ଖାତା ଖୋଲିଲା ସନରାଇଜର୍ସ, ପଞ୍ଜାବର ହ୍ୟାଟ୍ରିକ୍ ପରାଜୟ

ଚେନ୍ନାଇ: ଶେଷରେ ଖାତା ଖୋଲିଛି ସନରାଇଜର୍ସ ହାଇଦ୍ରାବାଦ। ଲଗାତର ତିନୋଟି ମ୍ୟାଚ୍ ହାରି ପ୍ରେସରରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ବୁଧବାର ଅପରାହ୍ଣରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୧୪ଶ ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ଟିମ୍ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ସନରାଇଜର୍ସ ୨ ପଏଣ୍ଟ ସହ ତାଲିକାର ସପ୍ତମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ହ୍ୟାଟ୍ରିକ୍ ପରାଜୟ ସହ […]

SRH1

Ranjit Kumar Jena
  • Published: Wednesday, 21 April 2021
  • , Updated: 21 April 2021, 08:05 PM IST

ଚେନ୍ନାଇ: ଶେଷରେ ଖାତା ଖୋଲିଛି ସନରାଇଜର୍ସ ହାଇଦ୍ରାବାଦ। ଲଗାତର ତିନୋଟି ମ୍ୟାଚ୍ ହାରି ପ୍ରେସରରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ବୁଧବାର ଅପରାହ୍ଣରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୧୪ଶ ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ଟିମ୍ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ସନରାଇଜର୍ସ ୨ ପଏଣ୍ଟ ସହ ତାଲିକାର ସପ୍ତମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ହ୍ୟାଟ୍ରିକ୍ ପରାଜୟ ସହ ଅଷ୍ଟମକୁ ଖସି ଆସିଛି।

ଆଜି ମ୍ୟାଚରେ ପଞ୍ଜାବ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଏପରିକି ଟିମ୍ ପୂରା ୨୦ ଓଭର ଖେଳିବାକୁ ସକ୍ଷମ ହୋଇନାହିଁ। ସନରାଇଜର୍ସ ଟିମର ଘାତକ ବୋଲିଂକୁ ସାମ୍ନା କରିନପାରି ପଞ୍ଜାବ ୧୯.୪ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ସନରାଇଜର୍ସ ୧୮.୪ ଓଭରରେ ମାତ୍ର ୧ ୱିକେଟ୍ ହରାଇ ଆବଶ୍ୟକ ରନକୁ ହାସଲ କରିନେଇଛି। ହାଇଦ୍ରାବାଦ ପକ୍ଷରୁ ଜନ୍ନି ବେୟାରଷ୍ଟୋ ସର୍ବାଧିକ ଅପରାଜିତ ୬୩ (୫୬ ବଲ୍, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ଡେଭିଡ୍ ୱାର୍ଣ୍ଣର୍ ୩୭ ଓ କେନ୍ ୱିଲିୟମସନ୍ ୧୬* ରନ୍ କରିଛନ୍ତି।

ଏମ୍. ଚିଦାମ୍ବରମ୍ ଷ୍ଟାଡିୟମର ଧିମା ପିଚରେ ୧୨୧ ରନର ଲକ୍ଷ୍ୟର ପିଛା କରିବାରେ ସନରାଇଜର୍ସକୁ ବିଶେଷ ସମସ୍ୟା ହୋଇନଥିଲା। ଦୁଇ ଓପ୍ନର ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଟିମକୁ ଦମଦାର ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୧୦.୧ ଓଭରରେ ୭୩ ରନ୍ ଯୋଡ଼ି ବିଜୟ ପାଇଁ ମୁଳଦୂଆ ପକାଇଥିଲେ। ତାଙ୍କ ସ୍ଥାନରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ସୁଯୋଗ ପାଇଥିବା କିୱି ବ୍ୟାଟ୍ସମ୍ୟାନ୍ କେନ ୱିଲିୟମସନ୍ ବେୟାରଷ୍ଟୋଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ। ୱିଲିୟମସନ୍ ଓ ବେୟାରଷ୍ଟୋ ଦ୍ୱିତୀୟ ୱିକେଟ୍‌ ପାଇଁ ୪୮ ରନର ପାର୍ଟନରଶିପ୍ କରିଥିଲେ। ପଞ୍ଜାବ ପକ୍ଷରୁ ଏକମାତ୍ର ୱିକେଟ୍‌ ଫାବିଆନ୍ ଆଲେନ୍ ନେଇଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ୟାପଟେନ୍ ଲୋକେଶ ରାହୁଲ୍ (୪) ଆରମ୍ଭରୁ ୱିକେଟ୍ ଦେଇ ବସିଥିଲେ। ପ୍ରତିପକ୍ଷ ଦଳର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କ ଧିମା ବୋଲିଂକୁ ବୁଝି ନପାରି ରାହୁଲ୍ କେଦାର ଯାଦବଙ୍କୁ କ୍ୟାଚ ଦେଇ ବସିଥିଲେ।

ଏହା ପରେ ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ମୟଙ୍କ ୨୨ ରନ୍ କରିଥିବା ବେଳେ ଖଲୀଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୂରନ୍ ଆସୁ ଆସୁ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଗେଲ୍ (୧୫)ଙ୍କ ମୂଲ୍ୟବାନ ୱିକେଟ୍ ନେଇ ରଶିଦ୍ ଖାନ୍ ହାଇଦ୍ରାବାଦକୁ ବଡ଼ ସଫଳତା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଦୀପକ ହୁଡ୍ଡା (୧୩) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ଅଭିଷେକ ଶର୍ମା ଆଉଟ୍ କରିଥିଲେ।

ଚଳିତ ସିଜନରେ ପ୍ରଥମଥର ସୁଯୋଗ ପାଇଥିବା ମୋଜେସ୍ ହେନରିକ୍ସ (୧୪) ଏହାର ଫାଇଦା ଉଠାଇପାରିନଥିଲା। ସେ ଅଭିଷେକଙ୍କ ବଲରେ ଷ୍ଟେପ୍ ଆଉଟ୍ କରିବାକୁ ଯାଇ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ କିଛି ସମୟ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଖଲୀଲ୍। ଶାହରୁଖ୍ ୧୭ ବଲରେ ୨ ଛକା ସହ ୨୨ ରନ୍ କରିଥିଲେ।

ଶେଷକ୍ରମରେ ଫାବିଆନ ଆଲେନ୍ (୬), ମୁରୁଗାନ୍ ଅଶ୍ୱିନ୍ (୯) ଓ ମହମ୍ମଦ ଶାମି (୩) ଦୁଇ ଅଙ୍କ ଛୁଇଁପାରିନଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ୨ଟି ୱିକେଟ୍ ହାସଲ କରିଥିଲେ। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story