Advertisment

ବିଜୟ ସମ୍ଭାବନା ବଢ଼ାଇଥିଲେ ବରୁଣ, ବାଟ ଓଗାଳିଲେ ତ୍ରିଷ୍ଟାନ ଷ୍ଟବ୍ସ

ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ହାରିଗଲା ଭାରତ।

ଅଦ୍ୟତନ ହୋଇଛି
Varun

Varun

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ହାରି ଯାଇଛି ଭାରତ। ଦକ୍ଷିଣ ଆଫ୍ରିକା ଠାରୁ ୩ ୱିକେଟରେ ପରାସ୍ତ ହୋଇଛି ଭାରତୀୟ ଦଳ। ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି। 

Advertisment

ଗତକାଲି ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଦଳ ପୂରା ୨୦ ଓଭର ଖେଳିବାକୁ ସମର୍ଥ ହୋଇଥିଲା ଓ ଅଲ୍‌ଆଉଟ୍ ବି ହୋଇ ନଥିଲା, କିନ୍ତୁ ସ୍କୋର ୧୨୪ରେ ଅଟକି ଯାଇଥିଲା। 

ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୨୫ ରନ୍‌ର ବିଜୟ ଟାର୍ଗେଟ ମିଳିଥିବା ବେଳେ ସେମାନେ ଏହାକୁ ଅତି ସହଜରେ ହାସଲ କରି ନେବେ ବୋଲି କୁହାଯାଉଥିଲା। କିନ୍ତୁ ସେମିତି ହୋଇ ନଥିଲା। ଦକ୍ଷିଣ ଆଫ୍ରିକାର ବ୍ୟାଟରଙ୍କ ବାଟ ଓଗାଳିଥିଲେ ବରୁଣ ଚକ୍ରବର୍ତ୍ତୀ। ଗୋଟିଏ ସମୟ ଆସିଥିଲା ଯେତେବେଳେ ଭାରତ ହାତକୁ ମ୍ୟାଚ୍ ଚାଲି ଯାଇଥିବା ଭଳି ମନେ ହୋଇଥିଲା। ୧୫.୪ ଓଭରରେ ୮୬ ରନ୍‌ରେ ୭ଟି ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା।   

Advertisment

ଓପନର ରୟାନ ରିକେଲଟନ ୧୩ ରନ୍ କରି ଅର୍ଶଦୀପ ସିଂହଙ୍କ ବଲରେ ରିଙ୍କୁ ସିଂହଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ସହିତ ଝଡ଼ିଥିଲା ଘରୋଇ ଦଳର ପ୍ରଥମ ୱିକେଟ୍‌। ଆଉ ତା’ପରେ ଜଲୱା ଦେଖାଇଥିଲେ ବରୁଣ ଚକ୍ରବର୍ତ୍ତୀ। ଅଳ୍ପ ଅଳ୍ପ ରନ୍ ବ୍ୟବଧାନରେ ସେ ନେଇ ଚାଲିଲେ ଦକ୍ଷିଣ ଆଫ୍ରିକାର ବଡ଼ ବଡ଼ ବ୍ୟାଟରଙ୍କ ୱିକେଟ୍‌।

ରେଜା ହେଣ୍ଡ୍ରିକ୍ସ ୨୪ ରନ୍ କରିଥିବା ବେଳେ ବରୁଣଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଧିନାୟକ ଏଡେନ ମାର୍କମ ମାତ୍ର ୩ ରନ୍ କରିଥିବା ବେଳେ ବରୁଣଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।  ମାର୍କୋ ୟାନସେନ ମାତ୍ର ୭ ରନ୍ କରିଥିଲେ। ତାଙ୍କୁ ବି ପ୍ୟାଭିଲିୟନ ପଠାଇଥିଲେ ବରୁଣ। ସେ ବରୁଣଙ୍କ ବଲରେ ବୋଲ୍ଡ ହୋଇଥିଲେ। ହେନରିଚ କ୍ଲାସେନ ୨ ରନ୍ କରିଥିବା ବେଳେ ବରୁଣଙ୍କ ବଲ୍‌ରେ ରିଙ୍କୁ ସିଂହଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଡାଭିଡ ମିଲର ଖାତା ଖୋଲି ପାରି ନଥିଲେ। ତାଙ୍କୁ ବୋଲ୍ଡ କରିଥିଲେ ବରୁଣ। 

ଡାଭିଡ ଆଉଟ ହେବା ସହିତ ଦକ୍ଷିଣ ଆଫ୍ରିକା ୧୨.୨ ଓଭରରେ ୬୬ ରନ୍‌ରେ ୬ଟି ୱିକେଟ୍ ହରାଇ ସାରିଥିଲା। ବରୁଣ ଚକ୍ରବର୍ତ୍ତୀ ତାଙ୍କ ୪ ଓଭର ସ୍ପେଲ୍‌ରେ ୧୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ ଓ ଭାରତ ପାଇଁ ବିଜୟ ସମ୍ଭାବନା ଆଶା ସଂଚାର କରିଥିଲେ। ଏହା ସହିତ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସେ ଗୋଟିଏ ମ୍ୟାଚ୍‌ରେ ୫ଟି ୱିକେଟ୍ ହାସଲ କରିଥିଲେ।  

୧୫.୪ ଓଭରରେ ଆନ୍ଦିଲେ ସିମେଲେନଙ୍କ ୱିକେଟ୍ ନେଇ ଏହି ସମ୍ଭାବନାକୁ ଆଉ ଟିକେ ବଢ଼ାଇଥିଲେ ରବି ବିଷ୍ଣୋଇ। କିନ୍ତୁ ତା’ପରେ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ ତ୍ରିଷ୍ଟାନ ଷ୍ଟବ୍ସ। ତାଙ୍କୁ ସାଥ୍ ଦେଇଥିଲେ ଗେରାଲ୍ଡ କୋଏଜି। ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଆଉଟ୍ କରିବାରେ ବିଫଳ ହୋଇଥିଲେ ଭାରତୀୟ ବୋଲର।  ତ୍ରିଷ୍ଟାନ ଷ୍ଟବ୍ସ ୪୧ ବଲ୍‌ରେ ୪୭ ରନ୍‌ କରି ଅପରାଜିତ ରହିଥିଲେ। ଗେରାଲ୍ଡ କୋଏଜି ୯ଟି ବଲ୍‌ରେ ୧୯ ରନ୍ କରି ଅପରାଜିତ ରହିଥିଲେ। ଫଳରେ ୧୯ରେ ଓଭରରେ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଜିତିଯାଇଥିଲା। ଦଳ ୧୯ ଓଭରେ ୭ ୱିକେଟ ହରାଇ ୧୨୮ ରନ୍ ସଂଗ୍ରହ କରିଥିଲା।           

Varun Chakaravarthy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe