/odisha-reporter/media/post_attachments/uploads/2021/02/govind-and-subharansu.jpg)
govind-and-subharansu
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣ ପାଇଁ ଚୂଡ଼ାନ୍ତ ଅକ୍ସନ୍ ତାଲିକା ଜାରି ହୋଇଛି। ଚୂଡ଼ାନ୍ତ ତାଲିକାରେ ଦୁଇଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର। ଏହି ଦୁଇ ଖେଳାଳିଙ୍କ ନାଁ ଆସନ୍ତା ୧୮ ତାରିଖରେ ଚେନ୍ନାଇରେ ହେବାକୁଥିବା ଅକ୍ସନରେ ଡକାଯିବ। ଉଭୟ ଖେଳାଳିଙ୍କର ବେସ୍ ପ୍ରାଇସ୍ ୨୦ଲକ୍ଷ ଟଙ୍କା ରହିଛି।
ଏହା ପୂର୍ବରୁ ଓଡ଼ିଶାର ୭ଜଣ ଖେଳାଳି ଆଇପିଏଲ୍ ଅକ୍ସନ୍ ପାଇଁ ରେଜିଷ୍ଟର୍ କରିଥିଲେ। ଏଥିରେ ଗୋବିନ୍ଦ ଓ ଶୁଭ୍ରାଂଶୁଙ୍କ ବ୍ୟତୀତ, ରାଜେଶ ଧୂପର, ଗୌରବ ଚୌଧୁରୀ, ରାଜେଶ ମହାନ୍ତି, ପପୁ ରୟ, ଓ ତରଣୀ ସା। ତେବେ ଚୂଡ଼ାନ୍ତ ତାଲିକାରୁ ବାକି ପାଞ୍ଚ ଖେଳାଳି ବାଦ୍ ପଡ଼ିଛନ୍ତି।
ପୂର୍ବ ଆଇପିଏଲ୍ ଅକ୍ସନ୍ ଗୁଡ଼ିକରେ ବହୁ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ଦଳର ଷ୍ଟାର୍ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବାର ସୁଯୋଗ ପାଇଛନ୍ତି। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳଛନ୍ତି।
ସୂଚନାଯୋଗ୍ୟ, ଫେବୃଆରୀ ୪ ତାରିଖ ସୁଦ୍ଧା ଆଇପିଏଲ୍ ଅକ୍ସନ ପାଇଁ ମୋଟ ୧୧୧୪ ଖେଳାଳି ରେଜିଷ୍ଟର୍ କରିଥିଲେ। ସେଥିମଧ୍ୟରୁ ୨୧ଜଣ କ୍ୟାପଡ୍ ଭାରତୀୟ ଖେଳାଳି, ୧୮୬ ଅନ୍ତର୍ଜାତୀୟ କ୍ୟାପଡ୍ ଖେଳାଳି, ୨୭ଜଣ ଆସୋସିଏଟ୍ ଖେଳାଳିଙ୍କ ସମେତ ୭୪୩ ଅନକ୍ୟାପଡ୍ ଭାରତୀୟ ଓ ୬୮ ଅନକ୍ୟାପଡ୍ ଅନ୍ତର୍ଜାତୀୟ ଖେଳାଳି ରହିଥିଲେ। ଏବେ ଅକ୍ସନ୍ ପାଇଁ ମୋଟ ୨୯୨ ଜଣ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି।
ଅକ୍ସନରେ ଦୁଇ ଭାରତୀୟ ଯଥା ହରଭଜନ ସିଂହ ଓ କେଦାର ଯାଦବଙ୍କ ବ୍ରେସ୍ ପ୍ରାଇସ୍ ସର୍ବାଧିକ ୨ କୋଟି ଟଙ୍କା ରହିଛି। ୮ ବିଦେଶୀ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ୧୨ଜଣ ବିଦେଶୀ ଖେଳାଳିଙ୍କର ବେସ୍ ପ୍ରାଇସ୍ ଦେଢ଼ କୋଟି ଟଙ୍କା ରହିଥିବା ବେଳେ ୨ ଭାରତୀୟ ଓ ୯ ବିଦେଶୀଙ୍କର ବେସ୍ ପ୍ରାଇସ୍ ୧ କୋଟି, ୧୫ ବିଦେଶୀଙ୍କର ୭୫ ଲକ୍ଷ ଏବଂ ୧୩ ଭାରତୀୟ ଓ ୫୨ ବିଦେଶୀଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରହିଛି। ବାକି ଖେଳାଳିମାନଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
