Advertisment

T20 World Cup: ସେମି ଫାଇନାଲ ଦ୍ୱାରଦେଶରେ ଦକ୍ଷିଣ ଆଫ୍ରିକା, ରନ ରେଟ ଦ୍ୱନ୍ଦ୍ୱରୁ ଭାରତକୁ ମୁକ୍ତି

ବାସ୍ତବରେ ଦକ୍ଷିଣ ଆଫ୍ରିକା ବିଧିବଦ୍ଧ ଭାବେ ସେମି ଫାଇନାଲକୁ ଯାଇ ନାହିଁ। ଯଦି ଆଜି ଜିମ୍ବାୱେ ଚେନ୍ନାଇରେ ଭାରତ ଠାରୁ ହାରି ଯିବ, ତା’ହେଲେ ଦକ୍ଷିଣ ଆଫ୍ରିକା ଆପେଆପେ ସେମି ଫାଇନାଲକୁ ଚାଲିଯିବ।

author-image
Hemant Lenka
sa

ରଦରଫର୍ଡଙ୍କ ୱିକେଟ ପରେ କୋର୍ବିନ ବଚ

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଦକ୍ଷିଣ ଆଫ୍ରିକାର ବିଜୟ ଧାରା ଜାରି। ଆଜି ଦଳ ସୁପର ୮ର ଦ୍ୱିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇ ଦେଇଛି। ପୂର୍ବରୁ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ୭୬ ରନରେ ହରାଇଥିଲା।

Advertisment

କ୍ରମାଗତ ୨ଟି ବିଜୟ ସହ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ବିଶ୍ୱକପର ସେମି ଫାଇନାଲ ଦ୍ୱାରଦେଶରେ ପହଞ୍ଚି ଯାଇଛି। ଦଳ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ନିଜର ଶେଷ ମ୍ୟାଚ୍‌ ଜିମ୍ବାୱେ ବିପକ୍ଷରେ ଖେଳିବ। ବାସ୍ତବରେ ଦକ୍ଷିଣ ଆଫ୍ରିକା ବିଧିବଦ୍ଧ ଭାବେ ସେମି ଫାଇନାଲକୁ ଯାଇ ନାହିଁ।

ଯଦି ଆଜି ଜିମ୍ବାୱେ ଚେନ୍ନାଇରେ ଭାରତ ଠାରୁ ହାରି ଯିବ, ତା’ହେଲେ ଦକ୍ଷିଣ ଆଫ୍ରିକା ଆପେଆପେ ସେମି ଫାଇନାଲକୁ ଚାଲିଯିବ। ସେହିପରି ଭାରତ ଜିତିଲେ ସେମି ଫାଇନାଲ ରେସରେ ନିଜକୁ ବଜାୟୀ ରଖିବ। ମାର୍ଚ୍ଚ ୧ରେ ଭାରତ ଓ ୱେଷ୍ଟଇଣ୍ଡିଜ ସୁପର ୮ର ଶେଷ ମ୍ୟାଚ୍‌ ଖେଳିବେ। ଏହି ମ୍ୟାଚ୍‌ ଯିଏ ଜିତିବ ସେହି ଦଳ ସେମି ଟିକେଟକ ହାସଲ କରିବ। 

Advertisment

ଦକ୍ଷିଣ ଆଫ୍ରିକା ଆଜି ୯ ୱିକେଟରେ ଜିତିବା ପରେ ଭାରତକୁ ମିଳିଛି ବଡ଼ ଆଶ୍ୱସ୍ତି। ଦକ୍ଷିଣ ଆଫ୍ରିକା ଠାରୁ ୭୬ ରନରେ ଦଳ ହାରିବା ପରେ ରନ ରେଟରେ ବହୁ ପଛରେ ରହିଥିଲା। ଯଦି ଆଜି ୱେଷ୍ଟଇଣ୍ଡିଜ ଜିତି ଯାଇଥାଆନ୍ତା, ତା’ହେଲେ ଭାରତର ସେମି ସ୍ୱପ୍ନ ଆହୁରି କଣ୍ଟକିତ ହୋଇ ପଡ଼ି ଥାଆନ୍ତା।

ଏବେ ଭାରତକୁ ଆଉ ରନ ରେଟ ଦ୍ୱନ୍ଦ୍ୱର ସାମ୍ନା କରିବାକୁ ପଡ଼ିବ ନାହିଁ। ଦଳ ସୁପର ୮ରେ ଖେଳିବାକୁ ଥିବା ବାକି ଦୁଇଟି ଯାକ ମ୍ୟାଚ୍‌ ଜିତିଲେ ସିଧା ସଳଖ ସେମି ଟିକେଟ ହାତେଇବ। ଏପରି ସ୍ଥିତିରେ ଦଳକୁ ଆଉ କୌଣସି ବଡ଼ ରନ ରେଟର ଆବଶ୍ୟକ ନାହିଁ। 

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ ହାରି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବ୍ୟାଟିଂ କରୁଥିବା ଇଣ୍ଡିଜ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୬ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୧ ୱିକେଟ ହରାଇ ୨୩ ବଲ ପୂର୍ବରୁ ବିଜୟ ହାସଲ କରିଛି।

ଦଳ ପାଇଁ ଅଧିନାୟକ ଏଡେନ ମାକ୍ରରମ ଅପରାଜିତ ୪୬ ବଲରେ ୮୨ ରନର ଇନିଂସ ଖେଳିଛନ୍ତି। ସେହିପରି ରୟାନ ରିକେଲଟନ ୨୮ ବଲରେ ଅପରାଜିତ ୪୫ ଓ କ୍ୱିଣ୍ଟିନ ଡି’କକ ୨୪ ବଲରେ ୪୭ ରନ କରି ଆଉଟ ହୋଇଛନ୍ତି। 

T20 World Cup