Advertisment

ବାଜି ମାରିଲେ ସୂର୍ଯ୍ୟ କୁମାର ଯାଦବ, ଲଗାତାର ଦ୍ୱିତୀୟ ଥର ପାଇଁ ପାଇବେ ଏହି ଆଇସିସି ପୁରସ୍କାର

୨୦୨୩ରେ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ଟିଟ୍ୱେଣ୍ଟି ସିରିଜ୍ ଖେଳିଥିଲା।

author-image
Jitendra Garnayak
Surya Kumar Yadav

Surya Kumar Yadav

ପୁଣି ବାଜି ମାରିଛନ୍ତି ସୂର୍ଯ୍ୟ କୁମାର ଯାଦବ। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସେ ପାଇବେ ଆଇସିସି ଶ୍ରେଷ୍ଠ ପୁରୁଷ ଟିଟ୍ୱେଣ୍ଟି କ୍ରିକେଟର ପୁରସ୍କାର। ୨୦୨୨ ବର୍ଷ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ମିଳିଥିଲା ଏହି ପୁରସ୍କାର। ବର୍ଷ ୨୦୨୩ ପାଇଁ ମଧ୍ୟ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।

Advertisment

୨୦୨୩ରେ ସୂର୍ଯ୍ୟ କୁମାର ଯାଦବ ୧୭ଟି ଇନିଂସ୍‌ରୁ ୪୮.୮୬ ହାରରେ ୭୩୩ ରନ୍ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୧୫୫.୯୫। ଏହି ବିସ୍ଫୋରକ ମିଡିଲ୍‌ ଅର୍ଡର ବ୍ୟାଟର ୨୦୨୩ରେ ୨ଟି ଶତକ ଓ ଚାରିଟି ଅର୍ଦ୍ଧଶତକ ମାରିଥିଲେ।

୨୦୨୩ରେ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ଟିଟ୍ୱେଣ୍ଟି ସିରିଜ୍ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଗୋଟିଏ ଅର୍ଦ୍ଧଶତକ (୪୨ଟି ବଲ୍‌ରୁ ୮୦ ରନ୍‌) କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଅର୍ଦ୍ଧଶତକ (୩୦ଟି ବଲ୍‌ରୁ ୫୬ ରନ୍‌) ଓ ଏକ ଶତକ (୫୬ଟି ବଲ୍‌, ୭ ଚୌକା ଓ ୮ ଛକା) କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ମ୍ୟାଚ୍‌ରେ ଶତକ ମାରିଥିଲେ।

Advertisment

ଗତ ବର୍ଷ ଟିଟ୍ୱେଣ୍ଟିରେ ସୂର୍ଯ୍ୟ କୁମାର ଯାଦବ ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ ଦ୍ରୁତ ଶତକ ମାରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ୪୫ଟି ବଲ୍‌ରୁ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ୨୦୧୭ରେ ରୋହିତ ଶର୍ମା ଏହି ଫର୍ମାଟ୍‌ରେ ୩୫ଟି ବଲ୍‌ରେ ଶତକ ମାରିଥିଲେ।

ଟିଟ୍ୱେଣ୍ଟିରେ ୨୦୨୩ରେ ସୂର୍ଯ୍ୟ କୁମାର ଯାଦବ ତାଙ୍କର ଚତୁର୍ଥ ଶତକ ମାରିଥିଲେ। ଏହା ସହିତ ସେ ରୋହିତ ଶର୍ମା ଓ ଅଷ୍ଟ୍ରେଲିଆର ଗ୍ଲେନ୍ ମାକ୍ସୱେଲ୍‌ଙ୍କ ସମକକ୍ଷ ହୋଇଥିଲେ। ତେବେ ଗତ ଆଫଗାନିସ୍ତାନ ବିପକ୍ଷ ଟିଟ୍ୱେଣ୍ଟି ସିରିଜ୍‌ର ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଏକ ଶତକ ମାରିଥିଲେ। ଫଳରେ ପୁଣି ପଛରେ ପଡ଼ି ଯାଇଥିଲେ ସୂର୍ଯ୍ୟ କୁମାର ଯାଦବ।

ଦୁଇ ଦିନ ତଳେ ଘୋଷଣା ହୋଇଥିବା ଆଇସିସି ଟିଟ୍ୱେଣ୍ଟି ଟିମ୍ ଅଫ୍ ଦ ଇୟରରେ ଅଧିନାୟକ ଭାବେ ସ୍ଥାନିତ ହୋଇଥିଲେ ସୂର୍ଯ୍ୟ କୁମାର ଯାଦବ। ତାଙ୍କ ସହିତ ଯଶସ୍ୱୀ ଜୈସ୍ୱାଲ, ଅର୍ଶଦୀପ ସିଂହ ଓ ରବି ବିଷ୍ଣୋଇ ଏହି ଟିମ୍‌ରେ ସ୍ଥାନ ପାଇଥିଲେ।

ଏଯାବତ୍ ୬୦ଟି ଟିଟ୍ୱେଣ୍ଟି ମ୍ୟାଚ୍ ଖେଳି ସାରିଥିବା ମୁମ୍ବାଇର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ୫୭ଟି ଇନିଂସରୁ ୨୧୪୧ ରନ୍ ସଂଗ୍ରହ କରିଛନ୍ତି। ୪୫.୫୫ ହାରରେ ସେ ଏହି ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୭୧.୬ ରହିଛି। ସେ ୪ଟି ଶତକ ସହିତ ୧୭ଟି ଅର୍ଦ୍ଧଶତକ ମାରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୧୭।

ICC T20 Cricket Suryakumar Yadav