Advertisment

ବିନୋଦ କାମ୍ବଲିଙ୍କୁ କିଏ ଓ କାହିଁକି ମାସକୁ ଦେବ ୩୦ ହଜାର ଟଙ୍କା?

କାମ୍ବଲିଙ୍କୁ ପ୍ରତି ମାସରେ ଘର ଚଳାଇବା ପାଇଁ ୩୦ ହଜାର ଟଙ୍କା ଲେଖାଏ ଦିଆଯିବ।

author-image
Hemant Lenka
Kambli

Kambli

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଚର୍ଚ୍ଚାରେ। ନିକଟରେ ନିଜର ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା ଓ ଆର୍ଥିକ ସଙ୍କଟ ସ୍ଥିତି ପାଇଁ କାମ୍ବଲି ଚର୍ଚ୍ଚାକୁ ଆସିଥିଲେ। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପିଲା ଦିନର ବନ୍ଧୁ ହେଉଛନ୍ତି ବିନୋଦ କାମ୍ବଲି। ଉଭୟ ଏକାଠି ଘରୋଇ କ୍ରିକେଟ ସହ ଭାରତ ପାଇଁ ଖେଳିଥିଲେ। କାମ୍ବଲି ଭାରତ ପାଇଁ ୧୦୪ଟି ଦିନିକିଆ ଓ ୧୭ଟି ଟେଷ୍ଟ ଖେଳିଛନ୍ତି। କିନ୍ତୁ ସମୟକ୍ରମେ ସେ ଏକାଧିକ ରୋଗରେ ପୀଡ଼ିତ ହେବା ସହ ଘର ଚଳାଇବାକୁ ତାଙ୍କ ପାଖରେ ଟଙ୍କା ମଧ୍ୟ ନଥିବା ଖବର ସାମ୍ନାକୁ ଆସିଥିଲା।

Advertisment

୨୦୨୪ ମସିହା ଡିସେମ୍ବର ୨୧ରେ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଥାଣେର ଆକୃତି ହସ୍ପିଟାଲରେ ଭର୍ତ୍ତି କାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ଡିସଚାର୍ଜ ହୋଇଥିଲେ। ତଥାପି ତାଙ୍କ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଠିକ ହୋଇନାହିଁ। ଏବେ ବି ସେ ବହୁବିଧ ରୋଗରେ ପୀଡ଼ିତ। ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥା ସହ କାମ୍ବଳି ଆର୍ଥିକ ସଙ୍କଟ ଦେଇ ମଧ୍ୟ ଗତି କରୁଛନ୍ତି। କାମ୍ବଲିଙ୍କୁ ଏପରି ଅବସ୍ଥାରେ ଦେଖି ଏବେ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା ଷ୍ଟାର ଭାଷ୍ୟକାର ସୁନୀଲ ଗାଭାସ୍କର।

୨୦୨୪ ମହିଳା ଡିସେମ୍ବର ମାସରେ ମୁମ୍ବାଇର ଶିବାଜୀ ପାର୍କରେ ମହାନ କ୍ରିକେଟ କୋଚ୍‌ ରମାକାନ୍ତ ଆଚେର୍କରଙ୍କ ଗୋଟିଏ ସ୍ମାରକୀ ଉଦଘାଟନ କରାଯାଇଥିଲା। ଏହି ସମୟରେ ଗାଭାସ୍କର ସର୍ବସମ୍ମୁଖରେ କାମ୍ବଲିଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ଗାଭାସ୍କର ତାଙ୍କ କଥା ରଖିଛନ୍ତି। ଏଣିକି କାମ୍ବଲି ପ୍ରତି ମାସରେ ଗାଭାସ୍କରଙ୍କ ଠାରୁ ଆର୍ଥିକ ସହାୟତା ପାଇବେ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗାଭାସ୍କରଙ୍କ ଚାମ୍ପସ ଫାଉଣ୍ଡେସନ ପକ୍ଷରୁ କାମ୍ବଲିଙ୍କୁ ପ୍ରତି ମାସରେ ଘର ଚଳାଇବା ପାଇଁ ୩୦ ହଜାର ଟଙ୍କା ଲେଖାଏ ଦିଆଯିବ। ସେହିପରି ତାଙ୍କ ମେଡିକାଲ ଖର୍ଚ୍ଚ ବାବଦରେ ମଧ୍ୟ ଫାଉଣ୍ଡେସନ ବାର୍ଷିକ ୩୦ ହଜାର ଟଙ୍କାର ସହାୟତା କରିବ।

ଗାଭାସ୍କର ଓ କାମ୍ବଲି ପରସ୍ପରକୁ ଚଳିତ ବର୍ଷ ଜାନୁଆରୀ ମାସରେ ୱାଙ୍ଖଡେ ଷ୍ଟାଡିୟମର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ଭେଟିଥିଲେ। ଗାଭାସ୍କର ଓ ସଚିନଙ୍କ ଭଳି ୱାଙ୍ଖଡେ ମଧ୍ୟ କାମ୍ବଲିଙ୍କ ହୋମଗ୍ରାଉଣ୍ଡ। ନିଜ କ୍ରିକେଟିଂ କ୍ୟାରିୟରର ଆରମ୍ଭ କାମ୍ବଲି ଏହି ଷ୍ଟାଡିୟମରୁ ହିଁ ଆରମ୍ଭ କରିଥିଲେ।

