ସଞ୍ଜୁ ସାମସନ
ଚର୍ଚ୍ଚାରେ ସଞ୍ଜୁ ସାମସନ। ଭାରତୀୟ ଟି-୨୦ ଟିମର ଓପନର ସଞ୍ଜୁ ସାମସନ ବିଶ୍ୱକପରେ ଜିତିଛନ୍ତି ମ୍ୟାନ ଅଫ ଦି ସିରିଜ। ବିଶ୍ୱକପ ଫାଇନାଲରେ ସେ ଖେଳିଛନ୍ତି ରେକର୍ଡ ୮୯ ରନର ଇନିଂସ। ଏହାପୂର୍ବରୁ ସେମିରେ ସେ ୮୯ ଓ ୱେଷ୍ଟଇଣ୍ଡିଜ ବିପକ୍ଷ କ୍ୱାର୍ଟର ଫାଇନାଲରେ କରିଥିଲେ ଅପରାଜିତ ୯୭ ରନ।
ଟି-୨୦ ବିଶ୍ୱକପରେ କ୍ରମାଗତ ୩ଟି ମ୍ୟାଚ୍ରେ ୩ଟି ଅର୍ଦ୍ଧଶତକ ମାରି ସଞ୍ଜୁ ସାମସନ ପ୍ରମାଣ କରି ଦେଇଛନ୍ତି ସେ କାହା ଠାରୁ କମ ନୁହନ୍ତି। ଟି-୨୦ ବିଶ୍ୱକପ ଆରମ୍ଭ ବେଳେ ଭାରତୀୟ ଟିମର ଚୂଡ଼ାନ୍ତ ଏକାଦଶରେ ନଥିଲେ ସଞ୍ଜୁ। ନେଟ୍ସରେ ବି ତାଙ୍କୁ ମିଳୁ ନଥିଲା ବ୍ୟାଟିଂ। ସେ ସବୁ ପ୍ରକାରର ଆଶା ହରାଇ ଦେଇଥିଲେ। କିନ୍ତୁ ପରିଶ୍ରମ କରିବା ଛାଡ଼ି ନଥିଲେ। ନିରାଶ ସମୟରେ ସଞ୍ଜୁଙ୍କ ପାଇଁ ଦେବଦୂତ ସାଜିଥିଲେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର।
ସଚିନଙ୍କ ସହ ଫୋନରେ କଥା ହେବା ପରେ ସଞ୍ଜୁଙ୍କ ପାଇଁ ସବୁ କିଛି ବଦଳି ଯାଇଥିଲା। ସଞ୍ଜୁଙ୍କ କ୍ରିକେଟ କ୍ୟାରିୟରରେ ହୋଇଥିଲା ସବୁଠାରୁ ବଡ଼ ପରିବର୍ତ୍ତନ। ପରିବର୍ତ୍ତନ ଏମିତି ସମୟରେ ହୋଇଛି ଯେ ଭାରତର ରେକର୍ଡ ଟି-୨୦ ବିଶ୍ୱକପ ବିଜୟରେ ସଞ୍ଜୁ ସାଜିଛନ୍ତି ପ୍ରମୁଖ ଚେହେରା।
ଭାରତ ରେକର୍ଡ ତୃତୀୟ ଥର ଟି-୨୦ ବିଶ୍ୱକପ(T20 World Cup) ଜିତିଥିବା ବେଳେ ସଞ୍ଜୁ ପାଇଛନ୍ତି ପ୍ଲେୟାର ଅଫ ଦ ସିରିଜ। ସେ ବିରାଟ କୋହଲି(୩୧୯)ଙ୍କୁ ପଛରେ ପକାଇ କୌଣସି ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ରନ ହାସଲକାରୀ ବନି ଯାଇଛନ୍ତି।
ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ୍ ସଞ୍ଜୁ ଖେଳି ନଥିଲେ ହେଁ ୩୨୧ ରନ କରିପାରିଛନ୍ତି। ଏଥିଯୋଗୁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ସଫଳତା ପଛର ସବୁ ଶ୍ରେୟ ସଞ୍ଜୁ ସିଧା ସଚିନ ତେନ୍ଦୁଲକରଙ୍କୁ ଦେଇଛି। ତେନ୍ଦୁଲକରଙ୍କ ପାଇଁ ତାଙ୍କ କ୍ରିକେଟ କ୍ୟାରିୟର ଭିନ୍ନ ରୂପ ନେଇଥିଲା ବୋଲି ସେ କହିଛନ୍ତି।
୨୦୨୫ରେ ସଂଘର୍ଷ କରୁଥିବା ସାମସନଙ୍କୁ ପୁଣିଥରେ ଭାରତୀୟ ଟି-୨୦ ଟିମରେ ନିଜ ସ୍ଥାନ ମଜବୁତ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ଠିକ ୨୦୨୬ ବିଶ୍ୱକପ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ସଞ୍ଜୁ ସମସ୍ତଙ୍କୁ ନିରାଶ କରିଥିଲେ। ଏଥିଯୋଗୁ ବିଶ୍ୱକପର ଚୂଡ଼ାନ୍ତ ଏକାଦଶରେ ସେ ନିଜର ସ୍ଥାନ ହରାଇଥିଲେ।
ଏପରି ଘଟଣା ସଞ୍ଜୁଙ୍କ ନିରାଶ କରିଥିଲେ। ସବୁ କିଛି ସରିଗଲା ବୋଲି ସେ ଭାବି ନେଇଥିଲେ। ୨୦୨୪ ଟି-୨୦ ବିଶ୍ୱକପରେ ଯେମିତି ସେ କୌଣସି ମ୍ୟାଚ୍ ନ ଖେଳି ସ୍ୱଦେଶ ଫେରିଥିଲେ ଏଥର ମଧ୍ୟ ସମଦଶା ଭୋଗିବେ ବୋଲି ଚିନ୍ତା କରିଥିଲେ। ହେଲେ ଏମିତି ଏକ ସମୟ ଆସିଥିଲା ଯେଉଁଠି ସଞ୍ଜୁଙ୍କ ପାଇଁ ସବୁ କିଛି ବଦଳି ଯାଇଥିଲା।
ପ୍ଲେୟାର ଅଫ ଦି ସିରିଜ ଜିତିବା ପରେ ସଞ୍ଜୁ କହିଛନ୍ତି, “ସବୁ କିଛି ସ୍ୱପ୍ନ ଭଳି ଲାଗୁଛି। ମୋ ପାଖରେ ଶବ୍ଦ ନାହିଁ ଓ ଏବେ ବି ମୁଁ ମୋ ଇମୋସନକୁ ଜାବୁଡ଼ି ରଖିବାକୁ ଚେଷ୍ଟା କରୁଛି। ଏହି ଯାତ୍ରା ବାସ୍ତବରେ ୨୦୨୪ରୁ ଆରମ୍ଭ ହୋଇଥିଲା। ୨୦୨୪ ଟିମରେ ମୁଁ ଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍ ଖେଳି ପାରି ନଥିଲି। ୨୦୨୬ରେ ମୁଁ ସବୁ କିଛିକୁ ଦେଖିବାକୁ ଚେଷ୍ଟା କରୁଥିବା ବେଳେ ଏପରି ମୁହୂର୍ତ୍ତକୁ କଳ୍ପନା କରିବାରେ ଲାଗିଥିଲି। ମୁଁ ଜାଣିଥିଲି ଯେ ମୋତେ ଭଲ କରିବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡ଼ିବ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରେ ମୁଁ ପୂରା ଭାଙ୍ଗି ପଡ଼ିଥିଲି। ମୋ ସ୍ୱପ୍ନ ପୁଣିଥର ଚୂରମାର ହୋଇଯାଇଥିବା ମୁଁ ଅନଭୁବ କରିଥିଲି। କିନ୍ତୁ ଭଗବାନଙ୍କ ଯୋଜନା କିଛି ଅଲଗା ଥିଲା। ସ୍ୱପ୍ନ ଦେଖିବାର ସାହାସ ମୋ ପାଖରେ ସେତେବେଳେ ବି ରହିଥିଲା।”
ଭାରତକୁ ରକ୍ଷା କରିବା ପାଇଁ ଭାଗ୍ୟ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା। ଅଫ ସ୍ପିନ ଆଗରେ ଭାରତୀୟ ବ୍ୟାଟିଂ ଲାଇପ ଅପ ଭୁଶୁଡ଼ିବାରୁ ଟିମ ମ୍ୟାନେଜମେଣ୍ଟ ସଞ୍ଜୁଙ୍କ ଆଡ଼କୁ ଯାଇଥିଲା। ଏହି ଠାରୁ ସବୁ କିଛି ବଦଳି ଯାଇଥିଲା। ସଞ୍ଜୁ କେବଳ ଅଫ ସ୍ପିନକୁ କାଉଣ୍ଟର କରି ନଥିଲେ ବରଂ ନିଜର ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ।
