Advertisment

ଅଧିନାୟକ ଏଡୱାର୍ଡସଙ୍କ ଅପରାଜିତ ୭୮, ଦକ୍ଷିଣ ଆଫ୍ରିକାକୁ ୨୪୬ ରନର ଟାର୍ଗେଟ

ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ବିଦା କରିଥିଲା। ଏବେ ଏହାର ପ୍ରତିଶୋଧ ପାଇଁ ଦକ୍ଷିଣ ଆଫ୍ରିକା ପାଖରେ ସୁଯୋଗ ରହିଛି।

author-image
Hemant Lenka
SA

SA

ବର୍ଷା ଭିଜା ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନେଦରଲ୍ୟାଣ୍ଡ୍ସ ଶେଷ ଭାଗରେ ନିଜର ଦମ ଦେଖାଇଛି। ବର୍ଷା ଯୋଗୁ ମ୍ୟାଚ୍‌କୁ ୪୩ ଓଭର୍‌ ବିଶିଷ୍ଟ କରାଯାଇଛି। ନିର୍ଦ୍ଧାରିତ ୪୩ ଓଭରରେ ଡଚ୍‌ ଟିମ ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ୭୮ ରନ ବଳରେ ୮ ୱିକେଟ ହରାଇ ୨୪୫ ରନ କରିଛି।

Advertisment

ଏବେ ବିଶ୍ୱକପରେ ହ୍ୟାଟ୍ରିକ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୨୪୬ ରନର ଟାର୍ଗେଟ ମିଳିଛି। ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ବିଦା କରିଥିଲା। ଏବେ ଏହାର ପ୍ରତିଶୋଧ ପାଇଁ ଦକ୍ଷିଣ ଆଫ୍ରିକା ପାଖରେ ସୁଯୋଗ ରହିଛି।

ଧର୍ମଶାଳାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏହା ମଧ୍ୟ ଦଳ ପାଇଁ ଠିକ ସାବ୍ୟସ୍ତ ହୋଇଥିଲା। ଆରମ୍ଭରୁ ଡଚ୍‌ ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

Advertisment

ବିକ୍ରମଜିତ ସିଂହ ୨, ମ୍ୟାକ୍ସ ଓ’ ଦାଉଦ ୧୮, କୋଲିନ ଆକେରମାନ ୨ ଓ ଅଭିଜ୍ଞ ବାସ ଡେ ଲିଡେ ମାତ୍ର ୨ ରନ କରି ପ୍ୟାଭିଲିୟନ ‍ଫେରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଅଧିନାୟକ ଏଡୱାର୍ଡସ ଖୁଣ୍ଟ ପରି ଛିଡ଼ା ହୋଇଥିଲେ।

ତାଙ୍କୁ ପ୍ରଥମେ ସାୟବ୍ରାଣ୍ଡ(୩୭ ବଲରେ ୧୯ ରନ) କିଛି ସମୟ ସାଥ ଦେଇଥିଲେ। ଏହାପରେ ତେଜା ନିଦାମାନୁରୁ(୨୦)ଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ୧୧୨ ରନରେ ଦଳ ୬ ୱିକେଟ ହରାଇଥିଲା। ୭ମ ୱିକେଟ ଭାବେ ଲୋଗାନ ଭାନ ବୀକ(୧୦)ଙ୍କୁ ହରାଇଥିଲା। ଏହି ସମୟରେ ଦଳୀୟ ସ୍କୋର ୧୪୦ ରନ ଥିଲା।

ତେବେ ୮ମ ୱିକେଟ ପାଇଁ ରୋଲଫ ଭାନ ଡେର ମେରୱେ ଓ ଏଡୱାର୍ଡସ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏଥିସହ ଏଡୱାର୍ଡସ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ମେରୱେ ୧୯ ବଲରେ ୨୯ ରନ କରି ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ ହେବା ବେଳକୁ ଡଚ୍‌ ଟିମର ସ୍କୋର ୨୦୪ ରନ ଥିଲା।

୯ମ ୱିକେଟରେ ନେଦରଲ୍ୟାଣ୍ଡ୍ସ ଆଉ ୪୧ ରନ ଯୋଡ଼ି ଥିଲା। ଏହା ମଧ୍ୟରେ ଆର୍ଯ୍ୟନ ଦତ୍ତ ୯ ବଲରେ ବିସ୍ଫୋରକ ୨୩ ରନ କରିଥିଲେ। ବାକି ରନ ଏଡୱାର୍ଡସ ଯୋଡ଼ି ଥିଲେ। ଏଡୱାର୍ଡସ ଶେଷ ଯାଏ ୬୯ ବଲରେ ୭୮ ଓ ଆର୍ଯ୍ୟନ ୯ ବଲରେ ୨୩ ରନ କରି ଅପରାଜିତ ରହିଥିଲେ। ଏଥିସହ ଦଳର ସ୍କୋରକୁ ୨୪୫ରେ ପହଞ୍ଚାଇ ଦେଇଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନଗିଡି, ମାର୍କୋ ଜାନେସନ ଓ କାଗିସୋ ରବାଡା ଦୁଇଟି ଲେଖାଏ ୱିକେଟ ନେଇଛନ୍ତି। ଗେରାଲ୍ଡ କୋଏଜି ଓ କେଶବ ମହାରାଜଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup