Advertisment

ବିରାଟଙ୍କ ରେକର୍ଡ ୫୦ତମ ଶତକ ଠାରୁ ଟାଇମଡ ଆଉଟ ବିବାଦ: ବିଶ୍ୱକପର ୧୦ ସ୍ମରଣୀୟ ଘଟଣା

ଅଷ୍ଟ୍ରେଲିଆର ଓପନର ଟ୍ରାଭିସ ହେଡ୍‌ ୧୩୭ ରନର ଇନିଂସ ଖେଳି କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି।

author-image
Hemant Lenka
Rohit

Rohit

୪୬ ଦିନ, ୪୮ ମ୍ୟାଚ୍‌, ବିଶାଳ ସ୍କୋର, ଆଚମ୍ବିତ କଲା ଭଳି ବିଜୟ, ହୃଦୟ ଭାଙ୍ଗିବା ଭଳି ପରାଜୟ, ରେକର୍ଡ ଓ ବିବାଦ ମଧ୍ୟରେ ଶେଷ ହୋଇଛି ଦିନିକିଆ ବିଶ୍ୱକପ। ରବିବାର ବିଶ୍ୱକପ ଫାଇନାଲରେ ଆୟୋଜକ ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ୬ଷ୍ଠଥର ପାଇଁ ବିଶ୍ୱ ବିଜେତା ବନିଛି।

Advertisment

ଅଷ୍ଟ୍ରେଲିଆର ଓପନର ଟ୍ରାଭିସ ହେଡ୍‌ ୧୩୭ ରନର ଇନିଂସ ଖେଳି କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି। ରିକି ପଣ୍ଟିଂ ଓ ଆଡାମ ଗିଲଖ୍ରୀଷ୍ଟଙ୍କ ପରେ ହେଡ୍‌ ତୃତୀୟ ଅଷ୍ଟ୍ରେଲୀୟ ଭାବେ ବିଶ୍ୱକପ ଫାଇନାଲରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ତେବେ ୪୬ ଦିନ ଧରି ଚାଲିଥିବା ବିଶ୍ୱକପରେ ଅନେକ ସ୍ମରଣୀୟ ଘଟଣା ଘଟିଛି। ଆସନ୍ତୁ ଟପ୍‌ ୧୦ ଘଟଣା ଉପରେ ନଜର ପକାଇବା

Advertisment

୧- ଦକ୍ଷିଣ ଆଫ୍ରିକା ଓ ଏଡେନ ମାର୍କରମଙ୍କ ବିସ୍ଫୋରକ ବ୍ୟାଟିଂ

ବିଶ୍ୱକପକୁ ମାତ୍ର ୨ ଦିନ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ମାତ୍ର ୪୯ ବଲରେ ଶତକ ହାସଲ କରି ନୂଆ ରେକର୍ଡ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ସେ ବିସ୍ଫୋରକ ଇନିଂସ ଖେଳିବାରୁ ଦକ୍ଷିଣ ଆଫ୍ରିକା ବିଶାଳ ୪୨୮ ରନ କରିଥିଲା। ଏଥିସହ ମ୍ୟାଚ୍‌କୁ ୧୦୨ ନରେ ଜିତିଥିଲା। ବିଶ୍ୱକପରେ ୪୨୮ ସର୍ବାଧିକ ଦଳଗତ ସ୍କୋର ଥିଲା।

ମାର୍କରମଙ୍କ ବିସ୍ଫୋରଣ ୨୦୧୧ରେ ଆୟର୍ଲ୍ୟାଣ୍ଡର କେଭିନ ଓବ୍ରିଏନ କରିଥିବା ୫୦ ବଲରେ ଶତକ ରେକର୍ଡକୁ ପଛରେ ପକାଇ ଦେଇଥିଲେ। ତେବେ ମାର୍କରମଙ୍କ ବିଶ୍ୱ ରେକର୍ଡକୁ ଗ୍ଲେନ ମ୍ୟାକ୍ସୱେଲ ୧୮ ଦିନ ପରେ ଭାଙ୍ଗି ଦେଇଥିଲେ।

୨- ପାକିସ୍ତାନର ରେକର୍ଡ ଚେଜ

ହାଇଦ୍ରାବାଦରେ ମହମ୍ମଦ ରିଜୱାନ ଓ ଅବଦୁଲ୍ଲା ଶଫିକ ଶତକ ହାସଲ କରିବାରୁ ପାକିସ୍ତାନ ରେକର୍ଡ ଚେଜ୍‌ ସହ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଥିଲା। ରିଜୱାନ ଶେଷ ଯାଏ ୧୩୧ ରନ କରି ଅପରାଜିତ ରହିଥିବା ବେଳେ ଶଫିକ ୧୧୩ ରନ କରିଥିଲେ। ଏହି ଦୁଇ ଇନିଂସ ଯୋଗୁ ପାକିସ୍ତାନ ରେକର୍ଡ ୩୪୫ ରନର ଟାର୍ଗେଟକୁ ଚେଜ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା କୁଶଲ ମେଣ୍ଡିସ ଓ ସଦୀରା ସମରାବିକ୍ରମାଙ୍କ ଶତକ ବଳରେ ୩୪୪ ରନ କରିଥିଲା।

୩- ଛାପ ଛାଡ଼ିଲେ ଆଫଗାନିସ୍ତାନ ଓ ନେଦରଲ୍ୟାଣ୍ଡ୍ସ

ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଦିଲ୍ଲୀରେ ଦଳ ଇଂଲଣ୍ଡକୁ ୬୯ ରନରେ ହରାଇ ବିଶ୍ୱକପରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଆଫଗାନିସ୍ତାନ ଦେଇଥିବା ୨୮୫ ରନର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ତ ୨୧୫ ରନରେ ଅଲଆଉଟ ହୋଇଯାଇଥିଲା। ସ୍ପିନର ମୁଜିବ ଉର ରହମନ ଓ ରାଶିଦ ଖାନ ୩ଟି ଲେଖାଏ ୱିକେଟ ନେଇଥିଲେ। ଏହାର ୮ ଦିନ ପରେ ଆଫଗାନିସ୍ତାନ ୨୮୩ ରନର ଟାର୍ଗେଟକୁ ଚଜ୍‌ କରି ପଡ଼ୋଶୀ ପାକିସ୍ତାନକୁ ମାତ ଦେଇଥିଲା। ସେହିପରି ଦଳ ଶ୍ରୀଲଙ୍କାକୁ ମଧ୍ୟ ହରାଇଥିଲା।

ଆଫଗାନିସ୍ତାନର କ୍ରମାଗତ ବିଜୟ ମଧ୍ୟରେ ନେଦରଲ୍ୟାଣ୍ଡ୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦକ୍ଷିଣ ଆଫ୍ରିକାକୁ ଧର୍ମଶାଳାରେ ହରାଇଥିଲେ। ଡଚ୍‌ ଟିମ ୩୮ ରନରେ ମ୍ୟାଚ୍‌ ଜିତି ନୂଆ ଇତିହାସ ସୃଷ୍ଟି କରିଥିଲା।

୪- ରେକର୍ଡ ବ୍ରେକର ମ୍ୟାକ୍ସୱେଲ ପାର୍ଟ-୧

ମ୍ୟାକ୍ସୱେଲ ୪୦ ବଲରେ ଶତକ ହାସଲ କରି ମାର୍କରଙ୍କ ଦ୍ରୁତତମ ବିଶ୍ୱକପ ସେଞ୍ଚୁରୀ ରେକର୍ଡକୁ ଭାଙ୍ଗିଥିଲେ। ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୩୦୯ ରନରେ ଡଚ୍‌ ଟିମକୁ ଦିଲ୍ଲୀରେ ହରାଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩୯୯ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ମାତ୍ର ୯୦ ରନରେ ଅଲଆଉଟ ହୋଇଯାଇଥିଲା। ମ୍ୟାକ୍ସୱେଲ ୪୩ ବଲରେ ୧୦୬ ରନର ଇନିଂସ ଖେଳିଥିଲେ।

୫- ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ରନ ବର୍ଷା

ଧର୍ମଶାଳାର ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆ ୫ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଉକ୍ତ ମ୍ୟାଚ୍‌ରେ ଟ୍ରାଭିସ ହେଡ୍‌ଙ୍କ ୧୦୯ ଓ ଡାଭିଡ ୱାର୍ଣ୍ଣରଙ୍କ ୮୧ ରନ ବଳରେ ଅଷ୍ଟ୍ରେଲିଆ ୩୮୮ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ରଚିନ ରବୀନ୍ଦ୍ରଙ୍କ ୧୧୬ ରନ ବଳରେ ବିଜୟର ନିକଟତର ହୋଇଥିଲା। କିନ୍ତୁ କ୍ୱିୱି ଟିମ ୫ ରନ ଦୂରରେ ରହିଯାଇଥିଲା।

ଏହି ମ୍ୟାଚ୍‌ରେ ମୋଟ ୭୧୧ ରନ ଦେଖିବାକୁ ମିଳିଥିଲା। କୌଣସି ବିଶ୍ୱକପରେ ଏହା ସର୍ବାଧିକ ସ୍କୋର। ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମ୍ୟାଚ୍‌ରେ ମୋଟ ୭୫୪ ରନ ହୋଇଥିଲା।

୬- ଶ୍ରୀଲଙ୍କାକୁ ଛିନଛତ୍ର କଲା ଭାରତ

ମୁମ୍ବାଇରେ ଶ୍ରୀଲଙ୍କାକୁ ୩୦୨ ରନରେ ହରାଇ ଭାରତ ବିଶ୍ୱକପ ସେମି ଫାଇନାଲରେ ପ୍ରବେଶ କରିଥିଲା। ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଥିବା ବେଳେ ମହମ୍ମଦ ଶାମି ୫ ୱିକେଟ ନେଇଥିଲେ। ଶ୍ରୀଲଙ୍କା ୩୫୮ ରନର ପିଛା କରୁଥିବା ବେଳେ କେବଳ ୫୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳର ଓପନର୍ସ ଶୂନ ଲେଖାଏ କରିଥିଲେ।

୭- ଟାଇମଡ ଆଉଟ ବିବାଦ

ଅନ୍ତର୍ଜାତୀୟ କ୍ରିକେଟର ୧୪୬ ବର୍ଷ ଇତିହାସ ମଧ୍ୟରେ ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇଡ ଆଉଟ ହୋଇଥିଲେ। MCC(ମେରିଲେବୋନ କ୍ରିକେଟ କ୍ଲବ୍) ନିୟମ ଅନୁଯାୟୀ, "ଜଣେ ବ୍ୟାଟର ଆଉଟ ହେବା ପରେ କିମ୍ବା ରିର୍ଟାର୍ଡ ନେବା ପରେ ପରବର୍ତ୍ତୀ ଖେଳାଳି ୩ ମିନିଟ ମଧ୍ୟରେ ବ୍ୟାଟିଂ କରିବାକୁ ପୋଜିସନ ନେବେ।

ଯଦି ଏହି ସମୟସୀମା ଅତିକ୍ରମ କରିଯିବ, ତା’ହେଲେ ବ୍ୟାଟରଙ୍କୁ 'ଟାଇମଡ ଆଉଟ' ଘୋଷଣା କରାଯିବ।" କିନ୍ତୁ ଚଳିତ ବିଶ୍ୱକପରେ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁସାରେ ପରବର୍ତ୍ତୀ ବ୍ୟାଟରଙ୍କୁ ବଲ ସାମ୍ନା କରିବା ପାଇଁ ୨ ମିନିଟର ସମୟ ଦିଆଯାଇଛି।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆଞ୍ଜେଲୋ ମାଥ୍ୟୁସ ନିର୍ଦ୍ଧାରିତ ସମୟରେ ପଡିଆକୁ ଆସିଥିଲେ। କିନ୍ତୁ ତାଙ୍କ ହେଲମେଟରେ ତ୍ରୁଟି ଥିବାରୁ ସେ ଏହାକୁ ବଦଳାଇଥିଲେ। ତେବେ ଧାର୍ଯ୍ୟ ସମୟ ଅନୁସାରେ ମ୍ୟାଥୁସ ଷ୍ଟ୍ରାଇକ ନ ନେବାରୁ ତାଙ୍କୁ ଟାଇମଡ ଆଉଟ ଘୋଷଣା କରାଯାଇଥିଲା। ମାଥ୍ୟୁସ ଏ ସମ୍ପର୍କରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନଙ୍କୁ ବୁଝାଇ ଅପିଲ ପ୍ରତ୍ୟାହାର କରି ନେବାକୁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ସେ କରିଥିବା ଅପିଲକୁ ପ୍ରତ୍ୟାହାର କରି ନଥିଲେ।

୮- ରେକର୍ଡ ବ୍ରେକର ମ୍ୟାକ୍ସୱେଲ ପାର୍ଟ-୨

ଆଫଗାନିସ୍ତାନ ବିପକ୍ଷରେ ମ୍ୟାକ୍ସୱେଲ ଦିନିକିଆର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ। ୯୧ ରନରେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଟାର୍ଗେଟ ୨୯୨ ଥିଲା। ଲାଗୁଥିଲା ଅଷ୍ଟ୍ରେଲିଆ ହାରିବ। କିନ୍ତୁ ମ୍ୟାକ୍ସୱେଲ ଅପରାଜିତ ୨୦୧ ରନ କରି ଅଷ୍ଟ୍ରେଲିଆକୁ ଜିତାଇଥିଲେ। ଏଥିସହ ସେ ଦଳକୁ ସେମି ଫାଇନାଲ ଟିକେଟ ମଧ୍ୟ ଦେଇଥିଲେ। ୧୨୮ ବଲରେ ୨୦୧ ରନ କରିଥିବା ମ୍ୟାକ୍ସୱେଲ ୨୧ଟି ଚୌକା ଓ ୧୦ଟି ଛକା ମାରିଥିଲେ। ତୃତୀୟ ବ୍ୟାଟର ଭାବେ ମ୍ୟାକ୍ସୱେଲ ବିଶ୍ୱକପରେ ଡବଲ ଟନ୍‌ ହାସଲ କରିବାର ରେକର୍ଡ ମଧ୍ୟ କରିଥିଲେ।

୯- କିଙ୍ଗ କୋହଲି

ବିରାଟ କୋହଲି ଚଳିତ ବିଶ୍ୱକପରେ ତାଙ୍କ ଅନ୍ତର୍ଜାତୀୟ ଦିନିକିଆର ୫୦ତମ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିରେ ବିରାଟ ବ୍ୟାଟରୁ ଏହି ଐତିହାସିକ ଶତକ ଦେଖିବାକୁ ମିଳିଥିଲା। ସେ ବିଶ୍ୱର ଏକମାତ୍ର ବ୍ୟାଟର ଭାବେ ଶତକରେ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ୪୯ଟି ଶତକ ରହିଥିଲା।

କିନ୍ତୁ ମୁମ୍ବାଇରେ ବିରାଟ ତାଙ୍କୁ ଅତିକ୍ରମ କରିଥିଲେ। ବିରାଟ ଚଳିତ ବିଶ୍ୱକପରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ମଧ୍ୟ ବନିଛନ୍ତି। ସେ ୧୧ ମ୍ୟାଚ୍‌ରେ ୭୬୫ ରନ କରିଛନ୍ତି। ପୂର୍ବରୁ ଗୋଟିଏ ବିଶ୍ୱକପରେ କୌଣସି ବ୍ୟାଟରୁ ୭୦୦ରୁ ଅଧିକ ରନ କରି ନଥିଲେ।

୧୦- କୋଟି କୋଟି ହୃଦୟ ଭାଙ୍ଗିଲା

ବିଶ୍ୱକପ ଫାଇନାଲରେ ଅପରାଜେୟ ଭାରତର ପରାଜୟ ସମସ୍ତଙ୍କର ସ୍ୱପ୍ନକୁ ଧୂଳିସାତ ହୋଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିବା ୧.୩୦ ଲକ୍ଷ ଲୋକଙ୍କ ଠାରୁ ଆରମ୍ଭ କରି କୋଟି କୋଟି ଭାରତୀୟ ଫାଇନାଲ ପରାଜୟ ପରେ ହତାଶ ହୋଇଯାଇଥିଲେ। କ୍ରିକେଟରମାନେ ମଧ୍ୟ ନିଜ ଲୁହକୁ ଅଟକାଇ ପାରି ନଥିଲେ। 

ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ୬ଷ୍ଠଥର ପାଇଁ ବିଶ୍ୱ ବିଜେତାର ଆଖ୍ୟା ପାଇଛି। ଟ୍ରାଭିଡ ହେଡ୍‌ ୧୩୭ ରନର ଇନିଂସ ଖେଳି ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ହୃଦୟକୁ ଭାଙ୍ଗି ଦେଇଛନ୍ତି। ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପ ଜିତିବାକୁ ଭାରତ ଦେଖିଥିବା ସ୍ୱପ୍ନ ମଧ୍ୟ ଅଧା ରହିଯାଇଛି।

ICC ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup CWC Final