ଆଜି ସୁପର ସଣ୍ଡେରେ ସୁପର୍ ମୁକାବିଲା। ଟି-୨୦ ବିଶ୍ୱକପରେ ଆଜି ଖେଳାଯିବ ସବୁଠୁ ବଡ଼ ମ୍ୟାଚ୍। ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ଏଥିପାଇଁ କାଉଂଟଡାଉନ ଆରମ୍ଭ ହୋଇଯାଇଛି। ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି।
ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି। ଚଳିତ ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ସହଜ ବିଜୟ ପରେ ଏବେ ନଜର ପାକିସ୍ତାନ ଉପରେ। ସେପଟେ ନୂଆ ଦଳ ଆମେରିକାଠୁ ସୁପର୍ ଓଭରରେ ହାରି ବଡ଼ ବିପର୍ଯ୍ୟୟ ଭୋଗିଛି ପାକିସ୍ତାନ। ଶୁକ୍ରବାର ଖେଳାଯାଇଥିବା ମୁକାବିଲାରେ ସୁପର୍ ଓଭରରେ ପାକିସ୍ତାନକୁ ପରାସ୍ତ କରିଛି ଆମେରିକା।
ଆଜି ଭାରତକୁ ସାମ୍ନା କରିବାକୁ ଯାଉଛି ପାକିସ୍ତାନ। ସେପଟେ ଗୋଟିଏ ମ୍ୟାଚ୍ ଜିତିଥିବାରୁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ଆୟର୍ଲାଣ୍ଡ ବିପକ୍ଷରେ ଓପନିଂ କରିଥିବା ରୋହିତ ଶର୍ମା ଓ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଓପନିଂ କରିବେ ବୋଲି ସୂଚନା ମଳିଛି।
ଟି-୨୦ ବିଶ୍ୱକପ ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାରି ରହିଛି। ଉଭୟ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ଟି ଜିତିଥିବା ବେଳେ ପାକିସ୍ତାନ ଥରେ ଭାରତକୁ ପରାସ୍ତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।