Advertisment

T20 World Cup: ଶ୍ରୀଲଙ୍କା ବିଶ୍ୱକପରୁ ଆଉଟ, ସରକାରଙ୍କୁ ଏମିତି ଅନୁରୋଧ କଲେ ଅଧିନାୟକ

ଶ୍ରୀଲଙ୍କା ଦୁଇଟି ଯାକ ସୁପର ୮ ମୁକାବିଲା ହାରିଥିବା ବେଳେ ଶେଷ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ପାକିସ୍ତାନ ମଧ୍ୟ ଗୋଟିଏ ମ୍ୟାଚ୍‌ ହାରିଛି। ଏବେ ନ୍ୟୁଜିଲ୍ୟାଣ୍ଡ ତା’ର ଶେଷ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳିବ।

author-image
Hemant Lenka
Srilanka

ଶ୍ରୀଲଙ୍କା ଅଧିନାୟକ

ଶ୍ରୀଲଙ୍କା ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ସୁପର ୮ ପର୍ଯ୍ୟାୟରୁ ବିଦାୟ ନେଇଛି। ସୁପର ୮ର ପ୍ରଥମ ମ୍ୟାଚରେ ୫୧ ରନରେ ଇଂଲଣ୍ଡ ଠାରୁ ହାରିଥିବା ଶ୍ରୀଲଙ୍କା ବୁଧବାର ନ୍ୟୁଜିଲ୍ୟାଣ୍ଡ ଠାରୁ ୬୧ ରନରେ ହାରିଛି। ସୁପର ୮ର ଦୁଇ ମ୍ୟାଚ୍‌ ହାରିବା ପରେ ଦଳର ସେମି ଫାଇନାଲ ସ୍ୱପ୍ନ ଭାଙ୍ଗି ଯାଇଛି। 

Advertisment

ଚଳିତ ବିଶ୍ୱକପର ଆୟୋଜନ ଉଭୟ ଭାରତ ଓ ଶ୍ରୀଲଙ୍କା କରୁଛନ୍ତି। ଶ୍ରୀଲଙ୍କା ଘରୋଇ ମାଟିରେ ବିଶ୍ୱକପ ଖେଳୁଥିବା ବେଳେ ସୁପର ୮ରୁ ବିଦାୟ ନେବା ଫ୍ୟାନ୍ସଙ୍କ ପାଇଁ ଗୋଟିଏ ଦୁଃଖଦ ଖବର। ଏହି ପରାଜୟ ପରେ ଶ୍ରୀଲଙ୍କାର ଟି-୨୦ ଅଧିନାୟକ ଦାସୁନ ଶଣଙ୍କା ନିଜ ସରକାରଙ୍କୁ ବଡ଼ ଅନୁରୋଧ କରିଛନ୍ତି।

ତାଙ୍କ କହିବା କଥା ଯେ କେବଳ ଫିଟନେସ ଓ ଫର୍ମ ପାଇଁ ଶ୍ରୀଲଙ୍କା ଫେଲ ମାରିନାହିଁ। ଟିମ ବାହାରେ ସୃଷ୍ଟି ହୋଇଥିବା ନକାରାତ୍ମକ ପରିବେଶ ଦଳର ପରାଜୟର ଅନ୍ୟତମ କାରଣ। ସରକାର ଖେଳାଳିଙ୍କୁ ସମାଲୋଚନାରୁ ସୁରକ୍ଷା ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। 

Advertisment

ଶଣକା ପରାଜୟ ପାଇଁ ଦେଶବାସୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ସେ କହିଛନ୍ତି, “ଖେଳାଳି ହିସାବରେ ବାହାରେ ଚାଲିଥିବା କଥାବାର୍ତ୍ତାକୁ ନିୟନ୍ତ୍ରଣ କରିବା ଆମ ପାଇଁ ବେଶ କଷ୍ଟକର। ଅଧିକାଂଶ ସମୟରେ ଆମେ ମୁଖ୍ୟତଃ ନକାରାତ୍ମକ କଥା ହିଁ ଶୁଣି ଥାଉ। ଆମେ ଖେଳାଳି ହିସାବରେ ଯେତେ ସକାରାତ୍ମକ ରହିଲେ ମଧ୍ୟ ବାହାରେ ଗୋଟିଏ ନକାରାତ୍ମକ ପରିବେଶ ଆମ ବିରୋଧରେ ତିଆରି କରାଯାଇଥିଲା।

