Advertisment

ପରାଜୟ ପରେ WTC ପଏଣ୍ଟ ଟେବୁଲର ୩ନଂକୁ ଖସିଲା ଭାରତ, ତଥାପି ଫାଇନାଲ ଆଶା ସରିନି

ଭାରତ ଦୁଇଟି ଯାକ ଇନିଂସରେ ବ୍ୟାଟିଂ ଜରିଆରେ ସମସ୍ତଙ୍କୁ ନିରାଶ କରିଛି। ପ୍ରଥମ ଇନିଂସରେ ୧୮୦ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ କେବଳ ୧୭୫ ରନ କରିଥିଲା।

author-image
Hemant Lenka
Rohit

Rohit

ପର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରିଥିବା ଭାରତୀୟ ଟିମ ପିଙ୍କ ବଲ ଟେଷ୍ଟରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଅଷ୍ଟ୍ରେଲିଆ ଆଡିଲେଡରେ ଭାରତକୁ ୧୦ ୱିକେଟରେ ହରାଇ ବର୍ଡର-ଗାଭାସ୍କର ଟ୍ରଫିକୁ ୧-୧ ସ୍ଥିତିକୁ ଆଣି ଦେଇଛି। ସେହିପରି ଆଡିଲେଡରେ ପିଙ୍କ ବିଲ ଟେଷ୍ଟରେ ନିଜର ୧୦୦% ବିଜୟକୁ କାଏମ ରଖିଛି।

Advertisment

ଭାରତ ଦୁଇଟି ଯାକ ଇନିଂସରେ ବ୍ୟାଟିଂ ଜରିଆରେ ସମସ୍ତଙ୍କୁ ନିରାଶ କରିଛି। ପ୍ରଥମ ଇନିଂସରେ ୧୮୦ ରନ କରିଥିବା ଭାରତ ଦ୍ୱିତୀୟ ଇନିଂସରେ କେବଳ ୧୭୫ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତିବା ପାଇଁ କେବଳ ୧୯ ରନର ଟାର୍ଗେଟ ମିଳିଥିଲା। କାରଣ ପ୍ରଥମ ଇନିଂସରେ କଙ୍ଗାରୁ ଟିମ ୩୩୭ ରନ କରିଥିଲା।

ଅଷ୍ଟ୍ରେଲିଆ ଠାରୁ ୧୦ ୱିକେଟ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭାରତକୁ ବଡ଼ କ୍ଷତି ହୋଇଛି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ୧ନଂ ସ୍ଥାନରେ ଥିବା ଭାରତ ପରାଜୟ ପରେ ସିଧା ତୃତୀୟ ସ୍ଥାନକୁ ଖସି ଆସିଛି। ଏଥିସହ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାକୁ ଆଶା ରଖିଥିବା ଭାରତ ଏବେ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି।

Advertisment

ପର୍ଥ ଟେଷ୍ଟରେ ଭାରତ ଠାରୁ ହାରିବା ପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସି ଯାଇଥିଲା। ହେଲେ ଏବେ ପୁଣି ଥରେ ଦଳ ୧ନଂ ସ୍ଥାନକୁ ଫେରିଛି। ଦକ୍ଷିଣ ଆଫ୍ରିକା ପୂର୍ବଭଳି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫିରେ ଅଷ୍ଟ୍ରେଲିଆ ବିଜୟ ପ୍ରତିଶତ ୬୦.୭୧ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୫୯.୨୬% ବିଜୟ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ବିଜୟ ପ୍ରତିଶତ ୫୭.୨୯କୁ ଖସି ଯାଇଛି। ୪ର୍ଥ ସ୍ଥାନରେ ଥିବା ଶ୍ରୀଲଙ୍କାର ବିଜୟ ପ୍ରତିଶତ ୫୦% ରହିଛି।

