ଟି-୨୦ ବିଶ୍ୱକପ
ଆସନ୍ତା ୨୦୨୬ ଟି-୨୦ ପୁରୁଷ ବିଶ୍ୱକପ ପାଇଁ ଆଇସିସି ପକ୍ଷରୁ ଜାରି ହୋଇଛି ମ୍ୟାଚ୍ସୂଚୀ। ଦୀର୍ଘ ୧୦ ବର୍ଷ ପରେ ଟି-୨୦ ବିଶ୍ୱକପ ଭାରତକୁ ଫେରିଛି। ୨୦୨୬ ଟି-୨୦ ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ କରୁଛନ୍ତି। ବିଶ୍ୱକପ ମ୍ୟାଚ୍ସୂଚୀ ଘୋଷଣା ସମୟରେ ଆଇସିସି ପକ୍ଷରୁ ରୋହିତ ଶର୍ମାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ସେ ୨୦୨୬ ଟି-୨୦ ବିଶ୍ୱକପର ଆମ୍ବାସାଡାର ବା ଦୂତ ଭାବେ ନିଯୁକ୍ତି ପାଇଛନ୍ତି।
୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ରୋହିତ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିଲେ। ସେ ଅବସର ଘୋଷଣା କରିଥିବାରୁ ତାଙ୍କୁ ଆଇସିସି ଅଧ୍ୟକ୍ଷ ଜୟ ଶାହ ୨୦୨୬ ବିଶ୍ୱକପ ପାଇଁ ଆମ୍ବାସାଡାର ଭାବେ ଦାୟିତ୍ୱ ଦେଇଛନ୍ତି।
ଆଇସିସିର ଘୋଷଣା ଅନୁଯାୟୀ, ଟି-୨୦ ବିଶ୍ୱକପ ଆସନ୍ତା ବର୍ଷ ଫେବୃଆରୀ ୭ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ୍ସ ପରସ୍ପରକୁ କଲୋମ୍ବୋରେ ଭେଟିବେ। ଏହି ମ୍ୟାଚ୍ଟି ଦିନ ୧୧ଟାରେ ଖେଳାଯିବ। ସେହିପରି ଅପରାହ୍ନ ୩ଟାରେ ୱେଷ୍ଟଇଣ୍ଡିଜର ମୁକାବିଲା ବାଂଲାଦେଶ ସହ କୋଲକାତାରେ ହେବ। ପ୍ରଥମ ଦିନ ଭାରତ ମଧ୍ୟ ଖେଳିବ। ଏହି ମ୍ୟାଚ୍ଟି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଆମେରିକାକୁ ମୁମ୍ବାଇରେ ଭେଟିବ।
ପ୍ରତିଦିନ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଦିନ ୧୧ଟା, ଦ୍ୱିତୀୟ ମ୍ୟାଚ୍ ଅପରାହ୍ନ ୩ଟା ଓ ସନ୍ଧ୍ୟା ୭ଟାରେ ତୃତୀୟ ମ୍ୟାଚ୍ ଖେଳାଯିବ।
ଟି-୨୦ ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। କିନ୍ତୁ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ ପାକିସ୍ତାନ। ଫେବୃଆରୀ ୧୫ରେ କଲୋମ୍ବୋରେ ଖେଳାଯିବ ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା। ଫେବୃଆରୀ ୧୫ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଉଭୟ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପର ଗୋଟିଏ ଗ୍ରୁପରେ ରହିଛନ୍ତି।
ଟି-୨୦ ବିଶ୍ୱକପ(T20 World Cup)ର ମ୍ୟାଚ୍ ଗୁଡ଼ିକ ପାଇଁ ଭାରତର ୫ଟି ସହରକୁ ବଛା ଯାଇଛି। ସେହିପରି ଫାଇନାଲ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୮ରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଯଦି ପାକିସ୍ତାନ ଫାଇନାଲକୁ ଯିବ, ତା’ହେଲେ ମ୍ୟାଚ୍ଟି ଭାରତ ବଦଳରେ କଲୋମ୍ବରେ ଖେଳାଯିବ।
