Advertisment

ଦକ୍ଷିଣ ଆଫ୍ରିକା କ୍ରିକେଟରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ୨୭ ବର୍ଷ ପରେ ଜିତିଲା ଆଇସିସି ମୁକୁଟ

୧୯୯୮ ପରେ ଦକ୍ଷିଣ ଆଫ୍ରିକା କୌଣସି ବଡ଼ ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ୨୦୨୩-୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତେମ୍ବା ବଭୂମାଙ୍କ ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଦେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
sa

sa

ଦକ୍ଷିଣ ଆଫ୍ରିକା କ୍ରିକେଟରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ଦୀର୍ଘ ୨୭ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଶେଷରେ କୌଣସି ବଡ଼ ଆଇସିସି ମୁକୁଟ ଜିତି ପାରିଛି ଦକ୍ଷିଣ ଆଫ୍ରିକା। ଅନେକ ଅପବାଦ ଓ ଅନେକ ଥର ହୃଦୟ ଭାଙ୍ଗିବା ପରେ ଦକ୍ଷିଣ ଆଫ୍ରିକା ନିଜର ସହ ଥିବା ଟ୍ୟାଗ ଚୋକର୍ସକୁ ବଦଳାଇ ପାରିଛି।

Advertisment

୧୯୯୮ ପରେ ଦକ୍ଷିଣ ଆଫ୍ରିକା କୌଣସି ବଡ଼ ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ୨୦୨୩-୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତେମ୍ବା ବଭୁମାଙ୍କ ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ଏଥିସହ ଆଇସିସି ଟ୍ରଫି ଜିତିବା ମରୁଡ଼ିରେ ବିରାମ ଲଗାଇଛି। ୨୭ ବର୍ଷ ପରେ ପ୍ରଥମ ଓ କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଥର ପାଇଁ କୌଣସି ଆଇସିସି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ତରୀୟ ମୁକୁଟ ହାସଲ କରିଛି।

ଏହି ୨୭ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଉଭୟ ପୁରୁଷ ଓ ମହିଳା ଟିମ ଆଇସିସି ପକ୍ଷରୁ ଆୟୋଜନ ହେଉଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ଓ ସେମି ଫାଇନାଲକୁ ଯାଇଥିଲେ। କିନ୍ତୁ କେବେ ହେଲେ ଟ୍ରଫି ଜିତିବାର ଗୌରବ ହାସଲ କରି ପାରି ନଥିଲେ। କିନ୍ତୁ ଏବେ ଦକ୍ଷିଣ ଆଫ୍ରିକା ତୃତୀୟ ଦେଶ ଭାବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଜିତି ପାରିଛି। ଏହି ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଟ୍ରଫି ଜିତିଥିବା ବେଳେ ୨୦୨୩ରେ ଅଷ୍ଟ୍ରେଲିଆ ବାଜି ମାରିଥିଲା।

Advertisment

ଉଭୟ ଦେଶ ଫାଇନାଲରେ ଭାରତକୁ ହରାଇଥିଲେ। ଏବେ ୨ ବର୍ଷ ପରେ ସେହି ଅଷ୍ଟ୍ରେଲିଆକୁ ୬ ୱିକେଟରେ ଅଷ୍ଟ୍ରେଲିଆ ହରାଇ ଐତିହାସିକ ଲର୍ଡସରେ ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଆଉ ଏହି ବିଜୟର ବାନ୍ଧାଣି ସାଜିଛନ୍ତି ଏଡେନ ମାର୍କରମ। ପ୍ରଥମ ଇନିଂସରେ ସେ ଖାତା ଖୋଲି ପାରି ନଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରରେ ସେ ବିଜୟୀ ୧୩୬ ରନର ଇନିଂସ ଖେଳି ଦକ୍ଷିଣ ଆଫ୍ରିକାକୁ ୨୭ ବର୍ଷ ପରେ ବିଶ୍ୱ ମୁକୁଟ ପିନ୍ଧାଇଛନ୍ତି।  

ଐତିହାସିକ ଲର୍ଡସରେ ଚାଲିଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦ୍ରୁତ ବୋଲର କାଗିସୋ ରବାଡାଙ୍କ ୫ ୱିକେଟ ସଫଳତା ଯୋଗୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୧୨ ରନରେ ଅଲଆଉଟ କରି ଦେଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୩୮ ରନ କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ପାଟ କମିନ୍ସ ସର୍ବାଧିକ ୬ଟି ୱିକେଟ ନେଇଥିଲେ।

ପ୍ରଥମ ଇନିଂସରେ ୭୪ ରନର ଲିଡ ପାଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରବାଡା ୪ଟି ଓ ଲୁଙ୍ଗି ଏନଗିଡି ୩ଟି ୱିକେଟ ନେବାରୁ ଅଷ୍ଟ୍ରେଲିଆ ସଙ୍କଟରେ ପଡ଼ିଥିଲା। କିନ୍ତୁ ଶେଷ ଭାଗରେ ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ଅପରାଜିତ ୫୮ ରନ କରିବାରୁ କଙ୍ଗାରୁ ଟିମ ୨୦୭ ରନ କରି ପାରିଥିଲା। ଅଷ୍ଟ୍ରେଲିଆ ୨୦୭ କରିବାରୁ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୮୨ ରନର ଟାର୍ଗେଟ ମିଳିଥିଲା।

