/odisha-reporter/media/media_files/2025/12/16/livingstone-2025-12-16-20-19-07.jpg)
ଲିଆମ ଲିଭିଙ୍ଗଷ୍ଟୋନ
ଆଇପିଏଲ(IPL Auction) ମିନି ଅକ୍ସନରେ ଗୋଟିଏ ରୋଚକ ଘଟଣା ଦେଖିବାକୁ ମିଳିଛି। ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କ କ୍ଷେତ୍ରରେ ଘଟିଛି ଗୋଟିଏ ବିରଳ ଘଟଣା। ମିନି ଅକ୍ସନ ଆରମ୍ଭରୁ ବେସ୍ ପ୍ରାଇସ ୨ କୋଟିରେ ଥିବା ଲିଭିଙ୍ଗଷ୍ଟୋନଙ୍କୁ କେହି କିଣିବାକୁ ଆଗ୍ରହ ଦେଖାଇ ନଥିଲେ। କିନ୍ତୁ ଶେଷ ପର୍ଯ୍ୟାୟରେ ତାଙ୍କୁ ରେକର୍ଡ ୧୩ କୋଟି ଟଙ୍କାରେ କିଣିଛି ସନ ରାଇଜର୍ସ ହାଇଦ୍ରାବାଦ।
୨୦୨୫ରେ ଲିଭିଙ୍ଗଷ୍ଟୋନ ଚାମ୍ପିୟନ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିଥିଲେ। ତାଙ୍କୁ ୮.୭୫ କୋଟିରେ କିଣିଥିଲା ଆରସିବି। ହେଲେ ମିନି ଅକ୍ସନ ପୂର୍ବରୁ ତାଙ୍କୁ ଦଳ ରିଲିଜ କରି ଦେଇଥିଲା।
ମିନି ଅକ୍ସନରେ ସେ ଭଲ ଦାମରେ ବିକ୍ରି ହେବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ପ୍ରଥମ ରାଉଣ୍ଡରେ କୌଣସି ଦଳ ଲିଭିଙ୍ଗଷ୍ଟୋନଙ୍କୁ ନ କିଣିବା ସମସ୍ତଙ୍କୁ ଚକିତ କରିଥିଲା। କେହି ଲିଭିଙ୍ଗଷ୍ଟୋନଙ୍କୁ କିଣିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ହେଲେ ଦ୍ୱିତୀୟ ରାଉଣ୍ଡରେ ଲିଭିଙ୍ଗଷ୍ଟୋନଙ୍କୁ ନେବା ପାଇଁ ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।
ଲକ୍ଷ୍ନୌ ପାଖରେ ୧୩.୧୫ କୋଟି ଥିବା ବେଳେ ଦଳ ୧୨.୮୦ କୋଟି ଯାଏ ବିଡ ଲଗାଇଥିଲା। କିନ୍ତୁ ହାଇଦ୍ରାବାଦ ପାଖରେ ୨୨ କୋଟି ଟଙ୍କା ଥିବାରୁ ଦଳ ଲିଭିଙ୍ଗଷ୍ଟୋନଙ୍କୁ ୧୩ କୋଟିରେ କିଣି ନେଇଛି।
ସେହିପରି ଦ୍ୱିତୀୟ ରାଉଣ୍ଡରେ ବିକ୍ରି ହୋଇଛନ୍ତି ସର୍ଫରାଜ ଖାନ। ତାଙ୍କୁ ମୂଳ ଦର ୭୫ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ। ତେବେ ଯୁବ ବ୍ୟାଟର ପୃଥ୍ୱୀ ଶ’ଙ୍କୁ ପ୍ରଥମ ରାଉଣ୍ତ ଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ନରାଶ ହେବାକୁ ପଡ଼ିଛି। ରଚିନ ରବୀନ୍ଦ୍ରଙ୍କୁ ବେସ ପ୍ରାଇସ ୨ କୋଟିରେ ପାଇଛି କୋଲକାତା। ଇଂଲଣ୍ଡ ୱିକେଟ କିପର ଜେମି ସ୍ମିଥ ଅନସୋଲ୍ଡ ରହିଥିବା ବେଳେ ମ୍ୟାଟ ହେନରୀଙ୍କୁ ୨ କୋଟିରେ ଚେନ୍ନାଇ ନିଜ ସହ ସାମିଲ କରିଛି।
ପ୍ରଥମ ରାଉଣ୍ଡରେ ଭାରତୀୟ ଲେଗ ସ୍ପିନର ରାହୁଲ ଚହର ଅନସୋଲ୍ଡ ରହିଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ୧ କୋଟି ସ୍ଲାବରେ ଥିବା ଚହରଙ୍କୁ ନେବା ପାଇଁ ପଞ୍ଜାବ ଓ ଚେନ୍ନାଇ ମଧ୍ୟରେ ଟକ୍କର ହୋଇଥିଲା।
ଉଭୟ ଦଳ ପାଖରେ ୮ କୋଟି ଲେଖାଏ ଥିବା ବେଳେ ଦୁଇ ଜଣ ଯାକ ଚହରଙ୍କୁ ନେବା ପାଇଁ ଚାହିଁଥିଲେ। ୫.୨୦ କୋଟିରେ ବିଡ ପ୍ରାଇସ ପହଞ୍ଚିବା ପରେ ପଞ୍ଜାବ ରେସରୁ ଓହରି ଯାଇଥିଲା। ଶେଷରେ ଚେନ୍ନାଇ ରାହୁଲ ଚହରଙ୍କୁ ୫.୨୦ କୋଟିରେ କିଣି ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
