ନିରାଶ ଭାରତୀୟ ଟିମ୍
ପ୍ରଥମ ଟେଷ୍ଟ ହାରିଥିଲା। ଏବେ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ନିଜ ମାଟି, ନିଜ ପରିବେଶ ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଭାରତୀୟ ଟିମ ଖେଳୁଛି। ତଥାପି ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା(Ind Vs SA)ର ଦବଦବା ଦେଖିବାକୁ ମିଳିଛି। ଭାରତୀୟ ଟିମର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଦୁଇ ତିନି ଜଣଙ୍କ ଛାଡ଼ି ଦେଲେ ଅନ୍ୟ କେହି ବି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିବାରେ ସକ୍ଷମ ହୋଇ ନାହାନ୍ତି। ବୋଲର ବି ଦ୍ୱିତୀୟ ଟେଷ୍ଟରେ ଧରାଶାୟୀ ହୋଇଛନ୍ତି। ଏକାକୀ ମାର୍କୋ ୟାନସେନ ଭାରତୀୟ ବ୍ୟାଟର ଓ ବୋଲରଙ୍କୁ ଚିତ କରି ଦେଇଛନ୍ତି।
୧-୦ରେ ପଛରେ ଥିବା ଭାରତ ଏବେ ଦ୍ୱିତୀୟ ଟେଷ୍ଟ(Test Cricket)ରେ ଏମିତି ଏକ ସ୍ଥିତିରେ ପହଞ୍ଚି ଯାଇଛି, ଯେଉଁଠାରେ ଦଳ ମ୍ୟାଚ୍ ହାରିବ କିମ୍ବା ଅତି ବେଶୀରେ ଡ୍ର କରିବାକୁ ସକ୍ଷମ ହେବ। ଡ୍ରର ଆଶା ମଧ୍ୟ ପ୍ରଥମ ଇନିଂସ ବ୍ୟାଟିଂ ପରେ କ୍ଷୀଣ ହୋଇଯାଇଛି। ତଥାପି ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଇଚ୍ଛାରେ ଖେଳୁଥିବା ଭାରତୀୟ ଟିମ ଡ୍ର ଆଶାରେ ହିଁ ରହିବ। କାରଣ ପ୍ରଥମ ଇନିଂସରେ ଭାରତୀୟ ଟିମ ମାତ୍ର ୨୦୧ ରନରେ ଅଲଆଉଟ ହୋଇ ଯାଇଛି।
ଆଉ ଦକ୍ଷିଣ ଆଫ୍ରିକା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୨୬ ରନ କରି ନେଇଛି। ଏଥିସହ ଦଳର ଲିଡ ଏବେ ୩୧୪ରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ଦଳ ବିଶାଳ ୪୮୯ ରନ କରିଥିଲା। ଦକ୍ଷିଣ ଆଫ୍ରିକାର ପ୍ରତିଟି ବ୍ୟାଟରଙ୍କ ଠାରୁ ଆରମ୍ଭ କରି ଟେଲେଣ୍ଡର ଭାରତୀୟ ବୋଲରଙ୍କୁ ପ୍ରବଳ ଧୋଇଥିଲେ।
ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ରିୟାନ ରିକେଲଟ ୧୩ ଓ ଆଡେନ ମାର୍କରମ ୧୨ ରନ କରି ଅପରାଜିତ ରହିଛନ୍ତି। ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରମାନେ ୮ ଓଭର ବୋଲିଂ କରିଥିଲେ ହେଁ କୌଣସି ୱିକେଟ ପାଇନାହାନ୍ତି। ମ୍ୟାଚ୍ ଶେଷ ହେବାକୁ ଆହୁରି ଦୁଇ ଦିନ ବାକି ଥିବା ବେଳେ କ୍ଲିନ ସୁଇପକୁ ଏଡାଇବାକୁ ଭାରତ ଗମ୍ଭୀର ସ୍ଥିତିରୁ ବାହାରି ପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ପ୍ରଥମ ଇନିଂସରେ ୪୮୯ ରନ କରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନର ଖେଳ ଶେଷ ହେବା ପୂର୍ବରୁ ଅଲଆଉଟ ହୋଇଯାଇଥିଲା। ଭାରତ ଦ୍ୱିତୀୟ ଦିନରେ ବିନା ୱିକେଟରେ ୯ ରନ କରିଥିବା ବେଳେ ଷ୍ଟମ୍ପ ଅପସାରଣ ହୋଇଥିଲା। ଲାଗୁଥିଲା ଦକ୍ଷିଣ ଆଫ୍ରିକା ଭଳି ଭାରତ ମଧ୍ୟ ବ୍ୟାଟିଂରେ ଜଲୱା ଦେଖାଇବ। କିନ୍ତୁ ତୃତୀୟ ଦିନରେ ମାର୍କୋ ୟାନସେନ ନିଜର ଜଲୱା ଦେଖାଇଛନ୍ତି।
