ଅଣ୍ଡର ୧୯ ଟେଷ୍ଟରେ ଚମକିଛନ୍ତି ଭାରତର ୧୩ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ସେ ଅଣ୍ଡର ୧୯ ଟେଷ୍ଟରେ ଦ୍ରୁତତମ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବନି ଯାଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବର ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର-୧୯ ଟେଷ୍ଟରେ ସେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି।
ବିହାର ପାଇଁ ଖେଳୁଥିବା ସୂର୍ଯ୍ୟବଂଶୀ ୫୮ ବଲରେ ଶତକ ହାସଲ କରିଛନ୍ତି। ସେ ପ୍ରଥମଥର ପାଇଁ ଭାରତକୁ ଅଣ୍ଡର ୧୯ରେ ନାଲି ବଲରେ ପ୍ରତିନିଧିତ୍ୱ କରୁଥିବା ବେଳେ ଶତକ ହାସଲ କରି ନିଜ ଜଲୱା ଦେଖାଇଛନ୍ତି।
ସୂର୍ଯ୍ୟବଂଶୀ ଅଣ୍ଡର ୧୯ରେ ଶତକ ହାସଲ କରିବାରେ ଦ୍ରୁତମତ ଭାରତୀୟ ହୋଇଥିଲେ ହେଁ ବିଶ୍ୱରେ ଦ୍ୱିତୀୟ। କାରଣ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀ ୨୦୦୫ରେ ଅଣ୍ଡର ୧୯ କ୍ରିକେଟରେ ମାତ୍ର ୫୬ ବଲରେ ଶତକ ହାସଲ କରିଥିଲେ। ଏବେ ସୂର୍ଯ୍ୟବଂଶୀ ୫୮ ବଲରେ ଶତକ ହାସଲ କରିଛନ୍ତି।
ସେ ତାଙ୍କ ଇନିଂସରେ ୧୪ଟି ଚୌକା ଓ ୪ଟି ଛକା ମାରିଛନ୍ତି। ତେବେ ୬୨ ବଲରେ ସୂର୍ଯ୍ୟବଂଶୀ ୧୦୪ ରନ କରି ଖେଳୁଥିବା ବେଳେ ରନ ଆଉଟ ହୋଇଯାଇଥିଲେ।
ଅଣ୍ଡର ୧୯ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୯୩ ରନ କରିଥିବା ବେଳେ ଭାରତ ଏହାର ଦୃଢ଼ ଜବାବ ଦେଇଛି। ସୂର୍ଯ୍ୟବଂଶୀ ଏକାକୀ ୧୦୪ ରନର ଇନିଂସ ଖେଳିଛନ୍ତି।
ଏହାପୂର୍ବରୁ ମାତ୍ର ୧୨ ବର୍ଷ ବୟସରେ ସେ ବିହାର ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିଲେ। ସେ ଡେବ୍ୟୁ କରି ସଚିନ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ରେକର୍ଡକୁ ଭାଙ୍ଗିଥିଲେ। ସେ ଘରୋଇ ପ୍ରଥମ ଶ୍ରେଶୀ କ୍ରିକେଟରେ ଡେବ୍ୟୁ କରିବାରେ ଦେଶର ସର୍ବକନିଷ୍ଠ ଖେଳାଳି ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।