦିନିକିଆ ସିରିଜରେ ମଧ୍ୟ ଭାରତକୁ ଲାଗିଛି ପରାଜୟର ଜୋରଦାର ଝଟକା। ଜବରଦସ୍ତ ବ୍ୟାଟିଂ ଓ ବୋଲିଂ ଦମରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ପରାଜୟ ସହ ଭାରତର ସିରିଜ୍ ଜିତିବା ଆଶା ମଉଳି ଯାଇଛି। ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଋଷଭ ପନ୍ତଙ୍କ ବିସ୍ଫୋରକ […]

india-vs-sa

Ranjit Kumar Jena
  • Published: Friday, 21 January 2022
  • , Updated: 22 January 2022, 02:03 PM IST

ପାର୍ଲ: ଟେଷ୍ଟ ପରେ ଦିନିକିଆ ସିରିଜରେ ମଧ୍ୟ ଭାରତକୁ ଲାଗିଛି ପରାଜୟର ଜୋରଦାର ଝଟକା। ଜବରଦସ୍ତ ବ୍ୟାଟିଂ ଓ ବୋଲିଂ ଦମରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ପରାଜୟ ସହ ଭାରତର ସିରିଜ୍ ଜିତିବା ଆଶା ମଉଳି ଯାଇଛି।

ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୬ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୨୮୮ ରନ୍ କରି ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଦୁଇ ଓପ୍ନର ଜାନେମନ୍ ମଲାନ୍ ୯୧ (୧୦୮ ବଲ୍, ୮ ଚୌକା, ୧ ଛକା) ଓ କ୍ୱିଣ୍ଟନ୍ ଡି’କକ୍ ୭୮ (୬୬ ବଲ୍, ୭ ଚୌକା, ୩ ଛକା) ରନର ଇନିଂସ୍ ଖେଳିଛନ୍ତି। ଅନ୍ୟପକ୍ଷରେ ଭାରତର ବୋଲିଂ ଆଟାକ୍ ଦକ୍ଷିଣ ଆଫ୍ରିକା ଆଗରେ ପ୍ରଭାବଶୂନ୍ୟ ରହିଥିଲା।

୨୮୮ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାର ଦମଦାର ଆରମ୍ଭ ମିଳିଥିଲା। ମଲାନ୍ ଓ ଡି’କକଙ୍କ ଓପନିଂ ଯୋଡ଼ି ପ୍ରଥମ ୱିକେଟ୍ ପାଇଁ ୧୩୨ ରନ ଯୋଡ଼ିଥିଲେ। ଡି’କକଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଶାର୍ଦ୍ଦୁଲ ଠାକୁର ଭାରତକୁ ପ୍ରଥମ ସଫଳତା ଦେଇଥିଲେ। କିନ୍ତୁ ମଲାନ ଓ କ୍ୟାପଟେନ୍ ତେମ୍ବା ବାଭୁମା ଆଉଏକ ଭଲ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାର ବିଜୟକୁ ସହଜ କରିଦେଇଥିଲେ। ତେବେ ଏହି ଯୋଡ଼ିକୁ ଯଶପ୍ରୀତ ବୁମ୍ରା ଭାଙ୍ଗିବାରେ ସଫଳ ହୋଇଥିଲେ।

ଦକ୍ଷିଣ ଆଫ୍ରିକାର ସ୍କୋର ୨୧୨ରେ ଥିବା ବେଳେ ମଲାନଙ୍କୁ ବୁମ୍ରା କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ବାଭୁମା (୩୫)ଙ୍କ ୱିକେଟ୍ ନେଇ ୟୁଜବେନ୍ଦ୍ର ଚହଲ୍ ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ହେଲେ ପ୍ରଥମ ମ୍ୟାଚରେ ଶତକ ମାରିଥିବା ରାସି ଭାନ୍ ଡର୍ ଡୁସେନ୍ ଓ ଏଡେନ୍ ମାର୍କରମ୍ ଅର୍ଦ୍ଧଶତକୀୟ ଭାଗିଦାରୀ କରି ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଥିଲେ। ମାର୍କରମ୍ ୩୭ ଓ ଡୁସେନ୍ ୩୭ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ବୁମ୍ରା, ଚହଲ୍ ଓ ଠାକୁର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ତଥା କ୍ୟାପଟେନ୍ ଲୋକେଶ ରାହୁଲ ଓ ଶିଖର ଧୱନ୍।ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରି ଥିବା ଧୱନ୍ ପୁଣିଥରେ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ଧୱନ୍ ୨୯ ରନ୍ କରି ଏଡେନ୍ ମାର୍କରମଙ୍କ ଶିକର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିରାଟ୍ କୋହଲି ୫ ବଲର ସାମ୍ନା କରିଥିଲେ ହେଁ ଖାତା ଖୋଲିପାରିନଥିଲେ। ତାଙ୍କୁ ସ୍ପିନର କେଶବ ମହାରାଜ ଆଉଟ୍ କରିଥିଲେ।

କୋହଲିଙ୍କ ଆଉଟ୍ ପରେ ଭାରତର ରନ୍ ଗତି ଧିମା ପଡ଼ିଥିଲା। ହେଲେ ଋଷଭ ପନ୍ତ ଚୌକା ଓ ଛକା ମାରି ପୁଣିଥରେ ରନ୍ ଗତି ବଢ଼ାଇଥିଲେ। ପନ୍ତ ମାତ୍ର ୪୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରାହୁଲ୍ ୭୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ଧିମା ବ୍ୟାଟିଂ କରିଥିଲେ ହେଁ ପନ୍ତଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ଶତକୀୟ (୧୧୫) ପାର୍ଟନରଶିପ୍ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।

ରାହୁଲ ବ୍ୟକ୍ତିଗତ ୫୫ ରନ୍ କରି ସିସାନ୍ଦା ମଗଲାଙ୍କ ଶିକାର ହୋଇଥିଲେ। ପରେ ପରେ ପନ୍ତ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ପନ୍ତ ୮୫ (୭୧ ବଲ୍, ୧୦ ଚୌକା, ୨ ଛକା) ରନ୍ କରି ତବରେଜ୍ ଶାମସୀଙ୍କ ବଲରେ ଆଉଟ୍ ହୋଇଥିଲେ। ଶ୍ରେୟସ୍ ଆୟର୍ (୧୧) ପୁଣିଥରେ ସୁଯୋଗ ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ତାଙ୍କୁ ମଧ୍ୟ ଶାମସୀ ଆଉଟ୍ କରିଥିଲେ। ନିଜର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ଖେଳୁଥିବା ଭେଙ୍କଟେଶ୍ ଆୟର୍ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଶାର୍ଦ୍ଦୁଲ ଠାକୁର ପୁଣିଥରେ ଦମଦାର ବ୍ୟାଟିଂ କରିଥିଲେ ଏବଂ ତାଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନଙ୍କର ଖୁବ୍ ଯୋଗଦାନ ମଧ୍ୟ ମିଳିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ୩୮ ବଲରେ ୩ ଚୌକା ଓ ୧ ଛକା ସହ ୪୦ ଓ ଅଶ୍ୱିନ୍ ୨୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶାମସୀ ୨ଟି, ମଗଲା, ମାର୍କରମ୍, କେଶବ ମହାରାଜ ଓ ଆଣ୍ଡିଲେ ଫେଲୁକୱାୟୋ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story