Advertisment

୩ ଦିନରେ ଖେଳ ସାରିଦେଲା ଦକ୍ଷିଣ ଆଫ୍ରିକା, ଇନିଂସ ଓ ୩୨ ରନରେ ହାରିଲା ଭାରତ

ଦ୍ୱିତୀୟ ଇନିଂସରେ ନାନ୍ଦ୍ରେ ବୁରଗେର ୪ ୱିକେଟ ନେଇଥିବା ବେଳେ କାଗିସୋ ରବାଡା ୩ଟି ଓ ମାର୍କୋ ୟାନସେନ ୨ଟି ସଫଳତା ପାଇଛନ୍ତି। ତେବେ ପ୍ରଥମ ଇନିଂସରେ ୧୮୫ ରନର ଇନିଂସ ଖେଳିଥିବା ଭେଟରାନ ଡିନ ଏଲଗାର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି।

author-image
Hemant Lenka
SA

SA

ଘରୋଇ ମାଟିରେ ଦମ ଦେଖାଇଛି ଦକ୍ଷିଣ ଆଫ୍ରିକା। ବକ୍ସିଂ ଡେ’ ଟେଷ୍ଟକୁ ମାତ୍ର ୩ ଦିନରେ ଶେଷ କରିଛି ଦଳ। ଭାରତକୁ ଇନିଂସ ଓ ୩୨ ରନରେ ହରାଇ ୨ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି ଦକ୍ଷିଣ ଆଫ୍ରିକା। 

Advertisment

ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ମାତ୍ର ୧୩୧ ରନରେ ଅଲଆଉଟ ହୋଇଯାଇଛି। ଏପରି କି ଦଳ ୩୫ ଓଭର ମଧ୍ୟ ବ୍ୟାଟିଂ କରିବାକୁ ସକ୍ଷମ ହୋଇନାହିଁ। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୭୬ ଓ ଶୁବମନ ଗିଲ୍‌ ୨୬ ରନ କରିଛନ୍ତି। ଏହି ଦୁଇ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ଭାରତୀୟ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି।

ଦ୍ୱିତୀୟ ଇନିଂସରେ ନାନ୍ଦ୍ରେ ବୁରଗେର ୪ ୱିକେଟ ନେଇଥିବା ବେଳେ କାଗିସୋ ରବାଡା ୩ଟି ଓ ମାର୍କୋ ୟାନସେନ ୨ଟି ସଫଳତା ପାଇଛନ୍ତି। ତେବେ ପ୍ରଥମ ଇନିଂସରେ ୧୮୫ ରନର ଇନିଂସ ଖେଳିଥିବା ଭେଟରାନ ଡିନ ଏଲଗାର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଛନ୍ତି।

Advertisment

ଏଲଗାର ନିଜ ଟେଷ୍ଟ କ୍ୟାରିୟରର ଶେଷ ସିରିଜ ଖେଳୁଥିବା ବେଳେ ନିଜର ଦମ ଦେଖାଇଛନ୍ତି। ସେହିପରି ଦଳର ଅଧିନାୟକ ତେମ୍ବା ବଭୂମା ମ୍ୟାଚ୍‌ର ପ୍ରଥମ ଦିନରୁ ହିଁ ଆହତ ହୋଇଥିଲେ। ଏଥିପାଇଁ ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ବ୍ୟାଟିଂ ମଧ୍ୟ କରି ନଥିଲେ। ତାଙ୍କ ଅନୁପସ୍ଥିତିରେ ଏଲଗାର ହିଁ ମ୍ୟାଚ୍‌ ପରିଚାଳନା କରିଥିଲେ।

ଏବେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ୩ ଦିନ ମଧ୍ୟରେ ଶେଷ କରି ଦମଦାର ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଥର ପାଇଁ ଭାରତ ବିପକ୍ଷରେ ଇନିଂସ ବିଜୟ ପାଇଛି। ପୂର୍ବଥର ମଧ୍ୟ ୨୦୧୧ରେ ଏହି ସେଞ୍ଚୁରିଅନରେ ଦଳ ଭାରତ ବିପକ୍ଷରେ ଇନିଂସ ବିଜୟ ହାସଲ କରିଥିଲା। ଭାରତୀୟ ବ୍ୟାଟରମାନେ ଉଭୟ ଇନିଂସରେ ଦକ୍ଷିଣ ଆଫ୍ରିକାର ପେସ୍‌ ବୋଲିଂକୁ ସାମ୍ନା ନ କରିପାରି ଧରାଶାୟୀ ହୋଇଛନ୍ତି। ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଦଳ ପ୍ରଥମଥର ପାଇଁ ଇନିଂସ ପରାଜୟ ବରଣ କରିଛି। 

ଭାରତ ପ୍ରଥମ ଇନିଂସରେ ୨୪୫ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୪୦୮ ରନ କରିଥିଲା। ଏଥିସହ ଦଳକୁ ଗୁରୁତ୍ୱପୂର୍ଣ୍ଣ ୧୬୩ ରନର ଲିଡ ମିଳିଥିଲା। ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୩୧ ରନରେ ଅଲଆଉଟ ହୋଇଯାଇଛି।

ବିରାଟ କୋହଲି ଶେଷ ଯାଏ ଲଢ଼େଇ କରିବା ସହ ୭୬ ରନ କରିଥିଲେ। ହେଲେ ତାଙ୍କୁ ଆଉ କେହି ବି ସାଥ ଦେଇ ନଥିଲେ। ରୋହିତ ଶର୍ମା ୦, ଯଶସ୍ୱୀ ଜୈସୱାଲ ୫, ଶ୍ରେୟସ ଆୟର ୬, କେଏଲ ରାହୁଲ ୪, ରବି ଅଶ୍ୱିନ ୦, ଶାର୍ଦ୍ଦୁଲ ଠାକୁର ୨, ଯଶପ୍ରୀତ ବୁମ୍ରା ୦, ମହମ୍ମଦ ସିରାଜ ୪ ଓ ପ୍ରସିଦ୍ଧ କ୍ରିଷ୍ଣା ଖାତା ନ ଖୋଲି ଶେଷ ଯାଏ ବିରାଟଙ୍କୁ ସାଥ ଦେଇଥିଲେ।

ପ୍ରଥମ ଇନିଂସରେ କେଏଲ ରାହୁଲ ୧୦୧ ରନର ଇନିଂସ ଖେଳିବାରୁ ଭାରତ ୨୪୫ ରନ କରିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ପାଇଁ ଏଲଗାର ୧୮୫, ମାର୍କୋ ୟାନସେନ ଅପରାଜିତ ୮୪ ଓ ଡାଭିଡ ଭେଡିଂ ହାମ ୫୬ ରନର ଇନିଂସ ଖେଳିଥିଲେ।

ସେହିପରି ପ୍ରଥମ ଇନିଂସରେ ଦଳ ପାଇଁ ରବାଡା ୫ଟି, ବୁରଗେର ୩ଟି, ୟାନସେନ ଓ ଗେରାଲ୍ଡ କୋଏଜି ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Test Cricket Test Match Dean Elgar