Advertisment

ନ୍ୟୁଜିଲ୍ୟାଣ୍ଡର ହ୍ୟାଟ୍ରିକ ପରାଜୟ, ବଡ଼ ବିଜୟ ସହ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ଭାରତ ଠାରୁ ହାରିବା ପରେ ସତେ ଯେମିତି ନ୍ୟୁଜିଲ୍ୟାଣ୍ଡର ବିଜୟ ଗାଡ଼ି ଟ୍ରାକରୁ ବାହାରି ଯାଇଛି। ଦଳ କ୍ରମାଗତ ୩ ପରାଜୟ ସହ ଏବେ ସେମି ଫାଇନାଲରେ ପ୍ରବେଶ ପାଇଁ କର ବା ମର ସ୍ଥିତିରେ ପହଞ୍ଚି ଯାଇଛି।

author-image
Hemant Lenka
SA

SA

ଚଳିତ ବିଶ୍ୱକପର ଅଭିଯାନ ଦମଦାର ଢଙ୍ଗରେ ଆରମ୍ଭ କରିଥିବା ନ୍ୟୁଜିଲ୍ୟାଣ୍ଡ ଏବେ ବିପର୍ଯ୍ୟୟ ମଧ୍ୟକୁ ଠେଲି ହୋଇଯାଇଛି। କ୍ରମାଗତ ୪ ବିଜୟ ସହ ସେମି ଫାଇନାଲ ଦାବିଦାର ବନିଥିବା କ୍ୱିୱି ଟିମ ଏବେ ଧ୍ୟାନଚ୍ୟୁତ ହୋଇଛି।

Advertisment

ଭାରତ ଠାରୁ ହାରିବା ପରେ ସତେ ଯେମିତି ନ୍ୟୁଜିଲ୍ୟାଣ୍ଡର ବିଜୟ ଗାଡ଼ି ଟ୍ରାକରୁ ବାହାରି ଯାଇଛି। ଦଳ କ୍ରମାଗତ ୩ ପରାଜୟ ସହ ଏବେ ସେମି ଫାଇନାଲରେ ପ୍ରବେଶ ପାଇଁ କର ବା ମର ସ୍ଥିତିରେ ପହଞ୍ଚି ଯାଇଛି।

ଆଜି ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ଏବେ ଦଳ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ବାକି ୨ଟି ମ୍ୟାଚ୍‌ ଖେଳିବ। ଏଥିରୁ ଗୋଟିଏ ବି ହାରିଲେ, ଦଳର ସେମି ଫାଇନାଲ ରାସ୍ତା କଣ୍ଟକିତ ହୋଇଯିବ। ସେହିପରି ପୂର୍ବରୁ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ତ ଆଜିର ପରାଜୟ ପରେ ୪ର୍ଥକୁ ଖସି ଯାଇଛି। ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉଠିଛି। 

Advertisment

ଆଜି ଦକ୍ଷିଣ ଆଫ୍ରିକା ବିଶାଳ ୧୯୦ ରନରେ ମ୍ୟାଚ୍‌ ଜିତି ପୁଣିଥରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ଭାରତ ଦ୍ୱିତୀୟକୁ ଖସିଛି। ଭାରତ ଭଳି ଦକ୍ଷିଣ ଆଫ୍ରିକାର ପଏଣ୍ଟ ସଂଖ୍ୟା ୧୨ ରହିଛି। କିନ୍ତୁ ନେଟ ରନ ରେଟ ଆଧାରରେ ଦକ୍ଷିଣ ଆଫ୍ରିକା ପ୍ରଥମ ସ୍ଥାନ ଅଧିକାର କରିଛି। ଦକ୍ଷିଣ ଆଫ୍ରିକା ୭ ମ୍ୟାଚ୍‌ରୁ ୬ ବିଜୟ ଓ ଗୋଟିଏ ପରାଜୟ ସହ ସେମି ଫାଇନାଲରେ ଏକ ପ୍ରକାରର ନିଜର ସ୍ଥାନ ପକ୍କା କରି ନେଇଛି।

ଆଜି ପୁଣେରେ ଖେଳା ଯାଉଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି’କକ ଓ ରସି ଭାନ ଡେର ଡୁସେନଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା।

ଡି’କକ ୧୧୪ ଓ ଡୁସେନ ୧୩୩ ରନର ଇନିଂସ ଖେଳିଥିଲେ। ସେହିପରି ଡାଭିଡ ମିଲର ଶେଷ ଭାଗରେ ୩୦ ବଲରୁ ୫୩ ରନ ଆଦାୟ କରିଥିଲେ। ଦମଦାର ଶତକ ପାଇଁ ଡୁସେନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।

୩୫୮ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା। ଶେଷରେ ଦଳ ୧୬୭ ରନରେ ଅଲଆଉଟ ହୋଇଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡେଭନ କନୱେ ୨, ରଚିନ ରବୀନ୍ଦ୍ର ୯, ୱିଲ ୟଙ୍ଗ ୩୩, ଡାରେଲ ମିଚେଲ ୨୪ ଓ ଟମ ଲାଥମ ମାତ୍ର ୪ ରନ କରିବାକୁ ସକ୍ଷମ ହୋଇଥିଲେ।

୯୦ ରନରେ ୫ ୱିକେଟ ହରାଇ କ୍ୱିୱି ଟିମ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ହୋଇ ଯାଇଥିଲା। ଗ୍ଲେନ ଫିଲିପ୍ସ କ୍ରିଜ୍‌ରେ ଥିବାରୁ ନ୍ୟୁଜିଲ୍ୟାଣ୍ଡ କିଛି ଲଢ଼େଇ କରିବ ବୋଲି ଆଶା କରାଯାଉଥିଲା। ସେ ମଧ୍ୟ ଶେଷ ଯାଏ ଲଢ଼େଇ କରିଥିଲେ। କିନ୍ତୁ ତାଙ୍କୁ ଆଉ କେହି ବି ସାଥ ଦେଇ ନଥିଲେ। ମିଚେଲ ସାଣ୍ଟନର ୭, ଟିମ ସାଉଦି ୮, ଜିମ୍ମି ନୀଶମ ୦ ଓ ଟ୍ରେଣ୍ଟ ବୋଲ୍ଟ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ଫିଲିପ୍ସ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ସେ ୫୦ ବଲରେ ବ୍ୟକ୍ତିଗତ ୬୦ ରନ କରି ଗେରାଲ୍ଡ କୋଏଜେଙ୍କ ବଲରେ ନ୍ୟୁଜିଲ୍ୟାଣ୍ଡର ଶେଷ ବ୍ୟାଟର ଭାବେ ଆଉଟ ହୋଇଥିଲେ।

ଟାର୍ଗେଟ ୩୫୮ ରନ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୩୫. ୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୬୭ ରନ କରିଛି। ମ୍ୟାଚ୍‌କୁ ୧୯୦ ରନରେ ଜିତି ଦକ୍ଷିଣ ଆଫ୍ରିକା ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି।

ଦଳ ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମାର୍କୋ ୟାନସେନ ୩ଟି, କୋଏଜେ ୨ଟି ଓ କାଗିସୋ ରବାଡା ଗୋଟିଏ ୱିକେଟ ନେଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup