Advertisment

ଖ୍ୱାଜାଙ୍କ ୧୮୦ ଓ ଗ୍ରୀନଙ୍କ ୧୧୪: ଅଷ୍ଟ୍ରେଲିଆ ୪୮୦ରେ ଅଲଆଉଟ, ଭାରତ ୩୬/୦

ପ୍ରଥମ ଦିନରେ ଉସମାନ ଖ୍ୱାଜା ଶତକ ମାରିଥିବା ବେଳେ ଆଜି ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ତାଙ୍କ ସହ ଅଲରାଉଣ୍ଡର କାମେରନ ଗ୍ରୀନ ଆଜି ନିଜର ଚମକ ଦେଖାଇବା ସହ ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି।

author-image
Hemant Lenka
IND vs AUS

IND vs AUS

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ୪ର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟରମାନେ ନିଜର ଦମ ଦେଖାଇଛନ୍ତି। ପ୍ରଥମ ଦିନରେ ଉସମାନ ଖ୍ୱାଜା ଶତକ ମାରିଥିବା ବେଳେ ଆଜି ମଧ୍ୟ ନିଜର ଜଲୱା ଦେଖାଇଛନ୍ତି। ତାଙ୍କ ସହ ଅଲରାଉଣ୍ଡର କାମେରନ ଗ୍ରୀନ ଆଜି ନିଜର ଚମକ ଦେଖାଇବା ସହ ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ଖ୍ୱାଜାଙ୍କ ୧୮୦ ଓ ଗ୍ରୀନଙ୍କ ୧୧୪ ରନ ବଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୪୮୦ ରନ କରି ଅଲଆଉଟ ହୋଇଛି। ଭାରତ ପକ୍ଷରୁ ରବି ଅଶ୍ୱିନ ସର୍ବାଧିକ ୬ଟି ୱିକେଟ ଦଖଲ କରିଛନ୍ତି।

Advertisment

ଆଜି ଦ୍ୱିତୀୟ ଦିନରେ ଭାରତ ୧୦ ଓଭର ବ୍ୟାଟିଂ କରିବା ସହ ବିନା କୌଣସି ୱିକେଟ ହରାଇ ୩୬ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୭ ଓ ଗିଲ୍‌ ୧୮ ରନ କରି ଅପରାଜିତ ରହିଛନ୍ତି।

ଆଜି ଅଷ୍ଟ୍ରେଲିଆ ଦଳୀୟ ସ୍କୋର ୨୫୫/୪ରୁ ନିଜର ଅଭିଯାନ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟର ଖ୍ୱାଜା ଓ ଗ୍ରୀନ ନିଜର ଦମ ଦେଖାଇବା ସହ ଲଞ୍ଚ ଯାଏ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ଏଥିସହ ଖ୍ୱାଜା ନିଜର ଦେଢ଼ ଶହ ରନ ମଧ୍ୟ ପୂରା କରିଥିଲେ। ୪୯ ରନରୁ ଆଜି ବ୍ୟାଟିଂ ଆରମ୍ଭ କରିଥିବା ଗ୍ରୀନ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଲଞ୍ଚ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୩୪୭ ରନ କରି ନେଇଥିଲା। ଲଞ୍ଚ ପରେ ଗ୍ରୀନ ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ।

Advertisment

ଶତକ ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ୧୧୪ ରନରେ ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ। ଖ୍ୱାଜା(୧୮୦)ଙ୍କୁ ଅକ୍ଷର ପଟେଲ ପ୍ୟାଭିଲିୟନ ପଠାଇଥିଲେ। ଏହାପୂର୍ବରୁ ଅଶ୍ୱିନ ଖାତା ଖୋଲିବା ପୂର୍ବରୁ କାମେରନ ଗ୍ରୀନ ଓ ମିଚେଲ ଷ୍ଟାର୍କ ୬ଙ୍କୁ ଆଉଟ କରିଥିଲେ। ଖ୍ୱାଜା ୮ମ ୱିକେଟ ଭାବେ ଦଳୀୟ ସ୍କୋର ୪୦୯ ଥିବା ବେଳେ ଆଉଟ ହୋଇଥିଲେ।

୯ ୱିକେଟ ପାଇଁ ଟଡ ମର୍ଫୀ(୪୧) ଓ ନାଥନ ଲାୟନ(୩୪) ୭୦ ରନ ଯୋଡ଼ିଥିଲେ। ଅଶ୍ୱିନ ପ୍ରଥମେ ମର୍ଫୀ ଓ ଶେଷରେ ଲାୟନଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଶ୍ୱିନ ଏକାକୀ ୬ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ୨ଟି, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

India India Vs Australia Border-Gavaskar Trophy