ସୂର୍ଯ୍ୟ କୁମାରଙ୍କ ୫୮, ଶ୍ରୀଲଙ୍କାକୁ ୨୧୪ ରନର ଟାର୍ଗେଟ ଦେଲା ଭାରତ

ବ୍ୟାଟରଙ୍କ ଦମରେ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ବିଶାଳ ୨୧୩ ରନ କରିଛି। ଏବେ ଘରୋଇ ପରିବେଶରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୨୧୪ ରନର ଟାର୍ଗେଟ ମିଳିଛି।

ପନ୍ତ ଓ ସୂର୍ଯ୍ୟ କୁମାର

  • Published: Saturday, 27 July 2024
  • , Updated: 27 July 2024, 08:56 PM IST

ଟିମ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ସେ ମାତ୍ର ୨୬ ବଲରେ ବିସ୍ଫୋରଣ ୫୮ ରନର ଇନିଂସ ଖେଳିଛନ୍ତି। ତାଙ୍କ ସହ ଶୁବମନ ଗିଲ ୧୬ ବଲରେ ୩୪ ଓ ଯଶସ୍ୱୀ ଜୈସୱାଲ ମଧ୍ୟ ୨୧ ବଲରେ ୪୦ ରନର ଇନିଂସ ଖେଳିଛନ୍ତି।

ବ୍ୟାଟରଙ୍କ ଦମରେ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ବିଶାଳ ୨୧୩ ରନ କରିଛି। ଏବେ ଘରୋଇ ପରିବେଶରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୨୧୪ ରନର ଟାର୍ଗେଟ ମିଳିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଦୁଇ ଓପନର ଗିଲ ଓ ଯଶସ୍ୱୀ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ପାୱାର ପ୍ଲେରେ ୭୪ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ପାୱାର ପ୍ଲେର ଶେଷ ବଲରେ ଗିଲ ୩୪ ରନ କରି ଦିଲଶାନ ମଧୁଶଙ୍କା ଶିକାର ବନିଥିଲେ। ପରବର୍ତ୍ତୀ ବଲରେ ୱାନିନ୍ଦୁ ହସରଙ୍ଗା ୪୦ ରନ କରିଥିବା ଯଶସ୍ୱୀଙ୍କ ୱିକେଟ ନେଇଥିଲେ।

ଦୁଇ ବଲରେ ଭାରତ ଦୁଇଟି ୱିକେଟ ହରାଇଥିଲେ ହେଁ ଏହାର ପ୍ରଭାବ ଅଧିନାୟକ ସୂର୍ଯ୍ୟ କୁମାରଙ୍କ ଉପରେ ପଡ଼ି ନଥିଲା। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ ଋଷଭ ପନ୍ତ ସାଥ ଦେଇଥିଲେ।

ଉଭୟ ତୃତୀୟ ୱିକେଟ ପାଇଁ ଦଳୀୟ ସ୍କୋକରୁ ୭୪ରୁ ନେଇ ସିଧା ୧୫୦ରେ ପହଞ୍ଚାଇ ଦେଇଥିଲେ। ଏହି ୭୬ ରନର ଭାଗିଦାରୀ ମଧ୍ୟରୁ ସୂର୍ଯ୍ୟ ଏକାକୀ ୫୮ ରନ କରିଥିଲେ। ତାଙ୍କୁ ୧୪ତମ ଓଭରରେ ମଥିଶା ପଥିରାଣା ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ସୂର୍ଯ୍ୟ କୁମାର ତାଙ୍କ ଇନିଂସରେ ୮ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ସେ ଆଉଟ ହେବା ପରେ ପନ୍ତ ଗିୟର ବଦଳାଇଥିଲେ। ତାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ତାଳ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଥିରାଣା ୯ ରନ କରିଥିବା ପାଣ୍ଡ୍ୟାଙ୍କୁ ଆଉଟ କରି ଦେଇଥିଲେ। ଭାରତ ୧୭୬ ରନରେ ୪ର୍ଥ ୱିକେଟ ହରାଇଥିଲା।

ଏହାପରେ ପନ୍ତଙ୍କୁ ସାଥ ଦେବାକୁ ଆସିଥିଲେ ରିୟାନ ପରାଗ। ସେ ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ। ୧୮ ଓଭର ସୁଦ୍ଧା ଭାରତର ସ୍କୋର ୧୯୨/୪ ଥିଲା। ପନ୍ତ ୪୧ ଓ ପରାଗ ୭ ରନ କରିଥିଲେ।

୧୯ତମ ଓଭର ନେଇ ଆସିଥିଲେ ପଥିରାଣା। ସେ ପ୍ରଥମ ବଲରେ ହିଁ ପରାଗଙ୍କୁ ଆଉଟ କରି ଦେଇଥିଲେ। ପରାଗଙ୍କ ପରେ ଆସିଥିଲେ ରିଙ୍କୁ ସିଂହ। ପ୍ରଥମ ବଲରେ ସେ ୧ ରନ ନେଇ ପନ୍ତଙ୍କୁ ଷ୍ଟ୍ରାଇକ ଦେଇଥିଲେ। ପନ୍ତ ତୃତୀୟ ବଲରେ ଚୌକା ମାରିଥିଲେ। ୪ର୍ଥ ବଲରେ ସେ ପୁଣି ଗୋଟିଏ ଚୌକା ମାରିଥିଲେ।

ଭାରତର ସ୍କୋର ମଧ୍ୟ ୨୦୦ ପାର କରିଥିଲା। ତେବେ ୫ମ ବଲରେ ପଥିରାଣା ୪୯ ରନ କରିଥିବା ପନ୍ତଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ପନ୍ତ ୩୩ ବଲରେ ୬ ଚୌକା ଓ ଗୋଟିଏ ଛକା ବଳରରେ ୪୯ ରନର ଇନିଂସ ଖେଳିଛନ୍ତି। ଶେଷ ବଲରେ ଅକ୍ଷର ୧ ରନ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ।

ଶେଷ ଓଭର ନେଇ ଆସିଥିଲେ ଅସିତା ଫର୍ଣ୍ଣାଡୋ। ସାମ୍ନାରେ ଥିଲେ ଅକ୍ଷର। ପ୍ରଥମ ଦୁଇଟି ବଲରେ ସେ କୌଣସି ରନ ଦେଇ ନଥିଲେ। ତୃତୀୟ ବଲରୁ ଅକ୍ଷର ୩ ରନ ଆଦାୟ କରିଥିଲେ। ୪ର୍ଥ ବଲରେ ରିଙ୍କୁ ସିଂହ(୧) ବୋଲ୍ଡ ହୋଇଯାଇଥିଲେ। ୫ମ ବଲରେ ଅର୍ଶଦୀପ ୧ ରନ ନେଇଥିଲେ। ଶେଷ ବଲରେ ଅକ୍ଷର ଛକା ମାରିବାରୁ ଭାରତର ସ୍କୋର ୨୧୩ ରନରେ ପହଞ୍ଚି ଯାଇଥିଲା। 

ଶ୍ରୀଲଙ୍କା ପକ୍ଷରୁ ପଥିରାଣା ୪ ଓଭରରେ ୪୦ ରନ ଦେଇ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି। ସେହିପରି ମଧୁଶଙ୍କା, ଫର୍ଣ୍ଣାଡୋ ଓ ହସରଙ୍ଗା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

Related story