Advertisment

ପାକିସ୍ତାନକୁ ହରାଇ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦକ୍ଷିଣ ଆଫ୍ରିକା

ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଜିତିବା କ୍ଷଣି ଦକ୍ଷିଣ ଆଫ୍ରିକା ୬୬.୬୭ ବିଜୟ ପ୍ରତିଶତ ସହ ଫାଇନା ଟିକେଟ ହାତେଇଛି।

author-image
Hemant Lenka
pakistan

pakistan

ଆସନ୍ତାବର୍ଷ ଖେଳାଯିବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦକ୍ଷିଣ ଆଫ୍ରିକା। ବିଶ୍ୱର ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ୨୦୨୫ WTC ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

Advertisment

ଆଜି ଦକ୍ଷିଣ ଆଫ୍ରିକା ନିଜ ପାଟିରେ ପାକିସ୍ତାନକୁ ରୋମାଞ୍ଚକର ଢଙ୍ଗରେ ୨ ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଜିତିବା କ୍ଷଣି ଦକ୍ଷିଣ ଆଫ୍ରିକା ୬୬.୬୭ ବିଜୟ ପ୍ରତିଶତ ସହ ଫାଇନା ଟିକେଟ ହାତେଇଛି। ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି। 

ଏବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୁ କିଏ ଫାଇନାଲକୁ ଯାଉଛି, ସେକଥା ବର୍ଡର-ଗାଭାସ୍କର ଟ୍ରଫିର ବକ୍ସିଂ ଡେ ଟେଷ୍ଟ ପରେ ସ୍ପଷ୍ଟ ହୋଇଯିବ। ଭାରତ ଏହି ଟେଷ୍ଟକୁ ଯଦି ଜିତି ପାରିବ ନାହିଁ, ତା’ହେଲେ ଦଳ କ୍ରମାଗତ ତୃତୀୟ ଥର ପାଇଁ WTC ଫାଇନାଲ ଖେଳିବାରୁ ବଞ୍ଚିତ ହେବ। ଏବେ ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୫୮.୮୯ ରହିଥିବା ବେଳେ ଭାରତ ୫୫.୮୯% ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି।

Advertisment

ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ସେଞ୍ଚୁରିଆନରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ବେଶ ରୋମାଞ୍ଚକର ରହିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ପ୍ରଥମ ଇନିଂସରେ ମାତ୍ର ୨୧୧ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୩୦୧ ରନ କରିଥିଲା। ଫଳରେ ଘରୋଇ ଟିମକୁ ଗୁରୁତ୍ୱପୂର୍ଣ୍ଣ ୯୦ ରନର ଲିଡ୍‌ ମିଳିଥିଲା।

ଦ୍ୱିତୀୟ ଇନିଂସରେ ବାବର ଆଜମ ୫୦ ରନ ଇନିଂସ ଖେଳିଥିଲେ ହେଁ ୟାନସେନ ପାକିସ୍ତାନକୁ ଘାଇଲା କରିଥିଲେ। ସେ ଏକାକୀ ୬ଟି ୱିକେଟ ନେବାକୁ ପାକିସ୍ତାନ ୨୩୭ ରନରେ ଅଲଆଉଟ ହୋଇଯାଇଥିଲା।

ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟ ଜିତିବା ପାଇଁ ୧୪୮ ରନର ଟାର୍ଗେଟ ମିଳିଥିଲା। କିନ୍ତୁ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩ଟି ୱିକେଟ ହରାଇଥିଲେ ହେଁ କେବଳ ୨୭ ରନ କରି ପାରିଥିଲା।

ଦଳକୁ ଜିତିବା ପାଇଁ ୧୨୧ ରନ ଦରକାର ଥିବା ବେଳେ ଆଜି ଏଡେନ ମାର୍କରମ ଓ ଅଧିନାୟକ ତେମ୍ବା ବଭୂମା ରନକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଦଳୀୟ ସ୍କୋରା ୬୨ ଥିବା ବେଳେ ମାର୍କରମ(୩୭) ଆଉଟ ହୋଇଯାଇଥିଲେ। ବଭୂମା ମଧ୍ୟ ୪୦ ରନ କରିପାରିଥିଲେ।

ଡାଭିଡ ବେଣ୍ଡିଂହାମ ୧୪, କେୟଲେ ଭୀର୍ଣ୍ଣୟେ ୨ ଓ କୋରବିନ ବୋଚ ପ୍ରଥମ ବଲରେ ଆଉଟ ହୋଇଯିବାରୁ ଦକ୍ଷିଣ ‌ଆଫ୍ରିକା ସଙ୍କଟରେ ପଡ଼ିଥିଲା। ପାକିସ୍ତାନ ପାଇଁ ମିଡିୟମ ଦ୍ରୁତ ବୋଲର ମହମ୍ମଦ ଆବାସ ଦକ୍ଷିଣ ଆଫ୍ରିକାର ୮ଟି ୱିକେଟ ମଧ୍ୟରୁ ୬ଟି ଦଖଲ କରିଥିଲେ। ଲାଗୁଥିଲା ଦକ୍ଷିଣ ଆଫ୍ରିକା ୧୪୮ ରନର ବିଜୟ ଲକ୍ଷ୍ୟକୁ ହାସଲ କରିପାରିବ ନାହିଁ।

କିନ୍ତୁ ୯ମ ୱିକେଟ ପାଇଁ ମାର୍କୋ ୟାନସେନ ଓ କାଗିସୋ ରବାଡା ୫୧ ରନ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି। ଦଳକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ରବାଡା ଚୌକା ମାରି ବିଜୟ ମୁଣ୍ଡି ମାରିଛନ୍ତି। ସେ ଶେଷ ଯାଏ ୨୬ ବଲରେ ୩୧ ଓ ୟାନସେନ ୨୪ ବଲରେ ୧୬ ରନ କରି ଅପରାଜିତ ରହିଥିଲେ।

ପାକିସ୍ତାନ ପାଇଁ ମହମ୍ମଦ ଆବାସ ପାରୁ ଯାଏ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ସେ ୬ଟି ୱିକେଟ ନେଇଥିବା ବେଳେ ନସୀମ ଶାହ ଓ ଖୁରାମ ଶାହଜାଦ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Pakistan South Africa WTC WTC Final