Advertisment

ହତାଶ, ନିରାଶ, ସ୍ୱପ୍ନ ଧୂଳିସାତ୍‌

ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ବିଶ୍ୱକପ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ। କିନ୍ତୁ ଫାଇନାଲରେ ଦଳକୁ ହାରିବାକୁ ପଡ଼ିଛି। ଏଥିସହ ଚଳିତ ବିଶ୍ୱକପରେ ଭାରତର ଅପରାଜେୟ ଧାରାରେ ବ୍ରେକ ଲାଗିଛି।

author-image
Hemant Lenka
ଅଦ୍ୟତନ ହୋଇଛି
India

India

ଚାରିଆଡ଼େ କେବଳ ନିରାଶ ହିଁ ନିରାଶ। ଶୂନଶାନ ହେଲା ପୂରା ଭାରତ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ଆରମ୍ଭ କରି ଓଡ଼ିଶାର ବାଲେଶ୍ୱର ଯାଏ ସବୁଠି ହତାଶର ଚିହ୍ନ। କାରଣ ଅଧା ରହିଗଲା ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ। ଅନେକ ଆଶା ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ରୋହିତ ଶର୍ମା ଆଣ୍ତ କୋ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଓହ୍ଲାଇଥିଲା। ଭାରତ ମାଟିରେ ବିଶ୍ୱ ବିଜେତା ହୋଇ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଥିଲା ଦଳ। 

Advertisment

କିନ୍ତୁ ଟ୍ରାଭିସ ହେଡ୍‌ ଭାରତର ସବୁ ସ୍ୱପ୍ନକୁ ଭାଙ୍ଗି ଚୂରମାର କରି ଦେଇଛନ୍ତି। ବିଶ୍ୱକପର ଫାଇନାଲରେ ସେ ଚମତ୍କାର ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା କରିଛନ୍ତି। ଆଜି ହେଡ୍‌ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୫ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଲାବୁଶେନ ଶେଷ ଯାଏ ୧୧୦ ବଲରେ ୫୮ ରନ କରି ଅପରାଜିତ ରହିଥିଲେ। 

ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ବିଶ୍ୱକପ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ। କିନ୍ତୁ ଫାଇନାଲରେ ଦଳକୁ ହାରିବାକୁ ପଡ଼ିଛି। ଏଥିସହ ଚଳିତ ବିଶ୍ୱକପରେ ଭାରତର ଅପରାଜେୟ ଧାରାରେ ବ୍ରେକ ଲାଗିଛି।

Advertisment

ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପର ଅତି ନିକଟକୁ ଆସି ଭାରତ ନିରାଶ ହୋଇଛି। ୨୦୧୧ରେ ଭାରତ ନିଜ ମାଟିରେ ବିଶ୍ୱକପ ଜିତିଥିଲା। ଏବେ ପୁଣି ଭାରତରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଲାଗୁଥିଲା ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲ ପରାଜୟର ପ୍ରତିଶୋଧ ନେବ ଭାରତ। କିନ୍ତୁ ପ୍ରଥମେ ଅଷ୍ଟ୍ରେଲିଆ ଘାତକ ବୋଲିଂ କରି ଭାରତକୁ ୨୪୦ ରନରେ ଅଲଆଉଟ କରିଦେଇଥିଲା। ଏହାପରେ ବ୍ୟାଟିଂରେ ହେଡ୍‌ କମାଲ କରି ଭାରତକୁ ପରାସ୍ତ କରିଛନ୍ତି।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ପରାଜୟର ମଧୁର ପ୍ରତିଶୋଧ ନେଇଛି। ୨୦୧୫ ବିଶ୍ୱକପ ସେମି ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ସେମି ଫାଇନାଲରୁ ବିଦା କରିଥିଲା। ଏବେ ୨୦୨୩ ବିଶ୍ୱକପରେ କଙ୍ଗାରୁ ଟିମ ଭାରତର ଶିକାର କରିଛି। ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ଓ ୨୦୨୩ରେ ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହୋଇ ନୂଆ ରେକର୍ଡ କରିଛି।

ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରାଇଥିବା ଶତକଧାରୀ ହେଡ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଚଳିତ ବର୍ଷ ବିଶ୍ୱକପରେ ଭାରତ ଏଯାଏ ଅପରାଜେୟ ଥିଲା। ୧୦ ମ୍ୟାଚ୍‌ରୁ ୧୦ ବିଜୟ ସହ ଦଳ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଦଳ ପ୍ରଥମ ପରାଜୟ ବରଣ କରିଛି। ଏହି ପରାଜୟ ଦଳକୁ ମହଙ୍ଗା ମଧ୍ୟ ପଡ଼ିଛି। ଦଳ ବିଶ୍ୱ ବିଜେତା ହେବାରୁ ବଞ୍ଚିତ ହୋଇଛି।

ଭାରତ ୧୨ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିବାରୁ ସବୁଆଡ଼େ ଉତ୍ସାହ ଓ ସେଲିବ୍ରେସନ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ ସେଲିବ୍ରେଟିମାନେ ଆଜି ଷ୍ଟାଡିୟମରେ ଉପସ୍ଥିତ ଥିଲେ। କିନ୍ତୁ ଭାରତୀୟ ଟିମର ପ୍ରଦର୍ଶନରେ ସମସ୍ତେ ନିରାଶ ହୋଇଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ କେଏଲ ରାହୁଲଙ୍କ ୬୬ , ବିରାଟ କୋହଲିଙ୍କ ୫୪ ଓ ରୋହିତ ଶର୍ମାଙ୍କ ୪୭ ରନ ବଳରେ କେବଳ ୨୪୦ ରନ କରିଥିଲା। ୨୪୧ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର ପ୍ରାରମ୍ଭିବ ଝଟକା ଦେଇଥିଲେ। ୪୭ ରନରେ କଙ୍ଗାରୁ ଟିମ ୩ ୱିକେଟ ହରାଇଥିଲା।

ହେଲେ ହେଡ୍‌ ଓ ଲାବୁଶେନ ଭାରତର ସବୁ ସ୍ୱପ୍ନରେ ପାଣି ପକାଇ ଦେଇଥିଲେ। ସେ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟକା କରି ପ୍ରଥମେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବିଶ୍ୱକପ ଫାଇନାଲରେ ଶତକ ହାସଲ କରି ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ତାଙ୍କୁ ଲାବୁଶେନ ପୂରା ସାଥ ଦେଇଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ରୋହିତ ଶର୍ମା ବୋଲିଂ ଏଣ୍ଡରେ ଅନେକ ପରିବର୍ତ୍ତନ କରିଥିଲେ। କିନ୍ତୁ କିଛି ବି ଲାଭ ମିଳି ନଥିଲା। ୩୭ ଓଭର ସୁଦ୍ଧା ହେଡ ଓ ଲାବୁଶେନ ଦଳୀୟ ସ୍କୋରକୁ ୨୦୪ରେ ପହଞ୍ଚାଇ ଅଷ୍ଟ୍ରେଲିଆର ବିଜୟକୁ ଏକ ପ୍ରକାରର ସୁନିଶ୍ଚିତ କରି ଦେଇଥିଲେ। କେବଳ ଔପଚାରିକତା ବାକି ରହିଥିଲା।

ଏହାକୁ ମଧ୍ୟ ହେଡ୍‌ ଓ ଲାବୁଶେନ ପୂରଣ କରିନେଇଛନ୍ତି। ଶେଷ ୬୦ ବଲରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୬ ରନର ଆବଶ୍ୟକ ରହିଥିଲା। ୪୧ତମ ଓଭରରେ ସିରାଜଙ୍କ ଓଭରରେ ଲାବୁଶେନ ଚୌକା ମାରି ବିଜୟକୁ ଆହୁରି ନିକଟତର କରାଇ ଦେଇଥିଲେ। ଅଷ୍ଟ୍ରେଲିଆକୁ ଏହି ଓଭରରେ ୫ ରନ ମିଳିଥିଲା।

Team Indiaବିଜୟ ପରେ ଟିମ ଇଣ୍ଡିଆ

୪୨ ତମ ଓଭରରେ ବୁମ୍ରା ମାତ୍ର ୧ ରନ ଦେଇଥିଲେ। ୪୩ତମ ଓଭରର ପ୍ରଥମ ବଲରେ ସିରାଜଙ୍କ ଠାରୁ ହେଡ ୨ ରନ ଆଦାୟ କରିଥିଲେ। ପରବର୍ତ୍ତୀ ବଲରେ ସେ ଚୌକା ମାରିଥିଲେ। ତୃତୀୟ ବଲରେ ୧ ରନ ନେଇ ଲାବୁଶେନଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଲାବୁଶେନ ୧ ରନ ନେଇ ପୁଣି ହେଡଙ୍କୁ ବ୍ୟାଟିଂ କରିବାକୁ ଦେଇଥିଲେ। ତେବେ ଦଳକୁ ଜିତିବା ପାଇଁ ୨ ରନ ଥିବା ବେଳେ ହେଡ୍‌ ବଡ଼ ଶଟ ମାରିବାକୁ ଯାଇ ଶେଷ ଆଉଟ ହୋଇଥିଲେ। ହେଡ୍‌ ଆଜି ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଛନ୍ତି। କିନ୍ତୁ ଓଭରର ଶେଷ ବଲରେ ମ୍ୟାକ୍ସୱେଲ ୨ ରନ ନେଇ ଅଷ୍ଟ୍ରେଲିଆକୁ ବିଶ୍ୱ ବିଜେତା କରାଇଥିଲେ। ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୪୨ ବଲ ପୂର୍ବରୁ ବିଶ୍ୱକପ ଜିତିଛି। 

India Vs Australia ICC CWC 2023 CWC Final