୨୦୨୧ର କଥା। କୋଭିଡ-୧୯ ଯୋଗୁ ଚାରିଆଡ଼େ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିହାରର ଜଣେ ୧୦ ବର୍ଷ ବୟସର ପିଲା ତାଙ୍କ ଘରର ଛାତ ଉପରେ ବ୍ୟାଟିଂ ଅଭ୍ୟାସ କରୁଥିଲା। କରୋନା ଯୋଗୁ କ୍ରିକେଟ ଗ୍ରାଉଣ୍ଡ ଖୋଲା ନଥିବା ବେଳେ ବିଧିବଦ୍ଧ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ ନଥିଲା। ହେଲେ ଛୋଟ ପିଲାଟି ନିଜ ଛାତ ଉପରେ ଅଗଣିତ ସମୟ ବ୍ୟାଟିଂ କରିବାରେ ବିତାଇ ନିଜ ଶଟକୁ ଠିକ କରିବାରେ ଲାଗି ପଡ଼ିଥିଲା।
ସ୍ୱପ୍ନ ଥିଲା ପୂରା ବିଶ୍ୱକୁ ନିଜ ବ୍ୟାଟିଂର କଳା ଦେଖାଇବା। ଏବେ ଏହି ସ୍ୱପ୍ନ କିଛି ମାତ୍ରାରେ ସତ ହୋଇଛି। ୨୦୨୧ରେ ମାତ୍ର ୧୦ ବର୍ଷ ବୟସର ହୋଇଥିବା ପିଲାଟି ଆଜି ଆଇପିଏଲରେ ଚହଳ ସୃଷ୍ଟି କରିଛନ୍ତି। ଆଉ ସେହି ପିଲା ଜଣଙ୍କ ହେଉଛନ୍ତି ୧୪ ବର୍ଷୀୟ ବୈଭବ ସ୍ୱର୍ଯ୍ୟବଂଶୀ। ସେ ଏବେ ୱଣ୍ଡର ବୟ ବୈଭବ ସୂର୍ଯ୍ୟବଂଶୀ। ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା।
ଆଇପିଏଲ ଇତିହାସରେ ସେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରି ରେକର୍ଡ କରିଥିଲେ। କିନ୍ତୁ ନିଜର ତୃତୀୟ ମ୍ୟାଚ୍ରେ ସେ ଆଇପିଏଲରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏକଦା ଛାତ ଉପରେ ଟ୍ରେନିଂ ନେଉଥିବା ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ନିଜ ଖେଳ ମାଧ୍ୟମରେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ଆହୁରି ମଜବୁତ କରିଛନ୍ତି। ସେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରେକର୍ଡ ବ୍ରେକିଂ ୩୫ ବଲରେ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
ସୋମବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ କ୍ରିକେଟରେ ଦବଦବା ସୃଷ୍ଟି କରିଥିବା ମହମ୍ମଦ ସିରାଜ, ରାଶିଦ ଖାନ, ୱାଶିଂଟନ ସୁନ୍ଦର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କ୍ଲବ ବୋଲରଙ୍କ ଭଳି ଧୂଲେଇ କରିଥିଲେ। ଏଥିସହ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।
କ୍ରିସ ଗେଲ ୩୦ ବଲରେ ଶତକ ହାସଲ କରିଥିବା ବେଳେ ସୂର୍ଯ୍ୟବଂଶୀ ୩୫ ବଲରେ ଶତକ ମାରିଛନ୍ତି। ସେ ଆଇପିଏଲ ଇତିହାସର ଦ୍ୱିତୀୟ ଦ୍ରୁତତମ ବ୍ୟାଟର ହୋଇଥିବା ବେଳେ ଭାରତୀୟଙ୍କ ମଧ୍ୟରେ ପ୍ରଥମ। ତାଙ୍କ ପୂର୍ବରୁ ୟୁସୁଫ ପଠାନ ୩୭ ବଲରେ ଶତକ ମାରିଥିଲେ। ସେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟଙ୍କ ତାଲିକାରେ ୧ନଂରେ ରହିଥିଲେ। କିନ୍ତୁ ତାଙ୍କୁ ସୂର୍ଯ୍ୟବଂଶୀ ପଛରେ ପକାଇ ଦେଇଛନ୍ତି। ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ କ୍ରିକେଟର ନୂଆ ତାରକା ହେବାର ସଙ୍କେତ ଦେଇଛନ୍ତି।
