Advertisment

ସଚିନଙ୍କ ‘୧୦୦ ଶତକ’ ରେକର୍ଡ ଭାଙ୍ଗିବା ବିରାଟଙ୍କ ପାଇଁ ବହୁତ କଷ୍ଟକର ହେବ: ଲାରା

ବୟସ କାହାକୁ ଅପେକ୍ଷା କରେ ନାହିଁ। କୋହଲି ଆହୁରି ବହୁତ ରେକର୍ଡ ଭାଙ୍ଗିବେ। କିନ୍ତୁ ୧୦୦ଟି ଶତକ କଷ୍ଟକର ଲାଗୁଛି ବୋଲି କହିଛନ୍ତି ଲାରା।

author-image
Jitendra Garnayak
Lara, Sachin and Virat

Lara, Sachin and Virat

ଦିନିକିଆରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକ ରେକର୍ଡକୁ ଗତ ବିଶ୍ୱକପରେ ଭାଙ୍ଗିଛନ୍ତି ବିରାଟ କୋହଲି। ଦିନିକିଆରେ ୫୦ଟି ଶତକ ହାସଲ କରିବାର ରେକର୍ଡ ବିରାଟଙ୍କ ନାଁରେ ଯୋଡ଼ି ହୋଇଛି। ଏବେ ତାଙ୍କ ଲକ୍ଷ୍ୟ ସଚିନଙ୍କ ଶହେ ଶତକ (ଦିନିକିଆ ଓ ଟେଷ୍ଟରେ ମିଶି ସଚିନ ୧୦୦ଟି ଶତକ କରିଛନ୍ତି) ରେକର୍ଡ ଭାଙ୍ଗି ଉପରେ ରହିଛି ବୋଲି କୁହାଯାଉଛି। ତେବେ ସଚିନଙ୍କ ଶହେ ଶତକ ରେକର୍ଡକୁ ଭାଙ୍ଗିବା ବିରାଟଙ୍କ ପାଇଁ ସହଜ ହେବ ନାହିଁ ବୋଲି କହିଛନ୍ତି ଅନ୍ୟତମ ମହାନ କ୍ରିକେଟର ବ୍ରାଏନ ଲାରା।

Advertisment

ସେ କହିଛନ୍ତି, ବିରାଟଙ୍କୁ ଏବେ କେତେ ବୟସ ହୋଇଛି? ୩୫, ଠିକ୍। ସେ ୮୦ଟି ଶତକ କରିଛନ୍ତି। ତାଙ୍କୁ ଆହୁରି ୨୦ଟି ଶତକ କରିବାକୁ ହେବ। ଯଦି ସେ ପ୍ରତିବର୍ଷ ୫ଟି ଲେଖାଏଁ ଶତକ ମାରିବେ, ତା’ହେଲେ ଆଉ ୪ ବର୍ଷ ପରେ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେବେ। ସେତେବେଳକୁ ବିରାଟ କୋହଲିଙ୍କୁ ୩୯ ବର୍ଷ ହୋଇଯାଇଥିବ। କଷ୍ଟକର କାମ। ବହୁତ କଷ୍ଟକର କାମ।

ଲାରା କହିଛନ୍ତି, ନିର୍ଦ୍ଦିଷ୍ଟ ଭାବେ କିଛି କହିପାରିବିନି, କେହି ବି କହିପାରିବେ ନାହିଁ। ଯେଉଁମାନେ କହୁଛନ୍ତି, ସେମାନେ କ୍ରିକେଟର ସାଧାରଣ ଜ୍ଞାନର ଉପଯୋଗ କରୁ ନାହାନ୍ତି। ୨୦ଟି ଶତକ ବହୁତ ବଡ଼ କଥା। ଅଧିକାଂଶ କ୍ରିକେଟର ସେମାନଙ୍କ କ୍ୟାରିୟରରେ ୨୦ଟି ଶତକ କରିପାରି ନାହାନ୍ତି। ମୁଁ ଦୁଃସାହାସ କରି କୋହଲି ଏହା କରିପାରିବେ ବୋଲି କହିବି ନାହିଁ।

Advertisment

ବୟସ କାହାକୁ ଅପେକ୍ଷା କରେ ନାହିଁ। କୋହଲି ଆହୁରି ବହୁତ ରେକର୍ଡ ଭାଙ୍ଗିବେ। କିନ୍ତୁ ୧୦୦ଟି ଶତକ କଷ୍ଟକର ଲାଗୁଛି ବୋଲି କହିଛନ୍ତି ଲାରା।

ସେ କହିଛନ୍ତି, କେବଳ କୋହଲି ସଚିନଙ୍କ ରେକର୍ଡର ପାଖାପାଖି ହୋଇପାରିବେ। ମୁଁ ତାଙ୍କର ଶୃଙ୍ଖଳା ଓ ନିଷ୍ଠାର ଜଣେ ବଡ଼ ଫ୍ୟାନ୍‌। ସେ ତାଙ୍କର ସବୁ କିଛି ଦେଇ ମ୍ୟାଚ୍ ପାଇଁ ପ୍ରସ୍ତୁତି କରନ୍ତି। ଆପଣ କେମିତି ତାଙ୍କର ଫ୍ୟାନ୍ ନହେବେ? ତାଙ୍କ ପାଇଁ ମୋର ଶୁଭେଚ୍ଛା ସବୁବେଳେ ରହିଛି। ଯଦି ସେ ତେନ୍ଦୁଲକରଙ୍କ ଭଳି ୧୦୦ଟି ଶତକ ମାରିବେ, ତା’ହେଲେ ମୁଁ ବହୁତ ଖୁସି ହେବି। ସଚିନ ମୋର ଜଣେ ଘନିଷ୍ଠ ବନ୍ଧୁ। ପୂର୍ବରୁ ବି ଏ କଥା ମୁଁ କହି ସାରିଛି। ମୁଁ କୋହଲିଙ୍କର ବି ବଡ଼ ଫ୍ୟାନ୍‌।

ସଚିନ ତେନ୍ଦୁଲକର ୪୬୩ଟି ଦିନିକିଆରୁ ୪୯ଟି ଶତକ କରିଥିବା ବେଳେ ୨୦୦ଟି ଟେଷ୍ଟ ଖେଳି ୫୧ଟି ଶତକ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ୨୯୨ଟି ଦିନିକିଆ ମ୍ୟାଚ୍‌ରୁ ୫୦ଟି ଶତକ କରିଥିବା ବେଳେ ୧୧୧ଟି ଟେଷ୍ଟରୁ ୨୯ଟି ଶତକ କରିଛନ୍ତି। ସେହିପରି ସେ ଟିଟ୍ୱେଣ୍ଟିରେ ଗୋଟିଏ ଶତକ କରିଛନ୍ତି। ଏହିପରି ଭାବେ ବିରାଟ ଅନ୍ତର୍ଜାତୀୟ କ୍ରିକେଟର ତିନିଟି ଫର୍ମାଟରେ ମିଶି ଏଯାବତ ୮୦ଟି ଶତକ ମାରିଛନ୍ତି।

Virat Kohli Sachin Tendulkar Brian Lara