Advertisment

ଇତିହାସ ରଚିଲା ଟିମ୍ ଇଣ୍ଡିଆ, ନିଜ ନାଁରେ କଲା ଏହି ରେକର୍ଡ

ଭାରତ ବର୍ତ୍ତମାନ ସୁଦ୍ଧା ୨୩୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୫୦ଟିରେ ବିଜୟୀ ହୋଇଛି।

author-image
Jitendra Garnayak
Team India

Team India

ଇତିହାସ ରଚିଛି ଟିମ୍ ଇଣ୍ଡିଆ। ପ୍ରଥମ ଦଳ ଭାବେ ଟି-ଟ୍ୱେଣ୍ଟିରେ ୧୫୦ଟି ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଗତକାଲି ହରାରେରେ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜିମ୍ବାୱେକୁ ୨୩ ରନ୍‌ରେ ପରାସ୍ତ କରିବା ପରେ ଦଳ କରିଛି ଏହି ରେକର୍ଡ। 

Advertisment

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି ପାକିସ୍ତାନ। ପାକିସ୍ତାନ ୧୪୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ୧୧୧ଟି ବିଜୟ ସହିତ ନ୍ୟୁଜିଲ୍ୟାଣ୍ଡ ତୃତୀୟ ସ୍ଥାନରେ ଥିବା ବେଳେ ୧୦୫ଟି ବିଜୟ ସହିତ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା। ଏହି ଦଳ ୧୦୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଛି। 

ଭାରତ ବର୍ତ୍ତମାନ ସୁଦ୍ଧା ୨୩୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୧୫୦ଟିରେ ବିଜୟୀ ହୋଇଛି। ୬୯ଟି ମ୍ୟାଚ୍ ହାରିଛି। ୬ଟି ମ୍ୟାଚ୍‌ର ଫଳାଫଳ ବାହାରିପାରି ନଥିଲା। ଆଉ ୫ଟି ମ୍ୟାଚ୍ ଟାଇ ହୋଇଥିଲା। ନିକଟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିଛି। ଏହି ବିଶ୍ୱକପ୍‌ରେ ଦଳ ଗୋଟିଏ ବି ମ୍ୟାଚ୍ ହାରି ନଥିଲା।  

Advertisment

ଗତକାଲି ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ୍ କରିଥିଲା। ଅଧିନାୟକ ଶୁବମନ ଗିଲ ସର୍ବାଧିକ ୬୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ ୪୯ ଓ ଯଶସ୍ୱୀ ଜୟସୱାଲ ୩୬ ରନ୍ କରିଥିଲେ। ଅନ୍ୟପକ୍ଷରେ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ୍‌ରେ ଅଟକି ଯାଇଥିଲା। ଏହା ସହିତ ଭାରତୀୟ ଦଳ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। 

Team India T Twenty Match