ଡାହାଣହାତୀ ସଞ୍ଜୁ କମ୍ରାଗତ ୩ଟି ଅର୍ଦ୍ଧଶତକ ମାରି ଭାରତ ପାଇଁ ଅଗ୍ରଣୀ ରନ ହାସଲକାରୀ ଭାବେ ଅଭିଯାନ ଶେଷ କରିଛନ୍ତି। ସେ ୧୯୯.୩୭ ଷ୍ଟ୍ରାଇକ ରେଟରେ ୩୨୧ ରନ କରି ଭାରତକୁ ବନାଇଛନ୍ତି ବିଶ୍ୱ ବିଜେତା।
ଏପରି ଅପ୍ରତ୍ୟାଶିତ ପରିବର୍ତ୍ତନର ମୂଳରେ ତେନ୍ଦୁଲକର ରହିଥିବା ସାମସନ ରବିବାର ଖୁଲାସା କରିଛନ୍ତି। ୨୦୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅଧାରୁ ସଞ୍ଜୁଙ୍କୁ ଡ୍ରପ କରାଯାଇଥିଲା। ଏହି ସମୟରେ ସେ ତେନ୍ଦୁଲକରଙ୍କୁ ଫୋନ କରିଥିଲେ।
ସାମସନ କହିଛନ୍ତି, “ଅଷ୍ଟ୍ରେଲିଆ ସିରିଜରେ ମୁଁ ବେଞ୍ଚରେ ବସିଥିଲି ଓ ମ୍ୟାଚ୍ ଖେଳୁ ନଥିଲି। ଏହି ମୁହୂର୍ତ୍ତରେ ମୋ ମାନସିକତା କେଉଁ ଭଳି ରହିବା ଦରକାର ସେକଥା ଭାବିବା ଆରମ୍ଭ କରିଥିଲି। ଠିକ ଏହି ସମୟରେ ମୁଁ ସଚିନ ସାର୍ଙ୍କ ସହ ଯୋଗାଯୋଗ କରିଥିଲି।
ଆମେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲୁ। ଏପରି କି ଗତକାଲି ସେ ମୋତେ ଫୋନ କରି ମୁଁ କେମିତି ଅନୁଭବ କରୁଛି ବୋଲି ପଚାରିଥିଲେ। ତାଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମୋତେ ମିଳିଥିଲା। ଏହା ଠାରୁ ମୁଁ ଆଉ ଅଧିକ କ’ଣ ଚାହିଁବି?
ତାଙ୍କ ପରାମର୍ଶ ମୋତେ ସ୍ପଷ୍ଟତା ଦେବା ସହ ମୋ ପ୍ରସ୍ତୁତି, ମ୍ୟାଚ୍ ସତର୍କତା ଓ ବୁଝାମଣାରେ ସହାୟତା କରିଥିଲା। ମୋତେ ସହଯୋଗ କରିଥିବା ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଉଛି।”
ଫାଇନାଲରେ ସଞ୍ଜୁ ୪୬ ବଲରେ ୮୯ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବଳରେ ୨୫୫ ରନ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୫୯ ରନରେ ଅଲଆଉଟ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/09/sanju-2026-03-09-15-38-41.jpg)