ଶ୍ରୀଲଙ୍କାରେ କ୍ରିକେଟ ପାଇଁ ଏହା ଏକ ଖରାପ ବିଷୟ। କାହିଁକି ନକାରାତ୍ମକ ବିଷୟକୁ ଏପରି ପ୍ରଚାର କରାଯାଉଛି? ଆମେ ଗୋଟିଏ ବିଶ୍ୱକପ ହାରିଛି। ଆମେ କାରଣ ଜାଣିଛୁ। ଆମେ ସମସ୍ତେ ଏଥିପାଇଁ ଚିନ୍ତିତ। ମୋତେ ଲାଗୁଛି ଆମେ ଖେଳିବୁ ଓ ଆଗକୁ ବଢ଼ିବୁ। କିନ୍ତୁ ଆଗକୁ ଆସିବାକୁ ଥିବା ଖେଳାଳଙ୍କ ପାଇଁ ଯଦି ସରକାର ହସ୍ତକ୍ଷେପ କରି ସବୁ ନକାରାତ୍ମକ ବିଷୟକୁ ରୋକି ପାରିବେ, ତା’ହେଲେ ମୁଁ ନିଶ୍ଚିତ ଯେ ସେମାନଙ୍କ ମାନସିକ ସ୍ଥିତିରେ ଅନେକ ସୁଧାର ହୋଇପାରିବ।”

ଦେଶବାସୀଙ୍କୁ କ୍ଷମା ମାଗି ଶଣକାଙ୍କ କହିବା କଥା ଯେ ତାଙ୍କ ଟିମ ସୁପର ୮ରେ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ। ସେ କହିଛନ୍ତି, “ଆମେ ପରାଜୟ ପାଇଁ ଅତ୍ୟନ୍ତ ଦୁଃଖିତ। ଇଂଲଣ୍ଡ ବିପକ୍ଷ ଏମିତି ଏକ ସ୍ଥିତିରେ ଥିଲା ଯାହାକୁ ଆମେ ଜିତି ପାରିଥାଆନ୍ତୁ। ଆମେ ଅଧିକ ଯତ୍ନବାନ ହୋଇଥିଲେ ସେହି ମ୍ୟାଚ୍‌କୁ ଜିତି ଥାଆନ୍ତୁ।

ଏହି ମ୍ୟାଚ୍‌(ନ୍ୟୁଜିଲ୍ୟାଣ୍ଡ) ଗୋଟିଏ ଏକ ତରଫା ଖେଳ ଥିଲା। ଦର୍ଶକ ଓ ଫ୍ୟାନ୍ସଙ୍କ କହିବାକୁ ମୋ ପାଖରେ କିଛି ନାହିଁ। ଆମେ ସେମାନଙ୍କୁ ଖୁସି କରିବା ଭଳି କୌଣସି ବିଜୟ ଦେଇ ପାରିନାହୁଁ।” 

ସେ ଆହୁରି କହିଛନ୍ତି ଯେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମୁଁ ଆଶା କରିଥିଲି ଯେ ୱିକେଟ ବେଶ ଭଲ ରହିବ। ତଥାପି ଯାହା ସବୁ ଘଟିଲା ସେଥିପାଇଁ ଆମେ ଅତ୍ୟନ୍ତ ମର୍ମାହତ। କେହି ବି ଫେଲ ମାରିବାକୁ ଆସନ୍ତି ନାହିଁ। ସମସ୍ତେ ଭଲ ଖେଳ ଓ ବିଜୟ ପାଇଁ ଆସି ଥାଆନ୍ତି। ଆମେ ସବୁବେଳେ ଚାହୁଁଥିବା ପିଚ ପାଇଲୁ ନାହିଁ। ଆମେ ଆଶା କରି ନଥିବା ସ୍ଥିତି ଉପୁଜିବାରୁ ଆମେ ହାରିଛୁ। ତେଣୁ ଆମେ ସେଥିପାଇଁ ବହୁତ ଦୁଃଖିତ।”

ଶ୍ରୀଲଙ୍କା ଦୁଇଟି ଯାକ ସୁପର ୮ ମୁକାବିଲା ହାରିଥିବା ବେଳେ ଶେଷ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ପାକିସ୍ତାନ ମଧ୍ୟ ଗୋଟିଏ ମ୍ୟାଚ୍‌ ହାରିଛି। ଏବେ ନ୍ୟୁଜିଲ୍ୟାଣ୍ଡ ତା’ର ଶେଷ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳିବ।

ଏହି ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ଯଦି ହାରିଯିବ ଓ ପାକିସ୍ତାନ ବଡ଼ ବ୍ୟବଧାନରେ ଶ୍ରୀଲଙ୍କାକୁ ହରାଇ ଦେବ, ତା’ ହେଲେ ଗ୍ରୁପ ୨ରୁ ଇଂଲଣ୍ଡ ଓ ପାକିସ୍ତାନ ସେମି ଫାଇନାଲକୁ ଯିବେ। 

T20 World Cup