Advertisment

T20 World Cup: ଯଶପ୍ରୀତ ବୁମ୍ରାଙ୍କୁ ଆବିଷ୍କାର କରିଥିବା ବ୍ୟକ୍ତି ଜଣଙ୍କ କିଏ? କାହିଁକି ତାଙ୍କୁ ପୂରା ଭାରତ ଧନ୍ୟବାଦ କହୁଛି?

ବୁମ୍ରା ନିଜର ଶେଷ ୨ ଓଭରରେ ମାତ୍ର ୧୪ ରନ ଖର୍ଚ୍ଚ କରିଥିଲେ। ଗୋଟିଏ ସମୟରେ ଭାରତୀୟ ବୋଲର ଓଭର ପିଛା ୧୬ ରନ ଦେଉଥିବା ବେଳେ ବୁମ୍ରା ନିଜ ଯାଦୁ ଦେଖାଇଥିଲେ। ଏହି ପାର୍ଥକ୍ୟକୁ ସାମସନ ମ୍ୟାଚ୍‌ ଜିତିବା ପରେ ନିଜ ଶବ୍ଦ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି।

author-image
Hemant Lenka
Jashi

ଯଶପ୍ରୀତ ବୁମ୍ରାଙ୍କୁ ଠାବ କରିଥିବା ବ୍ୟକ୍ତି

ଯଶପ୍ରୀତ ବୁମ୍ରା ଜଣେ ଅସାଧାରଣ ପ୍ରତିଭା। ଜୀବନକାଳ ମଧ୍ୟରେ ଏପରି ପ୍ରତଭା ଥରେ ଦେଖିବାକୁ ମିଳନ୍ତି। ସବୁ ଶ୍ରେୟ ତାଙ୍କୁ ମିଳିବା ଦରକାର। ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ବିଜୟ ପରେ ମ୍ୟାନ ଅଫ ଦି ମ୍ୟାଚ୍‌ ପାଇଥିବା ସଞ୍ଜୁ ସାମସନ ସ୍ମିତ ହାସ୍ୟ ଦେଇ ଏପରି କଥା କହିଛନ୍ତି। ଇଂଲଣ୍ଡ ବିପକ୍ଷ ସେମି ଫାଇନାଲକୁ ଭାରତ ବେଶ ଛାତି ଧଡ଼ଧଡ଼ ହେବା ଭଳି ରୋମାଞ୍ଚ ମଧ୍ୟରେ ୭ ରନରେ ଜିତିଛି। 

Advertisment

ଭାରତ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିମୟରେ ୨୫୩ ରନ କରିଥିଲେ ହେଁ ମ୍ୟାଚ୍‌ ଶେଷ ଓଭର ଯାଏ ଯାଇଥିଲା। ୨୨ ବର୍ଷୀୟ ଇଂଲିଶ ବ୍ୟାଟର ଜ୍ୟାକବ ବେଥେଲ ଗୋଟିଏ ସମୟରେ ଶତକମାରୀ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ବସିଥିଲେ। ଯଦି ବୁମ୍ରା ଡେଥ ଓଭରରେ ଚମତ୍କାର ବୋଲିଂ କରି ନଥାଆନ୍ତେ ସମ୍ଭବତଃ ଭାରତ ଟି-୨୦ ବିଶ୍ୱକପର ଫାଇନାଲ ଟିକେଟ ମଧ୍ୟ ପାଇ ନଥାଆନ୍ତା। 

ବୁମ୍ରା ନିଜର ଶେଷ ୨ ଓଭରରେ ମାତ୍ର ୧୪ ରନ ଖର୍ଚ୍ଚ କରିଥିଲେ। ଗୋଟିଏ ସମୟରେ ଭାରତୀୟ ବୋଲର ଓଭର ପିଛା ୧୬ ରନ ଦେଉଥିବା ବେଳେ ବୁମ୍ରା ନିଜ ଯାଦୁ ଦେଖାଇଥିଲେ। ଏହି ପାର୍ଥକ୍ୟକୁ ସାମସନ ମ୍ୟାଚ୍‌ ଜିତିବା ପରେ ନିଜ ଶବ୍ଦ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି। 

