Advertisment

ଟିମ ଇଣ୍ଡିଆକୁ ୫୮ କୋଟି ଟଙ୍କା ଦେଲା ବିସିସିଆଇ: ଜାଣନ୍ତୁ କାରଣ, କିଏ କେତେ ପାଇବେ?

ଖେଳାଳିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କୋଚ୍‌, ସପୋର୍ଟ ଷ୍ଟାଫ ଓ ଚୟନ କମିଟି ସମସ୍ତଙ୍କ ପାଇଁ ବିସିସିଆଇ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

author-image
Hemant Lenka
Champions Trophy

Champions Trophy

ଦୀର୍ଘ ୧୨ ବର୍ଷ ପରେ ଭାରତୀୟ ଟିମ ମାର୍ଚ୍ଚ୯ ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲା। ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଚାମ୍ପିୟନ୍ସ ଟ୍ରଫି କବଜା କରିଥିଲା। ଟ୍ରଫି ଜିତିବାର ପ୍ରାୟ ୧୦ ଦିନ ପରେ ଚାମ୍ପିୟନ୍ସ ଟିମ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛି ବିସିସିଆଇ। ଟିମ ଇଣ୍ଡିଆ ପାଇଁ ୫୮ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଖେଳାଳିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ କୋଚ୍‌, ସପୋର୍ଟ ଷ୍ଟାଫ ଓ ଚୟନ କମିଟି ସମସ୍ତଙ୍କ ପାଇଁ ବିସିସିଆଇ ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

Advertisment

ବୋର୍ଡ ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଛି ଯେ “ବିସିସିଆଇ ବେଶ ଖୁସିର ସହ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଜିତି ଥିବା ଟିମ ଇଣ୍ଡିଆ ପାଇଁ ୫୮ କୋଟି ଟଙ୍କାର କ୍ୟାଶ ପ୍ରାଇଜ ଘୋଷଣା କରୁଛି। ଏହି ଆର୍ଥିକ ପୁରସ୍କାରରେ ଖେଳାଳି, କୋଚିଂ ଓ ସପୋର୍ଟ ଷ୍ଟାଫ ଓ ପୁରୁଷ ଚୟନ କମିଟିର ସଦସ୍ୟଙ୍କୁ ସମ୍ମାନୀତ କରାଯିବ।” ମାର୍ଚ୍ଚ ୯ରେ ଭାରତୀୟ ଟିମ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଡ଼ି ଜିତିଥିଲା।

କିଏ କେତେ ଟଙ୍କା ପାଇବେ?

ମିଳିଥିବା ସୂଚନା ଅନୁସାରେ, ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଥିବା ସମସ୍ତ ୧୫ ଜଣ ଖେଳାଳି ବିସିସିଆଇ ଠାରୁ ୩ କୋଟି ଟଙ୍କା ଲେଖାଏ ପାଇବେ। ଅତିରିକ୍ତ ଭାବେ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ପୁରସ୍କାର ବାବଦରେ ଆଇସିସି ଠାରୁ ମିଳିଥିବା ୨.୨୪ ମିଲିୟନ ଡଲାର ବା ୨୦ କୋଟି ଟଙ୍କା ମଧ୍ୟ କେବଳ ଖେଳାଳିଙ୍କ ମଧ୍ୟରେ ବଣ୍ଟା ଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି।

Advertisment

ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫିରେ ଅପରାଜେୟ ରହି ଟ୍ରଫି ତୋଳି ଧରିଛି। ଦଳ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ଜିତିଥିଲା। ଗ୍ରୁପ ପର୍ଯ୍ୟାୟରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ପ୍ରଥମେ ବାଂଲାଦେଶ ଓ ପାକିସ୍ତାନକୁ ୬ ୱିକେଟରେ ହରାଇଥିଲା। ଏହାପରେ ଗ୍ରୁପ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୪୪ ରନରେ ଜିତିଥିଲା। ସେମି ଫାଇନାଲରେ ଦଳ ଅଷ୍ଟ୍ରେଲିଆକୁ ୪ ୱିକେଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।

ବିସିସିଆଇ ସଭାପତି ରୋଜର ବିନ୍ନି କହିଛନ୍ତି, “ବ୍ୟାକ ଟୁ ବ୍ୟାକ ଆଇସିସି ଟାଇଟଲ ଜିତିବା ସ୍ୱତନ୍ତ୍ର। ବିଶ୍ୱ ମଞ୍ଚରେ ଭାରତୀୟ ଟିମର ଦକ୍ଷତା ଓ ସମର୍ପଣର ଝଲକ ଦେଖିବାକୁ ମିଳିଛି। ସଫଳତା ପଛରେ ଥିବା କଠିନ ପରିଶ୍ରମ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ୨୦୨୫ରେ ଏହା ଆମର ଦ୍ୱିତୀୟ ଆଇସିସି ଟ୍ରଫି। ପ୍ରଥମେ ଆଇସିସି ଅଣ୍ଡର ୧୯ ମହିଳା ବିଶ୍ୱକପ ଭାରତ ଜିତିଥିଲା। ଏହାପରେ ସିନିୟର ପୁରୁଷ ଟିମ ଚାମ୍ପିୟନ୍ସ ଟ୍ରଫି ଜିତିଛି।”

ଗମ୍ଭୀର, ଅଗରକର ଓ ଅନ୍ୟମାନଙ୍କ ପାଇଁ ଆର୍ଥିକ ପୁରସ୍କାର

ଭାରତୀୟ ଟିମର ମୁଖ୍ୟ କୋଚ ମଧ୍ୟ ଖେଳାଳିଙ୍କ ଭଳି ୩ କୋଟି ଟଙ୍କା ପାଇବେ। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ସହ ଯୋଡ଼ି ହୋଇ ରହିଥିବା ସପୋର୍ଟ ଷ୍ଟାଫମାନଙ୍କୁ ବିସିସିଆଇ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ୩୦ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ କମିଟିରେ ଥିବା ଅନ୍ୟ ୪ ସଦସ୍ୟ ୨୫ ଲକ୍ଷ ଲେଖାଏ ପାଇବେ। ଭାରତୀୟ ଟିମ ସହ ଦୁବାଇ ଯାଇଥିବା ବିସିସିଆଇ କର୍ମଚାରୀଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କା ଲେଖାଏ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ଦଳ ୭ ୱିକେଟ ହରାଇ ୨୫୧ ରନ କରିଥିଲା। ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ୨ଟି ଲେଖାଏ ୱିକେଟ ନେଇଥିଲେ।

୨୫୨ ରନର ଟାର୍ଗେଟକୁ ଭାରତ ଗୋଟିଏ ଓଭର ପୂର୍ବରୁ ହାସଲ କରି ନେଇଥିଲା। ଅଧିନାୟକ ରୋହିତ ଶର୍ମା ୭୬ ରନର ଇନିଂସ ଖେଳି ଫାଇନାଲ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। ଶ୍ରେୟସ ଆୟର ୪୮, ଅକ୍ଷର ପଟେଲ ୨୯ ଓ କେଏଲ ରାହୁଲ ଅପରାଜିତ ୩୪ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Bcci Indian Cricket Team Team India Champions Trophy