ଲର୍ଡସ ପିଚ୍‌ ବୋଲରଙ୍କୁ ସୁହାଉଥିବାରୁ ଏହି ରନ ଚେଜ କରିବା ଦକ୍ଷିଣ ଆଫ୍ରିକା ପାଇଁ ସହଜ ହେବନି ବୋଲି କୁହାଯାଉଥିଲା। ଦକ୍ଷିଣ ଆଫ୍ରିକା ମଧ୍ୟ ରାୟନ ରିକେଲଟନ(୬) ଓ ୱିଆନ ମୁଲ୍ଡର(୨୭)ଙ୍କୁ ସଅଳ ହରାଇଥିଲା। କିନ୍ତୁ ପ୍ରଥମ ଇନିଂସରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ଓପନର ଏଡେନ ମାର୍କରମ ନିଜର ପରାକ୍ରମ ଦେଖାଇଥିଲେ। ତାଙ୍କୁ ଅଧିନାୟକ ବଭୂମା ପୂରା ସହାୟତା କରିଥିଲେ।

ଉଭୟ ତୃତୀୟ ଦିନରେ ଦମଦାର ବ୍ୟାଟିଂ କରି ତୃତୀୟ ୱିକେଟ ପାଇଁ ଅପରାଜିତ ୧୪୩ ରନ ଯୋଡ଼ିଥିଲେ। ମାର୍କରମ ବ୍ୟାଟରୁ ଲର୍ଡସରେ ଐତିହାସିକ ଶତକ ମଧ୍ୟ ବାହରିଥିଲା। ବଭୁମା ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୨୧୩ ରନ କରି ନେଇଥିଲା। ୨୭ ବର୍ଷ ପରେ ବିଶ୍ୱ ମୁକୁଟ ହାସଲ କରିବାକୁ ଦକ୍ଷିଣ ଆଫ୍ରିକା ୬୯ ରନର ଦୂରରେ ଥିବା ବେଳେ ୪ର୍ଥ ଦିନର ଖେଳ ଆରମ୍ଭ କରିଥିଲା।

କିନ୍ତୁ ଏଥିରେ ସାମାନ୍ୟ ଟ୍ୱିଷ୍ଟ ଆସିଥିଲା। ତୃତୀୟ ଦିନର ସ୍କୋରରେ ଆଉ ୪ ରନ ଯୋଡ଼ିବା ପରେ ଅଧିନାୟକ ବଭୁମା (୬୬) ଅଉଟ ହୋଇଯାଇଥିଲେ। ତ୍ରିଷ୍ଟାନ ଷ୍ଟବ୍ସ ମଧ୍ୟ କେବଳ ୮ ରନ କରିପାରି ଥିଲେ। କିନ୍ତୁ ଗତକାଲି ୧୦୨ ରନ କରି ଅପରାଜିତ ରହିଥିବା ମାର୍କରମ ହାର ମାନି ନଥିଲେ। ସେ ଅଷ୍ଟ୍ରେଲିଆ ବୋଲରଙ୍କୁ କାଉଣ୍ଟର ଆଟାକ କରିବା ସହ ଦଳକୁ ବିଜୟର ନିକଟତର କରାଇଥିଲେ।

ତାଙ୍କୁ ଡାଭିଡ ବେଡିଂହାମ ମଧ୍ୟ ସହାୟତା କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାର ପାଳିକୁ ଆଗକୁ ନେଇଥିଲେ। ଦଳକୁ ଜିତିବା ପାଇଁ ମାତ୍ର ୬ ରନ ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ମାର୍କରନ ୧୩୬ ରନ କରି ଜୋଶ ହାଜେଲଉଡଙ୍କ ବଲରେ ଆଉଟ ହୋଇ ଯାଇଥିଲା। ମାର୍କରମ ଆଉଟ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକାର ବିଜୟକୁ ସୁନିଶ୍ଚିତ କରି ସାରିଥିଲେ। ସେ ଲର୍ଡସ ପ୍ୟାଭିଲିୟନକୁ ଫେରିବା ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ କରତାଳି ଦେଇ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ମାର୍କରନ ତାଙ୍କ ଇନିଂସରେ ୧୪ଟି ଚୌକା ମାରିଛନ୍ତି। 

