/odisha-reporter/media/post_attachments/uploadimage/library/16_9/16_9_0/Surya_1757926237.jpg)
Surya
ଏସିଆ କପରେ ରବିବାର ଭାରତ ଓ ପାକିସ୍ତାନ ଲଢ଼େଇ ହୋଇଥିଲା। ଏହି ମ୍ୟାଚ୍କୁ ସବୁ ଥର ଭଳି ଭାରତ ବେଶ ସହଜରେ ଓ ଏକତରଫା ଭାବେ ଜିତି ନେଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଖେଳାଳି ନିଜର ଦବଦବା ଦେଖାଇଛନ୍ତି। କିନ୍ତୁ ମ୍ୟାଚ୍ ବେଳେ ଦୁଇ ଦେଶର ଖେଳାଳି ପରସ୍ପର ସହ କଥା ହୋଇ ନାହାନ୍ତି।
ଭାରତୀୟ ଖେଳାଳି କିମ୍ବା ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନର କୌଣସି ସଦସ୍ୟଙ୍କ ସହ ହାତ ମିଳାଇ ନଥିଲେ। ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଘା ଓ ତାଙ୍କ ଟିମ ହାତ ମିଳାଇବାକୁ ଚାହିଁ ରହିଥିବା ବେଳେ ଭାରତୀୟ ଖେଳାଳି ଡ୍ରେସିଂ ରୁମକୁ ଭିତରକୁ ଯାଇ ଡୋର ଦେଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଏହାକୁ ନେଇ ବିବାଦ ତୀବ୍ର ହୋଇଥିବା ବେଳେ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତୀୟ ଖେଳାଳିଙ୍କ ବିରୋଧରେ ଏସିସିରେ ଫେରାଦ ହୋଇଛି। କିନ୍ତୁ ଏବେ ସମସ୍ତଙ୍କୁ ଚକିତ କରିବା ଭଳି ଖବର ଆସିଛି। ରବିବାର ପାକିସ୍ତାନ ବିପକ୍ଷ ଏସିଆ କପ ମ୍ୟାଚ୍ ଶେଷ ହୋଇଥିଲେ ହେଁ ଏହାକୁ ଖେଳିବାକୁ କୌଣସି ବି ଭାରତୀୟ ଖେଳାଳି ରାଜି ନଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚକୁ ସେମାନେ ବୟକଟ କରିବାକୁ ଚାହୁଁଥିଲେ ବୋଲି ଦାବି କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା।
ତାଙ୍କ କହିବା କଥା ଯେ କୌଣସି ବି ଖେଳାଳି ଏସିଆ କପ ଖେଳିବା ମୁଡରେ ନଥିଲେ। କିନ୍ତୁ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସହମତି ପ୍ରକାଶ କରିଥିବାରୁ ମ୍ୟାଚ୍ ଖେଳିବା ଛଡ଼ା ଭାରତୀୟ ଖେଳାଳିଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ରାଇନା ଦାବି କରିଛନ୍ତି।
ଗୋଟିଏ କାର୍ଯ୍ୟକ୍ରମରେ ରାଇନା କହିଛନ୍ତି, “ମୁଁ ନିଶ୍ଚିତ ଭାବେ ଗୋଟିଏ କଥା ଜାଣିଛି। ଯଦି ଆପଣ ବ୍ୟକ୍ତିଗତ ଭାବେ ଖେଳାଳିଙ୍କୁ ପଚାରିବେ, ତା’ହେଲେ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବି କେହି ଏସିଆ କପ ଖେଳିବାକୁ ଚାହୁଁ ନଥିଲେ। ମୁଁ ଏକଥା ଭଲ ଭାବେ ବୁଝିଛି। କିନ୍ତୁ ସେମାନେ ଏସିଆ କପ ବାଧ୍ୟ ହୋଇ ଖେଳୁଛନ୍ତି। କାରଣ ବିସିସିଆଇ ଟୁର୍ଣ୍ଣାମେଣ୍ଟ ପାଇଁ ସହମତି ପ୍ରକାଶ କରିଥିଲା।
ପାକିସ୍ତାନ ବିପକ୍ଷରେ ଭାରତ ଖେଳି ଥିବାରୁ ମୁଁ ଦୁଃଖିତ। ହେଲେ ମୁଁ ତଥ୍ୟକୁ ଆଧାର କରି କହିପାରିବି ଯେ ଯଦି ସୂର୍ଯ୍ୟ କୁମାର ଯାଦବ ଓ ତାଙ୍କ ଟିମର ସଦସ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ପାକିସ୍ତାନ ବିପକ୍ଷରେ ଖେଳିବା ସମ୍ପର୍କରେ ପଚରାଯିବ, ତା’ହେଲେ ସେମାନେ ନା ହିଁ କହିବେ। କେହି ବି ଖେଳିବାକୁ ଚାହୁଁ ନଥିଲେ। ବିସିସିଆଇ ସେମାନେ ବାଧ୍ୟ ହୋଇ ଖେଳିଛନ୍ତି।”
ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ଯୋଗୁ ଭାରତ-ପାକିସ୍ତାନ ସମ୍ପର୍କ ଆହୁରି ବିଗିଡ଼ି ଯାଇଛି। ବିବାଦ ତୀବ୍ର ହୋଇଥିବାରୁ ଚଳିତ ବର୍ଷ ଏସିଆ କପ ଆୟୋଜନ ହେବ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। କିନ୍ତୁ ବିସିସିଆଇ ଓ ଅନ୍ୟ ବୋର୍ଡ ଗୁଡ଼ିକ ଦୁବାଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲେ।
ଏସିଆ କପରେ ଭାରତ ଓ ପାକିସ୍ତାନ ମ୍ୟାଚ ହେବାକୁ ଥିବାରୁ ଏହାକୁ ବୟକଟ ପାଇଁ ନାରା ମଧ୍ୟ ଦିଆଯାଇଥିଲା। ଏସବୁ ସତ୍ତ୍ୱେ ଭାରତୀୟ କ୍ରିକେଟ ଟିମ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ବିଜୟ ବାନା ଉଡ଼ାଇଛି। ହେଲେ ପାକିସ୍ତାନ ଖେଳାଳିଙ୍କ ସହ କଥା ହୋଇନାହିଁ କିମ୍ବା ସେମାନଙ୍କ ସହ କୌଣସି ଭାରତୀୟ ଖେଳାଳି ହାତ ମଧ୍ୟ ମିଳାଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
