/odisha-reporter/media/post_attachments/uploadimage/library/16_9/16_9_0/smith_1741162491.jpg)
smith
ଅଷ୍ଟ୍ରେଲିଆ ତଥା ବିଶ୍ୱ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ ନାଁ ହେଉଛି ଷ୍ଟିଭେନ ସ୍ମିଥ ବା ଷ୍ଟିଭ ସ୍ମିଥ। ଦିନିକିଆ ହେଉକି ଟେଷ୍ଟ ସ୍ମିଥ ଅଛନ୍ତି ତ ଅଷ୍ଟ୍ରେଲିଆର ମ୍ୟାଚ୍ ହାରିବାର ଡର ନାହିଁ। କିନ୍ତୁ ଦୀର୍ଘ ୧୫ ବର୍ଷ ପରେ ଦିନିକିଆ ଫର୍ମାଟରେ ଶେଷ ହୋଇଛି ସ୍ମିଥ ଯୁଗ। ଚାମ୍ପିୟନ୍ସ ଟ୍ରଫି ସେମି ଫାଇନାଲରେ ଭାରତ ଠାରୁ ହାରିବା ପରେ ଅଷ୍ଟ୍ରେଲିଆର କାମଚଳା ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟକୁ ଅପ୍ରତ୍ୟାଶିତ ଢଙ୍ଗରେ ଅଲବିଦା କହିଛନ୍ତି। ୨୦୧୦ରେ ଦିନିକିଆରେ ଡେବ୍ୟୁ କରିଥିବା ସ୍ମିଥ ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଥିଲେ। ଏବେ ସେ ଦିନିକିଆରୁ ଅବସର ନେଇଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟ ଓ ଟି-୨୦ କ୍ରିକେଟ ଖେଳିବା ଜାରି ରଖିବେ ବୋଲି କହିଛନ୍ତି।
୩୫ ବର୍ଷୀୟ ସ୍ମିଥ ଦୁବାଇରେ ଭାରତ ଠାରୁ ହାରିବା ପରେ ନିଜ ଟିମର ସଦସ୍ୟମାନଙ୍କୁ କହିଥିଲେ ଯେ ଏହା ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ। ଏହାର ଅର୍ଥ ୨୦୨୭ ଦିନିକିଆ ବିଶ୍ୱକପରେ ସେ ଅଷ୍ଟ୍ରେଲିଆ ପାଇଁ ଖେଳିବେ ନାହିଁ। ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ପାଟ କମିନ୍ସ ଆହତ ହୋଇଥିବାରୁ ଚାମ୍ପିୟନ୍ସ ଟ୍ରଫିରେ ସ୍ମିଥ ଦଳର କମାଣ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ଦଳ ଭାରତ ସହ ସେମି ଫାଇନାଲ ଖେଳିଥିଲା। କିନ୍ତୁ ସେମି ଫାଇନାଲରେ ଅଷ୍ଟ୍ରେଲିଆ ୪ ୱିକେଟରେ ହାରିଛି।
ସ୍ମିଥ କହିଛନ୍ତି, “ଏହା ଏକ ମହାନ ଯାତ୍ରା ଥିଲା ଓ ମୁଁ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିଛି। ଅନେକ ଚମତ୍କାର ସମୟ ଆସିଥିଲା ଓ ଅନେକ ସୁନ୍ଦର ସ୍ମୃତି ରହିଛି। ଦୁଇଟି ଦିନିକିଆ ବିଶ୍ୱକପ ଜିତିବା ସବୁଠାରୁ ବଡ଼ ଉପଲବ୍ଧି। ଅନେକ ଚମତ୍କାର ଟିମ ସଦସ୍ୟଙ୍କ ସହ କରିଥିବା ଯାତ୍ରା ସବୁବେଳେ ମନେ ରହିବ। ଏବେ ୨୦୨୭ ବିଶ୍ୱକପ ପାଇଁ ପ୍ରସ୍ତୁତ କରିବାର ସୁଯୋଗ। ଏବେ ଠାରୁ ଏଥିପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। ତେଣୁ ଏବେ ହିଁ ମୋର ଅବସର ନେବାର ଉପଯୁକ୍ତ ସମୟ। ଟେଷ୍ଟ କ୍ରିକେଟ ସବୁବେଳେ ସର୍ବୋପରି ରହିବ। ମୁଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜକୁ ଅପେକ୍ଷା କରି ରହିଛି। ମୁଁ ଭାବୁଛି ଉକ୍ତ ମ୍ୟାଚ୍ଗୁଡ଼ିକରେ ମୋତେ ଅନେକ କିଛି ଯୋଗଦାନ ଦେବାର ଅଛି।”
ସ୍ମିଥ ଦିନିକିଆରୁ ଅବସର ନେଇଥିବା ବେଳେ ଟେଷ୍ଟ ଓ ଟି-୨୦ କ୍ରିକେଟ ଖେଳିବେ ବୋଲି କହିଛନ୍ତି। ଟେଷ୍ଟ କ୍ରିକେଟରେ ସ୍ମିଥ ଅଷ୍ଟ୍ରେଲିଆର ମେରୁଦଣ୍ଡ। କିନ୍ତୁ ଟି-୨୦ରେ ସ୍ମିଥଙ୍କ ସ୍ଥାନ ଦଳରେ ଏକପ୍ରକାରର ନାହିଁ କହିଲେ ଚଳେ। କାରଣ ୨୦୨୪ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ତାଙ୍କୁ ସୁଯୋଗ ମିଳି ନଥିଲା। କିନ୍ତୁ ସ୍ମିଥ ୨୦୨୮ ଅଲିମ୍ପିକ୍ସ ଗେମ୍ସରେ ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ପ୍ରତିନିଧିତ୍ୱ କରିବା ଲକ୍ଷ୍ୟରେ ରହିଛନ୍ତି।
ସ୍ମିଥ ଅଷ୍ଟ୍ରେଲିଆର ସର୍ବକାଳୀନ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଅବସର ଘୋଷଣା କରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ଦିନିକିଆରେ ସର୍ବାଧିକ ରନ ହାସଲକାରୀ କ୍ରିକେଟରଙ୍କ ମଧ୍ୟରେ ୧୨ତମ ସ୍ଥାନରେ ରହିଛନ୍ତି। ୨୦୧୫ ଓ ୨୦୨୩ ଦିନିକିଆ ବିଶ୍ୱକପ ଜିତିଥିବା ଦଳରେ ସ୍ମିଥ ରହିଥିଲେ। ୨୦୧୫ ବିଶ୍ୱକପରେ ସେ କ୍ରମାଗତ ୫ଥର ୫୦ରୁ ଅଧିକ ରନ କରିଥିଲେ। ଭାରତ ବିପକ୍ଷ ସେମିରେ ସେ ୧୦୫ ରନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲରେ ଅପରାଜିତ ୫୬ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ବିଶ୍ୱକପ ଭେଟି ଦେଇଥିଲେ।
୨୦୧୫ରେ ସେ ଆଇସିସି ପକ୍ଷରୁ ସେହି ବର୍ଷର ଶ୍ରେଷ୍ଟ ଦିନିକିଆ ଖେଳାଳି ମାନ୍ୟତା ପାଇଥିଲେ। ୨୦୧୪-୧୫ ଓ ୨୦୨୦-୨୧ରେ ତାଙ୍କୁ ଅଷ୍ଟ୍ରେଲିଆର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ମିଳିଥିଲା।