ବୈଭବ ସୂର୍ଯ୍ୟବଂଶୀ ନିଜ କ୍ରିକେଟ କ୍ୟାରିୟରକୁ ଆଗକୁ ନେବା ପାଇଁ ଆପଣାଇଥିବା ରାସ୍ତା ସମ୍ପର୍କରେ ମଧ୍ୟ ସମସ୍ତେ ଜାଣିବା ଦରକାର। କ୍ରିକେଟ ଖେଳ ଆରମ୍ଭ କରିବା ବେଳେ ସୂର୍ଯ୍ୟବଂଶୀ କୌଣସି ପ୍ରକାରର ଅତ୍ୟାଧୁନିକ ଟ୍ରେନିଂ କିମ୍ବା ଖ୍ୟାତନାମା ଏକାଡେମୀର ସୁବିଧା ପାଇ ନଥିଲେ। ଘରର ଛାତ ଉପରେ ବୈଭବ ସୂର୍ଯ୍ୟବଂଶୀ କରିଥିବା ଅଭ୍ୟାସ ତାଙ୍କ ବିସ୍ଫୋରକ ବ୍ୟାଟିଂର ମୂଳଦୁଆ ପକାଇଥିଲା। ଛାତ ଉପରେ ସେ କରୁଥିବା ବ୍ୟାଟିଂ ଅଭ୍ୟାସର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସେତେବେଳେ ତାଙ୍କୁ ୧୦ ବର୍ଷ ବୟସ ହୋଇଥିଲା।
ସୂର୍ଯ୍ୟବଂଶୀ ଭାଙ୍ଗିଥିବା ରେକର୍ଡ
ଗୁଜରାଟ ବିପକ୍ଷରେ ୧୦୧ର ଇନିଂସ ଖେଳିଥିବା ସୂର୍ଯ୍ୟବଂଶୀ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ସେ ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ଶତକ ମାରିଛନ୍ତି। ସେ ୧୪ ବର୍ଷ ୩୨ ଦିନ ବୟସରେ ଶତକ ହାସଲ କରିଛନ୍ତି। ଏହାପୂର୍ବରୁ ୨୦୦୯ରେ ଆରସିବି ପାଇଁ ଖେଳୁଥିବା ମନୀଷ ପାଣ୍ଡେ ସର୍ବ କନିଷ୍ଠ ଖେଳାଳି ଭାବେ ଡେକାନ ଚାର୍ଜର୍ସ ବିପକ୍ଷରେ ଶତକ ମାରିଥିଲେ। ତାଙ୍କୁ ସେତେବେଳେ ୧୯ ବର୍ଷ ୨୫୩ ଦିନ ବୟସ ହୋଇଥିଲା।
ସୂର୍ଯ୍ୟବଂଶୀ ଟି-୨୦ରେ ଥିବା ବିରାଟ ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ବିଶ୍ୱ ଟି-୨୦ରେ ସେ ଏବେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିଛନ୍ତି। ଏହି ରେକର୍ଡ ମହାରାଷ୍ଟ୍ରର ବିଜୟ ଜୋଲଙ୍କ ନାଁରେ ଥିଲା। ସେ ୨୦୧୩ରେ ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଟି-୨୦ କ୍ରିକେଟରେ ସବୁଠାରୁ କମ ବୟସରେ ଶତକ ମାରିଥିଲେ। ବିଜୟ ୧୮ ବର୍ଷ ୧୧୮ ଦିନ ବୟସରେ ଟି-୨୦ରେ ଶତକ ହାସଲ କରିଥିଲେ।
ସୂର୍ଯ୍ୟବଂଶୀ ରାଜସ୍ଥାନ ରୟାଲ୍ସର ୪ ଓଭରରେ ଈଶାନ୍ତ ଶର୍ମାଙ୍କୁ ସାମ୍ନା କରିଥିଲେ। କିନ୍ତୁ ତାଙ୍କ ଓଭରରୁ ସେ ୨୮ ରନ ଆଦାୟ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏହା ମଧ୍ୟରେ ୩ଟି ଛକା ଓ ୨ଟି ଚୌକା ରହିଥିଲା। ୧୦ମ ଓଭରରେ ଆଫଗାନ ବୋଲର କରିମ ଜନତଙ୍କ ଠାରୁ ସୂର୍ଯ୍ୟବଂଶୀ ୩୦ ରନ ଆଦାୟ କରିଥିଲେ। ମାତ୍ର ୧୭ ବଲରେ ସେ ୫୦ ରନ ପୂରଣ କରିବା ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ଶେଷରେ ରାଶିଦ ଖାନଙ୍କୁ ଛକା ମାରି ୩୫ ବଲରେ ନିଜର ଶତକ ପୂରଣ କରିଥିଲେ।
ଏହାପୂର୍ବରୁ ସୂର୍ଯ୍ୟବଂଶୀ ସର୍ବ କନିଷ୍ଠ ଖେଳାଳି ଭାବେ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ନବିଙ୍କ ପୁଅ ହାସନ ଇସାଖିଲଙ୍କ ନାଁରେ ଥିଲା।
ସେ ୨୦୨୨ରେ ଆଫଗାନର ଘରୋଇ ଲିଗରେ ଏପରି ରେକର୍ଡ କରିଥିଲେ। ଅର୍ଦ୍ଧଶତକ ମାରିବା ବେଳେ ଇସାଖିଲିଙ୍କ ବୟସ ୧୮ ବର୍ଷ ୩୬୦ ଦିନ ଥିଲା। ସୂର୍ଯ୍ୟବଂଶୀ ୩୮ ବଲରେ ୧୦୧ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହେବା ପରେ ସମସ୍ତେ ତାଙ୍କୁ କର ତାଳି ଦେଇ ପ୍ରଶଂସା କରିଥିଲେ।
ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ କ୍ୟାରିୟର
ବୈଭବ ୨୦୨୪ ଅକ୍ଟୋବରେ ବେଶ ଚର୍ଚ୍ଚାକୁ ଆସିଥିଲେ। ସେ ଅଷ୍ଟ୍ରେଲିଆ ଅଣ୍ଡର ୧୯ ଟିମ ବିପକ୍ଷରେ ଭାରତ ପାଇଁ ୬୨ ବଲରେ ବିସ୍ଫୋରକ ୧୦୪ ରନର ଇନିଂସ ଖେଳିଥିଲେ। ଏଥିସହ ଅଣ୍ଡର-୧୯ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଥିଲେ। ମାତ୍ର ୫୮ଟି ବଲରୁ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ଏହି ଇନିଂସରେ ସେ ୧୪ଟି ଚୌକା ଓ ୪ଟି ଛକା ମାରିଥିଲେ। ୨୦୨୪ ମସିହା ଜାନୁଆରୀ ବୈଭବ ୪ର୍ଥ ସର୍ବକନିଷ୍ଠ ଭାରତୀୟ ଭାବେ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ଡେବ୍ୟୁ କରିଥିଲେ। ୧୨ ବର୍ଷ ୨୮୪ ଦିନ ବୟସରେ ସେ ରଣଜୀ ଟ୍ରଫି ଖେଳିଥିଲେ। ଶାମସ ମୁଲାନିଙ୍କ ମୁମ୍ବାଇ ବିପକ୍ଷରେ ତାଙ୍କର ଡେବ୍ୟୁ ହୋଇଥିଲା।
କୁଚ ବେହାର ଟ୍ରଫିର ୨୦୨୩ ସଂସ୍କରଣରେ ସେ ବିହାର ପାଇଁ ଖେଳିଥିଲେ ଓ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ୧୨୮ ବଲରେ ୧୫୧ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ବୈଭବ ୨୨ଟି ଚୌକା ଓ ୩ଟି ଛକା ମାରିଥିଲେ। ସମାନ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ସେ ୭୬ ରନ କରିଥିଲେ। ୪ଟି ଟିମକୁ ନେଇ ଅନୁଷ୍ଠିତ ଅଣ୍ଡର ୧୯ ସିରିଜରେ ମଧ୍ୟ ବୈଭବ ନଜର ଆସିଥିଲେ। ସେ ଯଥାକ୍ରମେ ୫୩, ୭୪, ୦,୪୧ ଓ ୦ କରିଥିଲେ। ଇଣ୍ଡିଆ ଅଣ୍ଡର ୧୯ ଏ, ଇଣ୍ଡିଆ ଅଣ୍ଡର ୧୯ ବି, ଇଂଲଣ୍ଡ ୧୯ ଓ ବାଂଲାଦେଶ ଅଣ୍ଡର ୧୯କୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା।
ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ସହ ବୈଭବ ଆଇପିଏଲର ମେଗା ଅକ୍ସନକୁ ଆସିଥିଲେ। ଦିଲ୍ଲୀ ପକ୍ଷରୁ ତାଙ୍କ ପାଇଁ ବିଡ ଆରମ୍ଭ ହୋଇଥିଲା। ଏହାପରେ ଏଥିରେ ରାଜସ୍ଥାନ ସାମିଲ ହୋଇଥିଲେ। ଉଭୟ ଦଳ ୧ କୋଟି ଯାଏ ବିଡ ଡାକିଥିଲେ। ଦାମ ୧ କୋଟି ୧୦ ଲକ୍ଷ ହୋଇଯିବା ଦିଲ୍ଲୀ ରେସରୁ ଓହରି ଯାଇଥିଲା। ଶେଷରେ ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଥିଲା। ରାଜସ୍ଥାନ ରୟାଲ୍ସର ନିୟମିତ ଅଧିନାୟକ ସଞ୍ଜୁ ସାମସନ ଆହତ ହେବାରୁ ତାଙ୍କୁ ଲକ୍ଷ୍ନୌ ବିପକ୍ଷରେ ଡେବ୍ୟୁ କରିବାକୁ ମିଳିଥିଲା। ସେ ପ୍ରଥମେ ମ୍ୟାଚ୍ରେ ୩୪ ଓ ଦ୍ୱିତୀୟ ମ୍ୟାଚ୍ରେ ଆରସିବି ବିପକ୍ଷରେ ୧୬ ରନ କରିଥିଲେ। କିନ୍ତୁ ଗୁଜରାଟ ବିପକ୍ଷ ତୃତୀୟ ମ୍ୟାଚ୍ରେ ସେ ବିସ୍ଫୋରକ ଶତକ ହାସଲ କରିଛନ୍ତି।
A 10 yr old Vaibhav Sooryavanshi practicing on his terrace during the lockdown in 2021
— Vinesh Prabhu (@vlp1994) April 28, 2025
4 years later, becomes the second fastest IPL centurion ❤️🙏#IPL2025 pic.twitter.com/fGdNMGyskA
ବିହାରର ତାଜପୁର ଗାଁରେ ୨୦୧୧ ମସିହାରେ ବୈଭବଙ୍କ ଜନ୍ମ। ମାତ୍ର ଚାରି ବର୍ଷ ବୟସରେ ବୈଭବ ବ୍ୟାଟ୍ ଉଠାଇଥିଲେ। ଅଳ୍ପ ବୟସରେ କ୍ରିକେଟ୍ ପ୍ରତି ପୁଅର ଅସୀମ ଆଗ୍ରହକୁ ଅନୁଭବ କରିପାରିଥିଲେ ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ। ପୁଅ ଖେଳିବା ପାଇଁ ଏକ ସ୍ୱତନ୍ତ୍ର ପିଚ୍ ନିର୍ମାଣ କରିଥିଲେ। ଚାରି ବର୍ଷ ପରେ ତାଙ୍କୁ ସମସ୍ତିପୁର କ୍ରିକେଟ୍ ଏକାଡେମୀରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଦୁଇ ବର୍ଷ ତାଲିମ ନେବା ପରେ ସେ ଅଣ୍ଡର-୧୬ ଦଳରେ ଯୋଗ ଦେଇଥିଲେ। ସେତେବେଳେ ବୈଭବଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିଲା। ସେହି ବୟସରେ ସେ ବିହାରର ସମସ୍ତ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତିଥିଲେ। ଏହାପରେ ଭିନୋ ମଙ୍କଡ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୈଭବ। ଯାହା ବିହାର କ୍ରିକେଟ୍ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥିଲା। ତେଣୁ ସେ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ।
କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପରେ ସେ ଟିମ୍ ଇଣ୍ଡିଆର ଅଣ୍ଡର-୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। ସେ ବର୍ତ୍ତମାନ ରଣଜୀ ୨୦୨୪-୨୫ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ବାମହାତୀ ବ୍ୟାଟର ବୈଭବଙ୍କର ବିଶେଷତ୍ୱ ହେଉଛି ଆକ୍ରମଣାତ୍ମକ ଖେଳିବା। ସେ ବଡ଼ବଡ଼ ଶଟ ମାରିବାରେ ବେଶ ମାହିର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।