ଶୁଭ୍ରାଂଶୁ ସେନାପତିଙ୍କ ପ୍ରଥମ ଦ୍ୱିଶତକ, ଦୃଢ଼ ସ୍ଥିତିରେ ଓଡ଼ିଶା

ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୯୩ ରନ କରି ନେଇଛି। ସେନାପତି ୨୭୭ ଓ ଡେବ୍ୟୁଟାଣ୍ଟ ହର୍ଷିତ ରାଠୋଡ ୬୦ ରନ କରି ଅପରାଜିତ ରହିଛନ୍ତି।

ଶୁଭ୍ରାଂଶୁ ସେନାପତି (ଫାଇଲ ଫଟୋ)

  • Published: Saturday, 13 January 2024
  • , Updated: 13 January 2024, 06:23 PM IST

ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମୁକାବିଲାରେ ଓଡ଼ିଶାର ଟେକ ରଖିଛନ୍ତି ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି। ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ କାଲି ଠାରୁ ଲଢ଼େଇ କରୁଥିବା ସେନାପତି ନିଜ ରଣଜୀ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି।

ଏହି ଇନିଂସ ବଳରେ ଓଡ଼ିଶା ବି ମ୍ୟାଚ୍‌ରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ସେନାପତି ଦ୍ୱିଶତକ ହାସଲ କରିବା ପରେ ଆଉଟ ହୋଇ ନାହାନ୍ତି। ଆଜି ଦିନ ତମାମ ତାଙ୍କ ବ୍ୟାଟିଂ ଯାଦୁ ସମସ୍ତେ ଦେଖିଛନ୍ତି।

ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୯୩ ରନ କରି ନେଇଛି। ସେନାପତି ୨୭୭ ଓ ଡେବ୍ୟୁଟାଣ୍ଟ ହର୍ଷିତ ରାଠୋଡ ୬୦ ରନ କରି ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଦିନରେ ଓଡ଼ିଶା କେବଳ ୨ଟି ୱିକେଟ ହରାଇଛି। ସୂର୍ଯ୍ୟକାନ୍ତ ପ୍ରଧାନ ୨୬ ରନ ଓ ସୁନୀଲ ରାଉଳ ୧ ରନ କରି ଆଉଟ ହୋଇଛନ୍ତି। ପ୍ରଥମ ଦିନରେ ଓଡ଼ିଶା ୬ ୱିକେଟ ହରାଇ ୨୦୮ ରନ କରିଥିଲା।

ପ୍ରଥମ ଦିନରେ ଶେଷ ବ୍ୟାଟର ଭାବେ ପ୍ରୟାସ ସିଂହ ୨୭ ଆଉଟ ହୋଇଥିଲେ। ଆଜି ସେନାପତି ଓ ସୂର୍ଯ୍ୟକାନ୍ତ ଓଡ଼ିଶାର ଇନିଂସକୁ ଆଗକୁ ନେଇଥିଲେ। ଗତକାଲି ୮୭ ରନ କରିଥିବା ସେନାପତି ଆଜି ଦମଦାର ବ୍ୟାଟିଂ କରିଥିଲେ। ପ୍ରଥମେ ସେ ଶତକ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୨୫୩ ଥିବା ବେଳେ ୫୪ ବଲରେ ୨୬ ରନ କରି ସୂର୍ଯ୍ୟକାନ୍ତ ଆଉଟ ହୋଇଥିଲେ।

ତାଙ୍କ ୱିକେଟ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବେ କୁମାର କାର୍ତ୍ତିକେୟ ନେଇଥିଲେ। ଆଉ ୬ ରନ ପରେ ବ୍ୟକ୍ତିଗତ ୧ ରନ କରି ସୁନୀଲ ରାଉଳ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ।

ଏତିକି ବେଳେ ସେନାପତିଙ୍କୁ ସାଥ ଦେବାକୁ ଆସିଥିଲେ ଡେବ୍ୟୁଟାଣ୍ଟ ହର୍ଷିତ। ଉଭୟ ଦମଦାର ବ୍ୟାଟିଂ କରିବା ସହ ମଧ୍ୟପ୍ରଦେଶକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ସେନାପତି ମଧ୍ୟ ତାଙ୍କ ରଣଜୀ କ୍ୟାରିୟରରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। ଦ୍ୱିଶତକ ପରେ ସେ ବଡ଼ ବଡ଼ ଶଟ ମାରିବାରେ ଲାଗିଥିଲେ।

ହର୍ଷିତ ବି ରଣଜୀ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ସମସ୍ତଙ୍କୁ ଦେଇଛନ୍ତି। ଉଭୟ ୯ମ ୱିକେଟ ପାଇଁ ଅପରାଜିତ ୨୩୪ ରନ ଯୋଡ଼ିଛନ୍ତି। ସେନାପତି ଏଯାଏ ୪୮୩ ବଲରେ ସମ୍ମୁଖୀନ ହୋଇ ୨୭୭ ରନ କରିଛନ୍ତି। ଏହି ଇନିଂସରେ ସେ ୧୯ଟି ଚୌକା ଓ ୧୧ଟି ଛକା ମାରିଛନ୍ତି।

ସେହିପରି ହର୍ଷିତ ୧୬୧ ବଲରେ ଅପରାଜିତ ୬୦ ରନ କରି ସେନାପତିଙ୍କ ସହ ରହିଛନ୍ତି। ସମ୍ଭବତଃ କାଲି ଏହି ଦୁଇ ବ୍ୟାଟର ପ୍ରଥମ ଏକଘଣ୍ଟା ବ୍ୟାଟିଂ କରିବା ପରେ ଓଡ଼ିଶା ପ୍ରଥମ ପାଳି ଘୋଷଣା କରିବ।

୨୦୧୬ରେ ଓଡ଼ିଶା ପାଇଁ ଡେବ୍ୟୁ କରିଥିବା ୨୭ ବର୍ଷୀୟ ଶୁଭ୍ରାଂଶୁ ମଧ୍ୟପ୍ରଦେଶ ବିପକ୍ଷରେ ନିଜର ୪୬ ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଛନ୍ତି। ସେ ୩୫ ହାରରେ ଆଜି ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୨୭ ଶହ ରନ ମଧ୍ୟ ପୂରଣ କରିଛନ୍ତି। ପ୍ରଥମ ଥର ଦ୍ୱିଶତକ ହାସଲ କରିଥିବା ସେନାପତି ପୂର୍ବରୁ ୧୧ଟି ଅର୍ଦ୍ଧଶତକ ଓ ୭ଟି ଶତକ ହାସଲ କରିଥିଲେ। 

Related story