Advertisment

ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନ ଆଉଟ! ୫ମ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ପାକିସ୍ତାନକୁ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପରାସ୍ତ କରି ଚଳିତ ବିଶ୍ୱକପରେ ୫ମ ବିଜୟ ହାସଲ କରିଛି। ଏଥିସହ ଭାରତକୁ ହଟାଇ ଶୀର୍ଷ ସ୍ଥାନ ଦଖଲ କରିଛି। ନେଦରଲ୍ୟାଣ୍ଡ ଠାରୁ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ହାରିଥିବା ବେଳେ ବାକି ୫ଟି ଯାକ ମ୍ୟାଚ୍‌ ଜିତିଛି।

author-image
Hemant Lenka
SA

SA

କର ବା ମର ମ୍ୟାଚ୍‌ରେ ପାକିସ୍ତାନ ଶେଷ ଯାଏ ସଂଘର୍ଷ କଲା। ଦକ୍ଷିଣ ଆଫ୍ରିକା ହାତକୁ ବିଜୟ ମଧ୍ୟ ଏକପ୍ରକାରର ଛଡ଼ାଇ ଆଣିବାକୁ ବସିଥିଲା। କିନ୍ତୁ ଶେଷରେ କେଶବ ମହାରାଜ ଚୌକା ମାରି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଛନ୍ତି। ଏଥିସହ ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ପାକିସ୍ତାନକୁ ଏକ ପ୍ରକାରର ବିଦା କରିଦେଇଛନ୍ତି। 

Advertisment

୬ଷ୍ଠ ମ୍ୟାଚ୍‌ରୁ କ୍ରମାଗତ ୪ର୍ଥ ପରାଜୟ ସହ ପାକିସ୍ତାନ ବିଶ୍ୱକପ ସେମି ଫାଇନାଲରୁ ଏକ ପ୍ରକାରର ବାଦ ପଡ଼ିଛି। ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଠାରୁ ହାରିଥିବା ପାକିସ୍ତାନ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମଦଶା ଭୋଗିଛି।

ପାକିସ୍ତାନକୁ ଦକ୍ଷିଣ ଆଫ୍ରିକା ୧ ୱିକେଟରେ ପରାସ୍ତ କରି ଚଳିତ ବିଶ୍ୱକପରେ ୫ମ ବିଜୟ ହାସଲ କରିଛି। ଏଥିସହ ଭାରତକୁ ହଟାଇ ଶୀର୍ଷ ସ୍ଥାନ ଦଖଲ କରିଛି। ନେଦରଲ୍ୟାଣ୍ଡ ଠାରୁ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ହାରିଥିବା ବେଳେ ବାକି ୫ଟି ଯାକ ମ୍ୟାଚ୍‌ ଜିତିଛି।

Advertisment

ଆଜି ପାକିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ନୂଆ ଇତିହାସ ମଧ୍ୟ ସୃଷ୍ଟି କରିଛି। ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପରେ ଦୁଇ ଦଳ ୬ ଥର ମୁହାଁମୁହିଁ ହୋଇଥିଲେ। ସବୁଥର ପାକିସ୍ତାନ ହିଁ ବାଜି ମାରି ଥିଲା। କିନ୍ତୁ ଆଜି ୭ମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇ ଇତିହାସ ବଦଳାଇ ଦେଇଛି। ସେହିପରି ପାକିସ୍ତାନ ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ କ୍ରମାଗତ ୪ଟି ମ୍ୟାଚ୍‌ ହାରିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛି। 

ଚେନ୍ନାଇର ଚେପକରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ସୌଦ ସକୀଲଙ୍କ ୫୨ ରନ ବଳରେ ୪୬.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୦ ରନ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରାଇଜ ଶାମିସ ୪ ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି। 