ବ୍ୟାଟିଂ ବେଳେ ଶତକରୁ ୭ ରନ ସେ ରହିଯାଇଥିଲେ। କିନ୍ତୁ ବୋଲିଂରେ ସେ ଭାରତର ୬ ବ୍ୟାଟରଙ୍କୁ ଆଉଟ କରି ନିଜର ଦକ୍ଷତା ଦେଖାଇଛନ୍ତି। ତାଙ୍କ ବୋଲିଂ ଆଗରେ ଭାରତୀୟ ବ୍ୟାଟର ସତେ ଯେମିତି ଆତ୍ମସମର୍ପଣ କରିଛନ୍ତି।
ତୃତୀୟ ଦିନରେ ଯଶସ୍ୱୀ ଜୈସୱାଲ ନିଜ ଷ୍ଟାଇଲରେ ୫୮ ରନର ଇନିଂସ ଖେଳିଥିଲେ ହେଁ କେଏଲ ରାହୁଲ ମାତ୍ର ୨୨ ରନ କରି ଦିବସର ପ୍ରଥମ ବ୍ୟାଟର ଭାବେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ କେଶବ ମହାରାଜ ଆଉଟ କରିଥିଲେ। ଦଳୀୟ ସ୍କୋର ୯୫ ଥିବା ବେଳେ ଭାରତ ଜୈସୱାଲଙ୍କୁ ହରାଇଥିଲା। ସିମନ ହାର୍ମର ତାଙ୍କ ୱିକେଟ ନେଇଥିଲେ। ସାଈ ସୁଦର୍ଶନ ୧୫ ରନ କରି ହାର୍ମରଙ୍କ ଦ୍ୱିତୀୟ ଶିକାର ବନିଥିଲେ।
ଭାରତ ଏହି ଠାରୁ ଆରମ୍ଭ ହୋଇଥିଲା ଭାରତର ବିପର୍ଯ୍ୟୟ। ଏକଦା ୯୫ ରନରେ ୧ ୱିକେଟ ହରାଇଥିବା ଭାରତ ୧୨୨ ରନରେ ୭ ୱିକେଟ ହରାଇ ଦେଇଥିଲା। ୟାନସେନ ଜଣଙ୍କ ପରେ ଜଣେ ବ୍ୟାଟରଙ୍କ ୱିକେଟ ନେଇ ଭାରତର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ। ଧ୍ରୁବ ଜୁରେଲ(୦), କାମଚଳା ଅଧିନାୟକ ଋଷଭ ପନ୍ତ(୭), ରବୀନ୍ଦ୍ର ଜାଡେଜା(୬) ଓ ନୀତୀଶ କୁମାର ରେଡୀ(୧୦)ଙ୍କ ୱିକେଟ ତାଙ୍କ ଖାତାକୁ ଯାଇଥିଲା। ଭାରତକୁ ୟାନସେନ ବ୍ୟାକଫୁଟକୁ ଠେଲି ଦେଇଥିଲେ।
ଦଳୀୟ ସ୍କୋର ୧୨୨/୭ ଥିବା ବେଳେ ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ଲଢ଼େଇ କରି ଫଲୋଅନ ଏଡ଼ାଇବାକୁ ଚେଷ୍ଟା କରିଥିଲେ। ଭାରତକୁ ବିଶାଳ ୨୮୯ କରି ଫଲୋଅନ ଏଡ଼ାଇବାର ଥିଲା। ସୁନ୍ଦର ଓ କୁଲଦୀପ ଯୋଡ଼ି ନିଜ କ୍ଷମତା ଅନୁସାରେ ବହୁତ ଚେଷ୍ଟା କଲେ। ଉଭୟ ପ୍ରାୟ ୩୫ ଓଭର ବ୍ୟାଟିଂ କରି ଦଳର ସ୍କୋରକୁ ୧୯୪ରେ ପହଞ୍ଚାଇଥିଲେ।
ହେଲେ ପ୍ରଥମ ମ୍ୟାଚ୍ର ହିରୋ ହାର୍ମର ୪୮ ରନ କରିଥିବା ସୁନ୍ଦରଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ପରବର୍ତ୍ତୀ ଓଭରରେ ୟାନସେନ ଆସି କୁଲଦୀପ(୧୯)ଙ୍କୁ ଆଉଟ କରିଥିଲେ।
ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଶେଷ ୱିକେଟ ପାଇଁ ୭ ରନ ଯୋଡ଼ିବାରୁ ଦଳୀୟ ସ୍କୋର ୨୦୧ରେ ପହଞ୍ଚିଥିଲା। ଏହି ସମୟରେ ୟାନସେନ ୫ ରନ କରିଥିବା ବୁମ୍ରାଙ୍କୁ ଆଉଟ କରି ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
ଭାରତ ଫଲୋଅନ ଖାଇଥିଲେ ହେଁ ଦକ୍ଷିଣ ଆଫ୍ରିକା ପୁଣି ବ୍ୟାଟିଂ କରିବାକୁ କହି ନଥିଲା। ଭାରତ ବଦଳରେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ(Test Match) ଆଜି ଆରମ୍ଭ କରିଛି। ତୃତୀୟ ଦିନରେ ଦଳ ୮ ଓଭରରେ ୨୬ ରନ କରିବା ସହ ଲିଡ୍କୁ ୩୧୪ ରନରେ ପହଞ୍ଚାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/24/team-india-2025-11-24-16-52-08.jpg)