ଗ୍ରୁପ ଏରେ ଭାରତ ଓ ପାକିସ୍ତାନ ସହ ଆମେରିକା, ନେଦରଲ୍ୟାଣ୍ଡ୍ସ ଓ ନାମ୍ବିଆ ରହିଛନ୍ତି। ଭାରତ ତା’ର ବିଶ୍ୱକପ ଅଭିଯାନ ଫେବୃଆରୀ ୭ରୁ ଆମେରିକା ବିପକ୍ଷ ମ୍ୟାଚ୍ରୁ ଆରମ୍ଭ କରିବ। ଫେବୃଆରୀ ୭ରେ ଭାରତ ଓ ଆମେରିକା ମୁମ୍ବାଇରେ ମୁହାଁମୁହିଁ ହେବେ। ଫେବୃଆରୀ ୧୨ରେ ଭାରତ ଦିଲ୍ଲୀରେ ନାମ୍ବିଆ ବିପକ୍ଷରେ ଦ୍ୱିତୀୟ ଲିଗ ମ୍ୟାଚ୍ ଦିଲ୍ଲୀରେ ଖେଳିବ। ଫେବୃଆରୀ ୧୫ରେ ପାକିସ୍ତାନ ଓ ଶେଷ ଲିଗ ମ୍ୟାଚ୍ ଦଳ ଅହମଦାବାଦରେ ନେଦରଲ୍ୟାଣ୍ଡ୍ସକୁ ଭେଟିବ।
ଇଟାଲୀର କ୍ରିକେଟର ଏହି ବଡ଼ ମଞ୍ଚରେ ଡେବ୍ୟୁ କରିବାର ସୁଯୋଗ ପାଇଛି। ୪ ଥର ଫିଫା ବିଶ୍ୱକପ ଜିତିଥିବା ଇଟାଲୀ ପ୍ରଥମଥର କ୍ରିକେଟରର କୌଣସି ବିଶ୍ୱକପରେ ନଜର ଆସିବ। ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ନେପାଳ ସହ ଗ୍ରୁପ ସିରେ ରହିଛି ଇଟାଲୀ।
ବିଶ୍ୱର ଟପ ୨୦ଟି ଟିମକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି। ଗ୍ରୁପରେ ଥିବା ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏହାପରେ ପ୍ରତି ଗ୍ରୁପର ଶ୍ରେଷ୍ଠ ୨ ଟିମ ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ ସୁପର ୮କୁ ଯିବେ। ଏଠାରେ ୪ଟି ଲେଖାଏ ଦଳକୁ ନେଇ ଦୁଇଟି ଗ୍ରୁପ କରାଯିବ। ପ୍ରତି ଗ୍ରୁପରୁ ୨ଟି ଲେଖାଏ ଦଳ ସେମି ଫାଇନାଲକୁ ଯିବେ। ଶେଷରେ ୨ଟି ଟିମ ମଧ୍ୟରେ ମାର୍ଚ୍ଚ ୮ରେ ଖେଳାଯିବ ଫାଇନାଲ।
ଯଦି ପାକିସ୍ତାନ ଓ ଶ୍ରୀଲଙ୍କା ସେମି ଫାଇନାଲ ଯିବେ, ତା’ହେଲେ ଘରୋଇ ପରିବେଶରେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବ ସିଂହଳ ଟିମ। ଯଦି ଶ୍ରୀଲଙ୍କା ସେମିକୁ ଯାଉଛି କିନ୍ତୁ ପାକିସ୍ତାନ ଯାଉ ନାହିଁ, ତା’ହେଲେ ସିଂହଳ ଟିମ ତା’ର ନକଆଉଟ ମ୍ୟାଚ୍ କୋଲକାତାରେ ଖେଳିବ। କିନ୍ତୁ ଯଦି ଭାରତ ସେମିକୁ ଯାଉଛି ଓ ସେଠାରେ ଦଳର ମୁକାବିଲା ଶ୍ରୀଲଙ୍କା ସହ ହେବ, ତା’ହେଲେ ଉକ୍ତ ମ୍ୟାଚ୍ ଦ୍ୱିତୀୟ ସେମି ଭାବେ ମୁମ୍ବାଇରେ ଖେଳାଯିବ।
ଯଦି ଭାରତ ଓ ପାକିସ୍ତାନ ଉଭୟ ସେମିକୁ ଯାଉଛନ୍ତି ଓ ପରସ୍ପରକୁ ଭେଟିବାର ସମ୍ଭାବନା ରହିଛି, ତା’ହେଲେ ଏହା ପ୍ରଥମ ସେମି ଫାଇନାଲ ଭାବେ କଲୋମ୍ବୋରେ ଅନୁଷ୍ଠିତ ହେବ।
ଯଦି ପାକିସ୍ତାନ ଓ ଶ୍ରୀଲଙ୍କା ଉଭୟ ସେମିକୁ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ, ତା’ହେଲେ ପ୍ରଥମ ସେମି ଫାଇନାଲ କୋଲକାତାରେ ଓ ଦ୍ୱିତୀୟ ସେମି ମୁମ୍ବାଇରେ ଖେଳାଯିବ। କେଉଁ ଗ୍ରୁପରେ କିଏ?