କାମ୍ବଲି ମୁମ୍ବାଇର ଅତ୍ୟନ୍ତ ଛୋଟ ଗଳିରେ ବଢ଼ିଥିଲେ। ଏହାପରେ ସେ ଶିବାଜୀ ପାର୍କରେ ନିଜ କ୍ରିକେଟ ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରିଥିଲେ। ମୁମ୍ବାଇର ସବୁଠାରୁ ବଡ଼ ପଡ଼ିଆ ହେଉଛି ଆଜାଦ ମୈଦାନ। ଏଠାରେ ଥିବା ପିଚ୍‌ରେ କାମ୍ବଲି ତାଙ୍କ ପିଲାଦିନର ବନ୍ଧୁ ସଚିନ ତେନ୍ଦୁଲକରଙ୍କ ସହ ମିଶି ରେକର୍ଡ ୬୬୪ ରନର ଭାଗିଦାରୀ କରିଥିଲେ। କାମ୍ବଲି ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଅପରାଜିତ ୩୪୯ ରନ ଓ ସଚିନ ୪ନଂରେ ବ୍ୟାଟିଂ କରିବାକୁ ଆସି ଅପରାଜିତ ୩୨୯ ରନ କରିଥିଲେ।

ଉଭୟ ତୃତୀୟ ୱିକେଟ ପାଇଁ ୬୬୪ ରନ ଯୋଡ଼ିଥିଲେ। ଏହା ଏକ ବିଶ୍ୱ ରେକର୍ଡ। ବ୍ୟକ୍ତିଗିତ ଓ ପ୍ରେଫେସନାଲ କ୍ୟାରିୟରରେ ଅନେକ ଘାତକ ପ୍ରତିଘାତର ସାମ୍ନା କରିଥିବା କାମ୍ବଲି ପରବର୍ତ୍ତୀ ଅବସ୍ଥାରେ ଦେଶ ପାଇଁ ଟେଷ୍ଟରେ ଦୁଇଟି ଡବଲ ଟନ୍‌ ମାରିଥିଲେ। ଆଜାଦ ମୈଦାନରୁ ସେ ଶିଖିଥିବା କଳାକୁ ଦେଶ ପାଇଁ ବ୍ୟବହାର କରିଥିଲେ। ପଡ଼ିଆରେ ମୋଟ ୨୨ଟି କ୍ରିକେଟ ପିଚ୍‌ ରହିଛି। ସେହିପରି ବର୍ଷ ତମାମ ଏଠାରେ ଇଣ୍ଟରସ୍କୁଲ ଓ କ୍ଲବ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ଆଜାଦ ମୈଦାନ ସହ ଜଡ଼ିତ ଇତିହାସକୁ ମଧ୍ୟ ଭୁଲି ଯିବା ଠିକ ହେବନି। ପ୍ରଥମେ ଏହା ଏସପ୍ଲାନେଡ ନାଁରେ ପରିଚିତ ଥିଲା। କିନ୍ତୁ ସ୍ୱାଧୀନତା ସଂଗ୍ରାମରେ ଏହାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ନାଁକୁ ପରିବର୍ତ୍ତନ କରାଯାଇଥିଲା। ୧୯୩୧ ମସିହା ଡିସେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସବୁଠାରୁ ବଡ଼ ରାଜନୀତିକ ସଭା ଏଠାରେ ହୋଇଥିଲା। ଏଠାରେ ବିଭିନ୍ନ ରାଜନୀତିକ ସଭା ଓ ଲୋଙ୍କ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ବିକ୍ଷୋଭ ହୋଇଥାଏ।

ବିନୋଦ କାମ୍ବଲି ଭାରତ ପାଇଁ ମୋଟ ୧୦୪ଟି ଦିନିକିଆ ଓ ୧୭ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ମୋଟ ୩,୫୬୧ ରନ୍‌ କରିଛନ୍ତି। ଏଥିରେ ୬ଟି ଶତକ ସାମିଲ ଅଛି। ସେ ଟେଷ୍ଟ ମ୍ୟାଚ୍‌ରେ ୪ଟି ଶତକ ଓ ଦିନିକିଆ ମ୍ୟାଚ୍‌ରେ ଦୁଇଟି ଶତକ କରିଥିଲେ। ୧୯୯୧ରେ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବିନୋଦ କାମ୍ବଲିଙ୍କ ଖେଳ ୯ ବର୍ଷ ମଧ୍ୟ ଶେଷ ହୋଇଯାଇଥିଲା।