୨୭୧ ରନର  ଜବାବରେ ଦକ୍ଷିଣ ଆଫ୍ରିକା ଏଡେନ ମାର୍କରମଙ୍କ ୯୧ ରନ ବଳରେ ମାତ୍ର ୧୬ ବଲ ପୂର୍ବରୁ ୯ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଶେଷ ୧୨ ଓଭର୍‌ରେ ପାକିସ୍ତାନ ବୋଲିଂରେ କମାଲ କରିଥିଲେ ହେଁ ଦଳକୁ ବିଜୟ କରିବାରେ ଏହାର ଯଥେଷ୍ଟ ହୋଇନାହିଁ। 

୨୭୧ ରନର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ଆରମ୍ଭ କରିଥିଲା। କିନ୍ତୁ ଦଳୀୟ ସ୍କୋର ୩୪ ଥିବା ବେଳେ ବ୍ୟକ୍ତିଗତ ୨୪ ରନ କରି ଇନଫର୍ମ କ୍ୱିଣ୍ଟନ ଡି’କକ ଆଉଟ ହୋଇ ଯାଇଥିଲେ। ଏହାପରେ ଅଧିନାୟକ ତେମ୍ବା ବଭୂମା ୨୮ ରନ କରି ମହମ୍ମଦ ୱାସିମଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ରସି ଭାନ ଡେର ଡୁସେନ ଓ ମାର୍କରମ ବେଶ କିଛି ସମୟ ଖେଳିବା ସହ ଦଳୀୟ ସ୍କୋରକୁ ୧୨୧ରେ ପହଞ୍ଚାଇ ଦେଇଥିଲେ।

ଏତିକି ବେଳେ ୨୧ ରନ କରିଥିବା ଡୁସେନଙ୍କୁ ଅଲରାଉଣ୍ଡର ଶଦାବ ଖାନଙ୍କ ବଦଳ ଖେଳାଳି ଭାବେ ଆସିଥିବା ଓସାମା ମୀର ଆଉଟ କରି ଦେଇଥିଲେ। ଆଜି ଶଦାବ ୪୩ ରନର ଇନିଂସ ଖେଳିଥିଲେ ହେଁ ବୋଲିଂ ବେଳେ ମୁଣ୍ଡ ଜନିତ ଆହତ ସମସ୍ୟାରେ ପଡ଼ିଥିଲେ। ତେଣୁ ନିୟମ ଅନୁସାରେ ମୀର ତାଙ୍କ ସ୍ଥାନରେ ବୋଲିଂ କରିଥିଲେ। ସେ ଗୋଟିଏ ୱିକେଟ ମଧ୍ୟ ଦଖଲ କରିଛନ୍ତି।

ଡୁସେନଙ୍କ ପରେ ହେନରିଚ କ୍ଲାସେନ ଓ ମାର୍କରମ ସ୍ଥିତି ସମ୍ଭାଳିଥିଲେ। କ୍ଲାସେନଙ୍କ ବ୍ୟାଟରୁ ଛକା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ସେ ୧୨ ରନ କରି ୱାସିମଙ୍କ ଦ୍ୱିତୀୟ ଶିକାର ବନିଥିଲେ। କ୍ଲାସେନଙ୍କ ପରେ ଆସିଥିବା ମିଲର ଆରମ୍ଭରୁ ବଡ଼ବଡ଼ ଶଟ ଖେଳି ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ। ମାର୍କରମ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶାହୀନ ଶାହ ଆଫ୍ରିଦି ୨୯ ରନ କରିଥିବା ମିଲରଙ୍କୁ ମହମ୍ମଦ ରିଜୱାନଙ୍କ ହାତରେ କ୍ୟାଚ୍‌ କରି ପାକିସ୍ତାନ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ।

