/odisha-reporter/media/post_attachments/uploadimage/library/16_9/16_9_0/Aleem_Dar_1728650226.jpg)
Aleem Dar
ନିକଟରେ ଟେଷ୍ଟ ସହ ଅନ୍ତର୍ଜାତୀୟ କ୍ରିକେଟର ସବୁ ପ୍ରକାରର ଫର୍ମାଟର ଅମ୍ପାୟାରିଂରୁ ଅବସର ନେଇଥିବା ଅଲୀମ ଦାରଙ୍କୁ ନେଇ ଆସିଛି ବଡ଼ ଖବର। ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ଦେଇଛି ଗୁରୁ ଦାୟିତ୍ୱ। ପାକିସ୍ତାନ ଟିମର ଚୟନ ପାଇଁ ବୋର୍ଡ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠନ କରିଥିବା କମିଟିରେ ଦାର ସ୍ଥାନ ପାଇଛନ୍ତି। ଅର୍ଥାତ ସେ ପାକିସ୍ତାନ ଜାତୀୟ ଟିମର ଚୟନରେ ଏବେ ଭାଗ ନେବେ।
ପାକିସ୍ତାନ ଆଜି ଲଜ୍ଜାଜନକ ଭାବେ ଇନିଂସ ଓ ୪୭ ରନରେ ଇଂଲଣ୍ଡ ଠାରୁ ମୁଲତାନରେ ହାରିବା ପରେ ଏପରି ଖବର ସାମ୍ନାକୁ ଆସିଛି। ପୂର୍ବରୁ ଘରୋଇ ମାଟିରେ ବାଂଲାଦେଶ ଠାରୁ ୦-୨ରେ ହାରିଥିବା ପାକିସ୍ତାନ ଏବେ ଇଂଲଣ୍ଡ ବିପକ୍ଷରେ ନିଜର ପରାଜୟର ଧାରା ଜାରି ରଖିଛି।
ଏସବୁ ଭିତରେ ଅମ୍ପାୟାରିଂରୁ ଅବସର ନେଇଥିବା ଅଲୀମ ଦାରଙ୍କୁ ପିସିବି ଚୟନକର୍ତ୍ତା କମିଟିରେ ସାମିଲ କରିଛି। ତାଙ୍କ ବ୍ୟତୀତ ପୂର୍ବତନ ଟେଷ୍ଟ କ୍ରିକେଟର ଅକିବ ଜାଭେଦ ଓ ଆଝାର ଅଲୀଙ୍କ ସମେତ କ୍ରିକେଟ ସମୀକ୍ଷକ ହାସନ ଚୀମା ମଧ୍ୟ ଚୟନ କମିଟିରେ ଅଛନ୍ତି। ଦାର ବିଶ୍ୱର ପ୍ରଥମ ଅମ୍ପାୟାର ଯିଏ ଏପରି ପଦରେ ବୋର୍ଡ ପକ୍ଷରୁ ନିଯୁକ୍ତି ପାଇଛନ୍ତି।
ପୂର୍ବରୁ ପ୍ୟାନେଲରେ ପୂର୍ବତନ ଟେଷ୍ଟ ବ୍ୟାଟର ଅସାଦ ଶଫିକ୍ୟୁ ରହିଛନ୍ତି। ତେବେ କିଛି ଦିନ ପୂର୍ବରୁ ମହମ୍ମଦ ୟୁସୁଫ ଜାତୀୟ ଚୟକ କମିଟିରୁ ଇସ୍ତଫା ଦେଇଥିଲେ। ପିସିବିର କହିବା କଥା ପ୍ୟାନେଲରେ ରହୁଥିବା ସବୁ ସଦସ୍ୟଙ୍କର ଭୋଟିଂ ଅଧିକାର ରହିବ। ସେମାନେ ମିଳିତ ଭାବେ ଖେଳାଳି ଚୟନ କରିବେ।
କିନ୍ତୁ ମୁଖ୍ୟ କୋଚ୍ ଗ୍ୟାରୀ କ୍ରିଷ୍ଟନ ଓ ଜାସନ ଗିଲେସିପ୍ ପୂର୍ବଭଳି କମିଟିରେ ଭୋଟିଂ ଅଧିକାର ପାଇବେ କି ନାହିଁ, ସେସମ୍ପର୍କରେ ପିସିବି କିଛି ବି କହିନାହିଁ।
ନିକଟରେ ଦାର ଅନ୍ତର୍ଜାତୀୟ ଅମ୍ପାୟାରିଂରୁ ଦାର ଅବସର ଘୋଷଣା କରିଥିଲେ। ୫୬ ବର୍ଷୀୟ ଦାର ୨୦ ବର୍ଷରୁ ଅଧିକ ସମୟ ଧରି ଅମ୍ପାୟାରିଂ କରି ଚାଲିଥିଲେ। ସେ ୪୪୮ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ଅମ୍ପାୟାରିଂ କରିଛନ୍ତି।
ଅନ୍ତର୍ଜାତୀୟ ଅମ୍ପାୟାରିଂରୁ ଅବସର ନେଇଥିଲେ ହେଁ ସେ ଏହି ପ୍ରଫେସନକୁ ପାକିସ୍ତାନର ୨୦୨୪-୨୫ ଘରୋଇ ସିଜିନ ପରେ ସଂପୂର୍ଣ୍ଣ ଭାବେ ବାଏବାଏ କହିବେ। ଏହାପୂର୍ବରୁ ତାଙ୍କୁ ସିଲେକ୍ସନ ପ୍ୟାନେଲରେ ସାମିଲ କରାଯାଇଛି।
ଦାର ଆଇସିସି ଏଲିଟ ଓ ଅନ୍ତର୍ଜାତୀୟ ପ୍ୟାନେଲରେ ୨୦୦୩ରୁ ସଦସ୍ୟ ହୋଇ ରହିଥିଲେ। ସେ ୩ ଥର ଆଇସିସି ପକ୍ଷରୁ ଶ୍ରେଷ୍ଠ ଅମ୍ପାୟାରିଂ ପୁରସ୍କାର ମଧ୍ୟ ପାଇଛନ୍ତି।
ତେବେ ଜଣେ ଅମ୍ପାୟାରଙ୍କୁ ଚୟନକର୍ତ୍ତା କମିଟିରେ ରଖିବା ସମସ୍ତଙ୍କୁ ଚକିତ କରିଛି। ପାକିସ୍ତାନ କ୍ରିକେଟ ବୋର୍ଡରୁ ସୋଶାଲ ମିଡିଆରେ ଅନେକ କଟାକ୍ଷ ମଧ୍ୟ କରିବାରେ ଲାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
