Advertisment

ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ଭୟ, ବାତିଲ ହେଲେ ଭାରତ ସହ କିଏ ଖେଳିବ ଫାଇନାଲ?

ଭାରତ ଫାଇନାଲକୁ ଯାଇ ସାରିଥିଲେ ମଧ୍ୟ ଦ୍ୱିତୀୟ ଦଳ ଭାବେ କିଏ ରବିବାର ଲଢ଼େଇ ଖେଳିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଦୌଡ଼ରେ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି।

author-image
Hemant Lenka
Rohit

Rohit

ଶ୍ରୀଲାଙ୍କର ୨୦ ବର୍ଷୀୟ ଦୁନିଥ ୱେଲାଲାଗେଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ଟିମ ଏସିଆ କପ୍‌ ଫାଇନାଲରେ ପ୍ରବେଶ କରିଛି। ଶ୍ରୀଲଙ୍କା ବିପକ୍ଷ ଏସିଆ କପ ସୁପର ୪ର ମ୍ୟାଚକୁ ଟିମ ଇଣ୍ଡିଆ ୪୧ ରନରେ ଜିତି ୧୭ ତାରିଖ ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି।

Advertisment

ଏହାପୂର୍ବରୁ ଭାରତୀୟ ଟିମ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ବିଶାଳ ୨୨୮ ରନରେ ପରାସ୍ତ କରିଥିଲା। ସୁପର ୪ର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ ଭାରତ ଜିତି ପୂରା ୪ ପଏଣ୍ଟ ସହ ଫାଇନାଲକୁ ଯାଇଛି। ତେବେ ଦଳ ଶୁକ୍ରବାର ସୁପର ୪ର ଶେଷ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ମଧ୍ୟ ଖେଳିବ। ଏହି ମ୍ୟାଚର ରେଜଲ୍ଟ ଫାଇନାଲ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ବାଂଲାଦେଶ ତା’ର ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ ହାରି ଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। 

ଭାରତ ଫାଇନାଲକୁ ଯାଇ ସାରିଥିଲେ ମଧ୍ୟ ଦ୍ୱିତୀୟ ଦଳ ଭାବେ କିଏ ରବିବାର ଲଢ଼େଇ ଖେଳିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଦୌଡ଼ରେ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି।

Advertisment

ଉଭୟ ଦଳ ସୁପର ୪ରେ ବାଂଲାଦେଶକୁ ହରାଇଥିବା ବେଳେ ଭାରତ ଠାରୁ ହାରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ, ସେହି ଟିମ ହିଁ ରବିବାର ଭାରତ ବିପକ୍ଷରେ ଟ୍ରଫି ପାଇଁ ଟକ୍କର କରିବ। କହିବାକୁ ଗଲେ, ଗୁରୁବାର ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ସେମି ଫାଇନାଲ ଲଢ଼େଇ ହେବ।

କିନ୍ତୁ ଶ୍ରୀଲଙ୍କାର ପାଣିପାଗ ଏହି ମ୍ୟାଚ୍‌ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି। ଭାରତ ଓ ପାକିସ୍ତାନ ମ୍ୟାଚ୍‌ ବେଳେ ବର୍ଷା ହୋଇଥିଲା। କିନ୍ତୁ ଏହି ବଡ଼ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସର ବ୍ୟବସ୍ଥା କରାଯାଇଥିଲା। ତେଣୁ ରବିବାର ମ୍ୟାଚ୍‌ ଅଧାରୁ ବନ୍ଦ ହୋଇ ପୁଣି ସୋମବାର ଖେଳା ଯାଇଥିଲା।

ମଙ୍ଗଳବାର ମଧ୍ୟ କଲମ୍ବୋରେ ବର୍ଷା ହୋଇଥିଲା। ଅବଶ୍ୟ ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍‌ ଉପରେ ଏହାର ସେତେଟା ପ୍ରଭାବ ପଡ଼ି ନଥିଲା। 

ଗୁରୁବାର ବି କଲମ୍ବୋରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପାଣିପାଗ ବିଭାଗ ଆକଳନ କରିଛି ଯେ ଗୁରୁବାର ମ୍ୟାଚ୍‌ ସମୟରେ ବର୍ଷାର ଆଶଙ୍କା ୭୩% ରହିଛି। ଏପରି ଆକଳନ ପରେ ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍‌ ଉପରେ କଳା ବାଦଲ ଘୋଟେଇ ଆସିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମ୍ୟାଚ୍‌ ପାଇଁ କୌଣସି ସଂରକ୍ଷିତ ଦିବସ ନାହିଁ। ଯଦି ବର୍ଷା ଲାଗି ରହିଲା, ତା’ହେଲେ ମ୍ୟାଚକୁ ବାତିଲ କରାଯାଇ ପଏଣ୍ଟ ଭାଗ କରାଯିବ।

ମ୍ୟାଚ୍‌ ବାତିଲ ହେଲେ ଶ୍ରୀଲଙ୍କା ଅପେକ୍ଷା ପାକିସ୍ତାନକୁ ଏହା ବେଶୀ ଆଘାତ ଦେବ। ପଏଣ୍ଟ ଭାଗ ହେଲେ ଏସିଆ କପ ୨୦୨୩ର ଫାଇନାଲକୁ ଶ୍ରୀଲଙ୍କା ଆପେଆପେ ଯୋଗ୍ୟତା ଅର୍ଜନ କରିନେବ। କାରଣ ପାକିସ୍ତାନ ତୁଳନାରେ ଶ୍ରୀଲଙ୍କାର ରନରେଟ ଭଲ ରହିଛି।

ଶ୍ରୀଲଙ୍କା ଏବେ ମାଇନ୍ସ ୦.୨୦୦ ଏପଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ବିଯୁକ୍ତ ୧.୮୯୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

ପାକିସ୍ତାନ ସୁପର ୪ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ବେଶ ସହଜରେ ହରାଇ ଭଲ ରନରେଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। କିନ୍ତୁ ଭାରତ ବିପକ୍ଷରେ ଦଳ ୨୨୮ ରନ ବ୍ୟବଧାନରେ ହାରିବା ସବୁ କିଛି ଓଲଟ ପାଲଟ କରି ଦେଇଛି। ପାକିସ୍ତାନ ବିପକ୍ଷରେ ଏହାର ଭାରତର ସବୁଠାରୁ ବଡ଼ ବିଜୟ ଥିଲା। ଭାରତ ଠାରୁ ଏକତରଫା ଭାବେ ପରସ୍ତା ହେବା ପରେ ପାକିସ୍ତାନର ରନ ରେଟ୍‌ ବିଯୁକ୍ତ ୧କୁ ଖସି ଯାଇଛି। ତେଣୁ ପାକିସ୍ତାନ କ୍ରିକେଟ ପ୍ରେମୀ ଆସନ୍ତାକାଲି ଯେମିତି କଲମ୍ବୋରେ ବର୍ଷା ନ ହେବ, ସେଥିପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି।

ଯଦି ପାକିସ୍ତାନ ଆସନ୍ତାକାଲି ଶ୍ରୀଲଙ୍କାକୁ ହରାଇ ଦେବ, ତା’ହେଲେ ରବିବାର ପୂରା ବିଶ୍ୱ ଏସିଆ କପରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ଲଢ଼େଇ ଦେଖିବେ। ହେଲେ ଭାରତ-ପାକିସ୍ତାନ ଲଢ଼େଇ ଆଗରେ ଶ୍ରୀଲଙ୍କା ଓ ଏହାର ପାଣିପାଗ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି।

Indian Cricket Team Asia Cup Cricket Asia Cup 2023