/odisha-reporter/media/media_files/2026/03/07/sky-2026-03-07-19-58-53.jpg)
ସାଣ୍ଟନର ଓ ସୂର୍ଯ୍ୟ କୁମାର
ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଚଳିତ ଟି-୨୦ ବିଶ୍ୱକପ(T20 World Cup) ଫାଇନାଲ। ଟ୍ରଫି ପାଇଁ ଟକ୍କର କରିବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଏହାପୂର୍ବରୁ ନରେନ୍ଦ୍ର ମୋଦି ଷ୍ଟାଡିୟମର ଘରୋଇ ଦର୍ଶକଙ୍କୁ ଚୁପ କରିବାକୁ ନ୍ୟୁଜିଲ୍ୟାଣ୍ଡ ଚେଷ୍ଟା କରିବ ବୋଲି ଦଳର ଅଧିନାୟକ ମିଚେଲ ସାଣ୍ଟନର କହିଛନ୍ତି। ତାଙ୍କର ଏପରି ବୟାନକୁ କଟାକ୍ଷ କରିଛନ୍ତି ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ବଡ଼ ମ୍ୟାଚ ପୂର୍ବରୁ ଏପରି ବୟାନ ସବୁ ଆକଳନୀୟ ବୋଲି ସୂର୍ଯ୍ୟ କୁମାର କହିଛନ୍ତି।
ସାଣ୍ଟନର କହିଥିଲେ ଯେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯେତେବେଳେ ନ୍ୟୁଜିଲ୍ୟାଣ୍ଡ ଘରୋଇ ଟିମକୁ ସାମ୍ନା କରିବ ସେତେବେଳେ ଘରୋଇ ଦର୍ଶକଙ୍କୁ ଚୁପ କରିବାକୁ ଚେଷ୍ଟା କରିବ। ଏହାପୂର୍ବରୁ ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ସମାନ କଥା କହିଥିଲେ।
କମିନ୍ସଙ୍କ ଅଷ୍ଟ୍ରେଲିଆ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କୁ ଚୁପ କରିବା ସହ ଭାରତକୁ ଫାଇନାଲରେ ହରାଇ ଦେଇଥିଲା। ଏବେ ସାଣ୍ଟନର ମଧ୍ୟ ଘରୋଇ ଦର୍ଶକଙ୍କୁ ଚୁପ କରିବା କଥା କହିଛନ୍ତି।
ସାଣ୍ଟନରଙ୍କ ପରେ ସୂର୍ଯ୍ୟ କୁମାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ତାଙ୍କୁ ସାଣ୍ଟନରଙ୍କ ବୟାନ ସମ୍ପର୍କରେ ପଚାରା ଯାଇଥିଲା। ଏହାର ଜବାବରେ ସୂର୍ଯ୍ୟ କୁମାର ସ୍ମିତ ହାସ୍ୟ ଦେଇ କହିଛନ୍ତି ଯେ “ସମସ୍ତ ସମାନ ଧାଡ଼ି କହୁଛନ୍ତି। କେହି ତ କିଛି ନୂଆ କଥା କୁହନ୍ତୁ।”
୩୫ ବର୍ଷୀୟ ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ଚଳିତ ବିଶ୍ୱକପରେ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ରନ ହାସଲକାରୀ। ଫାଇନାଲରେ ଘରୋଇ ଟିମ ରହିଥିବାରୁ ଚାପ ଅନୁଭବ କରିବ। କିନ୍ତୁ ସେ ଓ ତାଙ୍କ ଟିମ ସବୁ କିଛି ଭୁଲି ଫାଇନାଲକୁ ଉପଭୋଗ କରିବେ ବୋଲି କହିଛନ୍ତି।
ସେ କହିଛନ୍ତି, “ଏହା ଏକ ସ୍ୱତନ୍ତ୍ର ଅନୁଭୂତି। ସମସ୍ତେ ବେଶ ଉତ୍ସାହିତ। ଆମ ଭିତରେ ଗୋଟିଏ ଚମତ୍କାର ବଣ୍ଡ ରହିଛି। ଆମେ ସମସ୍ତେ ବଡ଼ ଫାଇନାଲକୁ ଅପେକ୍ଷା କରିଛୁ। ଜଣେ ଅଧିନାୟକ ଭାବେ ନିଶ୍ଚିତ ଭାବେ ଚାପ ରହିବ। ମୁଁ ଏହାକୁ ଅଗ୍ରାହ୍ୟ କରିପାରିବି ନାହିଁ। ନିଶ୍ଚିତ ଭାବେ ଫାଇନାଲର ଅତିରିକ୍ତ ଚାପ ଅନୁଭବ ହେବ। ବିଶ୍ୱକପ ଫାଇନାଲ ଖେଳିବା ଓ ତା’ ପୁଣି ଭାରତରେ ନିଶ୍ଚିୟ ଗୋଟିଏ ବଡ଼ କଥା।”
ନ୍ୟୁଜିଲ୍ୟାଣ୍ଡ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି। କ୍ୱିୱି ଟିମ ପ୍ରଥମ ଟ୍ରଫି ସନ୍ଧାନରେ ରହିଥିବା ବେଳେ ଭାରତ ତୃତୀୟ ଥର ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
