Advertisment

ଭାରତକୁ ହରାଇ ପ୍ରଥମଥର ଏସିଆ କପ ଜିତିଲା ଶ୍ରୀଲଙ୍କା ମହିଳା ଟିମ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମ ସ୍ମୃତି ମନ୍ଧାନାଙ୍କ ୬୦ ଓ ରିଚା ଘୋଷଙ୍କ ବିସ୍ଫୋରକ ୩୦ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ କରିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Srilanka

Srilanka

ଡମ୍ଭୁଲାରେ ଇତିହାସ ରଚିଛି ଶ୍ରୀଲଙ୍କାର ମହିଳା ଟିମ। ପ୍ରଥମଥର ପାଇଁ ଏସିଆ କପ ଜିତିଛି ସିଂହଳୀ ଟିମ। ଆଜି ଫାଇନାଲରେ ଦଳ ଶକ୍ତିଶାଳୀ ଭାରତୀୟ ମହିଳା ଦଳକୁ ଅପ୍ରତ୍ୟାଶିତ ଢଙ୍ଗରେ ୮ ୱିକେଟରେ ହରାଇ ଦେଇଛି।

Advertisment

ପୂର୍ବରୁ ୫ଥର ରନର୍ସଅପରେ ସନ୍ତୁଷ୍ଟ ହୋଇଥିବା ଶ୍ରୀଲଙ୍କାର ମହିଳା ଟିମ ବିଜୟ ସହ ଭାରତ ଠାରୁ ମଧୁର ପ୍ରତିଶୋଧ ନେବାକୁ ମଧ୍ୟ ସକ୍ଷମ ହୋଇଛି। ୨୦୨୨, ୨୦୦୮, ୨୦୦୬, ୨୦୦୫, ଓ ୨୦୦୪ରେ ଭାରତ ଠାରୁ ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ହାରିଥିଲା। ସେହିପରି ଭାରତ ମଧ୍ୟ ଏସିଆ କପର ୮ଟି ସଂସ୍କରଣ ମଧ୍ୟରୁ କେବଳ ୨୦୧୮କୁ ଛାଡ଼ି ଦେଲେ ସବୁଥର ଜିତିଥିଲା। ଏଥର ଦଳ ୮ମ ଥର ପାଇଁ ଚାମ୍ପିୟନ ହେବ ବୋଲି ଆଶା କରିଥିଲା। କିନ୍ତୁ ଚାମିରା ଆଟାପୁଟଙ୍କ ଟିମ ଭାରତୀୟ ଟିମର ସବୁ ଆଶାରେ ପାଣି ପକାଇ ଦେଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମ ସ୍ମୃତି ମନ୍ଧାନାଙ୍କ ୬୦ ଓ ରିଚା ଘୋଷଙ୍କ ବିସ୍ଫୋରକ ୩୦ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ କରିଥିଲା। ଲାଗୁଥିଲା ଶ୍ରୀଲଙ୍କା ଏହି ସ୍କୋରକୁ ଚେଜ କରିପାରିବ ନାହିଁ। ଏପରି କି ଦଳ ୭ ରନରେ ମଧ୍ୟ ବିଶମି ଗୁଣରତ୍ନେ(୧)ଙ୍କୁ ହରାଇଥିଲା। ହେଲେ ଅଧିନାୟକ ଆଟାପଟୁ ଓ ହର୍ଷିତା ସମରାବିକ୍ରମା ସବୁ କିଛି ଓଲଟ ପାଲଟ କରି ଦେଇଥିଲେ।

Advertisment

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୮୭ ରନ ଯୋଡ଼ି ଥିଲେ। ବିଶେଷ କରି ଆଟାପଟୁଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୯୪ ରହିଥିଲା। ବ୍ୟକ୍ତିଗତ ଭାବେ ଆଟାପଟୁ ୪୩ ବଲରେ ୬୧ ରନ କରି ଆଉଟ ହୋଇଥିଲେ।

ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲିବା ପାଇଁ ଭାରତ ପାଖରେ ସୁଯୋଗ ସୃଷ୍ଟି ହୋଇଥିଲେ ହେଁ ଏହାକୁ ହର୍ଷିତା ଭଣ୍ଡୁର କରି ଦେଇଥିଲେ। ତାଙ୍କୁ କାବିଶା ଦିଲହରି ଭରପୂର ସାଥ ଦେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ହର୍ଷିତା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌର ବାରମ୍ବାର ବୋଲିଂ ଏଣ୍ଡରେ ପରିବର୍ତ୍ତନ କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ଶେଷରେ ଜିତିବା ପାଇଁ ୯ ବଲରେ ୫ ରନ ଦରକାର ଥିବା ବେଳେ ଦିଲହରି ଦମଦାର ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ହର୍ଷିତା ଶେଷ ଯାଏ ୫୧ ବଲରେ ୬୯ ଓ ଦିଲହରି ୧୬ ବଲରେ ୩୦ ରନ କରି ଅପରାଜିତ ରହିଥିଲେ। ଏଥିସହ ୮ ବଲ ପୂର୍ବରୁ ଶ୍ରୀଲଙ୍କା ଟିମକୁ ପ୍ରଥମଥର ପାଇଁ ଏସିଆ କପ ଭେଟି ଦେଇଥିଲେ। ଭାରତ ପକ୍ଷରୁ କେବଳ ଦୀପ୍ତି ଶର୍ମା ଗୋଟିଏ ୱିକେଟ ପାଇଛନ୍ତି। ଆଉ ଗୋଟିଏ ୱିକେଟ ରନଆଉଟରୁ ମିଳିଛି। 

Women Cricket Asia Cup Indian Women Cricket Team