Advertisment

୧୨୫ ରନ ଯାଏ ୱିକେଟ ଯାଇ ନଥିଲା, କିନ୍ତୁ ୨୦୯ ରନର ଅଲଆଉଟ ହେଲା ଶ୍ରୀଲଙ୍କା

ଏବେ ଅଷ୍ଟ୍ରେଲିଆକୁ ବିଶ୍ୱକପରେ ପ୍ରଥମ ବିଜୟ ପାଇଁ ୨୧୦ ରନର ଟାର୍ଗେଟ ମିଳିଛି। ପୂର୍ବରୁ କଙ୍ଗାରୁ ଟିମ ୨ଟି ମ୍ୟାଚ୍‌ ଖେଳି ୨ଟିରେ ହାରିଥିଲା।

AUS

AUS

Advertisment

ଦମଦାର, ଦ୍ରୁତ ଓ ଚମତ୍କାର ଆରମ୍ଭ ସତ୍ତ୍ୱେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି ଶ୍ରୀଲଙ୍କା। ଟସ୍‌ ଜିତି ଲକ୍ଷ୍ନୌରେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପାଇଁ କୁଶଲ ପେରେରା ଓ ପଥୁମ ନିଶାଙ୍କା ଦମଦାର ଆରମ୍ଭ କରିଥିଲେ। ଏକଦା ଶ୍ରୀଲଙ୍କା ୧୨୫ ରନରେ କୌଣସି ୱିକେଟ ହରାଇ ନଥିଲା। କିନ୍ତୁ ପୂରା ଟିମ ୨୦୯ ରନରେ ଅଲଆଉଟ ହୋଇଯାଇଛି। ଏପରି କି ଦଳ ପୂରା ୫୦ ଓଭର୍‌ ମଧ୍ୟ ଖେଳିବାକୁ ସକ୍ଷମ ହୋଇ ନାହିଁ। 

Advertisment

ଆରମ୍ଭରୁ ପଥୁମ ଓ ପେରେରା ଅଷ୍ଟ୍ରେଲିଆର ପ୍ରତିଟି ବୋଲରଙ୍କୁ ଆଟାକ କରିବା ସହ ଗୋଟିଏ ବଡ଼ ସ୍କୋର ଆଡ଼େ ଦଳକୁ ନେବାକୁ ଚେଷ୍ଟା କରିଥିଲେ। ଏଥିସହ ଉଭୟ ବ୍ୟାଟର୍‌ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। 

୨୧ ଓଭର ସୁଦ୍ଧା ଦଳର ସ୍କୋର ୧୨୫ରେ ପହଞ୍ଚି ଥିବା ବେଳେ ଶ୍ରୀଲଙ୍କା ଗୋଟିଏ ହେଲେ ବି ୱିକେଟ ହରାଇ ନଥିଲେ। ଲାଗୁଥିଲା ଶ୍ରୀଲଙ୍କା ବଡ଼ ସ୍କୋର କରିବ।

Advertisment

ହେଲେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ୬୧ ରନ କରିଥିବା ପଥୁମଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ପ୍ରଥମ ଝଟକା ଦେଇଥିଲେ। ୧୫୭ ରନରେ ଦଳ କୁଶଲ ପେରେରା (୭୮)ଙ୍କୁ ହରାଇଥିଲା। ତାଙ୍କୁ କମିନ୍ସ କ୍ଲିନବୋଲ୍ଡ କରି ଦେଇଥିଲେ।

ବାସ୍‌ ଏହା ପରଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ଆଡାମ ଜାମ୍ପା ଗୋଟିଏ ପରେ ଗୋଟିଏ ୱିକେଟ ଝାଡ଼ିବା ଆରମ୍ଭ କରିଥିଲେ। ତାଙ୍କୁ ମିଚେଲ ଷ୍ଟାର୍କ ଭରପୂର ସହଯୋଗ କରିଥିଲେ।

