Advertisment

Ranji Trophy: ରଣଜୀ ଟ୍ରଫି: ପୁଣି ଓଡ଼ିଶାର ଲଜ୍ଜାଜନକ ପରାଜୟ

ନାଗପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ବୋଲରମାନେ ଆଶାତୀତ ଭଲ ପ୍ରଦର୍ଶନ କରିଥିଲେ ହେଁ ବ୍ୟାଟରମାନେ ପୁଣି ନିରାଶ କରିଛନ୍ତି। ଏଥିଯୋଗୁ ଓଡ଼ିଶାକୁ ୧୦୦ ରନରେ ହାରିବାକୁ ପଡ଼ିଛି।

author-image
Hemant Lenka
Ranji-Trophy

ରଣଜୀ ଟ୍ରଫି

ଚଳିତ ରଣଜୀ(Ranji Trophy) ଋତୁରେ ଓଡ଼ିଶା ଟିମର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ଘରୋଇ ମାଟିରେ ଡବଲ ପରାଜୟ ପରେ ଏବେ ନାଗପୁରରେ ମଧ୍ୟ ସମଦଶା ଭୋଗିଛି ଶୁଭ୍ରାଂଶୁ ସେନାପତିଙ୍କ ଟିମ। ଓଡ଼ିଶାକୁ ଏକତରଫା ଭାବେ ୧୦୦ ରନରେ ହରାଇ ଦେଇଛି ବିଦର୍ଭ।

Advertisment

ନାଗପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ବୋଲରମାନେ ଆଶାତୀତ ଭଲ ପ୍ରଦର୍ଶନ କରିଥିଲେ ହେଁ ବ୍ୟାଟରମାନେ ପୁଣି ନିରାଶ କରିଛନ୍ତି। ଏଥିଯୋଗୁ ଓଡ଼ିଶାକୁ ୧୦୦ ରନରେ ହାରିବାକୁ ପଡ଼ିଛି। 

ରଣଜୀ ଚାମ୍ପିୟନ ବିଦର୍ଭ ବିପକ୍ଷରେ ବିଜୟୀ ହେବାକୁ ଓଡ଼ିଶାକୁ ୩୪୫ ରନ୍‌ର ଲକ୍ଷ୍ୟ ମିଳିଥିଲା। ଏହାକୁ ପିଛା କରି ଓଡ଼ିଶା ଟିମ ୨୪୪ ରନରେ ଅଲଆଉଟ ହୋଇ ଯାଇଛି। ‌ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା କୌଣସି ୱିକେଟ୍ ନ ହରାଇ ୪୪ ରନ୍ କରିଥିଲା। ଆଜି ଦଳ ବିଜୟ ଠାରୁ ୩୦୧ ରନ ଦୂରରେ ଥିବା ବେଳେ ହାତରେ ୧୦ ୱିକେଟ ରହିଥିଲା। 

Advertisment

ଦଳ ପାଇଁ ସ୍ୱସ୍ତିକ ସାମଲ (୬୫ ରନ) ଓ ଗୌରବ ଚୌଧୁରୀ (୪୭ ରନ) ପ୍ରଥମ ୱିକେଟ ପାଇଁ ୧୦୦ ରନ ମଧ୍ୟ ଯୋଡ଼ିଥିଲେ। ହେଲେ ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋବିନ୍ଦ ପୋଦ୍ଦାର କିଛି ସମୟ ପାଇଁ ଲଢ଼େଇ କରି ୪୬ ରନ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଶେଷରେ ପୂରା ଟିମ ୨୪୪ ରନରେ ଅଲଆଉଟ ହୋଇ ଯାଇଥିଲା। 

ବିଦର୍ଭ ପାଇଁ ଦ୍ୱିତୀୟ ଇନିଂସରେ ପାର୍ଥ ରିଖେଡ ସର୍ବାଧିକ ୫ ୱିକଟ ନେଇଥିବା ବେଳେ ପ୍ରଫୁଲ ହିଙ୍ଗେଲ ୩ଟି ଓ ନଚିକେତ ଗୋଟିଏ ସଫଳତା ପାଇଛନ୍ତି। ରାଜେଶ ଧୂପର ରନ ଆଉଟ ହୋଇଛନ୍ତି। 

ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଓଡ଼ିଶା ପ୍ରଥମ ଇଂନିସରେ ବିଦର୍ଭକୁ ୨୮୬ ରନରେ ରୋକି ଦେଇଥିଲା। ଦଳ ପକ୍ଷରୁ ଧ୍ରୁବ ସୋରୀ ୧୪୪ ରନର ଇନିଂସ ଖେଳିଥିଲେ। ଓଡ଼ିଶା ପକ୍ଷରୁ ସମ୍ବିତ ବରାଳ ୩, ବାଦଲ ବିଶ୍ୱାଳ ଓ ରାଜେଶ ମହାନ୍ତି ୨ଟି ଲେଖାଏ, ତାପସ ଦାସ ଓ ଜାମଲା ଭଞ୍ଜନ ମହାପାତ୍ର ଗୋଟିଏ ଲେଖାଏ ୱିକେଟ ପାଇଥିଲେ। 

ଲାଗୁଥିଲା ଓଡ଼ିଶା ବ୍ୟାଟିଂ ଭଲ କରିବ। କିନ୍ତୁ ଦଳ ପ୍ରଥମ ଇନିଂସରେ ମାତ୍ର ୧୬୦ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ୪୧, ସମ୍ବିତ ବରାଳ ୨୯ ଓ ଗୌରବ‌ ଚୌଧୁରୀ ୨୪ ରନ କରିଥିଲେ। ବିଦର୍ଭ ପାଇଁ ଗୌରବ ଫର୍ଦେ ୪ ଓ  ପାର୍ଥ ରିଖେଡ ୩ଟି ୱିକେଟ ନେଇଥିଲେ। 

ବିଦର୍ଭ ଦ୍ୱିତୀୟ ପାଳିରେ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲା। ଅମନ ମୋଖାଡେ ଅପରାଜିତ ୧୦୧ ଓ ଧ୍ରୁବ ସୋରୀ ୧୦୧ କରିବାରୁ ବିଦର୍ଭ ୨ ୱିକେଟ ହରାଇ ୨୧୮ କରିବା ପରେ ପାଳି ଘୋଷଣା କରିଥିଲା। ଫଳରେ ଓଡ଼ିଶାକୁ ୩୪୫ ରନର ବିଜୟ ଟାର୍ଗେଟ ମିଳିଥିଲା। କିନ୍ତୁ ଓଡ଼ିଶା ୨୪୪ ରନରେ ଅଲଆଉଟ ହୋଇଯାଇଛି।

ଏହାପୂର୍ବରୁ ଦଳ ବାରବାଟୀ ଷ୍ଟାଡିୟମରେ ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନରେ ହାରିଥିଲା। ସେହିପରି ଚଳିତ ରଣଜୀ ଋତୁର ପ୍ରଥମ ମ୍ୟାଚ ଦଳ ବାରବାଟୀରେ ଖେଳୁଥିଲେ ହେଁ ବରୋଦା ଠାରୁ ୭ ୱିକେଟରେ ହାରି ଯାଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଉତ୍ତର ପ୍ରଦେଶ ସହ ହୋଇଥିଲା। ଏହି ମ୍ୟାଚ୍‌ ଡ୍ର ରହିଥିଲେ ହେଁ ଉତ୍ତର ପ୍ରଦେଶ ପ୍ରଥମ ଇନିଂସର ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଓ ଓଡ଼ିଶା ୧ ପଏଣ୍ଟ ପାଇଥିଲା। 

Ranji Trophy