ସଚିନଙ୍କ ଠାରୁ କାମ୍ବଲିଙ୍କ ଆଭେରେଜ ଭଲ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍‌ ଜଗତର ଜଣେ ମହାନ ଖେଳାଳି। ସେ ଯେଉଁ ରେକର୍ଡ ସବୁ କରିଛନ୍ତି ହୁଏତ ଏହାକୁ ଅନ୍ୟ କୌଣସି ବ୍ୟାଟର ଭାଙ୍ଗିପାରିବା ସହଜ ନୁହେଁ। ଏହି କୃତିତ୍ୱ ପାଇଁ ତାଙ୍କୁ କ୍ରିକେଟ୍‌ର ଗଡ୍ ମଧ୍ୟ କୁହାଯାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଟେଷ୍ଟ କ୍ରିକେଟ୍‌ରେ ସଚିନଙ୍କ ତୁଳନାରେ ବିନୋଦ କାମ୍ବଲିଙ୍କ ବ୍ୟାଟିଂ ଆଭରେଜ ଅଧିକ। ଯଦିଓ ଟେଷ୍ଟରେ କାମ୍ବଲି ମାତ୍ର ୧୭ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ୧୭ଟି ମ୍ୟାଚ୍‌ରୁ କାମ୍ବଲି ୫୪.୨୦ ଅଭରେଜ୍‌ରେ ୧୦୮୪ ରନ୍‌ କରିଛନ୍ତି। ଅନ୍ୟପଟେ ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟ୍‌ରେ ୨୦୦ ଟି ମ୍ୟାଚ୍‌ ଖେଳି ୫୩.୭୮ ଆଭରେଜ୍‌ରେ ୧୫୯୨୧ ରନ୍‌ କରିଛନ୍ତି। ଯେଉଁଥିରେ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସାମିଲ ରହିଛି। ଏହାରି ମଧ୍ୟରେ ୨୦୦୦ରୁ ଅଧିକ ଚୌକା ମାରିବାର ରେକର୍ଡ ସଚିନ୍‌ଙ୍କ ନାଁରେ ରହିଛି।

ପତ୍ନୀ ଦେଇଥିଲେ ବଡ଼ ବୟାନ

ଚଳିତ ବର୍ଷ ଜାନୁଆରୀ ମାସରେ ବନୋଦ କାମ୍ବଲିଙ୍କ ପତ୍ନୀ ଏଣ୍ଡ୍ରିୟା ବଡ଼ ବୟାନ ଦେଇଥିଲେ। ୨୦୨୩ରେ କାମ୍ବଲିଙ୍କ ଆଚରଣ ଓ ବ୍ୟବହାର ଦେଖି ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ କାମ୍ବଲିଙ୍କ ଅସହାୟତା ଦେଖି ସେ ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ। ଏଣ୍ଡ୍ରିୟା ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ ଯେ କାମ୍ବଲିଙ୍କୁ ଛାଡ଼ିବା ପାଇଁ ସେ ପୂରା ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ କାମ୍ବଲିଙ୍କ ଦୁର୍ବଳ ସ୍ୱାସ୍ଥ୍ୟାବସ୍ଥାକୁ ତାଙ୍କୁ ସବୁବେଳେ ଚିନ୍ତିତ କରୁଥିଲା। ଏଣ୍ଡ୍ରିୟା କହିଥିଲେ, “ଯଦି ମୁଁ ତାଙ୍କୁ ଛାଡ଼ି ଦେବି, ତା’ହେଲେ ସେ ପୂରା ଅସହାୟ ହୋଇଯିବେ। ସେ ଏବେ ଗୋଟିଏ ଛୋଟ ପିଲା ଭଳି ଆଚରଣ କରୁଛନ୍ତି ଓ ଏହା ମୋତେ କଷ୍ଟ ଦେଉଛି। ଏହା ମୋତେ ଚିନ୍ତିତ କରୁଛି। ମୁଁ ମୋର ଗୋଟିଏ ହେଲେ ବନ୍ଧୁଙ୍କୁ ଛାଡ଼ି ନାହିଁ। କାମ୍ବଲି ତ ବନ୍ଧୁ ଠାରୁ ଅଧିକ।”

ଏକଦା ଏଣ୍ଡ୍ରିୟା ସ୍ୱାମୀ କାମ୍ବଲିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ମଦ ପିଇ ବିନୋଦ ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଧୁମ ମାଡ଼ ମାରିଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବିନୋଦ ତାଙ୍କୁ ଖାଦ୍ୟ ରୋଷେଇ କରାଯାଉଥିବା ଫ୍ରାଇଂ ପ୍ୟାନ୍‌ ହ୍ୟାଣ୍ଡେଲରେ ମାଡ଼ ମାରିଛନ୍ତି। କେବଳ ସେତିକି ନୁହେଁ କ୍ରିକେଟ ବ୍ୟାଟ୍‌ରେ ମଧ୍ୟ ବିନୋଦ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଥିଲେ। ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ଅବସ୍ଥାରେ କାମ୍ବଲି ଓ ଏଣ୍ଡ୍ରିୟାଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।

Indian Cricket Team Cricket Sunil Gavaskar Vinod Kambli