ମାର୍କରମଙ୍କ ସ୍ଥାନ ନେବାକୁ ଆସିଥିଲେ କାୟଲେ ଭେର୍ନେ। ସେ ବେଡିଂହାମଙ୍କ ସହ ମିଶି ବାକି ରନ ଦଳ ପାଇଁ ହାସଲ କରିଥିଲେ। ବେଡିଂହାମ ଶେଷ ଯାଏ ୨୧ ଓ ଭେର୍ନେ ୭ ରନ କରି ଅପରାଜିତ ରହିଥିଲେ। ଭେର୍ନେ ବିଜୟ ଶଟ (ଚୌକା) ମାରି ଦକ୍ଷିଣ ଆଫ୍ରିକା କ୍ରିକେଟ ପାଇଁ ନୂଆ ଇତିହାସ ଲେଖିଛନ୍ତି।

ଦକ୍ଷିଣ ଆଫ୍ରିକାର କ୍ରିକେଟ ଯାତ୍ରା

କ୍ରିକେଟ ଇତିହାସରେ ଦକ୍ଷିଣ ଆଫ୍ରିକା ସବୁଠାରୁ ହତଭାଗା ଟିମ ଭାବେ ପରିଚିତ। ରାଜନୀତିକ ବିବାଦ କାରଣରୁ ଦକ୍ଷିଣ ଆଫ୍ରିକା ଅନେକ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲା। ୧୯୯୨ରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମଥର ପାଇଁ କୌଣସି ଆଇସିସି ଇଭେଣ୍ଟରେ ଭାଗ ନେବାକୁ ଅନୁମତି ମିଳିଥିଲା। ୧୯୯୨ରେ ଦକ୍ଷିଣ ଆଫ୍ରିକା ବିଶ୍ୱକପ ସେମିରେ ପହଞ୍ଚିଥିଲା। କିନ୍ତୁ ବର୍ଷା କାରଣରୁ ଦଳକୁ ଇଂଲଣ୍ଡ ଠାରୁ ହାରିବାକୁ ପଡ଼ିଥିଲା।

ଏହାପରେ ଅନେକ ଥର ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ହୃଦୟ ଭାଙ୍ଗିଛି। ୧୯୯୮ରେ ଦକ୍ଷିଣ ଆଫ୍ରିକା ଆଇସିସି ନକଆଉଟ ବା ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। କିନ୍ତୁ ୧୯୯୯ ବିଶ୍ୱକପ ସେମିରେ ଦଳର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଟାଇ ହୋଇଯାଇଥିଲା। ଏହାପରେ ଭଲ ରନରେଟ କାରଣରୁ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଥିଲା।

୨୦୧୫ ବିଶ୍ୱକପ ସେମିରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲ୍ୟାଣ୍ଡ ହରାଇ ଦେବାରୁ ଖେଳାଳିମାନେ କାନ୍ଦି କାନ୍ଦି ପଡ଼ିଆ ଛାଡ଼ିଥିଲେ। ୨୦୨୪ ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ଠାରୁ ହାରିବାକୁ ପଡ଼ିଥିଲା। ସେହିପରି ଚାମ୍ପିୟନ୍ସ ଟ୍ରଫି ସେମିରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡଠାରୁ ଦକ୍ଷିଣ ଆଫ୍ରିକା ହାରିଥିଲା।

ଦକ୍ଷିଣ ଆଫ୍ରିକା ପୁରୁଷ ବିଶ୍ୱକପର ୧୯୯୨,୧୯୯୯, ୨୦୦୭, ୨୦୧୫ ଓ ୨୦୨୩ ସେମି ଫାଇନାଲ ଖେଳିଥିଲା। ୧୯୯୬ ଓ ୨୦୧୧ ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲା। ୨୦୨୪ ଟି-୨୦ ବିଶ୍ୱକପ ଫାଇନାଲ, ୨୦୦୯ ଓ ୨୦୧୪ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ନଜର ଆସିଥିଲା। ଏହାବାଦ ୨୦୦୦, ୨୦୦୨, ୨୦୦୬, ୨୦୧୩ ଓ ୨୦୨୫ ଆଇସିସି ଚାମ୍ପିୟନନ୍ସ ଟ୍ରଫି ସେମି ଫାଇନାଲ ଦଳ ଖେଳିଥିଲେ ହେଁ ଏଯାଏ ଟ୍ରଫି ଜିତିବାକୁ ସକ୍ଷମ ହୋଇ ନଥିଲା। 

ସମସ୍ତେ ଦକ୍ଷିଣ ଆଫ୍ରିକାକୁ ହତଭାଗା ଓ ଚୋକର୍ସ କହୁଥିଲେ। ୨୭ ବର୍ଷ ହେଲା ଟ୍ରଫି ନ ଜିତିବାର ଦୁଃଖ ମଧ୍ୟ ଦକ୍ଷିଣ ଆଫ୍ରିକାର ରହିଥିଲା। ହେଲେ ଏବେ ସେ ସବୁ ଦୁଃଖ ଚାଲି ଯାଇଛି। କାରଣ ଦକ୍ଷିଣ ଆଫ୍ରିକା ଏବେ ଟେଷ୍ଟ କ୍ରିକେଟରେ ବିଶ୍ୱ ବିଜେତା ହୋଇପାରିଛି।

World Test Championship Finale South Africa Australia Test Cricket