Advertisment

ମାର୍ଚ୍ଚ ୫ ତାରିଖ ଗୁରୁବାର ବୁମ୍ରା ଯେଉଁ କମାଲ କରିଛନ୍ତି, ତାହା କୌଣସି ଯାଦୁ ଠାରୁ କମ ନୁହେଁ। ବିସ୍ଫୋରକ ବ୍ୟାଟିଂ କରୁଥିବା ବେଥେଲ ମାତ୍ର ୪୮ ବଲରେ ୧୦୫ ରନର ଇନିଂସ ଖେଳିଥିଲେ। ତଥାପି ବୁମ୍ରା ନିଜ ଯାଦୁ ବଳରେ ତାଙ୍କୁ ଅଟକାଇ ଦେଇଥିଲେ। ବ୍ୟାଟର ତ୍ରୁଟି କରୁ ନଥିଲେ ହେଁ ବୁମ୍ରା ରନ କରିବାକୁ ଦେଇ ନଥିଲେ। 
ପୁଣି ଭାରତକୁ ରକ୍ଷା କଲେ ବୁମ୍ରା 

ବୁମ୍ରା ଗୁରୁବାର ମ୍ୟାନ ଅଫ ଦି ମ୍ୟାଚ୍‌ ପାଇ ନାହାନ୍ତି କି ଚଳିତ ଟି-୨୦ ବିଶ୍ୱକପର ସେ ସର୍ବାଧିକ ୱିକେଟ ଦଖଲକାରୀ ବନି ନାହାନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ପୁଣି ଭାରତର କମବ୍ୟାକ କରାଇଛନ୍ତି। ପ୍ରତିଥର ବୁମ୍ରା ନିଜ ହାତରେ ଦେଖାଇଛନ୍ତି ଯାଦୁ। କିନ୍ତୁ ଏଭଳି ଅସାଧାରଣ ପ୍ରତିଭାଙ୍କୁ ଯିଏ ପ୍ରଥମେ ଚିହ୍ନଟ କରିଥିଲେ ତାଙ୍କୁ ପୂରା ଭାରତ ଧନ୍ୟବାଦ ଦେବା କଥା।  ସେହି ବ୍ୟକ୍ତି ଜଣଙ୍କ ନିଜର ଦକ୍ଷତା ବୁମ୍ରାଙ୍କ ଉପରେ ଲଦି ନଥିଲେ କିମ୍ବା ତାଙ୍କ ପାଖରେ ଥିବା ବିରଳ ଆକ୍ସନକୁ ବଦଳାଇ ନଥିଲେ। 

ଆଜି ସେହି କୋଚ ନିଶ୍ଚିତ ଭାବେ କୃତଜ୍ଞତାର ହକଦାର। ସମ୍ଭବତଃ ଏହି କୋଚ ଜଣଙ୍କ ଯୁବ ଦ୍ରୁତ ବୋଲରଙ୍କୁ କହିଥିବେ “ଅନ୍ୟମାନେ କ’ଣ କହୁଛନ୍ତି ଚିନ୍ତା କରନାହିଁ। ତୁମେ ଚମତ୍କାର ବୋଲିଂ କରୁଛ। ଦିନରେ ତୁମେ ନିଶ୍ଚିତ ଷ୍ଟାର ବନିବ।” ଆଜିର ଷ୍ଟାର ବୁମ୍ରାଙ୍କୁ ପ୍ରଥମେ ଠାବ କରିଥିବା ବ୍ୟକ୍ତି ଜଣଙ୍କ ହେଲେ କିଶୋର ତ୍ରିବେଦୀ। ପ୍ରଥମଥର ଅହମଦାବାଦରେ ସେ ବୁମ୍ରାଙ୍କୁ ଚିହ୍ନଟ କରିଥିଲେ। 