ହେଲେ ମାର୍କରମ ପାକିସ୍ତାନ ବୋଲରଙ୍କୁ କମବ୍ୟାକ କରିବାର କୌଣସି ସୁଯୋଗ ଦେଇ ନଥିଲେ। ସେ ଗୋଟିଏ ପଟେ ଛିଡ଼ା ହୋଇ ଶଟ ଖେଳିଥିବା ବେଳେ ମାର୍କ ୟାନସେନ ଛକା ଓ ଚୌକା ବର୍ଷା କରିଥିଲେ। ବିଶେଷ କରି ହ୍ୟାରିଶ ରୌଫଙ୍କୁ ସେ କଡ଼ା ପ୍ରହାର କରିଥିଲେ। ୟାନସେନ ୧୪ ବଲରେ ୨୦ ରନ କରି ରୌଫଙ୍କ ଶିକାର ମଧ୍ୟ ବନିଥିଲେ। ମାର୍କରମ ଭଲ ଲୟରେ ଥିବାରୁ ସେ ମ୍ୟାଚ୍‌ ଶେଷ କରି ଯିବେ ବୋଲି ସମସ୍ତେ ଆଶା କରିଥିଲେ।

ଶେଷ ୧୦ ଓଭର୍‌ରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୨୧ ରନ ଦରକାର ଥିଲା। ହେଲେ ମାର୍କରମ(୯୧) ବଡ଼ ଶଟ ଖେଳିବାକୁ ଯାଇ ମୀରଙ୍କ ବଲରେ ଆଉଟ ହୋଇଯାଇଥିଲେ। ମାର୍କରମ ତାଙ୍କ ୯୧ ରନର ଇନିଂସରେ ୭ଟି ଚୌକା ଓ ୩ଟି ଛକା ମାରିଛନ୍ତି। ୪୧ ତମ ଓଭର୍‌ରେ ମୀର ୧ ରନ ଦେବା ସହ ମାର୍କରମଙ୍କ ୱିକେଟ ନେଇ ମ୍ୟାଚ୍‌ରେ ଟ୍ୱିଷ୍ଟ ଆଣି ଦେଇଥିଲେ।

ଗେରାଲ୍ଡ କୋଏଜେ ଓ କେଶବ ମହାରାଜଙ୍କ ଉପରେ ଏବେ ସବୁ କିଛି ନିର୍ଭର କରୁଥିଲା। ୪୨ତମ ଓଭର ବୋଲିଂ କରିବାକୁ ଆସିଥିଲେ ଆଫ୍ରିଦି। ସେ ପ୍ରଥମ ବଲରେ କୋଏଜେ(୧୦)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ୮ମ ଝଟକା ଦେଇଥିଲେ। ଏହାପରେ ଆସିଥିଲେ ଲୁଙ୍ଗି ଏନଗିଡି। ଆଫ୍ରିଦି ମଧ୍ୟ ଏହି ଓଭର୍‌ରେ ମାତ୍ର ୧ ରନ ଦେଇଥିଲେ।

୪୩ତମ ଓଭର ପୁଣି ବୋଲିଂ କରିଥିଲେ ମୀର। ପ୍ରଥମ ବଲରେ ଏନଗିଡି ୧ ରନ ନେଇ ମହାରାଜଙ୍କୁ ଷ୍ଟ୍ରାଇକ ଦେଇଥିଲେ। ସେ ମଧ୍ୟ ଦ୍ୱିତିୟ ବଲରେ ୧ ରନ ନେଇଥିଲେ। ତୃତୀୟ ବଲରେ ମଧ୍ୟ ଏନଗିଡିଙ୍କୁ ୧ ରନ ମିଳିଥିଲା। ୪ର୍ଥ ବଲରେ କିନ୍ତୁ ମହରାଜ କୌଣସି ରନ କରି ନଥିଲେ। ୫ମ ବଲ ମଧ୍ୟ ଡଟ ହୋଇଥିଲା। ଶେଷ ବଲରେ ମଧ୍ୟ ସେ କୌଣସି ରନ ନେଇ ନଥିଲେ।