ଇନଫର୍ମ ବ୍ୟାଟର ତଥା ଶ୍ରୀଲଙ୍କାର ଅଧିନାୟକ କୁଶଲ ମେଣ୍ଡିସ(୯) ଓ ସଦୀରା ସମରାବିକ୍ରମା(୯)ଙ୍କୁ ଜାମ୍ପା ପ୍ୟାଭିଲିୟନ ପଠାଇଥିଲେ। ଧନଞ୍ଜୟ ଡି’ସିଲଭା (୭)ଙ୍କୁ ଷ୍ଟାର୍କ ବୋଲ୍ଡ କରି ଶ୍ରୀଲଙ୍କାକୁ ୫ମ ଝଟକା ଦେଇଥିଲେ।

ଚରିଥା ଅସଲଙ୍କାଙ୍କ ସହ ଦୁନିଥ ୱାଲାଲେଗା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୱାଲାଲେଗ(୨)ଙ୍କୁ କମିନ୍ସ ରନ ଆଉଟ କରି ଶ୍ରୀଲଙ୍କା ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ।

ଚାମିକା କରୁଣାରତ୍ନେ(୨) ଓ ମହୀଶ ତକଶାନା(୦) ମଧ୍ୟ କିଛି କରି ପାରି ନଥିଲେ। ଏମାନଙ୍କୁ ଜାମ୍ପା ପ୍ୟାଭିଲିୟନ ପଠାଇଥିଲେ। ଲାହିରୁ କୁମାର ଗୋଟିଏ ଚୌକା ମାରିଥିଲେ ମଧ୍ୟ ଷ୍ଟାର୍କଙ୍କ ୟର୍କରରେ ସେ ବୋଲ୍ଡ ହୋଇ ଯାଇଥିଲେ।

ଶ୍ରୀଲଙ୍କା ୨୦୪ରେ ୯ମ ୱିକେଟ ହରାଇଥିଲା। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅସଲଙ୍କା କିନ୍ତୁ ଲଢ଼େଇ ଜାରି ରଖିଥିଲେ। ସେ ଦିଲସାନ ମଧୁଶଣକାକୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।

ଗୋଟିଏ ପଟେ ଅଷ୍ଟ୍ରେଲିଆ ଶେଷ ୱିକେଟ ନେବାକୁ ଚେଷ୍ଟା କରୁଥିବା ବେଳେ ହଠାତ ଲକ୍ଷ୍ନୌରେ ପବନ ବହିବା ଆରମ୍ଭ କରିଥିଲା। କିଛି ଝରି ମଧ୍ୟ ଛଡ଼ି ପଡ଼ିଆରେ ପଶିଥିଲେ। ତେଣୁ ମ୍ୟାଚ୍‌କୁ ବେଶ କିଛି ସମୟ ବନ୍ଦ କରାଯାଇଥିଲା। ଏହାପରେ ଖେଳ ପୁଣି ଆରମ୍ଭ ହୋଇଥିଲା।

ଅସଲାଙ୍କା ବଡ଼ ଶଟ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଗ୍ଲେନ ମ୍ୟାକ୍ସୱେଲ ଆଉଟ କରି ଶ୍ରୀଲଙ୍କା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅସଲଙ୍କା ଶ୍ରୀଲଙ୍କାର ଶେଷ ବ୍ୟାଟର ଭାବେ ୨୫ ରନ କରି ଆଉଟ ହୋଇଥିଲେ। ଏଥିସହ ସିଂହଳ ଟିମ ୪୩.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୦୯ ରନରେ ଅଟକି ଯାଇଛି। 

ଏବେ ଅଷ୍ଟ୍ରେଲିଆକୁ ବିଶ୍ୱକପରେ ପ୍ରଥମ ବିଜୟ ପାଇଁ ୨୧୦ ରନର ଟାର୍ଗେଟ ମିଳିଛି। ପୂର୍ବରୁ କଙ୍ଗାରୁ ଟିମ ୨ଟି ମ୍ୟାଚ୍‌ ଖେଳି ୨ଟିରେ ହାରିଥିଲା। 

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe