Advertisment

ପୁଣି ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତକୁ ‘ବୁମ୍ରା’ ଝଟକା: କାଳ ସାଜିଲା ଆହତ ସମସ୍ୟା

ଗୋଟିଏ ପରେ ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟରୁ ବୁମ୍ରା ଆହତ ସମସ୍ୟା ପାଇଁ ବାଦ ପଡ଼ିବା ସବୁବେଳେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।

author-image
Hemant Lenka
ଅଦ୍ୟତନ ହୋଇଛି
jasprit bumrah

jasprit bumrah

ଭାରତୀୟ ଟିମର ସବୁଠାରୁ ଭରସାଯୋଗ୍ୟ ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମ୍ରା। ନିଜର ଲେଥାଲ ପେସ, ପିନପଏଣ୍ଟ ୟକର୍ସ ଓ ଚାପ ସମୟରେ ସଫଳତା ଦେବାରେ ବୁମ୍ରା ବେଶ ମାହିର। କିନ୍ତୁ ବୁମ୍ରାଙ୍କ ପାଇଁ ଆହତ ସମସ୍ୟା କାଳ ସାଜିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବଡ଼ ଟୁର୍ଣ୍ଣାମେଣ୍ଟରୁ ବୁମ୍ରା ଆହତ ସମସ୍ୟା ପାଇଁ ବାଦ ପଡ଼ିବା ସବୁବେଳେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ନିଜର ନିଆରା ବୋଲିଂ ଷ୍ଟାଇଲ ଯୋଗୁ ବୁମ୍ରା ପ୍ରାୟତଃ ପିଠି ଜନିତ ଆହତ ସମସ୍ୟାରେ ପଡ଼ୁଛନ୍ତି। ଏଥିଯୋଗୁ ତାଙ୍କୁ ବାଧ୍ୟ ହୋଇ ବଡ଼ବଡ଼ ଟୁର୍ଣ୍ଣାମେଣ୍ଟକୁ ମିସ କରିବାକୁ ପଡ଼ୁଛି।

Advertisment

ଏହି କ୍ରମରେ ଆହତ ସମସ୍ୟା ଯୋଗୁ ବୁମ୍ରା ୨୦୨୫ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତି ଭାରତୀୟ ଟିମକୁ ନିଶ୍ଚିତ ଅନୁଭବ ହେବ। କାରଣ ପୂର୍ବରୁ ଆଇସିସିର ମେଜର ଇଭେଣ୍ଟରେ ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁ ଭାରତୀୟ ବୋଲିଂ ଲାଇନ ଅପ ଧରାଶାୟୀ ହେବାର ନଜିର ରହିଛି। ବୁମ୍ରାଙ୍କ ଆହତ ସମସ୍ୟା ଏବେ ୱାର୍କ ଲୋଡ ମ୍ୟାନେଜମେଣ୍ଟ ଓ ଦୀର୍ଘକାଳୀନ ଫିଟନେସ ପ୍ରସଙ୍ଗକୁ ପୁଣି ଥରେ ଚର୍ଚ୍ଚା ମଧ୍ୟକୁ ଆଣିଛି।

ବୁମ୍ରା ଆହତ ସମସ୍ୟା ଯୋଗୁ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିବାରୁ ତାଙ୍କ ବଦଳରେ ହର୍ଷିତ ରାଣାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ଯଶସ୍ୱୀ ଜୈସୱାଲଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ୧୫ ଜଣିଆ ଦଳରେ ରଖାଯାଇଛି। ଜୈସୱାଲ, ମହମ୍ମଦ ସିରାଜ ଓ ଶିବମ ଦୁବେ ଚାମ୍ପିୟନ୍ସ ଟ୍ରଫି ପାଇଁ ନନ ଟ୍ରାଭେଲିଂ ସବଷ୍ଟିଚ୍ୟୁଟ ଭାବେ ରହିଛନ୍ତି। ବିସିସିଆଇ ପକ୍ଷରୁ ଚାମ୍ପିୟନ୍ସ ଟ୍ରଫିର ଅପଡେଟ ସ୍କ୍ୱାଡ ସୋମବାର ରାତିରେ ଆଇସିସି ନିକଟକୁ ପଠାଯାଇଛି।

Advertisment

ଦଳରେ ମହମ୍ମଦ ଶାମି, ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ଦ୍ରୁତ ବୋଲର ଭାବେ ରହିଛନ୍ତି। ଏମାନଙ୍କୁ ସାଥ ଦେବାକୁ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ପୂର୍ବରୁ ସ୍କ୍ୱାଡରେ ୪ ଜଣ ସ୍ପିନର ରହିଥିବା ବେଳେ ଏବେ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ସାମିଲ କରାଯାଇଛି। ବରୁଣ ଇଂଲଣ୍ଡ ବିପକ୍ଷ ବାରବାଟୀ ଦିନିକିଆରେ ଭାରତ ପାଇଁ ୫୦ ଓଭର ଫର୍ମାଟରେ ଡେବ୍ୟୁ କରିଥିଲେ। ଟି-୨୦ ଫର୍ମାଟରେ ବରୁଣଙ୍କ ଦମଦାର ପ୍ରଦର୍ଶନ ଯୋଗୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ରଖାଯାଇଛି।

ତଥାପି ଚାମ୍ପିୟନ୍ସ ଟ୍ରଫିରେ ବୁମ୍ରାଙ୍କ ଅନୁପସ୍ଥିତି ଭାରତ ଅନୁଭବ କରିବ। କାରଣ ୨୦୨୨ ଏସିଆ କପ ହେଉ କି ୨୦୨୩ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିଫ ଫାଇନାଲ, ବୁମ୍ରା ନଥିବାରୁ ଭାରତକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ବୁମ୍ରା ଆହତ ସମସ୍ୟା ପାଇଁ ଖେଳି ପାରି ନଥିଲେ। ହେଲେ ୨୦୨୪ ଟି-୨୦ ବିଶ୍ୱକପରେ ବୁମ୍ରା ଥିବାରୁ ଭାରତ ଚାମ୍ପିୟନ ହୋଇଥିଲା। ୨୦୨୩ ଦିନିକିଆ ବିଶ୍ୱକପରେ ବୁମ୍ରାଙ୍କ ଦମଦାର ପ୍ରଦର୍ଶନ ଯୋଗୁ ଭାରତ ଫାଇନାଲରେ ପ୍ରବେଶ କରିଥିଲା।

ଆହତ ଯୋଗୁ ବୁମ୍ରା ମିସ କରିଥିବା ବଡ଼ ଟୁର୍ଣ୍ଣାମେଣ୍ଟ

୧- ଏସିଆ କପ ୨୦୨୨: ୟୁଏଇରେ ଅନୁଷ୍ଠିତ ଏସିଆ କପ ୨୦୨୨ରେ ବ୍ୟାକ ଇଞ୍ଜୁରୀ ଯୋଗୁ ବୁମ୍ରା ନଜର ଆସି ନଥିଲେ। ଏସିଆ କପ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ଆହତ ହୋଇଥିଲେ। ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁ ଭାରତର ବୋଲିଂ ଆଟାକ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତକୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା।

୨- ଟି-୨୦ ବିଶ୍ୱକପ ୨୦୨୨: ଆହତ ଯୋଗୁ ଏସିଆ କପ ଖେଳି ପାରି ନଥିବା ବୁମ୍ରା ୨୦୨୨ ସେପ୍ଟେମ୍ବର ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ କିଛି ସମୟ ପାଇଁ ଫେରିଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନଜର ଆସିଥିଲେ। କିନ୍ତୁ ସେ ପୁଣି ବ୍ୟାକ ଇଞ୍ଜୁରୀରେ ପଡ଼ିବାରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲେ। ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁ ଭାରତ ଡେଥ ଓଭରରେ ବହୁତ ରନ ଖର୍ଚ୍ଚ କରିଥିଲା। ଏଥିପାଇଁ ଦଳକୁ ସେମି ଫାଇନାଲରୁ ବିଦାୟ ନେବାକୁ ପଡ଼ିଥିଲା।

୩- ଆଇପିଏଲ ୨୦୨୩: ପିଠି ଜନିତ ସମସ୍ୟା ଯୋଗୁ ବୁମ୍ରା ୨୦୨୩ ଆଇପିଏଲ ଖେଳି ପାରି ନଥିଲେ। ଏହା ତାଙ୍କ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା ଦେଇଥିଲା। ବୁମ୍ରାଙ୍କ ଅନୁପସ୍ଥିତି ସତ୍ତ୍ୱେ ମୁମ୍ବାଇ ପ୍ଲେଅଫରେ ପହଞ୍ଚିଥିଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଗୁଡ଼ିକରେ ଦଳର ପେସ୍‌ ଆଟାକ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲା।

୪- WTC ଫାଇନାଲ ୨୦୨୩: ଭାରତ ୨୦୨୩ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଥିଲା। ୨୦୨୩ WTC ଫାଇନାଲ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। କିନ୍ତୁ ଆହତ ସମସ୍ୟା ପାଇଁ ଫାଇନାଲ ମ୍ୟାଚ୍‌ରେ ବୁମ୍ରା ଖେଳି ପାରି ନଥିଲେ। ଓଭାଲ ଭଳି ପେସ୍‌ ବୋଲିଂକୁ ସୁହାଇଥିବା ପିଚ୍‌ରେ ବୁମ୍ରାଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା। ଭାରତ ମଧ୍ୟ ୨୦୯ରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ହାରି ଯାଇଥିଲା।

୫- ଚାମ୍ପିୟନ୍ସ ଟ୍ରଫି ୨୦୨୫: ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା କରିଥିବା ପ୍ରୋଭିଜନାଲ ସ୍କ୍ୱାଡରେ ବୁମ୍ରାଙ୍କ ନାଁ ରହିଥିଲା। କିନ୍ତୁ ଲୋୟର ବ୍ୟାକ ଇଞ୍ଜୁରୀ(ପିଠିର ତଳ ପାଖରେ ସମସ୍ୟା) ପାଇଁ ଚୂଡ଼ାନ୍ତ ସ୍କ୍ୱାଡରେ ସେ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ସ୍କ୍ୱାଡରେ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଛି। ଏହାର ଅର୍ଥ ଆଇସିସିର ଏହି ବଡ଼ ଇଭେଣ୍ଟରେ ଭାରତ ତା’ର ପ୍ରମୁଖ ଦ୍ରୁତ ବୋଲରଙ୍କ ବିନା ଟ୍ରଫି ପାଇଁ ଟକ୍କର କରିବ।

୬- ଆଙ୍ଗୁଠି ଭାଙ୍ଗିଥିଲା: ୨୦୧୮ ଜୁନ ମାସରେ ବୁମ୍ରା ଆୟର୍ଲ୍ୟାଣ୍ତ ବିପକ୍ଷରେ ଟି-୨୦ ଖେଳୁଥିବା ବେଳେ ତାଙ୍କର ଆଙ୍ଗୁଠି ଭାଙ୍ଗି ଯାଇଥିଲେ। ଏଥିପାଇଁ ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଥିଲେ। 

୭- ବ୍ୟାକ ଷ୍ଟ୍ରେସ ଫ୍ୟାକଚର: ୨୦୧୯ ମସିହା ସେପ୍ଟେମ୍ବର ମାସରେ ବୁମ୍ରାଙ୍କ ଲୋୟର ବ୍ୟାକରେ ଗୋଟିଏ ଷ୍ଟ୍ରେସ ଫ୍ୟାକଚର ଚିହ୍ନଟ ହୋଇଥିଲା। ଏହାପୂର୍ବରୁ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟେଷ୍ଟ ସିରିଜରେ ବୁମ୍ରା ଦମଦାର ପ୍ରଦର୍ଶନ କରିଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ସେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ଖେଳି ପାରି ନଥିଲେ।

୮- ତଳି ପେଟରେ ସମସ୍ୟା: ଅଷ୍ଟ୍ରେଲିଆ ବିପକ୍ଷ ୨୦୨୧ ମସିହା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ସମୟରେ ବୁମ୍ରାଙ୍କ ତଳି ପେଟରେ ସମସ୍ୟା ଦେଖାଯାଇଥିଲା। ଏଥିଯୋଗୁ ସେ ଶେଷ ଟେଷ୍ଟରୁ ବାଦ ପଡ଼ିଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷ ସିରିଜରେ କମବ୍ୟାକ କରିଥିଲେ।

୯- ବ୍ୟାକ ଇଞ୍ଜୁରୀ: ୨୦୨୩ ଜାନୁଆରୀ ମାସରେ ବୁମ୍ରା ବ୍ୟାକ ଇଞ୍ଜୁରୀ ପାଇଁ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳି ପାରି ନଥିଲେ। ସେ ମାର୍ଚ୍ଚ ମାସରେ ସର୍ଜରୀ କରିଥିଲେ ଓ ଅଗଷ୍ଟ ମାସରେ ତାଙ୍କର କମବ୍ୟାକ ହୋଇଥିଲା। ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା।

୧୦- ପିଠି ଯନ୍ତ୍ରଣା: ଅଷ୍ଟ୍ରେଲିଆ ବିପକ୍ଷ ୨୦୨୫ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରେ ବୁମ୍ରା ପିଠି ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ଶେଷ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ବୋଲିଂ କରି ନଥିଲେ। ଏହି ସମସ୍ୟା ଯୋଗୁ ସେ ଚାମ୍ପିୟନ୍ସ ଟ୍ରଫିରୁ ମଧ୍ୟ ବାଦ ପଡ଼ିଛନ୍ତି।

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନୟକ), ଶୁବମନ ଗିଲ(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବୀନ୍ଦ୍ର ଜାଡେଜା ଓ ବରୁଣ ଚକ୍ରବର୍ତ୍ତୀ।

ନନ ଟ୍ରାଭେଲିଂ ସବଷ୍ଟିଚ୍ୟୁଟ: ଯଶସ୍ୱୀ ଜୈସୱାଲ, ମହମ୍ମଦ ସିରାଜ ଓ ଶିବମ ଦୁବେ।

Jasprit Bumrah Champions Trophy