Advertisment

ସଙ୍କଟରେ ଟିମ୍‌ ଇଣ୍ଡିଆ

ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ଭାରତ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Shubaman Gill

Shubaman Gill

ଆଡିଲେଡ୍‌ରେ ଆଜି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳା ଯାଉଥିବା ବେଳେ ସଙ୍କଟରେ ପଡ଼ିଛି ଟିମ୍ ଇଣ୍ଡିଆ। ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ୧୦୦ ରନ୍ ପୂର୍ବରୁ ଦଳ ୫ଟି ୱିକେଟ୍‌ ହରାଇଥିବା ବେଳେ ୧୦୯ ରନ୍‌ରେ ହରାଇଛି ୬ଟି ୱିକେଟ୍‌।

Advertisment

ଦଳକୁ ପ୍ରଥମ ଝଟକା ଲାଗିଥିଲା ପ୍ରଥମ ବଲ୍‌ରେ। ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଯଶସ୍ୱୀ ଜୈସୱାଲ। ସେ ଶୂନରେ ଆଉଟ୍ ହୋଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ସେ ଆଉଟ୍ ହୋଇଥିଲେ।

ଜୈସୱାଲ ଆଉଟ୍ ହେବା ପରେ ପ୍ରଥମ ଟେଷ୍ଟ ଖେଳି ନଥିବା ଶୁବମନ ଗିଲ ଆସିଥିଲେ ବ୍ୟାଟିଂ କରିବାକୁ। କେଏଲ ରାହୁଲ ଓ ଶୁବମନ ଗିଲ ଖେଳକୁ ଆଗେଇ ନେଉଥିଲେ। ସେମାନଙ୍କ ମଧ୍ୟରେ ୬୯ ରନ୍‌ର ଭାଗିଦାରୀ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ରାହୁଲ। ସେ ମଧ୍ୟ ମିଚେଲ ଷ୍ଟାର୍କଙ୍କ ଶିକାର ବନିଥିଲେ। ଷ୍ଟାର୍କଙ୍କ ବଲରେ ନାଥନ ମ୍ୟାକସ୍ୱିନୀଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

Advertisment

ରାହୁଲ ଆଉଟ୍ ହେବା ପରେ ଆସିଥିଲେ ବିରାଟ କୋହଲି। କିନ୍ତୁ ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୮ଟି ବଲ୍‌ର ସମ୍ମୁଖୀନ ହୋଇ ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

କୋହଲି ୨୦.୧ ଓଭରରେ ଆଉଟ୍ ହୋଇଥିବା ବେଳେ ୨୧.୧ ଓଭରରେ ଆଉଟ ହୋଇଗଲେ ଶୁବମନ ଗିଲ୍। ପ୍ରାୟ ୧୮ ମାସ ପରେ ଅଷ୍ଟ୍ରେଲିଆ ଟିମ୍‌କୁ ଫେରିଥିବା ପେସର ସ୍କଟ ବୋଲାଣ୍ଡ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ୫୧ଟି ବଲ୍‌ରେ ୫ଟି ଚୌକା ସହାୟତାରେ ୩୧ ରନ୍ କରି ସେ ଆଉଟ ହୋଇଥିଲେ।

ସେ ଆଉଟ୍ ହେବା ପରେ ଖେଳକୁ ଆଗକୁ ବଢ଼ାଇଥିଲେ ଋଷଭ ପନ୍ତ ଓ ରୋହିତ ଶର୍ମା। କିନ୍ତୁ ନିଜର ଚିରାଚରିତ ଓପନିଂ ସ୍ଥାନ ଛାଡ଼ି ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ଶର୍ମା ଦଳକୁ ସଙ୍କଟରୁ ଉଦ୍ଧାର କରିପାରି ନଥିଲେ। ୨୩ଟି ବଲ୍ ଖେଳି ମାତ୍ର ୩ ରନ୍ କରି ସେ ସ୍କଟ ବୋଲାଣ୍ଡଙ୍କ ଶିକାର ହୋଇଥିଲେ।

ଦଳ ୨୫.୫ ଓଭରରେ ୮୭ ରନ୍ କରି ୫ଟି ୱିକେଟ୍ ହରାଇଥିଲା। ଋଷଭ ପନ୍ତ ଓ ନୀତୀଶ କୁମାର ରେଡ୍ଡୀ ଖେଳକୁ ଆଗେଇ ନେଉଥିବା ବେଳେ ଆଉଟ ହୋଇଥିଲେ ଋଷଭ। ଦଳର ସ୍କୋର ୧୦୯ରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବଲରେ ସେ ମାର୍ନସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୩୫ଟି ବଲ୍‌ରେ ୨୧ ରନ୍ କରି ଆଉଟ୍ ହୋଇଥିଲେ।

ଖବର ଲେଖାଯିବା ବେଳକୁ ନୀତୀଶ କୁମାର ରେଡ୍ଡୀ ଓ ରବିଚନ୍ଦ୍ରନ ଅଶ୍ୱିନ କ୍ରିଜ୍‌ରେ ଅଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ସ୍କଟ ବୋଲାଣ୍ଡ ୨ଟି ୱିକେଟ ନେଇଛନ୍ତି। ପ୍ୟାଟ୍ କମିନ୍ସଙ୍କୁ ଗୋଟିଏ ୱିକେଟ୍ ମିଳିଛି।

ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ଭାରତ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲା। ଦଳ ୭୩ ରନ୍‌ରେ ୬ଟି ୱିକେଟ୍ ହରାଇଥିଲା। ତେବେ ଋଷଭ ପନ୍ତଙ୍କ ୩୭ ଓ ନୀତୀଶ କୁମାର ରେଡ୍ଡୀଙ୍କ ୪୧ ରନ୍ ଯୋଗୁ ଦଳର ସ୍କୋର ୧୫୦ରେ ପହଞ୍ଚିପାରିଥିଲା।

INDvsAUS