ସ୍ମିଥ ୨୦୧୫ରୁ ୨୦୨୫ ମଧ୍ୟରେ ଅଷ୍ଟ୍ରେଲିଆର ନେତୃତ୍ୱ ୬୪ଟି ମ୍ୟାଚ୍ରେ ନେଇଛନ୍ତି। କେବଳ ରିକି ପଣ୍ଟିଂ, ଆଲାନ ବର୍ଡର, ଷ୍ଟିଭ ୱ, ମାର୍କ ଟେଲର ଓ ମାଇକେଲ କ୍ଲାର୍କ ତାଙ୍କ ଠାରୁ ଅଧିକ ମ୍ୟାଚ୍ରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ତେବେ ୬୪ଟି ଦିନିକିଆରେ ନେତୃତ୍ୱ ନେଇଥିବା ସ୍ମିଥ କୌଣସି ବିଶ୍ୱକପରେ ଅଷ୍ଟ୍ରେଲିଆର କମାଣ ସମ୍ଭାଳି ପାରି ନାହାନ୍ତି।
୨୦୧୦ ଫେବୃଆରୀ ୧୯ରେ ସ୍ମିଥ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ। ଉକ୍ତ ମ୍ୟାଚ୍ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ। କିନ୍ତୁ ବୋଲିଂରେ ଦୁଇଟି ୱିକେଟ ନେଇଥିଲେ। ୨୦୧୪ ପାକିସ୍ତାନ ବିପକ୍ଷ ଦିନିକିଆରେ ତାଙ୍କ ବ୍ୟାଟରୁ ପ୍ରଥମ ଶତକ ଦେଖିବାକୁ ମିଳିଥିଲା। ଏହାପରେ ସେ ବନି ଯାଇଥିଲେ ଅଷ୍ଟ୍ରେଲିଆର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର।
ଅଷ୍ଟ୍ରେଲିଆ ପାଇଁ ୧୫ ବର୍ଷରେ ସ୍ମିଥ ୧୭୦ଟି ଦିନିକିଆ ଖେଳିଛନ୍ତି। ସେ ୪୩.୨୮ ହାରରେ ମୋଟ ୫୮୦୦ ରନ କରିଥିବା ବେଳେ ଏହା ମଧ୍ୟରେ ୩୫ଟି ଅର୍ଦ୍ଧଶତକ ଓ ୧୨ଟି ଶତକ ରହିଛି। ସେହିପରି ଦିନିକିଆ କ୍ୟାରିୟରରେ ୬୬୬୯ଟି ବଲ ସାମ୍ନା କରିଥିବା ସ୍ମିଥଙ୍କ ଷ୍ଟ୍ରାଇକ ରେଟ ହେଉଛି ୮୬.୯୬। ୨୦୧୬ ଡିସେମ୍ବର ୪ ତାରିଖରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିଡ୍ନୀ ଦିନିକିଆରେ ୧୬୪ ରନର ଇନିଂସ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର।
ନିଜର ବ୍ୟାଟିଂ ପାଇଁ ଜଣାଶୁଣା ସ୍ମିଥ ବୋଲିଂରେ ମଧ୍ୟ କମାଲ କରିଛନ୍ତି। ୧୭୦ଟି ମ୍ୟାଚ୍ର ୪୦ଟି ଇନିଂସରେ ସେ ବୋଲିଂ କରିଛନ୍ତି। ୧୦୭୬ଟି ବଲ ବୋଲିଂ କରିଥିବା ସ୍ମିଥ ଦିନିକିଆରେ ୨୮ଟି ୱିକେଟ ନେଇଛନ୍ତି। ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୬ ରନରେ ୩ଟି ୱିକେଟ। ସ୍ମିଥଙ୍କ ବୋଲିଂ ହାର ୩୪.୬୭ ରହିଥିବା ବେଳେ ବୋଲିଂ ଇକୋନୋମି ୫.୪୧ ରହିଛି।
ନିଜ ଦିନିକିଆ କ୍ୟାରିୟରର ପ୍ରଥମ ମ୍ୟାଚରେ ସ୍ମିଥ ବ୍ୟାଟିଂ ପାଇ ନଥିବା ବେଳେ ଶେଷ ମ୍ୟାଚ୍ରେ ୭୩ ରନର ଇନିଂସ ଖେଳିଛନ୍ତି। ଭାରତ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ସେମିରେ ତାଙ୍କ ବ୍ୟାଟରୁ ଏହି ରନ ବାହାରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
