Advertisment

T20 World Cup: ବାଂଲାଦେଶକୁ ଦିନିକିଆ ମହଲତ, ସବୁ ଯୁକ୍ତି ଖାରଜ କଲା ଆଇସିସି

ଭୋଟ ଦ୍ୱାରା ଅନୁରୋଧ ଖାରଜ ହେବା ପରେ ବାଂଲାଦେଶ କ୍ରିକେଟ ବୋର୍ଡରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଇସିସି ୨୪ ଘଣ୍ଟାର ସମୟ ଦେଇଛି। ଯଦି ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶ କ୍ରିକେଟ ବୋର୍ଡ ବିଶ୍ୱକପ ମ୍ୟାଚ ଗୁଡ଼ିକ ଭାରତରେ ଖେଳିବାକୁ ରାଜି ନ ହେବ, ତା’ହେଲେ ଦଳକୁ ବିଶ୍ୱକପରୁ ବାଦ ଦିଆଯିବ।

author-image
Hemant Lenka
ICC

ଟି-୨୦ ବିଶ୍ୱକପ

ଆଇସିସି ବୈଠକରେ ବାଂଲାଦେଶକୁ ଶକ୍ତ ଝଟକା। ଭାରତରେ ଟି-୨୦ ବିଶ୍ୱକପ(T 20 World Cup) ଖେଳିବାକୁ ମନା କରୁଥିବା ବାଂଲାଦେଶକୁ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାତ୍ର ୨୪ ଘଣ୍ଟାର ସମୟ ଦେଇଛି ଆଇସିସି। ବାଂଲାଦେଶ ବିଶ୍ୱକପ ମ୍ୟାଚ୍‌ଗୁଡ଼ିକୁ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା। ହେଲେ ଆଜି ଭୋଟ ମାଧ୍ୟମରେ ଆଇସିସି ବାଂଲାଦେଶର ଅନୁରୋଧକୁ ଖାରଜ କରି ଦେଇଛି।

Advertisment

 ବାଂଲାଦେଶ ସପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୪ ରାଷ୍ଟ୍ର ରହିଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡ ଓ ପାକିସ୍ତାନ କ୍ରିକେଟ ବୋର୍ଡ ହିଁ ସପକ୍ଷରେ ୨ଟି ଭୋଟ ଦେଇଛନ୍ତି। ବାକି ଆଇସିସିରେ ଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ବାଂଲାଦେଶ ବିଶ୍ୱକପ ମ୍ୟାଚ୍‌ଗୁଡ଼ିକ ଭାରତରେ ଖେଳିବା ଦରକାର ବୋଲି କହିଛନ୍ତି।

ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ଭଦ୍ରଲୋକି ସାଜିଥିଲା। ପିସିବି କହିଥିଲା ଯେ ବାଂଲାଦେଶର ଦାବି ଯର୍ଥାର୍ଥ ଓ ଆଇସିସି ଏହାକୁ ଗ୍ରହଣ କରିବା କଥା। ଯଦି ବାଂଲାଦେଶର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାରେ କିଛି ଅସୁବିଧା ରହିଛି, ତା’ହେଲେ ପାକିସ୍ତାନ ସେମାନଙ୍କର ସମସ୍ତ ମ୍ୟାଚ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି। ହେଲେ ପାକିସ୍ତାନ କଥାକୁ ଆଇସିସି କର୍ଣ୍ଣପାତ କରି ନଥିଲା।

Advertisment

ଭୋଟ ଦ୍ୱାରା ଅନୁରୋଧ ଖାରଜ ହେବା ପରେ ବାଂଲାଦେଶ କ୍ରିକେଟ ବୋର୍ଡରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଇସିସି ୨୪ ଘଣ୍ଟାର ସମୟ ଦେଇଛି। ଯଦି ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶ କ୍ରିକେଟ ବୋର୍ଡ ବିଶ୍ୱକପ ମ୍ୟାଚ ଗୁଡ଼ିକ ଭାରତରେ ଖେଳିବାକୁ ରାଜି ନ ହେବ, ତା’ହେଲେ ଦଳକୁ ବିଶ୍ୱକପରୁ ବାଦ ଦିଆଯିବ। ବାଂଲାଦେଶ ବଦଳରେ ଆଇସିସି ନୂଆଦଳ ଭାବେ ସ୍କଟଲ୍ୟାଣ୍ଡକୁ ସାମିଲ କରି ଧାର୍ଯ୍ୟସୂଚୀ ଅନୁସାରେ ମ୍ୟାଚ୍‌ ଆୟୋଜନ କରିବ ବୋଲି ରୋକଠୋକ ଶୁଣାଇ ଦେଇଛି। 

ଭୋଟ ପରେ ଆଇସିସି ବାଂଲାଦେଶ କ୍ରିକେଟ ବୋର୍ଡକୁ ନିଷ୍ପତ୍ତି ସମ୍ପର୍କରେ ନିଜର ସରକାରଙ୍କୁ ଅବଗତ କରାଇବାକୁ କହିଛି। ସରକାରଙ୍କ ସହ କଥା ହୋଇ ନିଷ୍ପତ୍ତି ଜଣାଇବାକୁ ବାଂଲାଦେଶ କ୍ରିକେଟ ବୋର୍ଡକୁ ପରାମର୍ଶ ଦିଆଯାଇଛି। 

ଟି-୨୦ ବିଶ୍ୱକପ ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବ। ମାର୍ଚ୍ଚ ୮ ଯାଏ ଚାଲିବାକୁ ଥିବା ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା କରୁଛନ୍ତି। ନଭେମ୍ବର ମାସରେ ଆଇସିସି ଜାରି କରିଥିବା ମ୍ୟାଚ୍‌ ସୂଚୀ ଅନୁସାରେ ବାଂଲାଦେଶ ତା’ର ଗ୍ରୁପ ପର୍ଯ୍ୟାୟ ମ୍ୟାଚଗୁଡ଼ିକ କୋଲକାତା ଓ ମୁମ୍ବାଇରେ ଖେଳିବାକୁ ଧାର୍ଯ୍ୟ ହୋଇଥିଲା।

କିନ୍ତୁ ଭାରତ ସହ ରାଜନୀତିକ ବିବାଦ କାରଣରୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାରଙ୍କ କଥାରେ ପରିଚାଳିତ ହୋଇ ଭାରତକୁ ଟିମ ପଠାଇବ ନାହିଁ ବୋଲି କହିଥିଲା। ଏଥିସହ ଭାରତ ବାହାରକୁ ନିଜର ମ୍ୟାଚ୍‌କୁ ସ୍ଥାନାନ୍ତର କରିବାକୁ କହିଥିଲା। ହେଲେ ଆଇସିସି ଆଜି ବିଧିବଦ୍ଧ ଭାବେ ବାଂଲାଦେଶର ସବୁ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି। 

ବାଂଲାଦେଶ ବିଶ୍ୱକପ ନ ଖେଳିଲେ ଗ୍ରୁପ ସିରେ ନୂଆଦଳ ଭାବେ ସ୍କଟଲ୍ୟାଣ୍ଡକୁ ସାମିଲ କରାଯିବ। ଏହି ଗ୍ରୁପରେ ପୂର୍ବରୁ ୱେଷ୍ଟଇଣ୍ଡିଜ, ଇଟାଲୀ, ଇଂଲଣ୍ଡ ଓ ନେପାଳ ରହିଛନ୍ତି। 

T 20 World Cup