Advertisment

କେମିତି ଷ୍ଟାର ବନିଲେ ପ୍ରିୟାଂଶ ଆର୍ଯ୍ୟ? ମୋବାଇଲ ବ୍ୟବହାର କରୁ ନଥିଲେ, ଜଙ୍ଗଲରେ ଟ୍ରେନିଂ ନେଉଥିଲେ

ଦିନ ତମାମ ପ୍ରିୟାଂଶଙ୍କୁ ମୋବାଇଲ ଚଳାଇବାକୁ ଅନୁମତି ମିଳେ ନାହିଁ। ମୋବାଇଲ ଫୋଦ ଦିନକ ଭିତରେ କେବଳ ଗୋଟିଏ ଘଣ୍ଟା ପାଇଁ ମିଳିଥାଏ।

author-image
Hemant Lenka
ଅଦ୍ୟତନ ହୋଇଛି
PBKS

PBKS

ଆଇପିଏଲରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ। ସେ ଆଇପିଏଲ ଇତିହାସରେ ପ୍ରଥମ ଅନକ୍ୟାପଡ ଖେଳାଳି ଭାବେ ମଙ୍ଗଳବାର ସର୍ବଶ୍ରେଷ୍ଠ ଶତକ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ ବିପକ୍ଷରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ପ୍ରିୟାଂଶ ୩୯ ବଲରେ ଶତକ ହାସଲ କରିଛନ୍ତି। ଏହା ଟୁର୍ଣ୍ଣାମେଣ୍ଟ ଇତିହାସର ୪ର୍ଥ ଦ୍ରୁତତମ ଶତକ। ଚଳିତ ବର୍ଷ ଆଇପିଏଲରେ ପ୍ରିୟାଂଶଙ୍କ ଡେବ୍ୟୁ ହୋଇଛି। ଡେବ୍ୟୁ ସିଜିନରେ ସେ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ନିଜ ଜଲୱା ଦେଖାଇଛନ୍ତି।

Advertisment

ତେବେ ପ୍ରିୟାଂଶ ରାତାରାତି ଆଇପିଏଲ ମଞ୍ଚରେ ଏପରି ସଫଳତା ପାଇ ନାହାନ୍ତି। ସଫଳତା ହାସଲ ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ୨୦୨୫ ଆଇପିଏଲ ପୂର୍ବରୁ ବାମହାତୀ ବ୍ୟାଟର ପ୍ରିୟାଂଶ କେମିତି ଟ୍ରେନିଂ ନେଇଥିଲେ, ତା’ର ତଥ୍ୟ ତାଙ୍କ କୋଚ ସାର୍ବଜନୀନ କରିଛନ୍ତି। ପ୍ରିୟାଂଶ ଜଣାଶୁଣା କୋଚ ସଞ୍ଜୟ ଭରଦ୍ୱାଜଙ୍କ ଅଧୀନରେ ତାଲିମ ନେଇଥିଲେ।

ସଞ୍ଜୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ କୋଚ୍‌। ପ୍ରିୟାଂଶ ୨୦୨୫ ଆଇପିଏଲର ମାସକ ପୂର୍ବରୁ ଭରଦ୍ୱାଜଙ୍କ ଆବାସିକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଥିଲେ। ଏହା ଭୋପାଲ ଠାରୁ ୨୦ କିମି ଦୂର। ମଧ୍ୟପ୍ରଦେଶର ରତପାଣି ଜଙ୍ଗଲ ମଧ୍ୟରେ ଏହା ରହିଛି। ଭରଦ୍ୱାଜ ସେଠାରେ ଗୁରୁକୁଳ ଶୈଳୀରେ କ୍ୟାମ୍ପ ଚଳାନ୍ତି। ତାଙ୍କ କ୍ୟାମ୍ପରେ ନୀତୀଶ ରାଣା, ଉନ୍ମକ୍ତ ଚାନ୍ଦ, କୁଳୱାନ୍ତ ଖେଜରୋଲିଆ ଭଳି ଖେଳାଳି ପୂର୍ବରୁ ତାଲିମ ନେଇଥିଲେ। ଏଥର ସେ ପ୍ରିୟାଂଶଙ୍କୁ ଆଇପିଏଲ ପୂର୍ବରୁ ପ୍ରସ୍ତୁତ କରିଥିଲେ।

