Advertisment

ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବିତ କଲା ଆଇସିସି

ଶ୍ରୀଲଙ୍କା କ୍ରିକେଟରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

author-image
Hemant Lenka
Sri Lanka

Sri Lanka

ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କାକୁ ଆଉ ଏକ ଝଟକା ଲାଗିଛି। କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ଆଜି ତତ୍କାଳ ଭାବେ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)କୁ ନିଲମ୍ବିତ କରିଛି। ଶ୍ରୀଲଙ୍କା କ୍ରିକେଟରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପ ଯୋଗୁ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ଆଇସିସି ବୋର୍ଡ ପକ୍ଷରୁ ଆଜି ବିସିଥିବା ଜରୁରୀକାଳିନ ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତା ପଦକୁ ରଦ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଆଇସିସି ରିଲିଜ କରିଥିବା ବିବୃତିରେ କହିଛି ଯେ “ଆଇସିସି ବୋର୍ଡ ଆଜି ବୈଠକ କରିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇସିସିର ସ୍ଥାୟୀ ସଦସ୍ୟ ଭାବେ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଥିବା ବୋର୍ଡ ଜାଣିବାକୁ ପାଇଛି।

କ୍ରିକେଟ ବୋର୍ଡ ସ୍ୱଂୟଶାସିତ ଭାବେ ଚାଲିବା ଦରକାର। ଏଥିରେ ସରକାର ଯେମିତି ହସ୍ତକ୍ଷେପ ନ କରିବେ, ତା’କୁ ମଧ୍ୟ ନିଶ୍ଚିତ କରିବାକୁ ହୋଇଥାଏ। କିନ୍ତୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରିଛି। ବୋର୍ଡକୁ ଚଳାଇବା ଠାରୁ ଆରମ୍ଭ କରି ଆର୍ଥିକ ନେଣଦେଣ ଯାଏ ସବୁ କିଛିରେ ସରକାରୀ ହସ୍ତକ୍ଷେପ ରହିଛି। ଜାତୀୟ ଟିମରେ ମଧ୍ୟ ସରକାର ହସ୍ତକ୍ଷେପ କରିଛନ୍ତି। ତେଣୁ ତତ୍କାଳ ଭାବେ ଶ୍ରୀଲଙ୍କା କ୍ରିକେଟର ଆଇସିସି ସଦସ୍ୟତାକୁ ନିଲମ୍ବିତ କରାଯାଉଛି। ଆଗାମୀ ଦିନରେ ନିଲମ୍ବିନର ସର୍ତ୍ତ କ’ଣ ସବୁ ରହିବ, ତା’ ଉପରେ ନିଷ୍ପତ୍ତି ନିଆଯିବ।”

Advertisment

ଆଇସିସି ବୈଠକ ନଭେମ୍ବର ୧୮ରୁ ୨୧ ଯାଏ ଅହମଦାବାଦରେ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା କ୍ରିକେଟର ସ୍ଥିତିକୁ ଦେଖି ଆଜି ଆଇସିସି ବୋର୍ଡ ଭିଡିଓ କନଫରେନ୍ସିଂରେ ଜରୁରୀ ବୈଠକ କରିଥିଲା। ଏହାପରେ ଶ୍ରୀଲଙ୍କା କ୍ରିକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏ ସମ୍ପର୍କରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଅବଗତ କରାଇ ଦେଇଛି। ସେହିପରି ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ଉପରେ ନିଷ୍ପତ୍ତି ନଭେମ୍ବର ୨୧ରେ ହେବ ବୋଲି କୁହାଯାଇଛି।

ସୋମବାର ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ରୋଶନ ରଣସିଙ୍ଘେ ଏସଏଲସି ବୋର୍ଡକୁ ଭାଙ୍ଗି ଦେଇଥିଲେ। ଏହା ବଦଳରେ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ଗୋଟିଏ ଅନ୍ତରୀଣ କମିଟି ଗଠନ କରିଥିଲେ। ତେବେ ଶ୍ରୀଲଙ୍କାର କୋର୍ଟ ଦିନକ ପରେ ବୋର୍ଡକୁ ପୁନଃ ଅବସ୍ଥାପିତ କରିଥିଲେ। ଏହାକୁ ନେଇ ବିତର୍କ ଚାଲିଥିବା ବେଳେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛି।

Cricket Crisis In Sri Lanka ICC Srilanka