ଶେଷ ୪୨ ବଲରେ ଦକ୍ଷିଣ ଆଫ୍ରିକାକୁ ଦରକାର ଥିଲା ୧୭ ରନ। ୪୪ତମ ଓଭର ବୋଲିଂ କରୁଥିବା ଆଫ୍ରିଦି ମାତ୍ର ୨ ରନ ଦେଇଥିଲେ। ଏଥିସହ ନିଜର ୧୦ ଓଭରର ସ୍ପେଲ ଶେଷ କରିଥିଲେ। ୪୫ତମ ଓଭର୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୪ ରନ ମିଳିଥିଲା। ୪୬ତମ ଓଭରର ତୃତୀୟ ବଲରେ ୪ ରନ କରିଥିବା ଏନଗିଡିଙ୍କୁ ନିଜେ ରୌଫ ବୋଲିଂ କରି ଗୋଟିଏ ହାତରେ କ୍ୟାଚ ଧରି ଦକ୍ଷିଣ ଆଫ୍ରିକୁ ୯ମ ଝଟକା ଦେଇଥିଲେ।

୧୧ନଂ ବ୍ୟାଟର ଭାବେ ଆସିଥିଲେ ତାବ୍ରାଇଜ ଶାମସି। ସେ ପ୍ରଥମ ବଲରେ ୨ ରନ ନେଇ ବିଜୟ ବ୍ୟବଧାନକୁ ୯ ରନ କରି ଦେଇଥିଲେ। ପରବର୍ତ୍ତୀ ବଲ ୱାଇଡ ହୋଇଥିଲା। ୫ମ ବଲ ଡଟ ହୋଇଥିଲା। ୬ଷ୍ଠ ବଲରେ ଶାମସିଙ୍କ ବିରୋଧରେ ପାକିସ୍ତାନ ରିଭ୍ୟୁ ନେଇଥିଲା। ହେଲେ ଏହା ଅମ୍ପାୟାର୍ସ କଲ ହେବାରୁ ଶାମସି ବର୍ତ୍ତି ଯାଇଥିଲେ।

୪୭ତମ ଓଭର ପୁଣି ନେଇ ଆସିଥିଲେ ୱାସିମ। ସେ ପ୍ରଥମ ବଲ ୱାଇଡ ପକାଇଥିଲେ। ଓଭର୍‌ର ଦ୍ୱିତୀୟ ଲିଗାଲ ବଲରେ ମହରାଜ ୧ ରନ ନେଇଥିଲେ। ତୃତୀୟ ବଲ ଡଟ ହୋଇଥିବା ବେଳେ ୪ର୍ଥ ବଲରେ ଶାମସି ୧ ରନ ନେଇଥିଲେ। ବାକି ୨ଟି ବଲ ଡଟ ହୋଇ ଯାଇଥିଲା।

ଶେଷ ୩ ଓଭର୍‌ରେ ଦକ୍ଷିଣ ଆଫ୍ରିକାକୁ ୫ ରନ ଦରକାର ଥିବା ବେଳେ ପାକିସ୍ତାନର ୩ ପେସରଙ୍କ ସ୍ପେଶ ଶେଷ ହୋଇଯାଇଥିଲା। ତେଣୁ ୪୮ତମ ଓଭର ନେଇ ଆସିଥିଲେ ମହମ୍ମନ ନୱାଜ। ପ୍ରଥମ ବଲରେ ଶାମସି ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ଚୌକା ମାରି ମହରାଜ ମ୍ୟାଚ୍‌ ଶେଷ କରିଥିଲେ। ଦକ୍ଷିଣ ଆଫ୍ରିକା ୧୬ ବଲ ପୂର୍ବରୁ ୯ ୱିକେଟ ହରାଇ ବିଜୟ ହାସଲ କରି ନେଇଛି।

ପାକିସ୍ତାନ ଶେଷ ଯାଏ ସଂଘର୍ଷ କରିଥିଲେ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ହାରିବା ପରେ ପାକିସ୍ତାନ ଖେଳାଳିମାନେ ହତାଶ ହୋଇ ତଳେ ବସି ପଡ଼ିଥିଲେ।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup ICC WC