ଅହମଦାବାଦର ସପିଆଇପିଏ କର୍ପୋରେଟ ରୋଡର ପଛରେ ଥିବା ଗୋଟିଏ ମଧ୍ୟମଧରଣର କ୍ରିକେଟ ଗ୍ରାଉଣ୍ଡ ରହିଛି। ସେଠାରେ ଏବେ ବି ୭୯ ବର୍ଷୀୟ କିଶୋର ତ୍ରିବେଦୀ ନିଜର ରୟାଲ କ୍ରିକେଟ ଏକାଡେମୀ ଚଳାଉଛନ୍ତି। ଏତେ ବୟସରେ ସେ ମଧ୍ୟ ଫିଟ ରହିଛନ୍ତି। ଦ୍ରୁତ ବୋଲିଂରେ ତ୍ରିବେଦୀଙ୍କ ସ୍ୱତନ୍ତ୍ର ଦଖଲ ରହିଛି।

ସେ ନିଜ ଯାଦବୁ ବଳରେ ଦୁଇ ଜଣ ପ୍ରସିଦ୍ଧ ଦ୍ରୁତ ବୋଲର ତିଆରି କରିଛନ୍ତି। ଜଣେ ହେଲେ ତାଙ୍କ ପୁଅ ସିଦ୍ଧାର୍ଥ ତ୍ରିବେଦୀ ଓ ଆଉ ଜଣେ ଯଶପ୍ରୀତ ବୁମ୍ରା। ସିଦ୍ଧାର୍ଥ ତ୍ରିବେଦୀ ଏକାଦା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ। ହେଲେ ଯଶପ୍ରୀତ ବୁମ୍ରାଙ୍କ ପରିଚୟ କାହାକୁ ଅଛପା ନାହିଁ। ଇଂଲଣ୍ଡ ବିପକ୍ଷ ସେମି ଫାଇନାଲରେ ବୁମ୍ରାଙ୍କ ବୋଲିଂ ଦେଖି ନିଶ୍ଚିତ ତ୍ରିବେଦୀଙ୍କ ମୁହଁରେ ହସ ଫୁଟିଥିବ। 

ଭାରତ ମ୍ୟାଚ୍‌ରେ ଯେତେବେଳେ ନିୟନ୍ତ୍ରଣ ଆବଶ୍ୟକ କରେ ସେତେବେଳେ ବୁମ୍ରାଙ୍କୁ ଖୋଜା ପଡ଼େ। ବୁମ୍ରା ମଧ୍ୟ ବାରମ୍ବାର ଏହାକୁ ଠିକ ପ୍ରମାଣିତ କରି ଆସିଛନ୍ତି। କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ  ଇଂଲଣ୍ଡ ବିପକ୍ଷ ସେମି ଫାଇନାଲରେ ବୁମ୍ରାଙ୍କୁ ୫ମ, ୧୧ତମ, ୧୬ତମ ଓ ୧୮ତମ ଓଭରରେ ବ୍ୟବହାର କରିଥିଲେ। ୱାଙ୍ଖଡେରେ ଗୁରୁବାର ଏମିତି ଏକ ମ୍ୟାଚ ଖେଳା ଯାଇଥିଲା ଯେଉଁଥିରେ ଉଭୟ ଟିମ ୪୦ ଓଭରରେ ୪୯୯ ରନ କରିଛନ୍ତି।

ହେଲେ ବୁମ୍ରା ୪ ଓଭରରେ ମାତ୍ର ୩୩ ରନ ଖର୍ଚ୍ଚ କରିଛନ୍ତି। ୫ମ ଓଭରର ପ୍ରଥମ ବଲରେ ହିଁ ବୁମ୍ରା ଇଂଲଣ୍ଡ କ୍ୟାପ୍ଟେନ ହ୍ୟାରୀ ବ୍ରୁକଙ୍କୁ ଆଉଟ କରିଥିଲେ। ଏହାପରେ ସେ ଇଂଲଣ୍ଡର ବିଗ ହିଟରମାନଙ୍କୁ ଚାପରେ ରଖିଥିଲେ। ଇଂଲିଶ ବ୍ୟାଟର ଅନୃ ବୋଲରଙ୍କୁ ପ୍ରହାର କରୁଥିବା ବେଳେ ବୁମ୍ରା ସେମାନଙ୍କୁ ବାନ୍ଧି ରଖିଥିଲେ। 

ସାମସନ କହିଛନ୍ତି, “ଯଦି ବୁମ୍ରା ଯେଉଁ ଭଳି ଶେଷ ଭାଗରେ ବୋଲିଂ କରନ୍ତି ଇଂଲଣ୍ଡ ବିପକ୍ଷରେ କରି ନଥାଆନ୍ତେ, ତା’ହେଲେ ମୁଁ ଏଠାରେ ଏବେ ଛିଡ଼ା ହୋଇ ପାରି ନଥାଆନ୍ତି।” 

କିଶୋର ତ୍ରିବେଦୀଙ୍କୁ ଯେତେବେଳେ ଭେଟିଥିଲେ ବୁମ୍ରା 

କିନ୍ତୁ ଏହି ପ୍ରତିଭା ଆସିଲେ କେଉଁଠୁ? ଏହି ପିଢ଼ିର ସବୁଠାରୁ ଘାତକ ଦ୍ରୁତ ବୋଲର ବୁମ୍ରା ବନିଲେ କେମିତି? ଏହା ପଛରେ ରହିଛନ୍ତି ବୁମ୍ରାଙ୍କ ପିଲା ଦିନର କୋଚ କିଶୋର ତ୍ରିବେଦୀ। ଅହମଦାବାଦର ନିରମନ ହାଇ ସ୍କୁଲରେ ପଢ଼ୁଥିବା ବୁମ୍ରାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ କୋଚ ତ୍ରିବେଦୀ ତାଙ୍କୁ ପ୍ରଥମଥର ଭେଟିଥିଲେ।

ତ୍ରିବେଦୀଙ୍କ ଏକାଡେମୀ ବୁମ୍ରାଙ୍କ ସ୍କୁଲ ଠାରୁ ମାତ୍ର ୧୫ ମିନିଟର ରାସ୍ତା। ୧୬ ବର୍ଷ ବୟସରେ ମଧ୍ୟ ବୁମ୍ରା ଖୁବ ଜୋରରେ ବୋଲିଂ କରୁଥିଲେ। ତାଙ୍କ ବଲ ଘଣ୍ଟା ପ୍ରତି ୧୪୦ କିମି ବେଗ ଛୁଇଁବାକୁ ସକ୍ଷମ ହେଉଥିଲେ। ତେବେ ବୁମ୍ରାଙ୍କ ଅସାଧାରଣ ବୋଲିଂ ଷ୍ଟାଇଲକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବେ ବେଳେ ତ୍ରିବେଦୀ ଏହାକୁ ନେଇ ବ୍ୟସ୍ତ ହୋଇ ନଥିଲେ।

ବୁମ୍ରାଙ୍କୁ ସେ ନେଟ୍ସରେ ପ୍ରାୟ ଗୋଟିଏ ସପ୍ତାହ ଧରି ଭଳ ଭାବେ ନିରୀକ୍ଷଣ କରିଥିଲେ। ଏହାପରେ ତାଙ୍କ ଆକ୍ସନ ବେଆଇନ ନୁହେଁ ବୋଲି ବୁଝିଥିଲେ। ଏଥିସହ ସେ ବୁଝିଥିଲେ ଯେ ବୁମ୍ରାଙ୍କ ବାହୁ ଅତିବିସ୍ତାର କାରଣରୁ ସେ ବଲକୁ ଗୋଟିଏ ଅଜବ କୋଣରୁ ତଥା ନିଜ ନିଜ ମୁଣ୍ଡ ପାଖରୁ ଏକ ଫୁଟ ଆଗରୁ ପକାଇ ପାରୁଛନ୍ତି। ଏପରି କି ସେ ବୁଝି ପାରିଥିଲେ ଯେ ବୁମ୍ରାଙ୍କ ପାଖରେ ଅନ୍ୟ ବୋଲରଙ୍କ ତୁଳନାରେ ଗୋଟିଏ ନିଆରା ରିଲିଜ ପଏଣ୍ଟ ରହିଛି। 

ବୁମ୍ରାଙ୍କ ବୋଲିଂକୁ ସେତେବେଳେ ତାଙ୍କ ବୟସର ପିଲାମାନେ ନେଟ୍ସରେ ସାମ୍ନା କରିବାକୁ ପସନ୍ଦ କରୁ ନଥିଲେ। ସେ ଦ୍ରୁତ ବୋଲିଂ ସହ ନିଜ ନିଆରା ଷ୍ଟାଇଲ ଯୋଗୁ ସମସ୍ତଙ୍କୁ ଅଡ଼ୁଆରେ ପକାଉଥିଲେ। ବଲ କାନ୍ଧର ପଛ ଆଡ଼କୁ କେଉଁଠୁ ଆସୁଛି ବୋଲି ବ୍ୟାଟରମାନେ ବୁଝିବା ଆଗରୁ ପ୍ୟାଭିଲିୟନ ଫେରୁଥିଲେ। 

ତ୍ରିବେଦୀ କହିଛନ୍ତି, “ନିରମନ ହାଇସ୍କୁଲରେ ସେ ପଢ଼ୁଥିଲେ। ୧୬ ବର୍ଷ ବୟସରେ ସେ ମୋ ପାଖକୁ ଆସିଥିଲେ ଓ ଏକାଡେମୀରେ ନାଁ ଲେଖିଥିଲେ। ସେହି ସମୟରେ ସେ ମୁଖ୍ୟତଃ ସ୍କୁଲ କ୍ରିକେଟ ଖେଳୁଥିଲେ ଓ କ୍ରିକେଟକୁ ସେତେଟା ଗୁରୁତ୍ୱର ସହ ନେଉ ନଥିଲେ। ମୁଁ କିଛି ଦିନ ତାଙ୍କୁ ଦେଖିବା ପରେ କହିଥିଲି ଯେ ଯଦି ତୁମେ କ୍ରିକେଟକୁ ଗୁରୁତ୍ୱର ସହ ନେବାକୁ ଚାହୁଁଛ, ତା’ହେଲେ ତୁମକୁ ନିୟମିତ ଆସିବାକୁ ପଡ଼ିବ। ଖେଳକୁ ଉପଯୁକ୍ତ ସମୟ ଦେବାକୁ ହେବ। ଗୋଟିଏ ଦିନ ଅଭ୍ୟାସ ପରେ ୩ ଦିନ ଛୁଟି ଚଳିବ ନାହିଁ। ମୁଁ ତାଙ୍କୁ କହିଥିଲି ଯେ ତୁମ ପାଖରେ ଦକ୍ଷତା ରହିଛି। ଯଦି ତୁମେ ଖେଳିବ, ତା’ହେଲେ ଉଚ୍ଚସ୍ତରରେ ପହଞ୍ଚି ପାରିବ।”

ଏହି କିଛି କଥା ବୁମ୍ରାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ସେ ଏବେ ଉଚ୍ଚ ସ୍ତରରୁ ଆହୁରି ଉପରେ ପହଞ୍ଚି ଯାଇଛନ୍ତି। ତ୍ରିବେଦୀଙ୍କ କହିବା କଥା ବୁମ୍ରାଙ୍କ ଆକ୍ସନ ହିଁ ତାଙ୍କର ପ୍ରମୁଖ ଅସ୍ତ୍ର। ତାଙ୍କୁ କେବଳ ଭାରିଏସନର ଶିକ୍ଷା ଆବଶ୍ୟକ ଥିଲା।

ତାଙ୍କୁ ଶର୍ଟ ବଲ, ୟକର୍ସ ଓ କଟର୍ସ ଉପରେ କାମ କରିବାର ଥିଲା। ଧୀରେଧୀରେ ସେ ଏହାକୁ ଶିଖିଥିଲେ। ଏବେ ସେ ବିଶ୍ୱର ଶ୍ରେଷ୍ଠ ବୋଲର ବୋଲି ତ୍ରିବେଦୀ କହିଛନ୍ତି।