Advertisment

ଭରଦ୍ୱାଜ କହିଛନ୍ତି, “ଆଇପିଏଲ ଓ ଦିଲ୍ଲୀ ପ୍ରିମିୟର ଲିଗ ପୂର୍ବରୁ ପ୍ରିୟାଂଶ ଏଠାରେ ତାଲିମ ନେଇଥିଲେ। ଏଠାରେ ମୋର ଗୋଟିଏ ଆବାସିକ ଏକାଡେମୀ ରହିଛି। ସହର ଠାରୁ ୨୦ କିମି ଦୂର ରତପାଣି ଜଙ୍ଗଲ ଭିତରେ ଏହି ଏକାଡେମୀ ଚାଲେ। ଏହା ଗୋଟିଏ ଗୁରୁକୁଳ ଭଳି। ଏହାକୁ ଠାବ କରିବା ଅସମ୍ଭବ। କାରଣ ଏକାଡେମୀରେ ପହଞ୍ଚିବା ପାଇଁ କୌଣସି ସାଇନ ବୋର୍ଡ ନାହିଁ। ଦିଲ୍ଲୀର ଗରମ ଓ ପ୍ରଦୂଷଣ ଠାରୁ ଦୂରରେ ରହି ପ୍ରିୟାଂଶ ତାଲିମ ନେଇଥିଲେ।”

ଦିନକୁ ୧୨ ଘଣ୍ଟାର ପରିଶ୍ରମ

ପ୍ରିୟାଂଶଙ୍କ ଦୈନନ୍ଦିନ ତାଲିମ ସମ୍ପର୍କରେ ଗୌତମ ଗମ୍ଭୀରଙ୍କ ପୂର୍ବତନ କୋଚ ଭରଦ୍ୱାଜ କହିଛନ୍ତି ଯେ ଦିନକୁ ସେ ୧୨ ଘଣ୍ଟାର ଟ୍ରେନିଂ ନିଅନ୍ତି। ଦିନ ତମାମ ପ୍ରିୟାଂଶଙ୍କୁ ମୋବାଇଲ ଚଳାଇବାକୁ ଅନୁମତି ମିଳେ ନାହିଁ। ମୋବାଇଲ ଫୋଦ ଦିନକ ଭିତରେ କେବଳ ଗୋଟିଏ ଘଣ୍ଟା ପାଇଁ ମିଳିଥାଏ। ଚୁଲାରେ ତିଆରି ହେଉଥିବା ପାରମ୍ପରିକ ଖାଦ୍ୟ ଖାଇ ଏଠାରେ ତାଲିମ ନେବାକୁ ପଡ଼େ। ପ୍ରିୟାଂଶଙ୍କ ଅଭ୍ୟାସ ସେସନ୍ସ ସକାଳ ୬.୩୦ରୁ ଆରମ୍ଭ ହୁଏ। ଏହା ସନ୍ଧ୍ୟା ପ୍ରାୟ ୬ଟା ଯାଏ ଚାଲେ। ଏହା ମଧ୍ୟରେ ବିଶ୍ରାମର ସମୟ ନଥାଏ। ଏହି ସମୟରେ ବ୍ୟାଟିଂ ଠାରୁ ଆରମ୍ଭ କରି ସବୁ ପ୍ରକାରର ତାଲିମ ପ୍ରିୟାଂଶଙ୍କୁ ଭରଦ୍ୱାଜ ଦେଇଥାଆନ୍ତି। ମଙ୍ଗଳବାର ଶତକ ମାରିବା ପରେ ପ୍ରିୟାଂଶ ବୁଧବାର ସକାଳେ ଭରଦ୍ୱାଜଙ୍କୁ ଫୋନ କରିଥିଲେ। ତାଙ୍କ ସହ କଥା ହୋଇ ନିଜର ଖୁସି ଜାହିର କରିଥିଲେ।