ଗ୍ରୁପ ଏ: ଭାରତ, ପାକିସ୍ତାନ, ଆମେରିକା, ନାମ୍ବିଆ ଓ ନେଦରଲ୍ୟାଣ୍ଡ୍ସ
ଗ୍ରୁପ ବି: ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଆୟର୍ଲ୍ୟାଣ୍ଡ, ଜିମ୍ବାୱେ ଓ ଓମାନ
ଗ୍ରୁପ ସି- ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ନେପାଳ ଓ ଇଟାଲୀ
ଗ୍ରୁପ ଡି: ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, କାନାଡା ଓ ୟୁଏଇ
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହାପୂର୍ବରୁ ଆଇପିଏଲର ଏକାଧିକ ଫାଇନାଲ ଓ ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ ଫାଇନାଲ ଖେଳାଯାଇଥିଲା। ପାକିସ୍ତାନ କଥା ବିଚାରକୁ ନେଲେ ଆଇସିସି ଶ୍ରୀଲଙ୍କାରେ ଦଳର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।
ବିସିସିଆଇ(Bcci) ଟି-୨୦ ବିଶ୍ୱକପର ମ୍ୟାଚ୍ ଗୁଡ଼ିକ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ, ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ, ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମ, କୋଲକାତାର ଇଡେନ ଗାର୍ଡେନ୍ସ ଓ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜନ କରିବ। ଫାଇନାଲ ଅହମଦାବାଦରେ ଓ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲୋମ୍ବୋରେ ଖେଳିବ।
ତେବେ ବେଙ୍ଗାଲୁରୁ ଓ ଲକ୍ଷ୍ନୌରେ ଟି-୨୦ର କୌଣସି ମ୍ୟାଚ୍ ଖେଳା ଯିବ ନାହିଁ। ଏ ସମ୍ପର୍କରେ ଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ରାଜ୍ୟ ସରକାରଙ୍କ ଗୋଟିଏ କମିଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଅନଫିଟ୍ ଘୋଷଣା କରିଛି।
୨୦୨୫ ଆଇପିଏଲ ଫାଇନାଲ ଜିତିବା ପରେ ଆରସିବି ଏଠାରେ ବିଜୟ ଶୋଭାଯାତ୍ରା କରିଥିଲା। ଏହି ସମୟରେ ଭୟଙ୍କର ଦଳାଚକଟା ହୋଇଥିଲା। ଏଥିଯୋଗୁ ଚିନ୍ନାସ୍ୱାମୀ ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବାରେ ଲାଗିଛି।
ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, କାନାଡା, ଇଟାଲୀ, ନେଦରଲ୍ୟାଣ୍ଡ୍ସ, ନାମ୍ବିଆ, ଜିମ୍ବାୱେ, ନେପାଳ, ଓମାନ ଓ ୟୁଏଇକୁ ନେଇ ୨୦୨୬ ଟି-୨୦ ବିଶ୍ୱକପ(ICC Mens T20 World Cup) ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/25/icc-2025-11-25-18-35-12.jpg)