ଶଟ ଖେଳୁଛନ୍ତି ଗାଏକ୍ୱାଡ
ଦକ୍ଷିଣ ଆଫ୍ରିକା(IND vs SA) ବିପକ୍ଷ ଟେଷ୍ଟ ସିରିଜରେ ମୂଳପୋଛ ହୋଇଯାଇଥିବା ଭାରତ ଏବେ ଏବେ ଦିନିକିଆ ସିରିଜ ଜିତିବାର ସମ୍ଭାବନା ସୃଷ୍ଟି କରିଛି। ପ୍ରଥମ ଦିନିକିଆକୁ ଜିତି ସାରିଥିବା ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ରେ ଦମଦାର ବ୍ୟାଟିଂ କରିଛି। ବିରାଟ କୋହଲିଙ୍କ କ୍ରମାଗତ ଶତକ ଓ ଯୁବ ତାରକା ଋତୁରାଜ ଗାଏକ୍ୱାଡଙ୍କ ମେଡେନ ସେଞ୍ଚୁରୀ ବଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଶାଳ ଟାର୍ଗେଟ ସେଟ କରିଛି ଭାରତ।
ନିର୍ଦ୍ଧାରିତ ୫୦ ଓଭରରେ ଭାରତୀୟ ଟିମ ୫ ୱିକେଟ ହରାଇ ବିଶାଳ ୩୫୮ ରନ କରିଛି। ଏବେ ସିରିଜରେ ଜୀବିତ ରହିବା ପାଇଁ ଦକ୍ଷିଣ ଆଫ୍ରିକୁ ମିଳିଛି ୩୫୯ ରନର ଟାର୍ଗେଟ। ଭାରତ ପାଇଁ ବିରାଟ ୧୦୨, ଗାଏକ୍ୱାଡ ୧୦୫ ଓ ଅଧିନାୟକ କେଏଲ ରାହୁଲ ୬୬ ରନର ଇନିଂସ ଖେଳିଛନ୍ତି।
ଟସ୍ ହାରି ରାୟପୁରରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ରୋହିତ ଶର୍ମା(୧୪) ଓ ଯଶସ୍ୱୀ ଜୈସୱାଲ(୨୨)ଙ୍କୁ ହରାଇ ଥିଲା। ୧୦ ଓଭର ମଧ୍ୟରେ ଉଭୟ ପ୍ୟାଭିଲିୟନ ଫେରିଥିଲେ। ଏହି ସମୟରେ ଭାରତ ସ୍କୋର ୬୪ ରହିଥିଲା। ଏତିକି ବେଳେ ଗାଏକ୍ୱାଡ ଓ ବିରାଟ ସ୍ଥିତି ସମ୍ଭାଳି ତୃତୀୟ ୱିକେଟ ୧୯୫ ରନ ଯୋଡ଼ିଥିଲେ। ଗାଏକ୍ୱାଡ ୭୭ ବଲରେ ନିଜର ମେଡେନ ଶତକ ହାସଲ କରିଥିଲେ। ଏହାପରେ ବିରାଟ ୯୦ ବଲରୁ ହାସଲ କରିଥିଲେ ନିଜର ୫୩ତମ ଦିନିକିଆ ସେଞ୍ଚୁରୀ।
ଦଳୀୟ ସ୍କୋର ୨୫୭ ଥିବା ବେଳେ ଗାଏକ୍ୱାଡ ୧୦୫ ରନ କରି ମାର୍କୋ ୟାନସେନଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ଦଳୀୟ ସ୍କୋର ୨୮୪ ଥିବା ବେଳେ ପ୍ୟାଭିଲିୟନ ଫେରିଥିଲେ ବିରାଟ। ଏହାର ଆଉ ୫ ରନ ପରେ ରନ ଆଉଟ ହୋଇଯାଇଥିଲେ ୱାଶିଂଟନ ସୁନ୍ଦର। ତେବେ ଅଧିନାୟକ ରାହୁଲ ଓ ଅଭିଜ୍ଞ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ।
ରାହୁଲ ବଡ଼ବଡ଼ ଶଟ ଖେଳି ୩୩ ବଲରେ ନିଜ ଦିନିକିଆ କ୍ୟାରିୟରର ଆଉ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ଜାଡେଜା ମଧ୍ୟ ତାଙ୍କୁ ପୂରା ସାଥ ଦେଇଥିଲେ। ଉଭୟ ୪୭ ବଲରେ ୫୦ ରନର ଭାଗିଦାରୀ ମଧ୍ୟ କରିଥିଲେ। ୪୮ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୩୩୬ରେ ପହଞ୍ଚି ଯାଇଥିଲା।
୪୯ତମ ଓଭର ବୋଲିଂ କରୁଥିବା ଲୁଙ୍ଗି ଏନଗିଡି ବେଶ ଚମତ୍କାର ପ୍ରଦର୍ଶନ କରି କେବଳ ୪ ରନ ଖର୍ଚ୍ଚ କରିଥିଲେ। ରାହୁଲ କିମ୍ବା ଜାଡେଜା ବଡ଼ ଶଟ ଖେଳିବାକୁ ସକ୍ଷମ ହୋଇ ନଥିଲେ।
ଶେଷ ଓଭର ନେଇ ଆସିଥିଲେ କୋର୍ବିନ ବଚ୍। ସାମ୍ନାରେ ଥିଲେ କେଏଲ ରାହୁଲ। ସେ ପ୍ରଥମ ବଲରେ ଲେଗ ବାଇ ରୂପରେ ୧ ରନ ପାଇଥିଲେ। ଦ୍ୱିତୀୟ ବଲରେ ଜାଡେଜା ମାରିଥିଲେ ଚୌକା। ତୃତୀୟ ବଲରେ ଜାଡେଜା ୧ ରନ ନେବାରୁ ଷ୍ଟ୍ରାଇକକୁ ଫେରିଥିଲେ ରାହୁଲ। ସେ ୪ର୍ଥ ବଲରେ ଚୌକା ମାରି ଦଳୀୟ ସ୍କୋରୁ ୩୫୦ରେଆ ପହଞ୍ଚାଇଥିଲେ। ୫ମ ବଲରେ ରାହୁଲ ଗୋଟିଏ ବିଶାଳ ଛକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଶେଷ ବଲରେ ୨ ରନ ହେବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୫୮ ରନ କରିବାକୁ ସକ୍ଷମ ହୋଇଛି। ରାହୁଲ ଶେଷ ଯାଏ ୬୬ ଓ ଜାଡେଜା ୨୭ ବଲରେ ୨୪ ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ୨ଟି ୱିକେଟ ନେଇଥିବା ବେଳେ ନାନ୍ଦ୍ରେ ବର୍ଗର ଓ ଲୁଗି ଏନଗିଡି ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଗୋଟିଏ ୱିକେଟ ରନ ଆଉଟରୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/03/sa-2025-12-03-17-29-56.jpg)