ଭାରତ ଏବେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିଲେ ହେଁ ଦଳର ଫାଇନାଲ ଖେଳିବା ଆଶା ମରିନାହିଁ। ଏବେ ବି ବର୍ଡର-ଗାଭାସ୍କର ଟ୍ରଫିରେ ଆହୁରି ୩ଟି ମ୍ୟାଚ୍‌ ବାକି ରହିଛି। ଏହି ମ୍ୟାଗ ଗୁଡ଼ିକରେ ଭାରତକୁ ଯେମିତି ହେଲେ ବି ବିଜୟ ହାସଲ କରିବାକୁ ପଡ଼ିବ।

କେମିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିବ?

୧- ଭାରତ ୪-୧ରେ ଅଷ୍ଟ୍ରେଲିଆକୁ ହରାଇଲେ ରୋହିତ ଶର୍ମା ଆଣ୍ଡ କୋ ବେଶ ସହଜରେ ଫାଇନାଲ ଟିକେଟ ହାତେଇ ପାରିବ। ଏପରି ସ୍ଥିତିରେ ଅଷ୍ଟ୍ରେଲିଆ ଫାଇନାଲ ରେସରୁ ବାଦ ପଡ଼ିବ। ଭାରତକୁ ମଧ୍ୟ ଅନ୍ୟ କୌଣସି ଦଳର ରେଜଲ୍ଟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

୨- ଭାରତ ୩-୧ରେ ଯଦି ଅଷ୍ଟ୍ରେଲିଆକୁ ହରାଉଛି, ତା’ହେଲେ ମଧ୍ୟ ଫାଇନାଲ ଯିବାର ଆଶା ରହିବ। ହେଲେ ଏଥିପାଇଁ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ନ ହାରିବା ଦରକାର। କିନ୍ତୁ ଭାରତ ୩-୧ରେ ଜିତିଲେ ମଧ୍ୟ ଯଦି ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଯିବ, ତା’ହେଲେ ଟିମ ଇଣ୍ଡିଆ ଫାଇନାଲ ରେସରୁ ବାଦ ପଡ଼ିବ। ଶ୍ରୀଲଙ୍କା-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ଡ୍ର ରହିଲେ, ଭାରତ ଫାଇନାଲକୁ ଯାଇ ପାରିବ।

୩- ଭାରତ ୩-୨ରେ ଅଷ୍ଟ୍ରେଲିଆକୁ ଯଦି ବର୍ଡର-ଗାଭାସ୍କର ଟ୍ରଫିରେ ହରାଉଛି, ତା’ହେଲେ ଫାଇନାଲରେ ପହଞ୍ଚିବା ରେସ ଆହୁରି ରୋମାଞ୍ଚକର ହୋଇଯିବ। ଏପରି ସ୍ଥିତିରେ ଭାରତକୁ ଶ୍ରୀଲଙ୍କାର ସହାୟତା ଦରକାର। ଜାନୁଆରୀ ୨୯ରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ସିଂହଳ ଟିମ ଅତି କମରେ ଡ୍ର କରିପାରିଲେ, ଭାରତ ଫାଇନାଲ ଯାଇ ପାରିବ।

୪- ଯଦି ବର୍ଡର-ଗାଭାସ୍କର ଟ୍ରଫି ୨-୨ରେ ଡ୍ର ରହିଲା, ତା’ହେଲେ ଭାରତ ପାଇଁ ଫାଇନାଲରେ ପହଞ୍ଚିବା ଅତି କଷ୍ଟକର ହୋଇପଡ଼ିବ। ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ଶ୍ରୀଲଙ୍କା ଠାରୁ ଜିତିବାକୁ ପଡ଼ିବ ଓ ଅଷ୍ଟ୍ରେଲିଆକୁ ଶ୍ରୀଲଙ୍କା ଠାରୁ ୦-୨ରେ ହାରିବାକୁ ପଡ଼ିବ।

Border-Gavaskar Trophy WTC WTC Final