/odisha-reporter/media/media_files/2025/11/13/srilanka-2025-11-13-15-52-02.jpg)
ପାକିସ୍ତାନ ଓ ଶ୍ରୀଲଙ୍କା
ପାକିସ୍ତାନ(Pakistan)ରେ ଥିବା ଶ୍ରୀଲଙ୍କା(Srilanka) ଖେଳାଳିଙ୍କୁ ଘାରିଛି ସୁରକ୍ଷା ଚିନ୍ତା। ମଙ୍ଗଳବାର ଇସଲାମାବାଦ କାର ବିସ୍ଫୋରଣ ପରେ ନିଜକୁ ପାକିସ୍ତାନରେ ସୁରକ୍ଷିତ ମଣୁ ନାହାନ୍ତି ଶ୍ରୀଲଙ୍କା କ୍ରିକେଟ ଟିମର ସଦସ୍ୟ। ଏଥିପାଇଁ ସେମାନେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ଅଧାରୁ ଏହାକୁ ବାତିଲ କରି ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି। ଏନେଇ ସେମାନେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଅନୁରୋଧ ମଧ୍ୟ କରିଛନ୍ତି।
ହେଲେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସେମାନଙ୍କ ଅନୁରୋଧକୁ ଗ୍ରହଣ କରୁନାହିଁ। ଯଦି କୌଣସି ଖେଳାଳି ସିରିଜ ଅଧାରୁ ପାକିସ୍ତାନ ଛାଡ଼ିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଧମକ ଦେଇଛି। ପାକିସ୍ତାନ ସହ ଚାଲିଥିବେ ଦିନିକିଆ ସିରିଜକୁ ଚାଲୁ ରଖିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ବିପକ୍ଷ ୩ଟିକିଆ ଦିନିକିଆ ସିରିଜରେ ସାମିଲ ଥିବା ଶ୍ରୀଲଙ୍କା ସ୍କ୍ୱାଡର ୮ ଜଣ ଖେଳାଳି ସୁରକ୍ଷା କାରଣରୁ ସ୍ୱଦେଶ ଫେରିବାକୁ ଆଗ୍ରହ ଦେଖାଇଥିଲେ। ଶୁକ୍ରବାର ରାୱଲପିଣ୍ଡିରେ ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ବେଳେ ଗୁରୁବାର ୮ ଜଣ ଖେଳାଳି ସ୍ୱଦେଶ ଫେରିଯିବାକୁ ଚାହିଁଥିଲେ।
ଏହାପରେ ଶ୍ରୀଲଙ୍କା ବୋର୍ଡ ଗୋଟିଏ ବିବୃତି ଜାରି କରି କହିଛି ଯେ “ଶ୍ରୀଲଙ୍କା କ୍ରିକେଟ(ଏସଏଲସି)କୁ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଜାତୀୟ ଟିମର କିଛି ସଦସ୍ୟ ପାକିସ୍ତାନ ଛାଡ଼ି ସ୍ୱଦେଶ ଫେରିବାକୁ ଚାହୁଁଥିବା ଅବଗତ କରାଯାଇଥିଲା। ସେମାନେ ନିଜର ସୁରକ୍ଷାକୁ ନେଇ ପାକିସ୍ତାନରେ ଚିନ୍ତା ପ୍ରକଟ କରିଥିଲେ। ଏହି ଘଟଣା ପରେ ଏସଏଲସି ତୁରନ୍ତ ଖେଳାଳିଙ୍କ ସହ କଥା ହୋଇଥିଲା ଓ ସେମାନଙ୍କ ସବୁ ଚିନ୍ତା ପାକିସ୍ତାନ କ୍ରିକେଟ ବୋର୍ଡ ସହ ମିଶି ଦୂର କରାଯାଇଥିଲା। ଏ ସମ୍ପର୍କରେ ଖେଳାଳିମାନଙ୍କୁ ମଦ୍ୟ ଜଣାଯାଇଥିଲା।
ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରାଧିକୃତ ଅଧିକାରୀ ଗସ୍ତରେ ଥିବା ସବୁ ସଦସ୍ୟଙ୍କ ସୁରକ୍ଷାର ଗ୍ୟାରେଣ୍ଟୀ ଦେଇଛନ୍ତି। ତେଣୁ ଏସଏଲସି ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ ଓ ଟିମ ମ୍ୟାନେଜମେଣ୍ଟକୁ ଗସ୍ତ ଜାରି ରଖିବାକୁ ପରାମର୍ଶ ଦେଉଛି।
ଏହାପରେ ବି ଯଦି ଖେଳାଳିମାନେ ସ୍ୱଦେଶ ଫେରିବେ, ତା’ହେଲେ ବୋର୍ଡ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ସ୍ୱଦେଶ ଫେରୁଥିବା ଖେଳାଳିଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯିବ।”
ଏବେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ(Cricket) ଚାଲିଛି। ୩ ଟିକିଆ ଦିନିକିଆ ସିରିଜ ଭାବେ ପାକିସ୍ତାନ-ଶ୍ରୀଲଙ୍କା-ଜାମ୍ବାୱେ ମଧ୍ୟରେ ତ୍ରିପାକ୍ଷିକ ଟି-୨୦ ସିରିଜ ଅନୁଷ୍ଠିତ ହେବ। ନଭେମ୍ବର ୧୭ରୁ ୨୯ ଯାଏ ମ୍ୟାଚ୍ଗୁଡ଼ିକ ରାୱଲପିଣ୍ଡି ଓ ଲାହୋରରେ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