ଘରୋଇ କ୍ରିକେଟରେ ଦବଦବା ଦେଖାଇଥିବା ପ୍ରିୟାଂଶଙ୍କୁ ପଞ୍ଜାବ କିଙ୍ଗସ ଏଥର ମେଗା ଅକ୍ସନରେ ୩.୮୦ କୋଟି ଟଙ୍କାରେ କିଣିଥିଲା। ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ରହିଥିଲା। ମେଗା ଅକ୍ସନ ବେଳେ ପଞ୍ଜାବ ବ୍ୟତୀତ ଆରସିବି ମଧ୍ୟ ତାଙ୍କୁ ନେବାକୁ ଚାହିଁଥିଲା। କିନ୍ତୁ ପଞ୍ଜାବ ତାଙ୍କୁ କିଣିବାକୁ ସକ୍ଷମ ହୋଇଥିଲା। ଚଳିତ ଆଇପିଏଲ ଆରମ୍ଭରୁ ସେ ପଞ୍ଜାବ ପାଇଁ ଓପନ କରୁଛନ୍ତି। ଗତକାଲି ଚେନ୍ନାଇ ବିପକ୍ଷରେ ସେ ୪୨ ବଲରେ ବିସ୍ଫୋରକ ୧୦୩ ରନର ଇନିଂସ ଖେଳିଛନ୍ତି। ଏଥିରେ ୭ଟି ଚୌକା ଓ ୯ଟି ଛକା ରହିଥିଲା। ପଞ୍ଜାବ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା।

ଦିଲ୍ଲୀର ଏହି ରାଇଜିଂ ଷ୍ଟାର ଏକଦା ୬ ବଲରେ ୬ଟି ଛକା ମାରି ଚର୍ଚ୍ଚାକୁ ଆସିଥିଲେ। କେବଳ ସେ ୬ ବଲରେ ୬ ଛକା ମାରି ନଥିଲେ, ବରଂ ଶତକ ମଧ୍ୟ ହାସଲ କରିଥିଲେ। ଦିଲ୍ଲୀ ପ୍ରିମିୟର ଟି-୨୦ ଲିଗରେ ଆର୍ଯ୍ୟ ଏପରି କମାଲ କରିଥିଲେ। ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ସ ଓ ଉତ୍ତର ଦିଲ୍ଲୀ ଷ୍ଟ୍ରାଇକର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ୬ ଛକା ମାରିଥିବା ପ୍ରିୟାଂଶ ଆର୍ଯ୍ୟ ୫୦ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଥିଲେ।

୧୨ ତମ ଓଭରରେ ବାମହାତୀ ବ୍ୟାଟର ପ୍ରିୟାଂଶ ଉତ୍ତର ଦିଲ୍ଲୀର ଜଣେ ବାମହାତୀ ସ୍ପିନରଙ୍କୁ ୬ ବଲରେ ୬ ଛକା ମାରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଏହାପରେ ମ୍ୟାଚ୍‌ର ୧୫ତମ ଓଭରରେ ସେ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ୱିତୀୟ ଶତକ ହାସଲ କରିଥିଲେ।

ଘରୋଇ ଟି-୨୦ରେ ପ୍ରିୟାଂଶଙ୍କ ପୂର୍ବରୁ ୨୦୧୭ରେ ରସ୍‌ ହ୍ୱାଟଲେ, ୨୦୧୮ରେ ହଜରତତୁଲ୍ଲା ଜଜାଇ ଓ ୨୦୨୦ରେ ଲିଓ କାର୍ଟର ଏପରି ୬ ବଲରେ ୬ ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଯୁବରାଜ ସିଂହ, କାଏରନ ପୋଲାର୍ଡ ଓ ଦିପେନ୍ଦର ସିଂହ ଅଇରୀ(ଦୁଇ ଥର) ଏପରି ରେକର୍ଡ କରିଛନ୍ତି। ପ୍ରିୟାଂଶ ମାତ୍ର ୫୦ ବଲରେ ୧୦ଟି ଚୌକା ଓ ୧୦ଟି ଛକା ବଳରେ ୧୨୦ ରନର ଇନିଂସ ଖେଳିଥିଲେ। ଏବେ ସେ ଆଇପିଏଲରେ ମଧ୍ୟ ପଞ୍ଜାବ ପାଇଁ ଜଲୱା ଦେଖାଇବା ଆରମ୍ଭ କରିଛନ୍ତି।

IPL PBKS IPL 2025 Priyansh Arya